ପ୍ରସିଦ୍ଧ ଖଣ୍ଡଗିରି କୁମ୍ଭମେଳାରେ ଜନଗହଳି ବଢ଼ିବାରେ ଲାଗିଛି। ଏବେ ପାହାଡ଼ ଉପରେ ଶ୍ରଦ୍ଧାଳୁଙ୍କ ଭିଡ଼ ଜମୁଛି। ଦିନବେଳା ହୋମଯଜ୍ଞ ଚାଲୁଥିବା ବେଳେ ସଞ୍ଜ ହେଲେ ଭଜନ କୀର୍ତ୍ତନରେ ପରିବେଶ ପ୍ରକମ୍ପିତ ହେଉଛି। ଖଞ୍ଜଣି ଓ ମୃଦଙ୍ଗର ତାଳରେ ଭଜନ ପରିବେଷଣ ପରିବେଶକୁ ଆଧ୍ୟାତ୍ମିକତାରେ ଭରି ଦେଉଛି। ଏଣେ ପାହାଡ଼ ପାଦଦେଶରେ ବସିଥିବା ମେଳା ବି ବେଶ୍ ଲୋକାରଣ୍ୟ ହେଉଛି। ଦିନରେ ଲୋକେ ବାବାଙ୍କ ଦର୍ଶନ କରୁଥିବା ବେଳେ ସଂଧ୍ୟାରେ ମେଳା ବୁଲା ଆଉ ରାତିରେ ଯାତ୍ରା, ଦର୍ଶକଙ୍କ ମନୋରଞ୍ଜନ କରୁଛି।
ଗେଟ୍ ଖୋଲି ଗୁମ୍ପା ଭିତରେ ଭାଗବତ ପାଠ
ଖଣ୍ଡଗିରି ପ୍ରତିବର୍ଷ ମେଳା ସମୟରେ ଗୁମ୍ଫା ଭିତରେ ବାବା ଓ ସନ୍ନ୍ୟାସୀମାନେ ବସବାସ କରିବାକୁ ନେଇ ଆପତ୍ତି ଉଠେ। ଚଳିତ ବର୍ଷ କିନ୍ତୁ ଏଏସ୍ଆଇ ପକ୍ଷରୁ ଗୁମ୍ଫା ଭିତରେ କାହାକୁ ପ୍ରବେଶ ନଦେବା ପାଇଁ ତାର ବାଡ଼ କରାଯିବା ସହ ଗେଟ୍ ଲଗାଯାଇ ତାଲା ପକାଯାଇଛି। ଏଣୁ ପ୍ରଥମ ଦିନ ଏ ନେଇ କିଛି ସାଧୁସନ୍ଥ ଅସନ୍ତୋଷ ପ୍ରକାଶ କରିଥିଲେ। ତେବେ ପ୍ରଥମ ୨ ଦିନ ଗୁମ୍ଫା ବାହାରେ ବାବାମାନେ ଆସ୍ଥାନ ଜମାଇ ବସିଥିବା ଦେଖିବାକୁ ମିଳିଥିଲା। ହେଲେ ୩ୟ ଦିନ କିଛି ବାବା ଏଏସ୍ଆଇ ଗେଟ୍ ଖୋଲି ଗୁମ୍ଫା ଭିତରେ ତପସ୍ୟା କରୁଥିବା ଦେଖିବାକୁ ମିଳିଛି। ଆଉ କିଛି ବାବା ଭାଗବତ ପାଠ କରୁଥିବା ଦେଖିବାକୁ ମିଳିଥିଲା।
ମନୋହରି ସାମଗ୍ରୀ ପାଇଁ ଗହଳି
ମେଳାରେ ବହୁ ପ୍ରକାର ମନୋହରି ଜିନିଷର ପସରା ମେଲିଛି। ମହିଳାମାନଙ୍କ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ଅଧିକ ବିକ୍ରି ହେଉଛି। ଚୁଡ଼ିଠାରୁ ଶାଢ଼ି ପର୍ଯ୍ୟନ୍ତ ସବୁ ବିକ୍ରି ହେଉଛି। ଚୁଡ଼ିବାଲାଙ୍କ ଠେଲା ଗାଡ଼ି ଲାଇନ୍ ହୋଇ ରହୁଛି ଓ ସେଠାରେ ମହିଳାମାନଙ୍କ ନାହିଁ ନଥିବା ଭିଡ଼ ହେଉଛି। ତେବେ ଘରକରଣା ଜିନିଷ ଦୋକାନ ଆଗରେ ରହୁଛି ଅଧିକ ଗହଳି। ବାଉଁଶ ତିଆରି ଜିନିଷ ସାଙ୍ଗକୁ ଖଜୁରି ଝାଡ଼ୁ ବେପାର ବଢ଼ୁଥିବା ଦେଖିବାକୁ ମିଳୁଛି। ମେଳାରେ ଜିନିଷ କିଣିବାର ମଜା ନିଆରା ବୋଲି କିଛି ଗ୍ରାହକ କୁହନ୍ତି।
ଟାଟୁ କ୍ରେଜ୍
ମେଳାକୁ ବହୁ ଅଣଓଡ଼ିଆ ଟାଟୁବାଲା ଆସିଛନ୍ତି। ବଙ୍ଗୀୟ ଟାଟୁ ବ୍ୟବସାୟୀମାନେ ଭଲ ରୋଜଗାର କରୁଛନ୍ତି। ସେମାନେ ଇଞ୍ଚକୁ ୨୦୦ ଟଙ୍କା ହିସାବରେ ବିଭିନ୍ନ ପ୍ରକାର ଟାଟୁ କରୁଛନ୍ତି। ଗୋଟିଏ ଅକ୍ଷରକୁ ୩୦ ଟଙ୍କା ଲେଖାଏ ହିସାବରେ ନେଉଛନ୍ତି। ଉଦୟଗିରି ସମ୍ମୁଖରେ ଧାଡ଼ି ବାନ୍ଧି ଟାଟୁ କରୁଥିବା ବଙ୍ଗୀୟ କାରିଗରମାନଙ୍କୁ ଫୁର୍ସତ୍ ମିଳୁନି।
ଆଜିଠୁ ଯାତ୍ରା ମହାସମର
ଯାତ୍ରା ସଂଳାପରେ ମଙ୍ଗଳବାର ଲହଡ଼ି ଭାଙ୍ଗିଛି ଖଣ୍ଡଗିରି ପାଦଦେଶ। ଖଳନାୟକଙ୍କ କର୍କଶ ସଂଳାପ ସାଙ୍ଗକୁ ନାୟକ ନାୟିକାଙ୍କ ରୋମାଣ୍ଟିକ ଦୃଶ୍ୟରେ ବିଭୋର ହୋଇଛନ୍ତି ଯାତ୍ରାପ୍ରେମୀ। ପ୍ରଥମ ରାତିରେ ହେଭିୱେଟ୍ ପାର୍ଟି ଅଶୋକ, କୋଣାର୍କ, ସିଂହବାହିନୀ କଳାକାରମାନେ ସେମାନଙ୍କ କଳା ପ୍ରଦର୍ଶନ କରିଛନ୍ତି। ଏଥିପାଇଁ ସକାଳ ୮ଟାରୁ ଟିକେଟ୍ ବିକ୍ରି ହୋଇଥିଲା। ଚଳିତ ବର୍ଷ ଟିକେଟ୍ ଦର ପ୍ରତି କମିଟିରେ ପ୍ରଥମ ଶ୍ରେଣୀଙ୍କ ପାଇଁ ୨୫୦ ଟଙ୍କା, ଦ୍ବିତୀୟ ଶ୍ରେଣୀଙ୍କ ପାଇଁ ୨୦୦ ଟଙ୍କା ଓ ସ୍ବତନ୍ତ୍ର ଶ୍ରେଣୀଙ୍କ ପାଇଁ ୩୦୦ ଟଙ୍କା ଟିକେଟ ମୂଲ୍ୟ ଧାର୍ଯ୍ୟ ହୋଇଛି।
ବିଦେଶୀ ବି ବାବାଙ୍କ ଶରଣରେ
ମେଳାରେ ଦିନ ବଢ଼ିବା ସହ ଭକ୍ତଙ୍କ ଗହଳି ଦେଖିବାକୁ ମିଳୁଛି। ଶହ ଶହ ବାବାଙ୍କ ପାଖରେ ହଜାର ହଜାର ଭକ୍ତ ଆଶିଷ ନେଉଛନ୍ତି। କିଏ ନିଜ ଦୁଃଖ କହି ଅଶ୍ରୁ ଝରାଉଛି ତ କିଏ ବାବାଙ୍କ ବିଭୂତି ମୁଣ୍ଡରେ ବୋଳୁଛି। କେଉଁଠି କେଉଁ ବାବା ଫଳ ଦେଇ ମନସ୍କାମନା ପୁରଣ ହେବ କହୁଛନ୍ତି ତ କିଏ ମଶାରି ଭିତରେ ବସି ତପସ୍ୟା କରୁଛନ୍ତି। ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ନାଗାସାଧୁଙ୍କ ପାଖେ ଭିଡ଼ ଅଧିକ। ଅଣଓଡ଼ିଆ ଭକ୍ତ ଓ ବିଦେଶୀପର୍ଯ୍ୟଟକ ମଧ୍ୟ ବାବାଙ୍କ ପାଖେ ମୁଣ୍ଡିଆ ମାରୁଛନ୍ତି। ଆଜି ଇଟାଲିର ଆସିଥିବା ଏଲିଜା ବେଥ ନାଗା ବାବାଙ୍କ ଆଶୀର୍ବାଦ ନେଇଛନ୍ତି।
ସୌଜନ୍ୟ ସମ୍ବାଦ
-
Shutdown Impact in Odisha: ଓଡ଼ିଶାର କେଉଁ ସବୁ ଜିଲ୍ଲାରେ ବନ୍ଦର ପଡିଛି ପ୍ରଭାବ? -
Gopalpur Mahoschav Began: ଗୋପାଳପୁର ବେଳାଭୂମି ମହୋତ୍ସବର ଶୁଭାରମ୍ଭ କଲେ ରାଜ୍ୟପାଳ -
Odisha Shutdown: ଆଜି ୮ ଘଣ୍ଟିଆ ଓଡ଼ିଶା ବନ୍ଦ: ରାଜ୍ୟର କିଛି ଜିଲ୍ଲାରେ ଦେଖିବାକୁ ମିଳିଲା ପ୍ରଭାବ -
Enterprise Odisha: ଆରମ୍ଭ ହେଲା ଏଣ୍ଟରପ୍ରାଇଜ୍ ଓଡ଼ିଶା -
77th State Republic: ୭୭ତମ ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ, ଅଭିବାଦନ ଗ୍ରହଣ କଲେ ରାଜ୍ୟପାଳ
