ଭୁବନେଶ୍ବର: ବହୁଚର୍ଚ୍ଚିତ ବାଲେଶ୍ୱର ସେକ୍ସ ସ୍କାଣ୍ଡାଲ୍ ମାମଲାରେ ପୀଡ଼ିତାଙ୍କୁ ନ୍ୟାୟ ପାଇଁ ଏକ ପ୍ରକାର ବାଟ ଫିଟିଛି। ୨୬ବର୍ଷ ତଳର ମାମଲାର ଶୁଣାଣି ପ୍ରକ୍ରିୟା ଆରମ୍ଭ ହେବା ପରେ ଏଭଳି ନୂଆ ଆଶା ଦେଖାଦେଇଛି। ଗତ ୩୦ ତାରିଖ ଦିନ ଭୁବନେଶ୍ୱର ସ୍ବତନ୍ତ୍ର ଟ୍ରାକ୍ କୋର୍ଟ ତଥା ରେଜିଷ୍ଟ୍ରାର କୋର୍ଟରେ ସାକ୍ଷ୍ୟ ଗ୍ରହଣ କରାଯାଇଥିଲା। ସ୍ୱତନ୍ତ୍ର ଭାବେ ନିଯୁକ୍ତ ସରକାରୀ ଓକିଲ କାଳୀ ଚରଣ ମିଶ୍ରଙ୍କ ତତ୍ତ୍ବାବଧାନରେ ମୁଖ୍ୟସାକ୍ଷୀ ତତ୍କାଳୀନ କନିଷ୍ଠ କିରାଣୀ ଗୌରୀଶଙ୍କର ପଣ୍ଡା ନିଜର ପକ୍ଷ ରଖିଥିଲେ। ହେଲେ ସ୍ୱାସ୍ଥ୍ୟବସ୍ଥା ଖରାପ ଥିବାରୁ ଆଉ ଦୁଇଟି ସୋପାନରେ ସାକ୍ଷ୍ୟଗ୍ରହଣ ହୋଇପାରି ନଥିଲା। ତେଣୁ ମେ’ ୧୮ ତାରିଖ (ଆଜି) ସାକ୍ଷ୍ୟଗ୍ରହଣ ପାଇଁ କୋର୍ଟ ତିଥି ଧାର୍ଯ୍ୟ କରିଥିଲେ। କିନ୍ତୁ ଆଜି ମଧ୍ୟ ମୁଖ୍ୟସାକ୍ଷୀ ଗୌରୀଶଙ୍କର ହାଜର ହୋଇପାରି ନଥିଲେ। ସ୍ବାସ୍ଥ୍ୟ ସମସ୍ୟା ଯୋଗୁଁ ସେ ହାଜର ହୋଇପାରି ନଥିବା ବରିଷ୍ଠ ଆଇନଜୀବୀ ଶ୍ରୀ ମିଶ୍ର କହିଛନ୍ତି। ଆସନ୍ତା ୬ ତାରିଖରେ କୋର୍ଟ ପରବର୍ତ୍ତୀ ଶୁଣାଣି ତିଥି ଧାର୍ଯ୍ୟ କରିଥିବା ଜଣାପଡ଼ିଛି। ତେବେ ପୂର୍ବରୁ ଏହି ଘଟଣାରେ ୬ଜଣ ନିଜର ବୟାନ ରଖିଥିଲେ।
ସୂଚନା ମୁତାବକ, ଗତ ୧୯୯୯ ମସିହାରେ ବାଲେଶ୍ୱରସ୍ଥିତ କୁନ୍ତଳା କୁମାରୀ ସାବତ ମହିଳା ମହାବିଦ୍ୟାଳୟର +୩ କଳା ଶେଷବର୍ଷ ଛାତ୍ରୀ ଜଣକ ରାଜ୍ୟସ୍ତରରେ ଜଣେ ପ୍ରତିଷ୍ଠିତ ଆଥ୍ଲେଟ୍ ଭାବେ ଜଣାଶୁଣା ଥିଲେ। ମହାବିଦ୍ୟାଳୟର ତତ୍କାଳୀନ କ୍ରୀଡ଼ା ଅଧ୍ୟାପିକା ପ୍ରଭାସିନୀ କର ଛାତ୍ରୀଙ୍କୁ ସଂରକ୍ଷଣ ବର୍ଗରେ ଚାକିରି ସହ ଷ୍ଟାଇପେଣ୍ଡ୍ ପ୍ରଲୋଭନ ଦେଖାଇ ଏଥିପାଇଁ କିଛି ପ୍ରଶାସନିକ ଅଧିକାରୀଙ୍କୁ ଭେଟିବାକୁ ଛାତ୍ରୀଙ୍କୁ କହିଥିଲେ। ଛାତ୍ରୀଙ୍କୁ ଫସାଇବା ପରେ ସେହିବର୍ଷ ଜୁନ୍ ୯ରେ ତାଙ୍କୁ ସାଙ୍ଗରେ ଧରି ଅଧ୍ୟାପିକା ଜଣକ ଭୁବନେଶ୍ୱର ନୟାପଲ୍ଲୀ କ୍ରିଷ୍ଣା ଟାୱାରରେ ପହଞ୍ଚିଥିଲେ। ପୂର୍ବରୁ ସେଠାରେ କିଛି ଉଚ୍ଚପଦସ୍ଥ ପ୍ରଶାସନିକ ଅଧିକାରୀ ସୁଯୋଗ ନେଇ ଛାତ୍ରୀଙ୍କୁ ଦୁଷ୍କର୍ମ ଉଦ୍ୟମ କରିଥିଲେ। ହେଲେ କୌଶଳକ୍ରମେ ପୀଡ଼ିତା ସେଠାରୁ ଖସି ବାଲେଶ୍ୱର ପଳାଇ ଆସିଥିଲେ। ଏନେଇ ବାଲେଶ୍ବର ଟାଉନ ଥାନାରେ ଅଭିଯୋଗ କରିଥିଲେ। ଏଭଳି ଏକ ସ୍ପର୍ଶକାତର ଘଟଣାକୁ ନେଇ ସାରା ଦେଶରେ ଓଡ଼ିଶା ଦୁର୍ନାମ ମୁଣ୍ଡାଇଥିଲା। ସାରା ରାଜ୍ୟରେ ଆଇନଶୃଙ୍ଖଳା ସ୍ଥିତି ଦେଖାଦେବା ସହ ବିଧାନସଭାରେ ବିରୋଧୀଙ୍କ ଦାବି ଓ ପ୍ରବଳ ଚାପରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ।
ତତ୍କାଳୀନ ବିଧାୟକ ସ୍ୱର୍ଗତ ଅରୁଣ ଦେ ସିବିଆଇ ତଦନ୍ତ ଦାବି ଉଠାଇଥିଲେ। କ୍ରାଇମବ୍ରାଞ୍ଚ ତଦନ୍ତ ବାଧାପ୍ରାପ୍ତ ଓ ପକ୍ଷପାତି ହେବା ଆଶଙ୍କାରେ ଓଡ଼ିଶା ଉଚ୍ଚ ନ୍ୟାୟାଳୟରେ ଜନସ୍ୱାର୍ଥ ମାମଲା ରୁଜୁ ହେଲା। ୨୦୦୦ ମସିହା ମେ’ରେ ତଦନ୍ତଭାର ସିବିଆଇ ହାତକୁ ଯିବା ପରେ ପ୍ରଭାସିନୀଙ୍କ ସମେତ ଅନ୍ୟ ଜଣେ ଅଭିଯୁକ୍ତଙ୍କୁ ସିବିଆଇ ଗିରଫ କରିଥିଲା। ପରବର୍ତ୍ତୀ ସମୟରେ ଏକାଧିକ ଆଇଏଏସ୍ ଅଧିକାରୀ ଜେରାର ସାମ୍ନା କରିଥିଲେ। ତେବେ ପ୍ରଭାସିନୀ ଓ ତାଙ୍କ ପୁଅ ତଥା ହୋମିଓପାଥି ଡାକ୍ତର ସିଦ୍ଧାର୍ଥ ପାତ୍ର ହାଇପ୍ରୋଫାଇଲ୍ ସେକ୍ସ ସ୍କାଣ୍ଡାଲ ଚଳାଇଥିବା ସିବିଆଇ ତଦନ୍ତରୁ ଜଣାପଡ଼ିଲା। ସେସ୍କ ସ୍କାଣ୍ଡାଲ କଥା ପଦାକୁ ଆସିବା ପରେ ୨୦୦୧ ସେପ୍ଟେମ୍ବରରୁ ସିଦ୍ଧାର୍ଥ ହଠାତ୍ ଉଭାନ ହୋଇଗଲେ। ୧୦ ବର୍ଷ ଧରି ସିଦ୍ଧାର୍ଥ ଆତ୍ମଗୋପନ କଲା ପରେ ଶେଷରେ ତାଙ୍କ ସମ୍ପର୍କରେ ତଥ୍ୟ ପାଇଁ ଏକ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା କରିଥିଲା ସିବିଆଇ। ପରେ ସିଦ୍ଧାର୍ଥ ଅଦାଲତରେ ଆତ୍ମସମର୍ପଣ କଲେ। ୨୦୧୨ରେ ପୀଡ଼ିତା ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଏକାଧିକ ଆଇଏଏସ୍ ଅଧିକାରୀ ସେକ୍ସ ସ୍କାଣ୍ଡାଲରେ ସମ୍ପୃକ୍ତ ଥିବା ଅଭିଯୋଗ ଆଣି ସେ ପିଟିସନ୍ ଦାଖଲ କରିଥିଲେ। କିନ୍ତୁ ପରବର୍ତ୍ତୀ ସମୟରେ ନାଟକୀୟ ଢଙ୍ଗରେ ପିଟିସନ୍ ପ୍ରତ୍ୟାହାର କରିବା ପାଇଁ ହାଇକୋର୍ଟଙ୍କୁ ଗୁହାରି କଲେ। ୨୦୧୩ ଫେବ୍ରୁଆରି ୧୪ରେ ହାଇକୋର୍ଟ ଉକ୍ତ ପିଟିସନ୍କୁ ବରଖାସ୍ତ କରିଥିଲେ। ସିବିଆଇ ସ୍ୱତନ୍ତ୍ର ଅଦାଲତରେ ଏସ୍ଟି ନଂ-୧୪୯/୧୫ରେ ଚାଲିଥିବା ଶୁଣାଣିର ସାକ୍ଷ୍ୟଗ୍ରହଣ ପ୍ରକ୍ରିୟା ଚାଲିଛି। ସିବିଆଇର ଚାର୍ଜସିଟରେ ୨୫ରୁ ଅଧିକ ସାକ୍ଷୀ ଅଛନ୍ତି। କିଛିଦିନ ତଳେ ନୀଳଗିରିର ଜଣେ ସାମ୍ବାଦିକ ଅଦାଲତରେ ପକ୍ଷ ରଖିଛନ୍ତି। ଏହା ଭିତରେ ଜଣେ ସାକ୍ଷୀଙ୍କ ମୃତ୍ୟୁ ହୋଇସାରିଛି।
ସୌଜନ୍ୟ ସମ୍ବାଦ

