children’s mental development: ପିଲାଙ୍କ ମାନସିକ ବିକାଶକୁ ମନ୍ଥର କରୁଛି ତାପମାତ୍ରା ବୃଦ୍ଧି

ତାପମାତ୍ରା ବୃଦ୍ଧି ପିଲାମାନଙ୍କଠାରୁ ସେମାନଙ୍କ ଶୈଶବ ଛଡ଼ାଇ ନେଉଛି କି? ଏଭଳି ପ୍ରଶ୍ନ ଏବେ ମନରେ ଉଙ୍କି ମାରୁଛି। ନୂତନ ଗବେଷଣାରୁ ଜଣାପଡ଼ିଛି ଯେ ଜଳବାୟୁ ପରିବର୍ତ୍ତନ ଆଉ କେବଳ ଏକ ପରିବେଶଗତ‌ ସମସ୍ୟା ହୋଇ ରହି ନାହିଁ।

ତାପମାତ୍ରା ବୃଦ୍ଧି ପିଲାମାନଙ୍କଠାରୁ ସେମାନଙ୍କ ଶୈଶବ ଛଡ଼ାଇ ନେଉଛି କି? ଏଭଳି ପ୍ରଶ୍ନ ଏବେ ମନରେ ଉଙ୍କି ମାରୁଛି। ନୂତନ ଗବେଷଣାରୁ ଜଣାପଡ଼ିଛି ଯେ ଜଳବାୟୁ ପରିବର୍ତ୍ତନ ଆଉ କେବଳ ଏକ ପରିବେଶଗତ‌ ସମସ୍ୟା ହୋଇ ରହି ନାହିଁ। ଏହାର ପ୍ରଭାବ ଏବେ ଛୋଟଛୋଟ ପିଲାଙ୍କ ମସ୍ତିଷ୍କକୁ ଆକ୍ରାନ୍ତ କଲାଣି, ଯାହା ସେମାନଙ୍କର ଶିକ୍ଷଣ ଶକ୍ତିକୁ ପ୍ରଭାବିତ କରୁଛି। ‘ଦ ଜର୍ଣ୍ଣାଲ୍ ଅଫ୍ ଚାଇଲ୍‌ଡ ସାଇକୋଲୋଜି ଆଣ୍ଡ୍ ସାଇକିଆଟ୍ରି’ରେ ପ୍ରକାଶିତ ଏହି ଅଧ୍ୟୟନରୁ ଜଣାପଡ଼ିଛି ଯେ ଯେଉଁ ଅଞ୍ଚଳରେ ତାପମାତ୍ରା ସ୍ୱାଭାବିକଠାରୁ ଅଧିକ, ଖାସ୍‌ କରି ହାରାହାରି ତାପମାତ୍ରା ୩୦ ଡିଗ୍ରି ସେଲ୍‌ସିଅସ୍‌ ଉପରେ ଥାଏ, ସେଠାରେ ତିନି-ଚାରି ବର୍ଷର ପିଲାମାନେ ପଢ଼ିବା ଓ ଗଣନା କରିବା ଭଳି ମୌଳିକ କୌଶଳ ଶିଖିବାରେ ପଛରେ ପଡ଼ିଯାଆନ୍ତି। ଏହି ଅଧ୍ୟୟନ ନ୍ୟୁୟର୍କ ବିଶ୍ୱବିଦ୍ୟାଳୟ, ଇଣ୍ଟରଆମେରିକାନ୍‌ ଡେଭ୍‌ଲପ୍‌ମେଣ୍ଟ ବ୍ୟାଙ୍କ ଏବଂ ଚିକାଗୋ ବିଶ୍ୱବିଦ୍ୟାଳୟର ଗବେଷକମାନଙ୍କ ଦ୍ୱାରା କରାଯାଇଥିଲା।

ତାପମାତ୍ରା ସ୍ୱାଭାବିକଠାରୁ ଅଧିକ ରହୁଥିବା ଅଞ୍ଚଳରେ ତିନି-ଚାରି ବର୍ଷର ପିଲାମାନେ ପଢ଼ିବା ଓ ଗଣନା କୌଶଳ ଶିଖିବାରେ ପଛରେ ପଡୁଛନ୍ତି

ନ୍ୟୁୟର୍କ ବିଶ୍ୱବିଦ୍ୟାଳୟର ପ୍ରଫେସର ତଥା ଅଧ୍ୟୟନର ମୁଖ୍ୟ ଗବେଷକ ଜର୍ଜ କ୍ୱାର୍ଟସ୍ କହିଛନ୍ତି, “ଦୀର୍ଘ ସମୟ ଧରି ବର୍ଦ୍ଧିତ ତାପମାତ୍ରାକୁ ଶାରୀରିକ ଓ ମାନସିକ ସ୍ୱାସ୍ଥ୍ୟ ସହିତ ଯୋଡ଼ାଯାଉଥିଲା। କିନ୍ତୁ ଏହି ଅଧ୍ୟୟନ ଦର୍ଶାଉଛି ଯେ ଅତ୍ୟଧିକ ଗରମ ଛୋଟ ପିଲାମାନଙ୍କ ବିକାଶକୁ ମଧ୍ୟ କ୍ଷତି ପହଞ୍ଚାଏ। ଶୈଶବ  ସମୟର ବିକାଶ ହେଉଛି ଜୀବନବ୍ୟାପୀ ଶିକ୍ଷା, ସ୍ୱାସ୍ଥ୍ୟ ଏବଂ ଉତ୍ତମ ଜୀବନର ମୂଳଦୁଆ। ତେଣୁ ଏଭଳି ଫଳାଫଳ ଦର୍ଶାଉଛି ଯେ ଉତ୍ତପ୍ତୀକରଣର କୁପ୍ରଭାବରୁ ଶିଶୁଙ୍କୁ ରକ୍ଷା କରିବା ଖୁବ୍ ଜରୁରି।’’ ଗବେଷକମାନେ ଏହି ଅଧ୍ୟୟନରେ ଗାମ୍ବିଆ, ଜର୍ଜିଆ, ମାଡାଗାସ୍କର, ମାଲୱି, ପାଲେଷ୍ଟାଇନ୍‌ ଓ ସିଏରା ଲିଓନ୍‌ର ତିନିରୁ ଚାରି ବର୍ଷ ବୟସର ୧୯,୬୦୭ ଜଣ ପିଲାଙ୍କ ତଥ୍ୟ ବିଶ୍ଳେଷଣ କରିଥିଲେ। ବର୍ଦ୍ଧିତ ତାପମାତ୍ରାରେ ପିଲାମାନଙ୍କ ବିକାଶର ମୂଲ୍ୟାଙ୍କନ କରିବା ପାଇଁ, ଗବେଷକମାନେ ପ୍ରାରମ୍ଭିକ ଶିଶୁ ବିକାଶ ସୂଚକାଙ୍କର ମଧ୍ୟ ଉପଯୋଗ କରିଥିଲେ।

ଅଧ୍ୟୟନ ଫଳାଫଳ ଦର୍ଶାଉଛି ଯେ ହାରାହାରି ୩୦ ଡିଗ୍ରି ସେଲସିଅସ୍‌ରୁ ଅଧିକ ତାପମାତ୍ରାରେ ରହୁଥିବା ପିଲାମାନେ ଥଣ୍ଡା ସ୍ଥାନରେ (ପ୍ରାୟ ୨୬ ଡିଗ୍ରି) ରହୁଥିବା ପିଲାମାନଙ୍କ ତୁଳନାରେ ପଢ଼ିବା ଏବଂ ଗଣନା କରିବା ଭଳି ମୌଳିକ ଲକ୍ଷ୍ୟ ହାସଲ କରିବାରେ ୫ରୁ ୭ ପ୍ରତିଶତ ପଛରେ ଥିଲେ। ଗବେଷକ ଜର୍ଜ କ୍ୱାର୍ଟାସ କହନ୍ତି, ଏହି ଅଧ୍ୟୟନ ସ୍ପଷ୍ଟ ଭାବରେ ସୂଚାଇ ଦେଉଛି ଯେ ବୃଦ୍ଧି ପାଉଥିବା ବିଶ୍ୱ ତାପମାତ୍ରା କେବଳ ଭବିଷ୍ୟତର ଏକ ସମସ୍ୟା ନୁହେଁ; ଏହା ଆମ ପିଲାମାନଙ୍କର ବର୍ତ୍ତମାନ ଏବଂ ଆସନ୍ତାକାଲିର ସମ୍ଭାବନାକୁ ଦୁର୍ବଳ କରୁଛି। ଯଦି ବିଶ୍ୱ ଉତ୍ତପ୍ତୀକରଣକୁ ହ୍ରାସ କରା ନଯାଏ, ତେବେ ଏହାର ସବୁଠାରୁ ଅଧିକ କୁପ୍ରଭାବ ଯୁବପିଢ଼ିଙ୍କ ଉପରେ ପଡ଼ିପାରେ।

ସୌଜନ୍ୟ ସମ୍ବାଦ

Exit mobile version