Commonwealth Games: ସାରା ଦେଶରେ ହେବ ମଶାଲ ଡିଜାଇନ୍‌ ପ୍ରତିଯୋଗିତା, ରିଲ୍‌ ଚ୍ୟାଲେଞ୍ଜ୍‌ ଓ ଜଣାଅଜଣା କାର୍ଯ୍ୟକ୍ରମ

ଅହମଦାବାଦ: ଗୁଜରାଟର ଅହମଦାବାଦଠାରେ ଆୟୋଜିତ ହେବ ୨୦୩୦ ରାଜ୍ୟଗୋଷ୍ଠୀ କ୍ରୀଡ଼ା। ୨୦ବର୍ଷ ପରେ ଭାରତ ଫେରିବାକୁ ଯାଉଥିବା ଏହି ବହୁରାଷ୍ଟ୍ରୀୟ କ୍ରୀଡ଼ା ମହୋତ୍ସବକୁ ଅଭୁଲା ଓ ଅବିସ୍ମରଣୀୟ କରିବା ଲାଗି କେନ୍ଦ୍ର କ୍ରୀଡ଼ା ମନ୍ତ୍ରାଳୟ ଏବେଠୁ ଅଣ୍ଟା ଭିଡ଼ିଲାଣି। ଗୁଜରାଟ ସରକାରଙ୍କ ସହ ମିଶି ମନ୍ତ୍ରାଳୟ ଏହି ପ୍ରତିଯୋଗିତା ଲାଗି ସାଧାରଣ ଜନତାଙ୍କ ମଧ୍ୟରେ ସଚେତନତା, ଉତ୍ସାହ ଓ ଉନ୍ମାଦ ସୃଷ୍ଟି କରିବା ଲାଗି ମଙ୍ଗଳବାର ଏକାଧିକ ଅଭିନବ ପଦକ୍ଷେପ ଘୋଷଣା କରିଛି।

ବି‌‌ଶେଷ କରି ଯୁବଗୋଷ୍ଠୀଙ୍କ ମଧ୍ୟରେ ରାଜ୍ୟଗୋଷ୍ଠୀ କ୍ରୀଡ଼ାକୁ ନେଇ ଆଗ୍ରହ ସୃଷ୍ଟି କରିବା ଲାଗି ଖୁବ୍‌ଶୀଘ୍ର ଏକାଧିକ କ୍ରୀଡ଼ା ଭିତ୍ତିକ ପ୍ରତିଯୋଗିତା ଓ ଜଣାଅଜଣା କାର୍ଯ୍ୟକ୍ରମ କରାଯିବ ଘୋଷଣା କରାଯାଇଛି। କେତେକ କାର୍ଯ୍ୟକ୍ରମ ଆରମ୍ଭ ହୋଇ ସାରିଥିବା ମଧ୍ୟ ସୂଚନା ଦିଆଯାଇଛି। ସେଥିମଧ୍ୟରେ ରହିଛି ମଶାଲ ଡିଜାଇନ୍‌ ପ୍ରତିଯୋଗିତା, ରାଜ୍ୟଗୋଷ୍ଠୀ କ୍ରୀଡ଼ାକୁ ନେଇ ରିଲ୍‌ ପ୍ରସ୍ତୁତ କରିବା ରହିଛି ପ୍ରମୁଖ।

ସେହିଭଳି ରାଜ୍ୟଗୋଷ୍ଠୀ କ୍ରୀଡ଼ାକୁ ନେଇ ଏକ ଜାତୀୟସ୍ତରୀୟ ଜଣା ଅଜଣା କାର୍ଯ୍ୟକ୍ରମ କରାଯାଉଥିବା ଜଣାପଡ଼ିଛି। ମଶାଲରେ ଆକୃତି ଓ ପ୍ରକୃତିରେ ଭାରତର ସଂସ୍କୃତି, ଐତିହ୍ୟ, ସ୍ଥାୟୀତ୍ବ ଏବଂ କ୍ରୀଡ଼ା ପାରଦର୍ଶିତା ସହ ଦେଶରେ ହେଉଥିବା ଉଦ୍ଭାବନକୁ ସାମିଲ କରାଯିବ। ଶ୍ରେଷ୍ଠ ଡିଜାଇନ୍‌କୁ ରାଜ୍ୟଗୋଷ୍ଠୀ କ୍ରୀଡ଼ାର ଆନୁଷ୍ଠାନିକ ମଶାଲ କରାଯିବା ସହ ଶ୍ରେ‌ଷ୍ଠ ଡିଜାଇନରଙ୍କୁ ପୁରସ୍କୃତ ବି କରାଯିବ। ଏଥିରେ ଦେଶର ସାଧାରଣ ଲୋକଙ୍କଠାରୁ ଆରମ୍ଭ କରି ବି‌ଶେଷଜ୍ଞ ପର୍ଯ୍ୟନ୍ତ ସମସ୍ତେ ଅଂଶଗ୍ରହଣ କରିପାରିବେ। ଆଗ୍ରହୀ ଡିଜାଇନର୍‌ମାନେ ଡିଜିଟାଲ କିମ୍ବା ହାତ ଲିଖିତ ଫର୍ମାଟ୍‌ରେ ନିଜ ଡିଜାଇନ୍‌ ପଠାଇପାରିବେ। ତା’ ସହିତ ସେମାନଙ୍କୁ ନିଜ ଡିଜାଇନ ସମ୍ବଳିତ ୨୦୦ ଶବ୍ଦର ଏକ ଲେଖା ପଠାଇବାକୁ ପଡ଼ିବ। ଏହି ପ୍ରତିଯୋଗିତା ଚଳିତ ମେ ୨୦ ତାରିଖ ପର୍ଯ୍ୟନ୍ତ ଚାଲିବ।

‘ରାଜ୍ୟଗୋଷ୍ଠୀ କ୍ରୀଡ଼ା ରିଲ୍ ଚ୍ୟାଲେଞ୍ଜ’ ପାଇଁ ଅଂଶଗ୍ରହଣକାରୀମାନଙ୍କୁ ‘ଭାରତର ବିକଶିତ କ୍ରୀଡ଼ା ସଂସ୍କୃତି, ସ୍ଥାନୀୟ କ୍ରୀଡ଼ା ଭିତ୍ତିଭୂମି ଏବଂ ଫିଟନେସ୍ ପ୍ରଦର୍ଶିତ କରୁଥିବା ମୌଳିକ ରିଲ୍’ ତିଆରି କରିବାକୁ ପଡ଼ିବ। ଏହାର ଅବଧି ୬୦ ସେକେଣ୍ଡରୁ ଅଧିକ ହେବା ଉଚିତ ନୁହେଁ। ଏହି ପ୍ରତିଯୋଗିତା ଗତ ୭ ତାରିଖରୁ ଆରମ୍ଭ ହୋଇଯାଇଛି। ଏହା ୧୬ ତାରିଖ ପର୍ଯ୍ୟନ୍ତ ଚାଲିବ। ପ୍ରତ୍ୟେକ ଅଂଶଗ୍ରହଣକାରୀଙ୍କୁ ଗୋଟିଏ ପ୍ରବେଶ ଅନୁମତି ମିଳିବ। ରାଜ୍ୟଗୋଷ୍ଠୀ କ୍ରୀଡ଼ା-୨୦୩୦ ଜଣାଅଜଣା କାର୍ଯ୍ୟକ୍ରମ ଅନ୍ତର୍ଗତ ୫ ମିନିଟ୍‌ ଭିତରେ ୧୦ଟି ପ୍ରଶ୍ନର ଉତ୍ତର ଦେବାକୁ ହେବ। ଅଂଶଗ୍ରହଣକାରୀମାନଙ୍କୁ ପରବର୍ତ୍ତୀ ପର୍ଯ୍ୟାୟ ଲାଗି ଯୋଗ୍ୟତା ଅର୍ଜନ କରିବା ପାଇଁ ଅତି କମ୍‌ରେ ୮ ନମ୍ବର ରଖିବାକୁ ହେବ। ପ୍ରତି ଅଂଶଗ୍ରହଣକାରୀଙ୍କ ପାଇଁ କେବଳ ଗୋଟିଏ ପ୍ରୟାସ ଅନୁମତି ମିଳିବ। ଏହି ପ୍ରତିଯୋଗିତା ଗତ ୯ ତାରିଖରୁ ଆରମ୍ଭ ହୋଇ ୨୬ ତାରିଖରେ ଶେଷ ହେବ। ପ୍ରତି ସପ୍ତାହରେ ଶ୍ରେଷ୍ଠ ପାଞ୍ଚ ଜଣ ବିଜେତାଙ୍କ ନାମ ଘୋଷଣା କରାଯିବ।

 

 

 

ସୌଜନ୍ୟ ସମ୍ବାଦ