CBSE 10th Exam: ସିବିଏସ୍‌ଇ ଦଶମ ପରୀକ୍ଷା ଫଳ: ଟିନା ରଥ ଦେଶରେ ଟପର୍‌, ୫୦୦ରୁ ୫୦୦ ମାର୍କ ରଖି ରେକର୍ଡ କଲେ

ଭୁବନେଶ୍ବର: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ (ସିବିଏସ୍‌ଇ) ଦ୍ବାରା ପରିଚାଳିତ ଦଶମ ଶ୍ରେଣୀ ପରୀକ୍ଷାଫଳ ଆଜି ପ୍ରକାଶ ପାଇଛି। ଯେଉଁଥିରେ ବାଜି ମାରିଛନ୍ତି ଓଡ଼ିଆ ଛାତ୍ରୀ ଟିନା ରଥ। ପୁରୀସ୍ଥିତ ମଦର ପବ୍ଲିକ୍‌ ସ୍କୁଲର ଛାତ୍ରୀ ଟିନା ମୋଟ ୫୦୦ରୁ ୫୦୦ ମାର୍କ ଅର୍ଥାତ୍‌ ଶତ ପ୍ରତିଶତ ନମ୍ବର ରଖି ଓଡ଼ିଶା ସମେତ ସାରା ଦେଶରେ ଟପର୍‌ ହୋଇଛନ୍ତି। ସାରା ଦେଶର ଛାତ୍ରଛାତ୍ରୀଙ୍କ ପ୍ରଦର୍ଶନ ଗତବର୍ଷ ତୁଳନାରେ ସାମାନ୍ୟ ବୃଦ୍ଧି ଘଟିଛି। ସର୍ବଭାତୀୟ ସ୍ତରରେ ଦଶମ ଶ୍ରେଣୀରେ ପାସ୍‌ହାର ୯୩.୭୦% ହୋଇଛି, ଯାହାକି ୨୦୨୫ ତୁଳନାରେ ୦.୦୪% ଅଧିକ। ଚଳିତବର୍ଷ ଦଶମ ଶ୍ରେଣୀ ପରୀକ୍ଷା ଦେବାକୁ ଦେଶରେ ୨୪ ଲକ୍ଷ ୮୩ ହଜାର ୪୭୯ ଜଣ ଛାତ୍ରଛାତ୍ରୀ ପଞ୍ଜୀକରଣ କରିଥିଲେ। ସେମାନଙ୍କ ମଧ୍ୟରୁ ୨୪ ଲକ୍ଷ ୭୧ ହଜାର ୭୭୭ ଜଣ ପରୀକ୍ଷା ଦେଇଥିବା ବେଳେ ୨୩ ଲକ୍ଷ ୧୬ ହଜାର ୮ ଜଣ ପାସ୍‌ କରିଛନ୍ତି।

ଓଡ଼ିଶାରେ ପରୀକ୍ଷା ଦେବାକୁ ୭୪୧ ବିଦ୍ୟାଳୟର ୬୫ ହଜାର ୨୦୪ ଜଣ ଛାତ୍ରଛାତ୍ରୀ ପଞ୍ଜୀକରଣ କରିଥିଲେ। ସେମାନଙ୍କ ମଧ୍ୟରୁ ୬୪ ହଜାର ୯୦୦ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ ଏବଂ ୬୦ ହଜାର ୭୮୮ ଜଣ ପାସ୍‌ କରିଛନ୍ତି। ପାସ୍‌ହାର ୯୩.୬୬% ହୋଇଛି। ପରୀକ୍ଷା ଦେଇଥିବା ୩୪ ହଜାର ୫୧୨ ଜଣ ଛାତ୍ରଙ୍କ ମଧ୍ୟରୁ ୩୧ ହଜାର ୯୭୧ ଜଣ ଓ ୩୦ ହଜାର ୩୮୮ ଛାତ୍ରୀଙ୍କ ମଧ୍ୟରୁ ୨୮ ହଜାର ୮୧୭ ଜଣ ପାସ୍‌ କରିଛନ୍ତି। ଛାତ୍ରଙ୍କ ପାସ୍‌ହାର ୯୨.୬୦% ଓ ଛାତ୍ରୀଙ୍କ ପାସ୍‌ହାର ୯୪.୮୩% ରହିଛି। ଏଥର ବି ଛାତ୍ରଙ୍କ ତୁଳନାରେ ଛାତ୍ରୀମାନେ ଭଲ ପ୍ରଦର୍ଶନ କରିଛନ୍ତି। ସରକାରୀ ବିଦ୍ୟାଳୟରେ ପରୀକ୍ଷା ଦେଇଥିବା ୧୯ ହଜାର ୨୬୦ ଜଣଙ୍କ ମଧ୍ୟରୁ ୧୮ ହଜାର ୧୫୧ଜଣ ପାସ୍‌ କରିଛନ୍ତି ଏବଂ ପାସ୍‌ହାର ୯୪.୨୪% ହୋଇଛି। ସ୍ବାଧୀନ ଭାବେ ଅର୍ଥାତ୍‌ ବେସରକାରୀ ବିଦ୍ୟାଳୟରୁ ପରୀକ୍ଷା ଦେଇଥିବା ୩୭ ହଜାର ୮୭୧ ଜଣଙ୍କ ମଧ୍ୟରୁ ୩୪ ହଜାର ୯୮୫ ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି। ପାସ୍‌ହାର ୯୨.୩୮% ହୋଇଛି।

୫୦୦ରୁ ୫୦୦ ମାର୍କ ରଖି ରେକର୍ଡ କଲେ
ଦେଶରେ ୯୩.୭୦%, ଓଡ଼ିଶାରେ ୯୩.୬୬% ପାସ୍‌
ତିରୁଅନନ୍ତପୁରମ୍‌ ଓ ବିଜୟୱାଡା ଜୋନ୍‌ ପାସ୍‌ହାର ଶୀର୍ଷରେ
ଭୁବନେଶ୍ବର ଜୋନ୍‌ର ପାସ୍‌ହାର ୯୪.୬୭%, ଛାତ୍ରୀଙ୍କ ବାଜିମାତ୍‌

ଅନୁରୂପ ଭାବେ ଜବାହର ନବୋଦୟ ବିଦ୍ୟାଳୟ (ଜେଏନ୍‌ଭି) ବିଦ୍ୟାଳୟରେ ପରୀକ୍ଷା ଦେଇଥିବା ୨,୪୩୦ ଜଣଙ୍କ ମଧ୍ୟରୁ ୨,୪୨୭ ଜଣ ପାସ୍‌ କରିଛନ୍ତି। ଜେଏନ୍‌ଭିର ପାସ୍‌ହାର ୯୯.୮୮% ହୋଇଛି। କେନ୍ଦ୍ରୀୟ ବିଦ୍ୟାଳୟ (କେଭି)ଗୁଡ଼ିକରେ ପରୀକ୍ଷା ଦେଇଥିବା ୫,୧୪୮ ଜଣଙ୍କ ମଧ୍ୟରୁ ୫,୧୩୨ ଜଣ ପାସ୍‌ କରିଛନ୍ତି ଏବଂ ପାସ୍‌ହାର ୯୯.୬୯% ରହିଛି। ଏସ୍‌ଟିଏସ୍‌ଏସ୍‌ ବିଦ୍ୟାଳୟରେ ପରୀକ୍ଷା ଦେଇଥିବା ସମସ୍ତ ୧୮ଜଣ ପରୀକ୍ଷାର୍ଥୀ ଉତ୍ତୀର୍ଣ୍ଣ ହୋଇଛନ୍ତି। ଓଡ଼ିଶାରେ ସାଧାରଣ ବର୍ଗ ଛାତ୍ରଛାତ୍ରୀଙ୍କ ପାସ୍‌ହାର ୯୬.୨୭% ହୋଇଥିବା ବେଳେ ଏସ୍‌ଟି ବର୍ଗ ଛାତ୍ରଛାତ୍ରୀଙ୍କ ପାସ୍‌ହାର ୯୦.୧୭%, ଏସ୍‌ସି ବର୍ଗଙ୍କ ୮୫.୬% ଓ ଓବିସି ବର୍ଗଙ୍କ ପାସ୍‌ହାର ୯୬.୪୬% ହୋଇଛି। ରାଜ୍ୟର ୨୭୨ କେନ୍ଦ୍ରରେ ପରୀକ୍ଷା ଅନୁଷ୍ଠିତ ହୋଇଥିଲା।

ତିରୁଅନନ୍ତପୁରମ୍‌ ଓ ବିଜୟୱାଡା ଜୋନ୍‌ର ପାସ୍‌ହାର ସର୍ବାଧିକ ୯୯.୭୯% ହୋଇଛି। ଦେଶର ମୋଟ ୨୭ ହଜାର ୩୩୯ ବିଦ୍ୟାଳୟର ୨୪ ଲକ୍ଷ ୭୧ ହଜାର ୭୭୭ ଛାତ୍ରଛାତ୍ରୀ ପରୀକ୍ଷା ପାଇଁ ପଞ୍ଜୀକରଣ କରିଥିଲେ। ୮,୦୭୪ ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ୨ ଲକ୍ଷ ୨୧ ହଜାର ୫୭୪ ଜଣ ଛାତ୍ରଛାତ୍ରୀ ୯୦%ରୁ ଅଧିକ ନମ୍ବର ରଖିଛନ୍ତି। ସେମାନଙ୍କ ମଧ୍ୟରୁ ୫୫ ହଜାର ୩୬୮ ଜଣ ୯୫%ରୁ ଅଧିକ ନମ୍ବର ରଖି ରେକର୍ଡ ସୃଷ୍ଟି କରିଛନ୍ତି। କେଭିର ପାସ୍‌ହାର ୯୯.୫୭% ହୋଇଥିବା ବେଳେ ଜେଏନ୍‌ଭିର ୯୯.୪୨%, ଏସ୍‌ଟିଏସ୍‌ଏସ୍‌ର ୯୭.୪୨%, ଇଣ୍ଡିପେଣ୍ଡେଣ୍ଟ (ସ୍ବାଧୀନ)ର ୯୩.୭୭%, ସରକାରୀ ସ୍କୁଲର ୯୧.୪୩% ଓ ସରକାରୀ ଅନୁଦାନ ବିଦ୍ୟାଳୟର ପାସ୍‌ହାର ୯୧.୦୧% ହୋଇଛି। ଓଡ଼ିଶା ସମେତ ପଶ୍ଚିମବଙ୍ଗକୁ ନେଇ ଗଠିତ ଭୁବନେଶ୍ବର ଜୋନ୍‌ରେ ୧୧୯୧ ବିଦ୍ୟାଳୟର ଦଶମ ଶ୍ରେଣୀ ପାସ୍‌ହାର ୯୪.୬୭% ହୋଇଛି। ଜୋନ୍‌ରେ ୧ ଲକ୍ଷ ୮ ହଜାର ୫୧୨ ଜଣ ପରୀକ୍ଷା ଦେଇଥିବା ବେଳେ ୧ ଲକ୍ଷ ୨ ହଜାର ୭୨୬ ଜଣ ପାସ୍‌ କରିଛନ୍ତି। ଛାତ୍ରଙ୍କ ପାସ୍‌ହାର ୯୩.୮% ଓ ଛାତ୍ରୀଙ୍କ ପାସ୍‌ହାର ୯୫.୬୯% ହୋଇଛି।

 

 

ସୌଜନ୍ୟ ସମ୍ବାଦ