Collective : ଜଙ୍ଗଲ କ୍ଷୟ ରୋକିବ ସାମୂହିକ ଉଦ୍ୟମ: ତାରା
ଏକଦା ବର୍ଷର ୬ ମାସ କୋରାପୁଟରେ ବର୍ଷା ହେଉଥିଲା। ୩ ମାସ ସୂର୍ଯ୍ୟଙ୍କ କିରଣ ପଡ଼ୁନଥିଲା। ଜଙ୍ଗଲ କ୍ଷୟ, ଦ୍ରୁତ ଶିଳ୍ପାୟନ ପ୍ରଭାବରେ ଏବେ ବର୍ଷା କମିବା ସହିତ ଜଙ୍ଗଲ ନଷ୍ଟ ଜଳବାୟୁ....

ଜୟପୁର: ଏକଦା ବର୍ଷର ୬ ମାସ କୋରାପୁଟରେ ବର୍ଷା ହେଉଥିଲା। ୩ ମାସ ସୂର୍ଯ୍ୟଙ୍କ କିରଣ ପଡ଼ୁନଥିଲା। ଜଙ୍ଗଲ କ୍ଷୟ, ଦ୍ରୁତ ଶିଳ୍ପାୟନ ପ୍ରଭାବରେ ଏବେ ବର୍ଷା କମିବା ସହିତ ଜଙ୍ଗଲ ନଷ୍ଟ ଜଳବାୟୁ ପରିବର୍ତ୍ତନର ମୁଖ୍ୟ କାରଣ ହୋଇଛି। ସାମୂହିକ ଉଦ୍ୟମ ଦ୍ବାରା ଜଙ୍ଗଲକ୍ଷୟ ରୋକିବାକୁ ପଡ଼ିବ। ନଚେତ୍ କୋରାପୁଟର ସବୁଜିମା ଉଜୁଡ଼ିଯିବ। ଜୟପୁର ନିର୍ବାଚନମଣ୍ଡଳୀର ଗଡ଼ପଦର ଗ୍ରାମରେ ‘ସମ୍ବାଦ’ ପକ୍ଷରୁ ଆୟୋଜିତ ‘ପରିବେଶ ପଞ୍ଚାୟତ’ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଯୋଗଦେଇ ଏହା କହିଛନ୍ତି ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି।
ଶ୍ରୀ ବାହିନୀପତି କହିଛନ୍ତି, ଗଡ଼ପଦରର ସବୁଜିମା ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିଛି। ଏହି ପର୍ବତ ଆମର ମା’। ଜୀବିକାଠାରୁ ଆରମ୍ଭ କରି ସବୁ କିଛି ଆମକୁ ଦେଉଛି। ଏହା ନଷ୍ଟ ହେଲେ ଜୀବିକା ବୁଡ଼ିଯିବ। ଗଡ଼ପଦର ସବୁଜିମାର ସୁରକ୍ଷା ପାଇଁ ବନ ସୁରକ୍ଷା ସମିତି ଗଠନ କରିବା ପାଇଁ ବାହିନୀପତି ଗ୍ରାମବାସୀଙ୍କୁ ଆହ୍ବାନ ଦେଇଥିଲେ। ପରିବେଶର ସୁରକ୍ଷା ପାଇଁ ‘ସମ୍ବାଦ’ର ପଦକ୍ଷେପକୁ ବିଧାୟକ ପ୍ରଶଂସା କରିଥିଲେ। ‘ସମ୍ୱାଦ’ ଜୟପୁର ସଂସ୍କରଣ ମୁଖ୍ୟ ନବୀନ ଚନ୍ଦ୍ର ସାହୁଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଜୟପୁର ରେଞ୍ଜର ଦେବେନ୍ଦ୍ର ମାଝୀ ଯୋଗଦେଇ କହିଲେ, ଗଡ଼ପଦର ଅଞ୍ଚଳ ପ୍ରାକୃତିକ ସୌନ୍ଦର୍ଯ୍ୟ ଓ ସବୁଜିମାର ଗନ୍ତାଘର। ଗ୍ରାମବାସୀ ଏହି ଜଙ୍ଗଲର ସୁରକ୍ଷା ଲାଗି ଯେଉଁ ପଦକ୍ଷେପ ନେଇଛନ୍ତି ତାହା ପ୍ରଶଂସନୀୟ।
ଅନ୍ୟତମ ସମ୍ମାନିତ ଅତିଥି ଗଡ଼ପଦର ପଞ୍ଚାୟତ ସରପଞ୍ଚ ପ୍ରଭାକର ନାୟକ, ଜୟପୁର ବ୍ଲକ କଂଗ୍ରେସ ସଭାପତି ବସନ୍ତ ନାୟକ ଯୋଗଦେଇ ଜଙ୍ଗଲର ସୁରକ୍ଷା ନ ହେଲେ ଏହାର ପ୍ରଭାବ ବର୍ଷା ଓ ଚାଷ କାର୍ଯ୍ୟ ଉପରେ ପଡ଼ିବ ବୋଲି କହିଥିଲେ। ଏହି ଅବସରରେ ଗଡ଼ପଦର ବିରିପାଣି ମନ୍ଦିର ପାର୍ଶ୍ବରେ ବୃକ୍ଷରୋପଣ କରାଯାଇଥିଲା। କନକ ନ୍ୟୁଜ ଜୟପୁର ବ୍ୟୁରୋ ରମେଶ ଚନ୍ଦ୍ର ସାହୁ ଧନ୍ୟବାଦ ଅର୍ପଣ କରିଥିବା ବେଳେ ‘ସମ୍ବାଦ’ ଜୟପୁର ସହର ପ୍ରତିନିଧି ତରୁଣ କୁମାର ମହାପାତ୍ର, ଦେବାଶିଷ ସାହୁ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।
ସୌଜନ୍ୟ ସମ୍ବାଦ




