ନୂଆଦିଲ୍ଲୀ: ମଧ୍ୟପ୍ରାଚ୍ୟ ଯୁଦ୍ଧ ପ୍ରଭାବରେ ସାରା ବିଶ୍ବରେ ପେଟ୍ରୋଲ ଓ ଡିଜେଲ ମହଙ୍ଗା ହୋଇଛି। କିନ୍ତୁ ଭାରତରେ ଆଜି ପର୍ଯ୍ୟନ୍ତ ତାହା ସ୍ଥିର ରହିଛି। ଦେଶରେ ଚାଲିଥିବା ବିଧାନସଭା ନିର୍ବାଚନ ଶେଷ ହୋଇଯାଇଥିବାରୁ ସରକାରଙ୍କ ଉପରେ ବିଶେଷ ଚାପ ନାହିଁ। ଏପଟେ ତୈଳ କମ୍ପାନିଗୁଡ଼ିକ ବଜାର ଦରଠାରୁ କମ୍ ଦାମ୍ରେ ତେଲ ବିକ୍ରି କରୁଥିବାରୁ ଦିନକୁ ୧୦୦୦ କୋଟି ଟଙ୍କାରୁ ଅଧିକ କ୍ଷତି ସହୁଛନ୍ତି। ଏଭଳି ଏକ ସମୟରେ ତେଲ ଦର ନିଶ୍ଚିତ ବଢ଼ିବ ବୋଲି ବିଭିନ୍ନ ମହଲରେ ଆଲୋଚନା ହେଉଛି। ସେହି ଚର୍ଚ୍ଚାରେ ଯୋଡ଼ି ହୋଇ ଭାରତୀୟ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ସଞ୍ଜୟ ମାଲହୋତ୍ରା ନିଜର ମତ ଦେଇଛନ୍ତି। ସେ କହିଛନ୍ତି ଯେ ଯଦି ଯୁଦ୍ଧ ଲମ୍ବା ସମୟ ଚାଲିବ ତେବେ ତେଲ ଦର ବଢ଼ାଇବାକୁ ପଡ଼ିବ। ଦରବୃଦ୍ଧି ପାଇଁ କେବଳ ସମୟକୁ ଅପେକ୍ଷା ବୋଲି ସେ କହିଛନ୍ତି। ମଧ୍ୟପ୍ରାଚ୍ୟ ଯୁଦ୍ଧ ପାଇଁ ବିଶ୍ବର ଗୁରୁତ୍ବପୂର୍ଣ୍ଣ ସାମୁଦ୍ରିକ ପଥ ହର୍ମୁଜ ପ୍ରଣାଳୀରେ ଜାହାଜ ଚଳାଚଳ ସ୍ବାଭାବିକ ହୋଇପାରୁନାହିଁ। ତାହାର ପ୍ରଭାବରେ କିଛି ମାସ ହେଲାଣି ଅଶୋଧିତ ତେଲ ଦର ବ୍ୟାରେଲ ପିଛା ୧୦୦ ଡଲାରରୁ ଅଧିକ ରହିଛି। ତେଲ କମ୍ପାନିଗୁଡ଼ିକୁ ଅଧିକ ଦାମ୍ ଦେଇ ତେଲ କିଣିବାକୁ ପଡ଼ୁଛି। ସେମାନଙ୍କ ଉପରେ ପଡ଼ିଥିବା ଆର୍ଥିକ ବୋଝକୁ ହାଲୁକା କରିବା ପାଇଁ କେନ୍ଦ୍ର ସରକାର କେନ୍ଦ୍ରୀୟ ଉତ୍ପାଦ ଶୁଳ୍କ ହ୍ରାସ କରିଥିଲେ। ଫଳରେ ସେମାନଙ୍କ ଉପରୁ ୩୦ ହଜାର କୋଟି ଟଙ୍କାର ଆର୍ଥିକ ଚାପ କମ୍ ହୋଇଛି। ଏହାସତ୍ତ୍ବେ ତେଲ କମ୍ପାନିଗୁଡ଼ିକ ପ୍ରତିଦିନ ବିପୁଳ କ୍ଷତି ସହୁଛନ୍ତି ବୋଲି ଶ୍ରୀ ମାଲହୋତ୍ରା କହିଛନ୍ତି।
ତେଲ କମ୍ପାନିଗୁଡ଼ିକ ପ୍ରତି ମାସରେ ବାଣିଜ୍ୟିକ ଏଲ୍ପିଜି, ଏଟିଏଫ୍ ଓ ଏଭଳିକି ୫ କେଜିଆ ଏଲ୍ପିିଜି ସିଲିଣ୍ଡର ଦରରେ ବୃଦ୍ଧି କରୁଛନ୍ତି। କିନ୍ତୁ ସେମାନେ ସାଧାରଣ ପରିବାରଗୁଡ଼ିକ ବ୍ୟବହାର କରୁଥିବା ୧୪.୨ କେଜି ବିଶିଷ୍ଟ ଏଲ୍ପିିଜି ଏବଂ ପେଟ୍ରୋଲ, ଡିଜେଲ ଦରରେ କୌଣସି ବୃଦ୍ଧି କରିନାହାନ୍ତି। ନିକଟରେ ସେମାନେ ବାଣିଜ୍ୟିକ ଏଲ୍ପିଜି ଦାମ୍ଷର ୯୯୩ ଟଙ୍କା ବୃଦ୍ଧି କରିଥିଲେ।
ଅଶୋଧିତ ତେଲ ଦର ଉଚ୍ଚା ରହିଲେ ପେଟ୍ରୋଲ ଓ ଡିଜେଲ ଦାମ୍ ବୃଦ୍ଧି ପାଇବ
ନିକଟରେ ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମ୍ଏଫ୍) ମଧ୍ୟ କହିଥିଲା ଯେ ଯଦି ଅଶୋଧିତ ତେଲ ଦର ଅଧିକ ସମୟ ଉଚ୍ଚା ରହିବ ତେବେ ଭାରତକୁ ଏହାର ପେଟ୍ରୋଲ ଓ ଡିଜେଲ ଦାମ୍ ବଢ଼ାଇବାକୁ ପଡ଼ିବ। କାରଣ ଦୀର୍ଘଦିନ ପର୍ଯ୍ୟନ୍ତ ଦାମ୍ କମ୍ ରଖିବା ପାଇଁ ସରକାରଙ୍କ ପାଖରେ ବିଶେଷ ଆର୍ଥିକ ବଳ ନାହିଁ। କିନ୍ତୁ ପେଟ୍ରୋଲିୟମ ମନ୍ତ୍ରୀ ହରଦୀପ ସିଂହ ପୁରୀ ଦେଶବାସୀଙ୍କୁ ନିର୍ଭର ପ୍ରତିଶ୍ରୁତି ଦେଇ କହିଛନ୍ତି ଯେ ଅଚାନକ ତେଲ ଦର ବଢ଼ିବ ନାହିଁ। ଗତ ଚାରି ବର୍ଷ ହେଲାଣି ଦେଶରେ ତୈଳ ଦର ସ୍ଥିର ରହିଛି। ଆମ ପାଖରେ ପର୍ଯ୍ୟାପ୍ତ ପରିମାଣର ତେଲ ଓ ଗ୍ୟାସ୍ ଅଛି ବୋଲି ସେ କହିଛନ୍ତି। ତେବେ ତେଲ କମ୍ପାନିଗୁଡ଼ିକ ସହୁଥିବା କ୍ଷତିକୁ ନେଇ ସେ ଚିନ୍ତା ପ୍ରକଟ କରିଛନ୍ତି। ସେମାନେ କେତେ ଦିନ ଏଭଳି କ୍ଷତିରେ ଚାଲିପାରିବେ ବୋଲି ସେ ଆଶଙ୍କା ପ୍ରକଟ କରିଛନ୍ତି।
ସୌଜନ୍ୟ ସମ୍ବାଦ

