CHC Account : ବନ୍ଧାହେଲେ ସିଏଚ୍‌ସି ଆକାଉଣ୍ଟ ମ୍ୟାନେଜର

ଚାକିରି ଚୁକ୍ତିଭିତ୍ତିକ, କିନ୍ତୁ ଉଚ୍ଚପଦସ୍ଥ ଅଧିକାରୀଙ୍କ ଭଳି ମଉଜ ମଜଲିସ୍‌ କରୁଥିଲେ। ବିଶ୍ରା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ପୂର୍ବତନ ବ୍ଲକ୍‌ ଆକାଉଣ୍ଟ ମ୍ୟାନେଜର ଶିବପ୍ରସାଦ ମଲ୍ଲିକଙ୍କୁ....

ରାଉରକେଲା/ବିଶ୍ରା: ଚାକିରି ଚୁକ୍ତିଭିତ୍ତିକ, କିନ୍ତୁ ଉଚ୍ଚପଦସ୍ଥ ଅଧିକାରୀଙ୍କ ଭଳି ମଉଜ ମଜଲିସ୍‌ କରୁଥିଲେ। ବିଶ୍ରା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ପୂର୍ବତନ ବ୍ଲକ୍‌ ଆକାଉଣ୍ଟ ମ୍ୟାନେଜର ଶିବପ୍ରସାଦ ମଲ୍ଲିକଙ୍କୁ ସରକାରୀ ଅର୍ଥ ତୋଷରପାତ ମାମଲାରେ ପୁଲିସ ଗିରଫ କରିଛି। ଶିବପ୍ରସାଦ ସୁନ୍ଦରଗଡ଼ ରାଜଗାଙ୍ଗପୁରର ମୂଳବାସିନ୍ଦା ହୋଇଥିଲେ ହେଁ ରାଉରକେଲା ସହର ଛେଣ୍ଡ କୌଶଲ୍ୟା ବିହାରରେ ଭଡ଼ାରେ ରହୁଥିଲେ। ଗତ ସାଢ଼େ ୩ ବର୍ଷ ମଧ୍ୟରେ ସେ ନେପାଳ, ଭୁଟାନ ବୁଲିବା ସହ ଗୁଜରାଟ, ଦିଲ୍ଲୀ, ରାଜସ୍ଥାନ, ଉତ୍ତରପ୍ରଦେଶ, ମେଘାଳୟ, ହାଇଦ୍ରାବାଦ୍‌, ସିକିମ୍ ଭଳି ୧୫ଟି ରାଜ୍ୟ ଭ୍ରମଣ କରିସାରିଛନ୍ତି।

ମାସିକ ଦରମା ଥିଲା ୨୪ ହଜାର ଟଙ୍କା। ଅଢ଼େଇ ବର୍ଷ ହେଲା ଦରମା ମିଳିନାହିଁ। ତଥାପି ପୁଳାପୁଳା ଟଙ୍କା ଖର୍ଚ୍ଚ କରୁଥିଲେ। ତେବେ ସରକାରୀ ଆକାଉଣ୍ଟରେ ଟଙ୍କା ନଥିବା ଦେଖି ବିଶ୍ରା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧୀକ୍ଷକଙ୍କର ସନ୍ଦେହ ହୋଇଥିଲା। ଏ ସଂକ୍ରାନ୍ତରେ ସେ ମାର୍ଚ୍ଚ ୧୩ ତାରିଖରେ ବିଶ୍ରା ଥାନାରେ ଅଭିଯୋଗ କରିବା ପରେ ପୁଲିସ ତନାଘନା କରି ଶିବପ୍ରସାଦଙ୍କ ଗୁମର ଖୋଲିଛି। ତାଙ୍କଠାରୁ ୩ଟି ମୋବାଇଲ୍‌, ୩ଟି ପାସ୍‌ବୁକ୍‌, ଗୋଟିଏ ଚେକ୍‌ବୁକ୍‌, ୨ଟି ପ୍ୟାନ୍‌ କାର୍ଡ, ୩ଟି ଡେବିଟ୍‌ କାର୍ଡ, ଗୋଟିଏ କ୍ରେଡିଟ୍‌ କାର୍ଡ, ନଗଦ ୮୮ ହଜାର ୭୭୦ ଟଙ୍କା, ନେପାଳ ଓ ଭୁଟାନର ଟଙ୍କା, ୩୩.୪୨୬ ଗ୍ରାମ୍‌ର ସୁନା ଅଳଙ୍କାର, ୧ କେଜି ୩୫୦ ଗ୍ରାମ୍‌ର ରୁପା ଅଳଙ୍କାର, ଗୋଟିଏ ଡ୍ରେସ୍‌ବେରି ଦାମୀ ହାତଘଣ୍ଟା, ସ୍କୁଟି, ବାଇକ୍‌ ଓ ଗୋଟିଏ କାର୍‌ ଜବତ ହୋଇଛି।

ଶିବପ୍ରସାଦ ସରକାରୀ ଆକାଉଣ୍ଟରୁ ୪୬ ଲକ୍ଷ ୮ ହଜାର ୩୪୧ ଟଙ୍କା ଠକେଇ କରି ଏହି ସାମଗ୍ରୀ କିଣିବା ସହ ଦେଶବିଦେଶ ବୁଲିଥିଲେ। ପୁଲିସର ସୂଚନାନୁଯାୟୀ, ୨୦୨୨ ନଭେମ୍ବର ୨୫ ତାରିଖରେ ଶିବପ୍ରସାଦ ରାଜଗାଙ୍ଗପୁରରୁ ବଦଳି ହୋଇ ରାଉରକେଲା ବିଶ୍ରା ସିଏଚ୍‌ସିକୁ ଆସିଥିଲେ। କାର୍ଯ୍ୟରେ ଅବହେଳା ଯୋଗୁଁ ଅଢ଼େଇ ବର୍ଷ ହେଲା ତାଙ୍କୁ ଦରମା ମଧ୍ୟ ମିଳୁନଥିଲା। ତେବେ ସେ ସିଏଚ୍‌ସି ଆକାଉଣ୍ଟ ସମ୍ବନ୍ଧୀୟ ରଖୁଥିଲେ। ସରକାରୀ ଆକାଉଣ୍ଟରୁ ବେଆଇନ ଟ୍ରାଞ୍ଜାକ୍‌ସନ୍‌ କରି ପତ୍ନୀ ଦଲଜିତ୍‌ କୌର ମନ୍ନଙ୍କ ଆକାଉଣ୍ଟକୁ ୨୯ ଲକ୍ଷ ୬ ହଜାର ୪୯୯ ଟଙ୍କା ଓ ନିଜ ଆକାଉଣ୍ଟରେ ୧୭ ଲକ୍ଷରୁ ଅଧିକ ଟଙ୍କା କାରବାର କରିଥିଲେ। ଏମିତିିକି ଅଫିସ କମ୍ପ୍ୟୁଟରରେ ତଥ୍ୟ ହେରଫେର କରିଥି‌ଲେ। ଅଭିଯୁକ୍ତ ଶିବପ୍ରସାଦ ବର୍ତ୍ତମାନ ଲହୁଣିପଡ଼ା ସିଏଚ୍‌ସିରେ କାର୍ଯ୍ୟରତ ଅଛନ୍ତି। ସେଠାରୁ ମଧ୍ୟ ୫ ଲକ୍ଷରୁ ଅଧିକ ଟଙ୍କା ହେରଫେର କରିଥିବା ସୂଚନା ମିଳିଛି।

ସୌଜନ୍ୟ ସମ୍ବାଦ

Exit mobile version