ହରପ୍ରିୟା ପୃଷ୍ଟି
ଖଣ୍ଡଗିରି: କମି କମି ଯାଉଛି ସହରର ଚାଷଜମି। ଭୁବନେଶ୍ବର ମହାନଗର ଆଖପାଖରେ ବିଭିନ୍ନ କିସମର ଜମି ଘରବାରିରେ ପରିଣତ ହେବାରେ ଲାଗିଛି। ସେଠାରେ ରାତାରାତି ଛିଡ଼ା ହେଉଛି କୋଠା। ଉପକଣ୍ଠ ଏବେ କଂକ୍ରିଟ୍ ଜଙ୍ଗଲ ହେଉଛି। ଲିଜ୍ ଜମିରେ ବି ଛିଡ଼ା ହେଉଛି ଉଚ୍ଚ ଅଟାଳିକା। ସହରର କଳେବର ବଢ଼ୁଛି ସିନା, ହେଲେ ଶୃଙ୍ଖଳିତ ଭାବେ ବଢ଼ୁନାହିଁ। ମାତ୍ରାଧିକ ବେଆଇନ ନିର୍ମାଣ ଏହି ବର୍ଦ୍ଧିତ କଳେବରକୁ ବିଗାଡ଼ି ଦେଉଛି। ରାଜଧାନୀରେ ଘରଖଣ୍ଡିଏ ପାଇଁ ସମସ୍ତଙ୍କର ଇଚ୍ଛା। ତେଣୁ ଅଧିକାଂଶ ଲୋକ ଏବେ ଭୁବନେଶ୍ବରମୁହାଁ। ଭୁବନେଶ୍ବରରେ ୧ଲକ୍ଷ ୫ହଜାର ୩୬୨ ଏକର ଜମିରୁ ୫୯,୧୫୭.୪୭୦ ଏକର ସରକାରୀ ଓ ୪୬ ହଜାରରୁ ଅଧିକ ଏକର ବେସରକାରୀ ଜମି ରହିଛି। ପ୍ରତିବର୍ଷ ବେସରକାରୀ ଜମିର କିସମ ବଦଳୁଛି। ୨୦୨୪ରେ ୮୮ଏକରରୁ ଅଧିକ ଜମିର କିସମ ପରିବର୍ତ୍ତନ ହୋଇଥିବା ବେଳେ ୨୦୨୫ ଡିସେମ୍ବର ସୁଦ୍ଧା ୧୧୩ଏକର ଜମିର କିସମ ବଦଳିଛି। ଅର୍ଥାତ୍ ଗତବର୍ଷ ତୁଳନାରେ ଚଳିତବର୍ଷ ପ୍ରାୟ ୩୦ ଏକର ଅଧିକ ଜମିର କିସମ ବଦଳି ଘରବାରି ହୋଇଛି। ତେବେ, ସହର ଯେଉଁ ଢଙ୍ଗରେ ବଢ଼ିବା କଥା ସେଭଳି ବଢ଼ୁନାହିଁ।
ସୌଜନ୍ୟ ସମ୍ବାଦ
