Health: ଜଣେ ଡାକ୍ତରରେ ଚାଳିଛି ଆୟୁଷ୍ମାନ ଆରୋଗ୍ୟ କେନ୍ଦ୍ର

ସହରର ଲକ୍ଷାଧିକ ଲୋକଙ୍କୁ ପ୍ରାରମ୍ଭିକ ତ୍ବରିତ ଚିକିତ୍ସା ଯୋଗାଇବାକୁ ଗାନ୍ଧିଛକର ପୂରୁଣା ଡିଏଚ୍‌ଏଚ୍‌ ପରିସରରେ ରହିଛି ସହରାଂଚଳ ଡାକ୍ତରଖାନା ବା ଆୟୁଷ୍ମାନ ଆରୋଗ୍ୟ କେନ୍ଦ୍ର। ତେବେ ଏତେ ବଡ଼ ଡାକ୍ତରଖାନାକୁ ସମ୍ଭାଳିବା ପାଇଁ ଜଣେ ମାତ୍ର ଡାକ୍ତର ଓ ଜଣେ ଲ୍ୟାବ ଟ୍ୟାକ୍ନିସିଆନ୍ ରହିଛନ୍ତି।

 

ନବରଙ୍ଗପୁର (ସୁରେଶ ନାଇଡୁ): ସହରର ଲକ୍ଷାଧିକ ଲୋକଙ୍କୁ ପ୍ରାରମ୍ଭିକ ତ୍ବରିତ ଚିକିତ୍ସା ଯୋଗାଇବାକୁ ଗାନ୍ଧିଛକର ପୂରୁଣା ଡିଏଚ୍‌ଏଚ୍‌ ପରିସରରେ ରହିଛି ସହରାଂଚଳ ଡାକ୍ତରଖାନା ବା ଆୟୁଷ୍ମାନ ଆରୋଗ୍ୟ କେନ୍ଦ୍ର। ତେବେ ଏତେ ବଡ଼ ଡାକ୍ତରଖାନାକୁ ସମ୍ଭାଳିବା ପାଇଁ ଜଣେ ମାତ୍ର ଡାକ୍ତର ଓ ଜଣେ ଲ୍ୟାବ ଟ୍ୟାକ୍ନିସିଆନ୍ ରହିଛନ୍ତି।

ଏହି ଡାକ୍ତରଖାନାକୁ ଦିନକୁ ୧୬୦ଜଣ ରୋଗୀ ବର୍ହିଃବିଭାଗକୁ ଆସୁଥିବାରୁ ରୋଗୀ ଦେଖି ଦେଖି ଡାକ୍ତର ହାଲିଆ। ଏହା ସହ ଡାକ୍ତର ଜଣକ ଡାକ୍ତରଖାନାର ପ୍ରଶାସନିକ ବ୍ୟବସ୍ଥା ଦେଖିବା ସହ ସହରର ସବୁ ୱାର୍ଡ ବୁଲି ବିଭିନ୍ନ କାର୍ଯ୍ୟକ୍ରମ ପିଏମଏସଏମ୍, ଏଚପିଭି ଟୀକାକରଣ ସହ ନିୟମିତ ଟୀକାକରଣର ତଦାରଖ କରିବାକୁ ପଡୁଛି।

ସେହିପରି ‌ଜଣେ ଟ୍ୟାକ୍ନସିୟନ ବିଭିନ୍ନ ପରୀକ୍ଷାର ଭାର ରହୁଛି। ତେଣୁ ତୁରନ୍ତ‌ ଡାକ୍ତର ଓ ଲ୍ୟାବ୍‌ ଟେକ୍ନିସିଆନ୍ ନୂଆ ନିଯୁକ୍ତି ଦେବାକୁ ବିଭିନ୍ନ ମହଲରେ ଦାବି ହୋଇଛି। ମାନସିକ ଚାପ ମଧ୍ୟରେ ଡାକ୍ତର ହେଉନ୍ତୁ କି ବୈଷୟିକ କର୍ମଚାରୀ କିଭଳି କାମ କରିବେ ବୋଲି ବୁଦ୍ଧିଜୀବୀ ସନ୍ତୋଷ ମିଶ୍ର ପ୍ରଶ୍ନ କରିଛନ୍ତି। ଦିନକୁ ଦିନ ସହରର ଜନସଂଖ୍ୟା ବଢ଼ିବା ପରେ ଡାକ୍ତରଖାନାର ଚାପ ବି ବଢ଼ିବାରେ ଲାଗିଛି। ସହରର ସମସ୍ତ ବସ୍ତି ଓ ସାହି ବାସିନ୍ଦାମାନେ ପ୍ରଥମେ ପ୍ରାରମ୍ଭିକ ଚିକିତ୍ସା ପାଇଁ ଏତେ ଦୂରକୁ ନେବା ବଦଳରେ ଏଠାକୁ ଆଣୁଛନ୍ତି। ରୋଗୀଙ୍କୁ ତ୍ବରିତ ସେବା ଯୋଗାଇବା ପାଇଁ ଲକ୍ଷଲକ୍ଷ ଟଙ୍କାର ଭିତ୍ତିଭୂମି ବି ନିର୍ମାଣ କରାଯାଇଛି।

ଡାକ୍ତରଖାନା ଆରମ୍ଭର ପ୍ରାରମ୍ଭିକରେ ଦୁଇ ଜଣ ଡାକ୍ତର ଥିଲେ। ଜଣେ ଉଚ୍ଚଶିକ୍ଷା ପଢ଼ିବାକୁ ଯିବା ପରେ ଗୋଟିଏ ପଦବୀ ଖାଲି ପଡିଛି। ଏପରିକି ବହୁ ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମକୁ ଏହି ଡାକ୍ତରଖାନାରୁ ହିଁ ଆରମ୍ଭ କରାଯାଉଛି। ଏଠାକୁ ସଡିଏମଓ, ଜିଲ୍ଲାପାଳ,ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ତଥା ବିଧାୟକ ବି ବହୁବାର ଆସୁଥିବା ନଜିର ରହିଛି। ତେବେ ଜଣେ ଡାକ୍ତରଓ ଜଣେ ଟେକ୍ନିସିଅନରେ କିଭଳି ଡାକ୍ତରଖାନା ଚାଳିବ ତାହା ଚିନ୍ତା କରିବା ନିହାତି ଆବଶ୍ୟକ। ଯଦି ଏଠାକାର ଡାକ୍ତର କୌଣସି ସରକାରୀ ତାଲିମ କିମ୍ବା ସଚେତନତା କାର୍ଯ୍ୟକ୍ରମରେ ଗଲେ ଡାକ୍ତରଖାନା ଚଳାଇବ କିଏ ଉଠିଛି ପ୍ରଶ୍ନ। ଏହି ଡାକ୍ତରଖାନା ପାଇଁ ଜଣେ ଡାକ୍ତର ରହିବା ସରକାରୀ ଧାର୍ଯ୍ୟ ରହିଛି ବୋଲି ସଡିଏମଓ ଡ.ମଳୟ କୁମାର ପ୍ରଧାନ କହିଛନ୍ତି। ପୂର୍ବରୁ କିଭଳି ଦୁଇ ଜଣ ଥିଲେ ସେ ଜାଣି ନାହାନ୍ତି। ଜିଲ୍ଲାରେ ଡାକ୍ତର ଓ ପାରା କର୍ମଚାରୀ ଅଭାବ ବୋଲି କହିଛନ୍ତି ସିଡିଏମଓ।

ସୌଜନ୍ୟ Prameya News7