CJP: ଜ୍ଞାନେଶ କୁମାରଙ୍କ ବିରୋଧରେ ଅକ୍ଟୋବର ୨ରୁ ‘ଜେଲ୍ ଭରୋ’ ଆନ୍ଦୋଳନ: ପୁଲିସ ଅନୁମତି ଦେଇନଥିଲେ ବି ହଟିବନି ସିଜେପି
ମୁଖ୍ୟ ନିର୍ବାଚନ କମିସନର ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ଆନ୍ଦୋଳନ ଘୋଷଣା କରିଥିବା କକ୍ରୋଚ୍ ଜନତା ପାର୍ଟି (ସିଜେପି) ଅକ୍ଟୋବର ୨ରୁ ମୁମ୍ବାଇରେ ‘ଜେଲ୍ ଭରୋ ଆନ୍ଦୋଳନ’ ଆରମ୍ଭ କରିବ ବୋଲି ଘୋଷଣା କରିଛି।

ନୂଆଦିଲ୍ଲୀ: ମୁଖ୍ୟ ନିର୍ବାଚନ କମିସନର ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ଆନ୍ଦୋଳନ ଘୋଷଣା କରିଥିବା କକ୍ରୋଚ୍ ଜନତା ପାର୍ଟି (ସିଜେପି) ଅକ୍ଟୋବର ୨ରୁ ମୁମ୍ବାଇରେ ‘ଜେଲ୍ ଭରୋ ଆନ୍ଦୋଳନ’ ଆରମ୍ଭ କରିବ ବୋଲି ଘୋଷଣା କରିଛି। ସିଜେପିର ପ୍ରତିଷ୍ଠାତା ଅଭିଜିତ ଦୀପକେ ସୋମବାର ଏହି ଘୋଷଣା କରିଛନ୍ତି। ଗାନ୍ଧୀ ଜୟନ୍ତୀ ଦିନ ଶିବାଜୀ ପାର୍କରେ ଆନ୍ଦୋଳନ କରିବାକୁ ସଂଗଠନ ଯୋଜନା କରିଥିଲା। ତେବେ ମୁମ୍ବାଇ ପୁଲିସ ଏଥିପାଇଁ ଅନୁମତି ଦେଇନାହିଁ। ଏହାସତ୍ତ୍ୱେ ଆନ୍ଦୋଳନ କରାଯିବ ବୋଲି ଦୀପକେ କହିଛନ୍ତି।
ସିଜେପି ପକ୍ଷରୁ ଜ୍ଞାନେଶ କୁମାରଙ୍କ ଇସ୍ତଫା ସହ ନିର୍ବାଚନୀ ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ ବା ଏସ୍ଆଇଆର୍କୁ ସ୍ଥଗିତ ରଖିବା ଏବଂ ନିର୍ବାଚନ କମିସନ ସମ୍ପର୍କିତ ୨୦୨୩ର ଆଇନରେ ପରିବର୍ତ୍ତନ ଭଳି ଦାବି ଉଠାଯାଇଛି। ଗତ ୨୪ ସେପ୍ଟେମ୍ବରରେ ଦୀପକେ ଓ ସହଯୋଗୀମାନେ ଜ୍ଞାନେଶ କୁମାରଙ୍କୁ ୪୮ ଘଣ୍ଟା ମଧ୍ୟରେ ଇସ୍ତଫା ଦେବାକୁ ସମୟ ଦେଇଥିଲେ। ଇସ୍ତଫା ନ ଦେଲେ ଦେଶବ୍ୟାପୀ ଆନ୍ଦୋଳନ କରାଯିବ ବୋଲି ସେମାନେ କହିଥିଲେ।
ସୌଜନ୍ୟ ସମ୍ବାଦ




