Clashes in the capital: ରାଜଧାନୀରେ ଆଲୋଡ଼ନ: ତ୍ରିକୋଣୀୟ ପ୍ରେମରୁ ଗଡ଼ିଲା ମୁଣ୍ଡ, ପ୍ରେମିକାକୁ ପ୍ରେମ ନିବେଦନ ବେଳେ ତଣ୍ଟିକାଟି ହତ୍ୟାକଲା ପୂର୍ବ ପ୍ରେମିକ‌

ଭୁବନେଶ୍ବର ଚନ୍ଦ୍ରଶେଖରପୁର ଥାନା ଇଲାକା ନୀଳାଦ୍ରିବିହାରରେ ରବିବାର ବିଳମ୍ବିତ ରାତିରେ ଏକ ବୀଭତ୍ସ ହତ୍ୟାକାଣ୍ଡ ଚାଞ୍ଚଲ୍ୟ ଖେଳାଇ ଦେଇଛି। ପ୍ରେମ ସପ୍ତାହର ପ୍ରପୋଜ୍‌ ଡେ’ରେ ପ୍ରେମିକା ପାଖକୁ ଯାଇ ପ୍ରେମ ନିବେଦନ କରିବା....

ଭୁବନେଶ୍ବର: ଭୁବନେଶ୍ବର ଚନ୍ଦ୍ରଶେଖରପୁର ଥାନା ଇଲାକା ନୀଳାଦ୍ରିବିହାରରେ ରବିବାର ବିଳମ୍ବିତ ରାତିରେ ଏକ ବୀଭତ୍ସ ହତ୍ୟାକାଣ୍ଡ ଚାଞ୍ଚଲ୍ୟ ଖେଳାଇ ଦେଇଛି। ପ୍ରେମ ସପ୍ତାହର ପ୍ରପୋଜ୍‌ ଡେ’ରେ ପ୍ରେମିକା ପାଖକୁ ଯାଇ ପ୍ରେମ ନିବେଦନ କରିବା ବେଳେ ହଠାତ୍‌ ଯୁବତୀଙ୍କ ପୂର୍ବ ପ୍ରେମିକ ସେଠାରେ ଉଭା ହେଲା ଓ ଛୁରି ଭୁସି ଅତି ନିର୍ମମ ଭାବେ ଯୁବକଙ୍କୁ ହତ୍ୟା କରିଦେଲା। ମଙ୍ଗଳାମନ୍ଦିର ଛକ ଷ୍ଟେଟ୍‌ବ୍ୟାଙ୍କ ଲେନ୍ ପ୍ଲଟ୍‌ ନମ୍ବର-୩୦୯ରେ ଏହି ବୀଭତ୍ସ ହତ୍ୟାକାଣ୍ଡ ଘଟିଛି। ମୃତ ଯୁବକ ଜଣଙ୍କ ହେଲେ ବ୍ରହ୍ମଗିରି ହାସିନପୁରର ସତ୍ୟବ୍ରତ ପ୍ରଧାନ(୨୭)। ଏନେଇ ଚନ୍ଦ୍ରଶେଖରପୁର ଥାନା ପୁଲିସ ହତ୍ୟା ମାମଲା ରୁଜୁକରି ତନାଘନା ଚଳାଇଛି। ସାଇଣ୍ଟିଫିକ୍‌ ଟିମ୍‌ ଘଟଣାସ୍ଥଳରୁ ବିଭିନ୍ନ ନମୂନା ସଂଗ୍ରହ କରିଛି। ଅନ୍ୟପଟେ ପୁଲିସ ପ୍ରେମିକା ଲିଜା କାଣ୍ଡିକୁ ଅଟକ ରଖି ପଚରାଉଚରା କରୁଛି।

ସୂଚନା ମୁତାବକ, ପାଖାପାଖି ବର୍ଷେ ହେବ ଜଗତସିଂପୁର ଜିଲ୍ଲା ଏରସମାରୁ ଆସି ଲିଜା ଶୈଳଶ୍ରୀବିହାର ଅଞ୍ଚଳର ଏକ ପାର୍ଲରରେ ବିୟୁଟିସିଆନ୍‌ ଭାବେ କାମ କରୁଥିଲେ। ଏହି ସମୟରେ ପ୍ରଥ‌ମେ ତାଙ୍କର ପୁରୁଷବନ୍ଧୁ ଦୀନବନ୍ଧୁ ନାୟକ ଓରଫ ଦୀନେଶଙ୍କ ସହ ପରିଚୟ ହୋଇଥିଲା। ମିଳାମିଶାରୁ ଉଭୟଙ୍କ ଭିତରେ ପ୍ରେମସମ୍ପର୍କ ନିବିଡ଼ ହେଲା ଓ ଉଭୟ ଏକାଠି ରହିବାକୁ ନିଷ୍ପତ୍ତି ନେଇଥିଲେ। ପାଖାପାଖି ୮ ମାସ ତଳେ ମଙ୍ଗଳାମନ୍ଦିର ଛକ ଷ୍ଟେଟ୍‌ବ୍ୟାଙ୍କ ଲେନ୍‌ରେ ଥିବା ସୁଧାଂଶୁ ସାହୁଙ୍କ ଘରେ ଭଡ଼ାରେ ରହିଥିଲେ। ଏହି ସମୟରେ ସେମାନେ ଦମ୍ପତି ବୋଲି ଘରମାଲିକଙ୍କୁ ପରିଚୟ ଦେଇଥିଲେ।

ଲିଜା ଦୀନେଶଙ୍କ ସହ ଏକାଠି ରହୁଥିଲେ ବି ଉଭୟଙ୍କ ମଧ୍ୟରେ ସମ୍ପର୍କ ସେତେଟା ଭଲ ନଥିଲା। ଇନ୍‌ଷ୍ଟାଗ୍ରାମ୍‌‌ରେ ସତ୍ୟବ୍ରତଙ୍କ ସହ ପରିଚୟ ଓ ବନ୍ଧୁତା ହୋଇଥିଲା। ପରସ୍ପର ମଝିରେ ମଝିରେ ଭୁବନେଶ୍ବରରେ ଭେଟୁଥିଲେ। ମିଳାମିଶା ଭିତରେ ଉଭୟେ ପରସ୍ପରକୁ ଭଲପାଇ ବସିଥିଲେ। ଲିଜା ବି ସତ୍ୟବ୍ରତଙ୍କୁ ତାଙ୍କ ପୂର୍ବ ପ୍ରେମ ସମ୍ପର୍କରେ ଜଣାଇଥିଲା। ଦୀନେଶଠାରୁ ଦୂରେଇ ସତ୍ୟଙ୍କ ସହ ନୂଆ ଜୀବନ ଆରମ୍ଭ କରିବାକୁ ଲିଜା ଆଗ୍ରହପ୍ରକାଶ କରିଥିଲେ। ହେଲେ ଏମାନଙ୍କ ଲୁଚାଛପା ପ୍ରେମ ଦୀନେଶ ନଜରକୁ ଆସିବାରୁ ଲିଜା ସହ ଦୀନେଶର ଭୀଷଣ ପାଟିତୁଣ୍ଡ ହୋଇଥିଲା। ସତ୍ୟବ୍ରତ କେବଳ ଜଣେ ଭଲ ସାଙ୍ଗ ବୋଲି ଲିଜା ଯୁକ୍ତି ବାଢ଼ିଥିଲେ। ହେଲେ ଏହାକୁ ସହଜରେ ଗ୍ରହଣକରିପାରି ନଥିଲା ଦୀନେଶ। ରାସ୍ତାରେ କଣ୍ଟା ସାଜିଥିବା ସତ୍ୟବ୍ରତ ଉପରେ ବରାବର ନଜର ରଖି ରାସ୍ତାରୁ ହଟାଇଦେବାକୁ ଯୋଜନା କରୁଥିଲା।

ପ୍ରେମିକାକୁ ପ୍ରେମ ନିବେଦନ ବେଳେ ତଣ୍ଟିକାଟି ହତ୍ୟାକଲା ପୂର୍ବ ପ୍ରେମିକ‌
ଯୁବତୀ ଅଟକ, ଅଭିଯୁକ୍ତକୁ ଖୋଜୁଛି ପୁଲିସ

ପ୍ରେମ ସପ୍ତାହ ଚାଲିଥିବାରୁ ରୋଜ୍‌ ଡେ’ରୁ ଆରମ୍ଭ କରି ଭାଲେନ୍‌ଟାଇନ୍‌ ଡେ’ ପର୍ଯ୍ୟନ୍ତ ଗୋଟି ଗୋଟି କରି ସବୁଦିନ ପ୍ରେମିକା ସହ ସମୟ ବିତାଇବାକୁ ଯୋଜନା କରିଥିଲା ସତ୍ୟବ୍ରତ। ହେଲେ ସାଙ୍ଗରେ ଦୀନେଶ ରହୁଥିବାରୁ ଏସବୁ ସମ୍ଭବ ନଥିଲା। ରବିବାର ପ୍ରପୋଜ୍‌ ଡେ’ରେ ଯେମିତି ବି ହେଉ ପ୍ରେମିକା ଲିଜାକୁ ଭେଟି ପ୍ରେମ ନିବେଦନ କରିବ ବୋଲି ସତ୍ୟବ୍ରତ ଲିଜାଙ୍କୁ ଜଣାଇଥିଲା। ଯୋଜନା ମୁତାବକ ରବିବାର ବିଳମ୍ବିତ ରାତିରେ ଦୀନେଶ ଘରେ ନଥିବା ସୁଯୋଗ ଦେଖି ଲିଜା ସତ୍ୟବ୍ରତକୁ ଡକାଇଥିଲେ। ସତ୍ୟବ୍ରତ କାର୍‌ ଧରି ମଙ୍ଗଳାମନ୍ଦିର ନିକଟରେ ଗାଡ଼ି ରଖି ଲିଜାଙ୍କ ଘରେ ପହଞ୍ଚିଥିଲା। ପ୍ରେମିକାଙ୍କୁ ପ୍ରେମ ନିବେଦନ କରିବା ସମୟରେ ହଠାତ୍‌ ପହଞ୍ଚି ଯାଇଥିଲା ଦୀନେଶ। ଏତେ ରାତିରେ ଉଭୟଙ୍କୁ ଏକାଠି ଦେଖି ରୋଷେଇଘରୁ ଏକ ଛୁରି ଆଣି ଅତର୍କିତ ଭାବେ ସତ୍ୟବ୍ରତଙ୍କୁ ଆକ୍ରମଣ କରିଥିଲା। ତଣ୍ଟିକୁ କାଟିଦେବା ସହ ଶରୀରସାରା ଛୁରା ମାଡ଼ କରିଥିଲା।

 

ଜୀବନ ବିକଳରେ ବେକକୁ ଚାପିଧରି ସତ୍ୟବ୍ରତ ଦୌଡ଼ି କାର୍‌ ନିକଟକୁ ଯାଇ ସେହିଠାରେ ଟଳିପଡ଼ିଥିଲା। ଲିଜା ସତ୍ୟବ୍ରତଙ୍କୁ ବଞ୍ଚାଇବା ପାଇଁ ଆମ୍ବୁଲାନ୍ସ ଡକାଇ କ୍ୟାପିଟାଲ୍‌ ହସ୍ପିଟାଲ୍‌ ନେଇଥିଲେ। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ରାତାରାତି ଲିଜା ସତ୍ୟଙ୍କ ପରିବାରଲୋକ ଏବଂ କାର୍‌ମାଲିକାଣୀଙ୍କୁ ଫୋନ୍‌ କରି ଘଟଣା ସମ୍ପର୍କରେ ଜଣାଇଥିଲେ। ସତ୍ୟଙ୍କ ପରିବାରଲୋକ ତୁରନ୍ତ ପୁଲିସକୁ ଖବର ଦେଇଥିଲେ। ଚନ୍ଦ୍ରଶେଖରପୁର ଥାନା ପୁଲିସ ହସ୍ପିଟାଲ୍‌ରେ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ହତ୍ୟା ମାମଲା ରୁଜୁକରି ଲିଜାଙ୍କୁ ଆଣି ଥାନାରେ ଅଟକ ରଖିଛି। ସେପଟେ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଫେରାର ଦୀନବନ୍ଧୁ ନାୟକ ଓରଫ  ଦୀନେଶକୁ ଧରିବା ପାଇଁ ପୁଲିସ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଛି।

ସୌଜନ୍ୟ ସମ୍ବାଦ

Exit mobile version