ନୂଆଦିଲ୍ଲୀ: ନୂଆଦିଲ୍ଲୀ ଭାରତ ମଣ୍ଡପମରେ ଅନୁଷ୍ଠିତ ଏଆଇ ଇମ୍ପାକ୍ଟ ସମ୍ମିଳନୀ ୨୦୨୬ରେ ଯୁବ କଂଗ୍ରେସର ‘ଅର୍ଦ୍ଧନଗ୍ନ ବିରୋଧ ପ୍ରଦର୍ଶ’ନ ଉପରେ ପୁଣି ବଡ଼ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ଜାତୀୟ ଯୁବ କଂଗ୍ରେସ(ଆଇଵାଇସି)ର ରାଷ୍ଟ୍ରିୟ ଅଧ୍ୟକ୍ଷ ଉଦୟ ଭାନୁ ଚିବଙ୍କୁ ଦିଲ୍ଲୀ ପୁଲିସ ଆଜି ଗିରଫ କରିଛି। ଏହି ମାମଲାରେ ପୂର୍ବରୁ ସାତ ଜଣ କଂଗ୍ରେସ କର୍ମୀଙ୍କୁ ଗିରଫ କରାଯାଇଛି।ଇଣ୍ଡିଆ ଟୁଡେରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ଦିଲ୍ଲୀ ପୁଲିସ ରାତିସାରା ଭାରତ ମଣ୍ଡପମରେ ପଚରାଉଚରା କରିବା ପରେ ମଙ୍ଗଳବାର ସକାଳ ପ୍ରାୟ ୪:୩୦ ସମୟରେ ଉଦୟ ଭାନୁ ଚିବଙ୍କୁ ଗିରଫ କରିଛି। କଂଗ୍ରେସ ନେତାଙ୍କୁ ଦିଲ୍ଲୀ ପୁଲିସ ତିଲକ ମାର୍ଗ ପୁଲିସ ଷ୍ଟେସନରେ ଅଟକ ରଖିଛି ବୋଲି ଜଣାପଡିଛି। କଂଗ୍ରେସ ଦଳର କୌଣସି ବିରୋଧ ପ୍ରଦର୍ଶନ ଆଶଙ୍କା କରି ପୁଲିସ ଷ୍ଟେସନ ବାହାରେ ସୁରକ୍ଷା ବ୍ୟବସ୍ଥା ବୃଦ୍ଧି କରାଯାଇଛି। ଫାଟକରେ ବହୁ ସଂଖ୍ୟକ ସିଆରପିଏଫ ଓ ପୁଲିସ କର୍ମଚାରୀ ମୁତୟନ ଅଛନ୍ତି।
କଂଗ୍ରେସର ରଖିଛି କଡ଼ା ପ୍ରତିକ୍ରିୟା
ସୋମବାର ଦିନ ଦିଲ୍ଲୀ ପୁଲିସ ଯୁବ କଂଗ୍ରେସର ପ୍ରତିବାଦ ଘଟଣାରେ ଜିତେନ୍ଦ୍ର ଯାଦବ, ରାଜ ଗୁର୍ଜର ଓ ଅଜୟ କୁମାରଙ୍କୁ ମଧ୍ୟପ୍ରଦେଶର ଗ୍ୱାଲିୟରରୁ ଗିରଫ କରିଛି। ଏହି ତିନି ଜଣ କର୍ମୀଙ୍କ ସମେତ ସାତ ଜଣଙ୍କୁ ଗିରଫ କରିଛି ପୁଲିସ। ସେମାନଙ୍କ ଉପରେ ବିଭିନ୍ନ ଗୋଷ୍ଠୀ ମଧ୍ୟରେ ଶତ୍ରୁତାକୁ ପ୍ରୋତ୍ସାହିତ କରିବା ଏବଂ ଜାତୀୟ ଏକତା ପ୍ରତି ପକ୍ଷପାତୀ ବୟାନ ଦେବା ଭଳି ଅନେକ ଅଭିଯୋଗ ରହିଛି। ଉଦୟଭାନୁଙ୍କ ଗିରଫକୁ ନେଇ କଂଗ୍ରେସର କଡ଼ା ପ୍ରତିକ୍ରିୟା ଦେଖିବାକୁ ମିଳିଛି। କଂଗ୍ରେସ ମୁଖପାତ୍ର ପବନ ଖେଡ଼ା କହିଛନ୍ତି, ଶାନ୍ତିପୂର୍ଣ୍ଣ ପ୍ରତିବାଦକୁ ନେଇ ଯଦି କାହାର ଅସୁବିଧା ହୁଏ, ତେବେ ତାହା ଲଜ୍ଜାଜନକ। ଯେଉଁମାନେ ଏକଛତ୍ରବାଦୀଙ୍କୁ ଆଇନା ଦେଖାନ୍ତି, ସେମାନଙ୍କୁ ଜେଲରେ ପକାଇଦିଆଯାଏ। ପୁଲଵାମା, ପହଲଗାମ୍ ଆକ୍ରମଣ ଓ ଲାଲକିଲ୍ଲା ବିସ୍ଫୋରଣ ପଛରେ ଯେଉଁ ଆତଙ୍କବାଦୀଙ୍କ ହାତ ଅଛି ସମାନଙ୍କୁ ଗିରଫ କରାଯାଉ। ଆତଙ୍କବାଦୀଙ୍କୁ ଧରିବା ବଦଳରେ ଶାର୍ଟ ଖୋଲି ପ୍ରତିବାଦ କରୁଥିବା ଲୋକଙ୍କୁ ଗିରଫ କରାଯାଉଛି। ଏହା ହିଁ ଏହି ସରକାରଙ୍କ ପ୍ରକୃତ ସତ।
ସୌଜନ୍ୟ ସମ୍ବାଦ
