ରାଜ୍ୟ

Chief Minister Greets PM: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

ପ୍ରଧାନମନ୍ତ୍ରୀ ଭାବେ କାର୍ଯ୍ୟ କରି ନୂଆ ରେକର୍ଡ ସୃଷ୍ଟି କରିଥିବା ନରେନ୍ଦ୍ର ମୋଦୀଙ୍କୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି।

ଭୁବନେଶ୍ବର: ଦେଶର ସର୍ବାଧିକ ସମୟ ପର୍ଯ୍ୟନ୍ତ ନିରନ୍ତର ନିର୍ବାଚିତ ପ୍ରଧାନମନ୍ତ୍ରୀ ଭାବେ କାର୍ଯ୍ୟ କରି ନୂଆ ରେକର୍ଡ ସୃଷ୍ଟି କରିଥିବା ନରେନ୍ଦ୍ର ମୋଦୀଙ୍କୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି। ସେ କହିଛନ୍ତି,ଦେଶର ସର୍ବାଧିକ ସମୟ ପର୍ଯ୍ୟନ୍ତ ନିରନ୍ତର ନିର୍ବାଚିତ ପ୍ରଧାନମନ୍ତ୍ରୀ ଭାବେ ଜନସେବାର ଏକ ସର୍ବକାଳୀନ କୀର୍ତ୍ତିମାନ ସ୍ଥାପନ କରିଥିବା, କୋଟି କୋଟି ଭାରତବାସୀଙ୍କ ଆସ୍ଥା, ଅସ୍ମିତା ଓ ଅଭ୍ୟୁଦୟର ମହାସାରଥୀ, ଆଧୁନିକ ଭାରତର ଅନନ୍ୟ ଶିଳ୍ପୀ, ଆଦରଣୀୟ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀଜୀଙ୍କୁ ଓଡ଼ିଶାର ସାଢ଼େ ଚାରି କୋଟି ଭାଇଭଉଣୀଙ୍କ ପକ୍ଷରୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ।

ରାଷ୍ଟ୍ରନିର୍ମାଣର ଅତୁଳନୀୟ ତପସ୍ୟାର ସ୍ୱୀକୃତି

ଆପଣଙ୍କର ଏହି କାଳଜୟୀ ସଫଳତା କେବଳ ଶାସନକାଳର ଏକ କାଳଖଣ୍ଡ ମାତ୍ର ନୁହେଁ, ବରଂ ଏହା ଆପଣଙ୍କ ହିମାଳୟ ସଦୃଶ ଅଟଳ ସଂକଳ୍ପ, ତ୍ୟାଗପୂତ ଜୀବନ, ଦୂରଦୃଷ୍ଟିସମ୍ପନ୍ନ ନେତୃତ୍ୱ ଏବଂ ରାଷ୍ଟ୍ରନିର୍ମାଣର ଅତୁଳନୀୟ ତପସ୍ୟାର ସ୍ୱୀକୃତି, ଯାହା ପ୍ରତିଟି ଭାରତୀୟଙ୍କ ହୃଦୟକୁ ଜୟ କରିବା ସହ ଆମମାନଙ୍କ ମଧ୍ୟରେ ନୂତନ ଆତ୍ମବିଶ୍ୱାସ ଭରିଦେଇଛି।

ଜନସେବାକୁ ଈଶ୍ୱର ସେବା ମନେକରି ଆପଣ ଆରମ୍ଭ କରିଥିବା ଅବିରତ ମହାଯଜ୍ଞ ଆଜି ଭାରତକୁ ବିଶ୍ୱ ଦରବାରରେ ଏକ ସର୍ବଶ୍ରେଷ୍ଠ, ସୁରକ୍ଷିତ ଓ ସ୍ୱାଭିମାନୀ ମହାଶକ୍ତି ଭାବେ ଉଭା କରିଛି। ଆପଣଙ୍କ ସମର୍ପିତ ନେତୃତ୍ୱ ଓ ମାର୍ଗଦର୍ଶନରେ ଦେଶର ସୁରକ୍ଷା, ଗରିବ କଲ୍ୟାଣ ଏବଂ ସମୃଦ୍ଧିର ଯେଉଁ ନୂତନ ପ୍ରବାହ ସୃଷ୍ଟି ହୋଇଛି, ତାହା ପ୍ରଶଂସନୀୟ ଓ ଅଦ୍ଭୁତପୂର୍ବ। ବିକଶିତ ଭାରତ ଗଠନ ପାଇଁ ଆପଣଙ୍କର ଏହି ନିଷ୍ଠାପର ରାଷ୍ଟ୍ରସାଧନା ଆମ ସମସ୍ତଙ୍କ ପାଇଁ ପରମ ପ୍ରେରଣା।

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କଶ୍ରୀଚରଣ କମଳରେ ଆପଣଙ୍କର ଦୀର୍ଘାୟୁ, ସୁସ୍ଥ ଓ ନିରାମୟ ଜୀବନ କାମନା କରୁଛି। ଭାରତବର୍ଷକୁପ୍ରଗତିର ଶିଖରକୁ ନେଇଯିବା ପାଇଁ ଆପଣଙ୍କର ଏହି ଯାତ୍ରା ଅବିରତ ଜାରି ରହୁ। ଆପଣଙ୍କ ନେତୃତ୍ୱରେ ଦେଶ ପ୍ରଗତି ଓ ପ୍ରତିଷ୍ଠାର ନୂଆ ଗାଥା ଲେଖୁଥାଉ।

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button