Glass frog: ଗ୍ଲାସ୍‌ ଫ୍ରଗ୍‌

ଏକ ବିରଳ ଓ ଆକର୍ଷଣୀୟ ପ୍ରଜାତିର ବେଙ୍ଗ ହେଉଛି ‘ଗ୍ଲାସ୍ ଫ୍ରଗ୍‌’। ଏହା ‘ସି-ଥ୍ରୁ ଫ୍ରଗ୍‌’ ଭାବରେ ମଧ୍ୟ ଜଣାଶୁଣା। ଏହି ବେଙ୍ଗର ବିଶେଷତ୍ବ ହେଉଛି ଏହାର ଶରୀର ଏତେ ସ୍ୱଚ୍ଛ ଯେ ଭିତର ଅଙ୍ଗଗୁଡ଼ିକ ସହଜରେ ଦେଖାଯାଏ, ଯାହା ପ୍ରକୃତିର ଏକ ଅଦ୍ଭୁତ  ସୃଷ୍ଟି ଭଳି ଲାଗେ। ଏହି ବେଙ୍ଗ ସାଧାରଣତଃ ସବୁଜ ପତ୍ର ଥିବା ଆର୍ଦ୍ର ଜଙ୍ଗଲ ଅଞ୍ଚଳରେ ବାସ କରେ। ଏହାର ପିଠି ହାଲୁକା ସବୁଜ ରଙ୍ଗର ହୋଇଥାଏ ଏବଂ ରୁପା ରଙ୍ଗର ଛୋଟ ଦାଗ ମଧ୍ୟ ଦେଖାଯାଏ। ଯେତେବେଳେ ଏହି ପ୍ରଜାତିର ବେଙ୍ଗ ପତ୍ର ଉପରେ ବିଶ୍ରାମ କରନ୍ତି, ସେମାନଙ୍କ ଶରୀର ପତ୍ର ସହିତ ଏପରି ଭାବେ ମିଶିଯାଏ ଯେ ଚିହ୍ନଟ କରିବା ପ୍ରାୟ ଅସମ୍ଭବ ହୋଇଯାଏ। ଏହାର ପେଟ ଅଂଶ ଅତ୍ୟଧିକ ସ୍ୱଚ୍ଛ, ଯାହା ଦ୍ବାରା ଭିତରର ଅଙ୍ଗଗୁଡ଼ିକ ସ୍ପଷ୍ଟ ଦିଶେ।

ବିଜ୍ଞାନ ପତ୍ରିକା ‘ସାଇନ୍ସ’ରେ ପ୍ରକାଶିତ ଏକ ରିପୋର୍ଟ ମୁତାବକ ଏହି ବେଙ୍ଗ ନିଜ ରକ୍ତସଞ୍ଚାଳନ ପ୍ରଣାଳୀରୁ ପ୍ରାୟ ୯୦ ପ୍ରତିଶତ ଲାଲ ରକ୍ତକଣିକାକୁ ଯକୃତରେ ସଂରକ୍ଷଣ କରିଦିଏ। ଫଳରେ ତାହାର ଶରୀର ଅତ୍ୟଧିକ ସ୍ବଚ୍ଛ ଦେଖାଯାଏ। ଆଶ୍ଚର୍ଯ୍ୟର କଥା ହେଉଛି, ଏତେ ପରିମାଣରେ ଲୋହିତ ରକ୍ତକଣିକା ଏକ ସ୍ଥାନରେ ଜମା ହେଲେ ରକ୍ତ ଜମାଟ ବାନ୍ଧିବା ଉଚିତ। କିନ୍ତୁ ଗ୍ଲାସ୍‌ ଫ୍ରଗ୍‌ର ଶରୀରରେ ତାହା ହୁଏନାହିଁ। ଏହି ରହସ୍ୟ ଏପର୍ଯ୍ୟନ୍ତ ବୈଜ୍ଞାନିକମାନଙ୍କ ପାଇଁ ଏକ ରହସ୍ୟ ହୋଇ ରହିଛି। ଗବେଷକମାନଙ୍କ ମତରେ, ଯଦି ଏହାର ରହସ୍ୟ ବୁଝାପଡ଼େ ତେବେ ଭବିଷ୍ୟତରେ ମଣିଷର ରକ୍ତ ଜମାଟ ସମ୍ବନ୍ଧୀୟ ରୋଗର ଚିକିତ୍ସାରେ ଏହା ସହାୟକ ହୋଇପାରିବ।
ସୌଜନ୍ୟ ସମ୍ବାଦ