କଟକ: କତରର ରାସ୍ ଲାଫନ୍ ନିକଟରେ ମଝି ସମୁଦ୍ରରେ ଫସି ରହିଛନ୍ତି ଏଲ୍ପିଜି ବୋଝେଇ ଜାହାଜର ଚିଫ୍ ଅଫିସର କଟକର ଅଶୋକ କୁମାର ତ୍ରିପାଠୀ। ୪ ମାସ ତଳେ ଅଶୋକ ଜାହାଜରେ ଯାଇଥିଲେ। ମାର୍ଚ୍ଚ ୧୦ ତାରିଖରେ ସେ ଭାରତରେ ପହଞ୍ଚିଥା’ନ୍ତେ। କିନ୍ତୁ ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଯୋଗୁଁ ଗଲା ୧୯ ଦିନ ହେଲା କତର ଉପକୂଳରୁ ୧୪ କିଲୋମିଟର ଦୂର ସମୁଦ୍ର ମଧ୍ୟରେ ଫସି ରହିଛନ୍ତି ଅଶୋକ ଓ ତାଙ୍କ ଜାହାଜ। ଜାହାଜଟି ମଝି ସମୁଦ୍ରରେ ଲଙ୍ଗର ପକାଇ ଅଟକି ରହିଛି। ଖାଦ୍ୟ ଓ ପାଣି ଅଭାବ ସମସ୍ୟା ଦେଖାଦେଲାଣି। ଜାହାଜରୁ ବାହାରୁଥିବା ବର୍ଜ୍ୟବସ୍ତୁକୁ ଡିପ୍ ଫ୍ରିଜର୍ରେ ରଖାଯାଉଛି। ଧୀରେ ଧୀରେ ସମସ୍ୟା ବଢ଼ିବାରେ ଲାଗିଛି। ଖୁବ୍ ନିକଟରେ ଛାତିଥରା ଶବ୍ଦ କରି କ୍ଷେପଣାସ୍ତ୍ର ଯାଉଛି। ଦୂରରୁ ବିସ୍ଫୋରଣର ଦୃଶ୍ୟ ଦେଖିବାକୁ ମିଳୁଛି। ଧୈର୍ଯ୍ୟର ସୀମା ତୁଟିବାରେ ଲାଗିଛି।
୧୯ ଦିନ ହେଲା ମଝି ସମୁଦ୍ରରେ ଲଙ୍ଗର ପକାଇଛି ଜାହାଜ
ଉଦ୍ଧାର ପାଇଁ ସରକାରଙ୍କୁ ନିବେଦନ କଲେ ପରିବାର
ଏପଟେ ପରିବାରର ଚିନ୍ତା ବଢ଼ିବାରେ ଲାଗିଛି। ଭଦ୍ରକ ଅଞ୍ଚଳର ମୂଳ ବାସିନ୍ଦା ଅଶୋକ ହେଉଛନ୍ତି ବାପା-ମା’ଙ୍କର ଗୋଟିଏ ପୁଅ। କିଛି ମାସ ତଳେ ବାପାଙ୍କର ମୃତ୍ୟୁ ଘଟିଥିଲା। ସିଡିଏ ସେକ୍ଟର-୬ରେ ତାଙ୍କର ବୃଦ୍ଧା ମା’ ଓ ଭଉଣୀ ରହୁଛନ୍ତି। ପତ୍ନୀ ସ୍ମୃତିରେଖା ସାହୁ ଭୁବନେଶ୍ବର ଆଇଗିଣିଆର ସରକାରୀ ସ୍କୁଲର ଶିକ୍ଷୟିତ୍ରୀ। ୬ ବର୍ଷର ଝିଅ ଏବେ ଚନ୍ଦ୍ରଶେଖରପୁର ଡିଏଭିରେ ପଢୁଛନ୍ତି। ଅଶୋକଙ୍କ ଜାହାଜ କିଭଳି ଭାରତରେ ପହଞ୍ଚିବ, ସେ କ୍ଷେତ୍ରରେ ସହଯୋଗ କରିବା ପାଇଁ ପତ୍ନୀ ସ୍ମୃତିରେଖା, ମା’, ସଢୁ ଦୀପକ ମହାନ୍ତି, ସମାଜସେବୀ ସଞ୍ଜୟ ଜେନା ପ୍ରମୁଖ ସରକାରଙ୍କୁ ଆକୁଳ ନିବେଦନ କରିଛନ୍ତି।
ଅଶୋକଙ୍କ ସୂଚନା ଅନୁଯାୟୀ ମଧ୍ୟପ୍ରାଚ୍ୟ ସମୁଦ୍ରରେ ପ୍ରାୟ ୨୦ଟି ଭାରତୀୟ ଜାହାଜ ଫସି ରହିଛି। ଅଶୋକ ଯେଉଁ ଜାହାଜର ଚିଫ୍ ଅଫିସର୍ ଅଛନ୍ତି ସେହି ଜାହାଜଟି ବିଦେଶୀ କମ୍ପାନିରର ହୋଇଥିଲେ ମଧ୍ୟ ଭାରତରେ ପଞ୍ଜୀକୃତ। ଯେଉଁ ଦୁଇଟି ଜାହାଜ ମଧ୍ୟପ୍ରାଚ୍ୟ ଅଞ୍ଚଳରୁ ଭାରତକୁ ଆସିଛି, ତାହା ଏସିଆନ୍ ସିପିଂ କର୍ପୋରେସନ୍ର। ସେହି ଦୁଇଟି ଜାହାଜ ମଧ୍ୟପ୍ରାଚ୍ୟରୁ ଯାତ୍ରା ଆରମ୍ଭ କରିବା ପରେ ଭାରତ ଆସୁଥିବା ଅନ୍ୟ ଜାହାଜକୁ ୮ ଦିନ ଭିତରେ ସେଠାରୁ ବାହାରି ଆସିବାକୁ ସୁଯୋଗ ଦିଆଯିବ ବୋଲି କୁହାଯାଇଥିଲା। କିନ୍ତୁ ଏବେ ଷ୍ଟ୍ରେଟ୍ ଅଫ୍ ହରମୁଜ୍ ପାଖାପାଖି ଥିବା ଜାହାଜଗୁଡ଼ିକୁ ପୁଣି ଦୂରକୁ ଚାଲି ଯିବା ପାଇଁ ଇରାନ କର୍ତ୍ତୃପକ୍ଷ କହିବା ପରେ ଆଶଙ୍କା ବଢ଼ିବାରେ ଲାଗିଛି।
ସୌଜନ୍ୟ ସମ୍ବାଦ
