ସନ୍ଦୀପ ଲେଙ୍କା
ନୟାଗଡ଼: ଜଳବାୟୁ ପରିବର୍ତ୍ତନ ଚେତାବନୀ ଦେଲାଣି। କେବେ ଆବଶ୍ୟକ ନଥାଇ ପ୍ରବଳ ବର୍ଷୁଛି। ପୁଣି କେବେ ଆବଶ୍ୟକ ଥିବା ବେଳେ ନ ବର୍ଷିବାରୁ ଚାଷ ଜମି ଶୁଖିଲା ପଡ଼ୁଛି। ପୋଖରୀ ଓ ନଈ ବି ଶୁଖିଯାଉଛି। ବର୍ଷା ଅନିୟମିତତା ଆସନ୍ନ ବିପଦର ସଙ୍କେତ ଦେଉଛି। ଧୀରେ ଧୀରେ ନୟାଗଡ଼ରେ ବର୍ଷାର ପରିମାଣ ହ୍ରାସ ପାଉଛି। ୨୦୨୩-୨୫ ମଧ୍ୟରେ ୮ରୁ ଅଧିକ ବ୍ଲକ୍ରେ ନିଅଣ୍ଟିଆ ବର୍ଷା ହୋଇଥିବା ବେଳେ ୫୯%ରୁ କମ୍ ବର୍ଷା ହୋଇଛି। ଏହା କେବଳ ଚାଷ କ୍ଷେତ୍ରକୁ ପ୍ରଭାବିତ କରି ନାହିଁ, ବରଂ ନୟାଗଡ଼ବାସୀ ପାନୀୟଜଳ ପାଇଁ ନିର୍ଭରଶୀଳ ଥିବା ଭୂତଳ ଜଳସ୍ତର ହ୍ରାସରେ ଏହା ସବୁଠୁ ବଡ଼ କାରଣ ସାଜିଛି। କେବଳ ସେତିକି ନୁହେଁ ନୟାଗଡ଼ରେ ଜଳ ସଂରକ୍ଷଣ ପାଇଁ ଖୋଳା ଯାଇଥିବା ପୋଖରୀରେ ପାଣି ଟୋପେ ରହୁ ନଥିବା ଦେଖିବାକୁ ମିଳିଛି। ସ୍ବତନ୍ତ୍ର ରିଲିଫ୍ କମିସନ୍ଙ୍କ ତଥ୍ୟ ମୁତାବକ, ୨୦୨୨-୨୩ରେ ଜିଲ୍ଲାରେ ୧୩୫୪.୩ ମିଲିମିଟର ସ୍ବାଭାବିକ ବର୍ଷା ଆବଶ୍ୟକ ଥିବା ବେଳେ ୧୪୯୬.୨ ମିଲିମିଟର ବର୍ଷା ହୋଇଥିଲା। ଅର୍ଥାତ୍ ୧୦.୫ ପ୍ରତିଶତ ଅଧିକ ବର୍ଷା ହୋଇଥିଲା। ଉକ୍ତବର୍ଷ ଜୁନ୍ ମାସରେ ସାଧାରଣ ବର୍ଷା ୨୦୩.୫ ମିଲିମିଟର ଆବଶ୍ୟକ ଥିବାବେଳେ ହୋଇଥିଲା ୧୪୯.୨ ମିଲିମିଟର ବର୍ଷା। ଅର୍ଥାତ୍ ସେହି ମାସରେ ୨୬.୭% କମ୍ ବର୍ଷା ହୋଇଥିଲା। ମାତ୍ର ଜୁଲାଇ ଓ ଅଗଷ୍ଟରେ ଆବଶ୍ୟକତାଠାରୁ ଅଧିକ ବର୍ଷା ହୋଇଥିଲା। ଏହି ବର୍ଷ ମାତ୍ର ୭ଟି ବ୍ଲକ୍ରେ ସାଧାରଣ ବର୍ଷା ହୋଇଥିଲା।
ମାତ୍ର ଅନ୍ୟ ଗୋଟିଏ ବ୍ଲକରେ ନିଅଣ୍ଟିଆ ବର୍ଷା ହୋଇଥିଲା। ୨୦୨୩-୨୪ ବର୍ଷ ମୋଟ ୧୩୫୪.୩ମିମି ବର୍ଷା ଆବଶ୍ୟକତା ରହିଥିବା ବେଳେ ୧୨୭୫.୧ମିମି ହୋଇଥିଲା। ଉକ୍ତ ବର୍ଷ ୫.୮% କମ୍ ବର୍ଷା ହୋଇଥିବା ରେକର୍ଡ କରାଯାଇଥିଲା। ୩ଟି ବ୍ଲକ୍ରେ ନିଅଣ୍ଟିଆ ବର୍ଷା ହୋଇଥିଲା। ଜୁନ୍ରେ ୨୦୩.୫ମିମି ଆବଶ୍ୟକତା ଥିଲେ ହେଁ ମାତ୍ର ୧୨୩.୫ମିମି ବର୍ଷା ହୋଇଥିଲା। ଜୁଲାଇରେ ୨୮୮ମିମି ବର୍ଷାର ଆବଶ୍ୟକତା ଥିଲେ ହେଁ ୧୬.୬% ଅଧିକ ଅର୍ଥାତ୍ ୩୩୬ମିମି ବର୍ଷା ହୋଇଥିଲା। ୨୦୨୪-୨୫ରେ ସ୍ବାଭାବିକ ବର୍ଷାର ଆବଶ୍ୟକତା ବଢ଼ି ୧୪୧୫.୩ ମିମି ପହଞ୍ଚିଥିବା ବେଳେ ୧୫୦୮.୯ମିମି ବର୍ଷା ହୋଇଥିଲା। ଅର୍ଥାତ୍ ଉକ୍ତ ବର୍ଷ ସ୍ବାଭାବିକଠାରୁ ୬.୬% ଅଧିକ ବର୍ଷା ହୋଇଛି। ଜୁନ୍ ମାସରେ ୨୨୩.୪ ମିମି ଆବଶ୍ୟକତା ଥିଲେ ହେଁ ୧୯୩.୬ ମିଲିମିଟର ବର୍ଷା ହୋଇଥିଲା। ଜୁଲାଇରେ ୩୫୯ ମିମି ଆବଶ୍ୟକତା ଥିଲେ ହେଁ ୩୧୪.୦ ମିମି ବର୍ଷା ହୋଇଥିଲା। ପରିବେଶ ବିଜ୍ଞାନୀ ତଥା ପୂର୍ବତନ ଡିଏଫ୍ଓ ସୁରେଶ ହୋତା କୁହନ୍ତି, ଜଳବାୟୁ ପରିବର୍ତ୍ତନ ଯୋଗୁଁ ବର୍ଷାରେ ଅନିୟମିତତା ଦେଖିବାକୁ ମିଳୁଛି। ଅତ୍ୟଧିକ ତାପମାତ୍ରା ବୃଦ୍ଧି ଯୋଗୁଁ ସୃଷ୍ଟି ହେଉଥିବା ଏଲ୍ନିନୋ ଅର୍ଥାତ୍ ପ୍ରଶାନ୍ତ ମହାସାଗରରେ ସମୁଦ୍ର ପୃଷ୍ଠରେ ତାପମାତ୍ରା ଅସ୍ବାଭାବିକ ଭାବେ ବୃଦ୍ଧି ପାଉଥିବାରୁ ମୌସୁମୀକୁ ଦୁର୍ବଳ କରିଦେଉଛି। ଚଳିତ ବର୍ଷ ୮୨% ଏଲ୍ନିନୋ ମାଡ଼ି ଆସିବାର ସମ୍ଭାବନା ରହିଛି। ଏହା ଆସିଲେ ମରୁଡ଼ି ପରିସ୍ଥିତି ସୃଷ୍ଟି ହେବ ଏବଂ ଲୋକେ ଖାଦ୍ୟ ପାଇଁ ସଂଘର୍ଷ କରିବେ। ଏଣୁ ବର୍ଷା ଜଳ ସଂରକ୍ଷଣ କରାଯିବା ପାଇଁ ହୋଇଥିବା ବ୍ୟବସ୍ଥାକୁ ଆହୁରି ଚଳଚଞ୍ଚଳ କରିବାକୁ ହେବ।
ସୌଜନ୍ୟ ସମ୍ବାଦ

