Chief Minister: ଉଦ୍ୟମ ଓ ଇଛାଶକ୍ତି ଥିଲେ ମହିଳାମାନେ ଅଟକିବେ ନାହିଁ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ୨୦୨୩ର ନାରୀ ଶକ୍ତି ବନ୍ଦନ ଅଧିନିୟମ କୋଟି କୋଟି ମହିଳାଙ୍କ ସ୍ବପ୍ନର ଉଡ଼ାଣ। ଏହାଦ୍ବାରା ଲୋକସଭା ଓ ବିଧାନସଭାଗୁଡ଼ିକରେ ମହିଳାଙ୍କ ପାଇଁ ଏକ ତୃତୀୟାଂଶ ଆସନ ସଂରକ୍ଷଣ ସୁନିଶ୍ଚିତ ହୋଇଛି। ଓଡ଼ିଶାରେ ତୃଣମୂଳସ୍ତରରେ ପ୍ରାୟ ୧୪.୫ ଲକ୍ଷ ମହିଳା ପଞ୍ଚାୟତିରାଜ ଅନୁଷ୍ଠାନରେ ନିର୍ବାଚିତ ପ୍ରତିନିଧି ଭାବେ କାର୍ଯ୍ୟକରି ଦକ୍ଷତା ପ୍ରମାଣିତ କରିଛନ୍ତି। ଏହି ଅଧିନିୟମ ମାଧ୍ୟମରେ ଆଗାମୀ ଦିନରେ ମହିଳାଙ୍କ ପ୍ରତିନିଧିତ୍ବ ଆହୁରି ବ୍ୟାପକ ହେବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି।

ନାରୀ ଶକ୍ତି ବନ୍ଦନ ପାଇଁ ଟାଉନ୍‌ହଲ ମିଟିଂ

ମହିଳା ହିତାଧିକାରୀ ନୁହେଁ, ମହିଳା ଭାଗୀଦାର ଚାହୁଛୁ: ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ବର ରେଳ ପ୍ରେକ୍ଷାଳୟରେ ଆୟୋଜିତ ନାରୀଶକ୍ତି ବନ୍ଦନ ଟାଉନ ହଲ୍ ମିଟିଂରେ ମୁଖ୍ୟଅତିଥି ଭାବେ ଯୋଗଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ମାତୃଶକ୍ତିଙ୍କୁ ଉଦ୍‌ବୋଧନ ଦେଇ କହିଲେ, ଉଦ୍ୟମ ଓ ଇଚ୍ଛାଶକ୍ତି ଥିଲେ ମହିଳାମାନେ କୌଣସି କ୍ଷେତ୍ରରେ ଅଟକିବେ ନାହିଁ। ଗାଁର ସାଧାରଣ ମହିଳା ଯେତେବେଳେ ଡିଜିଟାଲ୍‌ ବ୍ୟାଙ୍କିଙ୍ଗ୍‌ ଓ ଆଧୁନିକ କୃଷି କରନ୍ତି ସେତେବେଳେ ହିଁ ପ୍ରକୃତ ବିକାଶ ହୋଇଥାଏ। ସେଥିପାଇଁ ଓଡ଼ିଶାର ପ୍ରତିଟି ମା’ଙ୍କୁ ଲକ୍ଷପତି ଦିଦି ଭାବେ ଗଢ଼ି ତୋଳିବା ଆମର ଲକ୍ଷ୍ୟ। ବିଧାନସଭା ବାଚସ୍ପତି ସୁରମା ପାଢୀ ବିଧାନସଭା ଓ ସଂସଦରେ ମଧ୍ୟ ମହିଳା ପ୍ରତିନିଧିତ୍ବ ସମାନ ଭାବେ ପ୍ରତିଫଳିତ ହେବା ଉଚିତ ବୋଲି କହିଥିଲେ। ଉପମୁଖ୍ୟମନ୍ତ୍ରୀ ତଥା ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଲେ, ଏହି ଅଧିନିୟମ ବଳରେ ପଞ୍ଚାୟତରୁ ସଂସଦ ଯିବା ସହଜ ହେବ। ଆମେ କେବଳ ମହିଳା ହିତାଧିକାରୀ ନୁହେଁ, ମହିଳା ଭାଗିଦାରୀ ଚାହୁଁଛୁ ବୋଲି ଶ୍ରୀମତୀ ପରିଡ଼ା କହିଥିଲେ।

 

 

 

ସୌଜନ୍ୟ ସମ୍ବାଦ