ଘିଅ ଭାରତୀୟ ଖାଦ୍ୟର ଏକ ସ୍ୱତନ୍ତ୍ର ପରିଚୟ। ଘରେ ଘରେ ପିଠାପଣାଠାରୁ ଆରମ୍ଭ କରି ଠାକୁର ପୂଜା ପର୍ଯ୍ୟନ୍ତ ସବୁଥିରେ ଆଗ ଘିଅ ଖୋଜାପଡ଼େ। କିନ୍ତୁ ଘିଅର ମାନକୁ ନେଇ ଅନେକ ସମୟରେ ଚର୍ଚ୍ଚା ହୁଏ। କେଉଁ ଘିଅ ଭଲ, ସେ ନେଇ ଦ୍ୱନ୍ଦ୍ୱ ଉପୁଜେ। ଆସନ୍ତୁ ଜାଣିବା, ପ୍ରକୃତରେ କେଉଁ ଘିଅ ଭଲ-
l ଅହମଦାବାଦର ଡାଏଟିସିଆନ୍ ଶ୍ରୁତି ଭରଦ୍ୱାଜଙ୍କ କହିବା ଅନୁସାରେ, ଗାଈ ଘିଅରେ ପ୍ରଚୁର ପରିମାଣରେ ପଲିଅନ୍ ସାଚ୍ୟୁରେଡେଟ୍ ଫ୍ୟାଟି ଏସିଡ୍ ଥାଏ, ଯେଉଁଥିରେ ସ୍ୱାସ୍ଥ୍ୟ ଉପକାରୀ ଚର୍ବି ଥାଏ। କିନ୍ତୁ ମଇଁଷି ଘିଅରେ ଅଧିକ ପରିମାଣରେ ସାଚ୍ୟୁରେଟେଡ୍ ଏସିଡ୍ ରହିଥାଏ, ଏହାକୁ ହାନିକାରକ ଭାବେ ବିବେଚନା କରାଯାଏ।
ଆୟୁର୍ବେଦରେ ମଇଁଷି ଘିଅ ତୁଳନାରେ ଗାଈ
ଘିଅକୁ ଗୁରୁତ୍ବ ଦିଆଯାଇଛି। ଗାଈ ଘିଅରେ ଅଧିକ ଔଷଧୀୟ ଗୁଣ ଥିବା ଆୟୁର୍ବେଦ ଚିକିତ୍ସା ପଦ୍ଧତି ବିଶ୍ୱାସ କରେ। ଏଥିସହ ଗାଈ ଘିଅକୁ ମଧ୍ୟ ସାତ୍ତ୍ୱିକ ଖାଦ୍ୟ ଭାବେ ବିବେଚନା କରାଯାଏ। ଗାଈ ଘିଅ ଖାଇବା ଦ୍ୱାରା ମନରେ ଏକ ପ୍ରକାର ସକାରାତ୍ମକ ଶକ୍ତି ସୃଷ୍ଟି ହୋଇଥାଏ ବୋଲି ଆୟୁର୍ବେଦ କହେ। ଓଜନ ହ୍ରାସ କରିବାକୁ ଚାହୁଁଥିବା ବ୍ୟକ୍ତି ମଇଁଷି ଘିଅଠାରୁ ଦୂରେଇ ରହିବା ଉଚିତ। କାରଣ ମଇଁଷି ଘିଅରେ ଚର୍ବି ଅଧିକ ଥିବାରୁ ଏହାକୁ ଖାଇବା ଦ୍ୱାରା ଓଜନ ବଢ଼ିବାର ସମ୍ଭାବନା ଅଧିକ ଥାଏ। ଯଦି ଆମେ
ତୁଳନା କରିବା, ତେବେ ଗାଈ ଘିଅରେ ଖୁବ୍ କମ୍ ଚର୍ବି ଥାଏ, ତେଣୁ ଏହାକୁ ଖାଇବା ଦ୍ୱାରା ବିଶେଷ ଓଜନ ବୃଦ୍ଧି ହୋଇନଥାଏ।
ଅସ୍ଥି ବା ହାଡ଼ର ସ୍ୱାସ୍ଥ୍ୟ ପାଇଁ ମଇଁଷି ଘିଅ ସର୍ବୋତ୍ତମ। କାରଣ ଏଥିରେ ଥିବା ଚର୍ବି, ଅସ୍ଥିର ସ୍ୱାସ୍ଥ୍ୟକୁ ବଳ ଯୋଗାଇଥାଏ। ଏଥିସହ ମୌସୁମୀ ଆଗମନ ସମୟରେ ହେଉଥିବା ଥଣ୍ଡାକାଶକୁ ମଇଁଷି ଘିଅ ଦୂର କରିପାରେ। ତେଣୁ ଏସବୁ କ୍ଷେତ୍ରରେ ମଇଁଷି ଘିଅ ଖାଇବା ଲାଭଦାୟକ ହୋଇପାରେ।
ଯେଉଁମାନଙ୍କର ହଜମ ଶକ୍ତି ଦୁର୍ବଳ ଥାଏ, ସେମାନେ ମଇଁଷି ଘିଅ ଖାଇବା ଉଚିତ ନୁହେଁ। ଏହା ତୁଳନାରେ ଗାଈ ଘିଅକୁ ସର୍ବୋତ୍ତମ ବିବେଚନା କରାଯାଏ। କାରଣ ଗାଈ ଘିଅର ହଜମ ହାର ୯୬ ପ୍ରତିଶତ। ଏହା ତୁଳନାରେ ମଇଁଷି ଘିଅର ହଜମ କ୍ଷମତା ଖୁବ୍ ଧୀର। ତେଣୁ ଦୁର୍ବଳ ହଜମ ଶ୍ରେଣୀର ଲୋକଙ୍କ ପାଇଁ ଗାଈ ଘିଅ ଭଲ। କୋଲେଷ୍ଟ୍ରଲ୍ ସମସ୍ୟା ଭୋଗୁଥିବା ଲୋକେ ଆଦୌ ମଇଁଷି ଘିଅ ଖାଇବା ଉଚିତ ନୁହେଁ। କାରଣ ଏଥିରେ ଅତ୍ୟଧିକ ଚର୍ବି ଥାଏ। ଅଧିକ ଚର୍ବି ଥିବାରୁ ଏହା କୋଲେଷ୍ଟ୍ରଲ୍ ରୋଗୀଙ୍କ ପାଇଁ ହାନିକାରକ ହୋଇପାରେ। କୋଲେଷ୍ଟ୍ରଲ୍ ରୋଗୀଙ୍କ ପାଇଁ ଗାଈ ଘିଅ ଭଲ।
ଉଭୟ ଗାଈ ଓ ମଇଁଷି ଘିଅ ପୁଷ୍ଟିକର ଓ ଉଭୟ ସ୍ବତନ୍ତ୍ର। ଦେଶୀଗାଈ ଘିଅରେ ଅସଂଖ୍ୟ ଖଣିଜ ପଦାର୍ଥ, କ୍ୟାଲସିୟମ୍, ଭିଟାମିନ୍ ଓ ପ୍ରୋଟିନ୍ ଥାଏ ଏବଂ ଏହାକୁ ପ୍ରାକୃତିକ ଆଣ୍ଟିଅକ୍ସିଡାଣ୍ଟ ଭାବେ ବିବେଚନା କରାଯାଏ। ଦେଶୀଗାଈ ଘିଅ କେଶ ଏବଂ ଚର୍ମର ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ। ସେହିପରି ମଇଁଷି ଘିଅରେ ମଧ୍ୟ କ୍ୟାଲସିୟମ୍, ମ୍ୟାଗ୍ନେସିୟମ୍ ଓ ଫସ୍ଫରସ୍ ଭଳି ଅତ୍ୟାବଶ୍ୟକ ଉପାଦାନ ଭରପୂର ଥାଏ।
ସୌଜନ୍ୟ ସମ୍ବାଦ