ସୋନପୁର: ବୌଦ୍ଧରୁ ଅନ୍ୟ ରାଜ୍ୟକୁ ଚୋରା ଚାଲାଣ ବେଳେ ସୋନପୁର ପୁଲିସ ବିପୁଳ ପରିମାଣର ଗଞ୍ଜେଇ ଜବତ କରିଆସୁଛି। ଏବେ ନକଲି ନୋଟ୍ ଚଳାଇବାକୁ ଆସି ଦୁଇ ଯୁବକ ପୁଲିସ ହାତରେ ଧରାପଡ଼ିଛନ୍ତି। ସେମାନଙ୍କ ପାଖରୁ ୮ ଲକ୍ଷ ୪୭ ହଜାର ୫୦୦ ଟଙ୍କାର ନକଲି ୫ ଶହ ଟଙ୍କିଆ ନୋଟ୍ ଜବତ ହୋଇଛି। ଏହି ଘଟଣାରେ ପୁଲିସ ଏକ ସ୍କର୍ପିଓ ଗାଡ଼ି ଜବତ କରିବା ସହ ଯାଜପୁର ଓ ନୟାଗଡ଼ ଜିଲ୍ଲାରୁ ଦୁଇ ଜଣ ଯୁବକଙ୍କୁ ଅଟକ ରଖିଛି। ଜାଲ ନୋଟ୍ କାରବାରରେ ବରଗଡ଼ ଓ ଛତିଶଗଡ଼ ରାୟପୁରର ଲିଙ୍କ୍ ରହିଥିବା ବୁଧବାର ଜିଲ୍ଲା ପୁଲିସ ମୁଖ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏସ୍ପି ନାରାୟଣ ନାୟକ ସୂଚନା ଦେଇଛନ୍ତି।
ବରଗଡ଼, ଛତିଶଗଡ଼କୁ ଲମ୍ବିଛି ନେଟ୍ୱର୍କ
ସୂଚନା ମୁତାବକ, ମଙ୍ଗଳବାର ସନ୍ଧ୍ୟାରେ ପୁଲିସ ପାଟ୍ରୋଲିଂ ଚାଲିଥିବାବେଳେ ଏକ କଳା ରଙ୍ଗର ସ୍କର୍ପିଓ (ଓଡି୩୪-ଜେଡ୍-୧୯୧୯) ଇତଃସ୍ତତଃ ଭାବେ ସହରରେ ବୁଲାବୁଲି କରୁଥିବା ଏସ୍ଆଇ ଅନୀଲ ବେହେରା ଲକ୍ଷ୍ୟ କରିଥିଲେ। ଗାଡ଼ିକୁ ବ୍ଲକ୍ ଛକରେ ଅଟକାଇ ଯାଞ୍ଚ କରିବାବେଳେ ଏକ ନୀଳ ରଙ୍ଗର କ୍ୟାରିବ୍ୟାଗ୍ରୁ ୧୬୯୫ଟି ନକଲି ୫୦୦ ଟଙ୍କିଆ ନୋଟ୍ ମିଳିଥିଲା। ଏ ନେଇ ସୋନପୁର ଥାନା ୧୨୬ ନମ୍ବରରେ ଏକ ମାମଲା ରୁଜୁ କରି ପୁଲିସ ତଦନ୍ତ ଜାରି ରଖିଛି। ସମସ୍ତ ନୋଟ୍ ସମାନ ନମ୍ବର ବିଶିଷ୍ଟ ହୋଇଥିବା ବେଳେ ୱାଟରମାର୍କ ଓ ଅନ୍ୟ ସୁରକ୍ଷା ବ୍ୟବସ୍ଥା ନାହିଁ। ଏହି ନୋଟ୍କୁ ସେମାନେ ବରଗଡ଼ ଜିଲ୍ଲାରୁ ସଂଗ୍ରହ କରି ସୁବର୍ଣ୍ଣପୁର ଓ ଅନ୍ୟ ଅଞ୍ଚଳକୁ ଚାଲାଣ କରିବାକୁ ଆସିଥିବା ତଦନ୍ତ ବେଳେ ପୁଲିସକୁ କହିଛନ୍ତି। ଅଭିଯୁକ୍ତଦ୍ବୟ ହେଲେ ଯାଜପୁର ଜିଲ୍ଲା ଯଖପୁରା ଥାନା ଅଞ୍ଚଳର ଅଭିଳାଷ ପୁରୁଷୋତ୍ତମ ଶତପଥୀ ଓରଫ୍ ଲିବୁନ (୨୧) ଓ ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ଥାନା ମର୍ଦ୍ଦରାଜପୁର ଗ୍ରାମର ପ୍ରଶାନ୍ତ ଦାସ (୩୪)।
ପ୍ରକାଶଥାଉକି, ପଶ୍ଚିମ ଓଡ଼ିଶାରେ ବରଗଡ଼ ଓ ଓ ସୁବର୍ଣ୍ଣପୁର ଜିଲ୍ଲା ନକଲି ନୋଟ୍ କାରବାରର ପେଣ୍ଠସ୍ଥଳ ଥିବା ବେଳେ ଗତ କିଛି ବର୍ଷ ହେବ କଳାହାଣ୍ଡି ଓ ବଲାଙ୍ଗୀର ଜିଲ୍ଲାରେ ଏହା ଜୋର୍ସୋର ଚାଲିଥିଲା। କଳାହାଣ୍ଡି ଜିଲ୍ଲା କେଗାଁ ଥାନା ମହାଲିଙ୍ଗ ଅଞ୍ଚଳରୁ ପ୍ରାୟ ୩୫ ଲକ୍ଷ ଟଙ୍କାର ଜାଲ ନୋଟ୍ ଆଣିବାବେଳେ ଏସ୍ଟିଏଫ୍ ଟିଟିଲାଗଡ଼ ପୁଲିସ ସହାୟତାରେ ଜଣଙ୍କୁ ଗିରଫ କରିଥିଲା। ସାମ୍ବାଦିକ ସମ୍ମିଳନୀରେ ଅତିରିକ୍ତ ଏସ୍ପି କେ.କେ ହରିପ୍ରସାଦ ଓ ଏସ୍ଆଇ ଅନୀଲ ବେହେରା ଉପସ୍ଥିତ ଥିଲେ।
ସୌଜନ୍ୟ ସମ୍ବାଦ

