Bus parking: ଦୁର୍ଘଟଣା ବଢ଼ାଉଛି ରାଜପଥ କଡ଼ରେ ବସ୍ ପାର୍କିଂ
ଗତ ମଙ୍ଗଳବାର ସତ୍ସଙ୍ଗବିହାର ନିକଟସ୍ଥ ବସ୍ ବେ ନିକଟରେ ରଘୁନାଥ ତିହୁଡ଼ୀ ନାମକ ଜଣେ ଯୁବକଙ୍କ ଉପରେ ଟ୍ରକ୍ ମାଡ଼ି ଯାଇଥିଲା। ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁସାରେ ସାମ୍ନାରେ ଯାଉଥିବା....

ଭୁବନେଶ୍ବର: ଗତ ମଙ୍ଗଳବାର ସତ୍ସଙ୍ଗବିହାର ନିକଟସ୍ଥ ବସ୍ ବେ ନିକଟରେ ରଘୁନାଥ ତିହୁଡ଼ୀ ନାମକ ଜଣେ ଯୁବକଙ୍କ ଉପରେ ଟ୍ରକ୍ ମାଡ଼ି ଯାଇଥିଲା। ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁସାରେ ସାମ୍ନାରେ ଯାଉଥିବା ବସ୍ଟି ବାଣୀବିହାର ଓଭର୍ବ୍ରିଜ୍ରୁ ଖସୁ ଥିବା ସମୟରେ ସତ୍ସଙ୍ଗ ବିହାର ବସ୍ ବେ ନିକଟରେ ହଠାତ୍ ବ୍ରେକ ମାରି ଦେବା ଫଳରେ ପଛରୁ ଆସୁଥିବା କାର ମଧ୍ୟ ବ୍ରେକ୍ ମାରି ଦେଇଥିଲା। ଫଳରେ କାର ପଛରେ ବାଇକରେ ଆସୁଥିବା ରଘୁନାଥ ଭାରସ୍ୟାମ ହରାଇ ତଳେ ପଡ଼ି ଯାଇଥିଲେ। ପଛରୁ ଆସୁଥିବା ଟ୍ରକ୍ ତାଙ୍କ ଉପରେ ଚଢ଼ି ଯାଇଥିଲା। ତେଣୁ ରଘୁନାଥଙ୍କର ମୃତ୍ୟୁ ହୋଇଯାଇଥିଲା। କେବଳ ରଘୁନାଥ ନୁହନ୍ତି ସୂଚନା ଅନୁସାରେ ଗତ ଦେଢ଼ ବର୍ଷେ ମଧ୍ୟରେ ଏହି ପଳାସୁଣି, ଜୟଦେବ ବିହାର, ସତସଙ୍ଗ ବିହାର, କ୍ରାଉନ୍ ହୋଟେଲ ବସ୍ ବେ ନିକଟରେ ପ୍ରାୟ ୧୦ ଜଣଙ୍କର ମୁଣ୍ଡ ଗଡ଼ିଲାଣି। ତଥାପି ବସ୍ ରହଣି ପାଇଁ କେବଳ ଯୋଜନା କରାଯାଉଛି କିନ୍ତୁ ଫଳବତୀ କରାଯାଉ ନାହିଁ।
ସୂଚନା ଅନୁସାରେ ବରମୁଣ୍ଡା ବସଷ୍ଟାଣ୍ଡାରୁ କଟକ ଆଡ଼କୁ ଯାଉଥିବା ଗାଡ଼ିଗୁଡ଼ିକ କ୍ରାଉନ୍ ହୋଟେଲ, ଜୟଦେବ ବିହାର, ସତ୍ସଙ୍ଗ ବିହାର ଓ ପଳାସୁଣି ବ୍ରିଜ ଉପରେ ଛିଡ଼ା ହୋଇ ଲୋକ ଉଠାଉଛନ୍ତି। ଏହି ସବୁ ସ୍ଥାନ ଗୁଡ଼ିକ ସାଧାରଣତଃ ଗହଳି ରହିଥାଏ। କାରଣ ଏହି ରାସ୍ତା ନିକଟରେ ଜାତୀୟ ରାଜପଥ ସହିତ ସର୍ଭିସ୍ ରୋଡର ସଂଯୋଗ ରହିଛି। ତେଣୁ ଟିକିଏ ଅସାବଧାନ ହେଲେ ଦୁର୍ଘଟଣା ଘଟିବା ନିଶ୍ଚିନ୍ତ। ଏଭଳି ସମୟରେ ସମ୍ମୁଖରେ ଏକ ବସ୍ ମାଡ଼ି ରହିଲେ କିମ୍ବା ସଂଯୋଗ ରାସ୍ତା ପଛକୁ ବସ୍ ରହିଲେ ଜାତୀୟ ରାଜପଥରେ ଆସୁଥିବା ଗାଡ଼ି ଆଉ ଦେଖାଯାଏ ନାହିଁ। ତେଣୁ ଅଧିକାଂଶ ସମୟରେ ଓଭର୍ବ୍ରିଜରୁ ଦ୍ରୁତଗତିରେ ଖସୁଥିବା ଗାଡ଼ି ସହିତ ଦୁର୍ଘଟଣା ଘଟିଥାଏ। ସେହିପରି ବସ୍ ଗୁଡ଼ିକ ଯେଉଁ ଭଳି ଭାବେ ଲୋକ ଉଠାଇବାକୁ ପ୍ରତିଯୋଗିତା ଚାଲିଛି ପଛରୁ ଆସୁଥିବା ଗାଡ଼ି ମଧ୍ୟ ହଠାତ ବ୍ରେକ ମାରିବା ଯୋଗୁ ଦୁର୍ଘଟଣା ଶିକାର ହୋଇଥାନ୍ତି। ସତସଙ୍ଗ ବିହାରରେ ବସପାଇଁ ଅପେକ୍ଷା କରିଥିବା ପ୍ରଦ୍ୟୁମ୍ନ ଧର କହିଛନ୍ତି ଯେ ବସରୁ ଓହ୍ଲାଇ ସର୍ଭିସ୍ ରୋଡ୍ର ସଂଯୋଗ ରାସ୍ତା ଦେଇ ରାସ୍ତା ପାରି ହେବା ସମୟରେ ଦୁର୍ଘଟଣା ଘଟୁଛି। ତେଣୁ ଏହି ସବୁ ସ୍ଥାନରେ ବସ୍ ରହିବାକୁ ସ୍ବତନ୍ତ୍ର ବ୍ୟବସ୍ଥା କରାଯିବା ଆବଶ୍ୟକ ରହିଛି। ବରମୁଣ୍ଡା ଭୀମରାଓ ଆମ୍ବେଦକର ବସ ଟର୍ମିନାଲର ପରିଚାଳକ ଇତିକାନ୍ତ ମହାପାତ୍ର କହିଛନ୍ତି।
ବସ୍ ରହଣି ପାଇଁ କିଛି ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଥିବା ସେ ଜାଣି ନାହାନ୍ତି। ଏନେଇ ସେ ଯୋଜନା କଣ ରହିଥିଲା ବା କଣ ଆଗକୁ କରି ହେବ ତା ନେଇ ନୂଆ ଯୋଜନା କରାଯିବ। ଟ୍ରାଫିକ ଏସିପି ଉମାକାନ୍ତ ପ୍ରଧାନ କହିଛନ୍ତି ଯେ ଯେଉଁ ବସ ରହୁଛି ତାକୁ ନେଇ ଆମେ ସେଠାରେ ପୁଲିସ ନିୟୋଜିତ କରୁଛୁ। ଯେପରି ଅଧିକ ସମୟ ବସ ରହି ପାରିବ ନାହିଁ କିମ୍ବା ଭିଡ଼ ନିୟନ୍ତ୍ରଣ କରାଯାଇ ଦୁର୍ଘଟଣା ରୋକା ଯାଇ ପାରିବ ସେ ନେଇ ସତର୍କତା ଅବଲମ୍ବନ କରାଯାଉଛି।
ସୌଜନ୍ୟ ସମ୍ବାଦ




