ଭୁବନେଶ୍ବର: ନିଶାଡ଼ି ତଥା ଅସାମାଜିକଙ୍କ କବ୍ଜାରେ ସହିଦ୍ନଗର ଅର୍ଦ୍ଧନିର୍ମିତ ପାର୍କିଂ। ଏଇଠି ଅପରାଧୀ ବସି ଅପରାଧର ନୀଳନକ୍ସା ଆଙ୍କୁଛନ୍ତି। ଦିନଦିପହରେ ବି ଏଠାରେ ଖୋଲାଖୋଲି ନିଶାସେବନ, ମଦ୍ୟପାନ ଚାଲୁଛି। ବ୍ରାଉନ୍ସୁଗରଠାରୁ ଆରମ୍ଭ କରି ଅନ୍ୟାନ୍ୟ ନିଶାଦ୍ରବ୍ୟ ସେବନର ଏହା ପେଣ୍ଠସ୍ଥଳ ପାଲଟିଛି। ତଥାପି ଏଠାରେ କମିସନରେଟ୍ ପୁଲିସର ନଜର ନ ପଡ଼ିବା ଅଞ୍ଚଳବାସୀଙ୍କୁ ବିସ୍ମିତ କରିଛି।
ବିଜେଡି ସରକାର ଅମଳରେ ୧୦ ନମ୍ବର ନାଳର ଉନ୍ନତୀକରଣ ଯୋଜନା ସହ ଲେକ୍ ଜୋନ୍ ପ୍ରକଳ୍ପରେ ସତ୍ୟନଗର ଶ୍ମଶାନକୁ ଲାଗି ଏହି ପାର୍କିଂସ୍ଥଳର ବିକାଶ ହୋଇଥିଲା। କିନ୍ତୁ ସରକାର ବଦଳିବା ପରେ ପାର୍କିଂସ୍ଥଳର ଭାଗ୍ୟ ଅନିଶ୍ଚିତତା ଭିତରକୁ ଠେଲି ହୋଇଯାଇଛି। କୋଟି କୋଟି ଟଙ୍କା ଖର୍ଚ୍ଚ କରି ଅଧପନ୍ତରିଆ ଭାବେ ଏହାକୁ ଛାଡ଼ିଦିଆଯାଇଛି। ଏହି ଜାଗା ନିଛାଟିଆ, ଅନ୍ଧାରୁଆ ଓ ସର୍ବସାଧାରଣ ନଜର ଅଢ଼ୁଆଳରେ ଥିବାରୁ ଦିନରାତି ଅସାମାଜିକ ଆଡ଼ା ଜମାଉଛନ୍ତି।
ଯୁବଗୋଷ୍ଠୀ ଖୁଲମ୍ଖୁଲା ଏଠାରେ ନିଶାଦ୍ରବ୍ୟ ସେବନ କରୁଛନ୍ତି। ସ୍ଥିତି ଏପରି ହୋଇଛି, ଏହି ବାଟ ଦେଇ ଯିବାକୁ ଲୋକେ ଭୟ କରୁଛନ୍ତି। ଏହି ପାର୍କିଂ ଭୁବନେଶ୍ବର ସ୍ମାର୍ଟସିଟି କରିଥିଲା। ଏହି ଅର୍ଦ୍ଧନିର୍ମିତ ପାର୍କିଂ ସମ୍ମୁଖରେ ରହିଛି ଭୁବନେଶ୍ବର ମହାନଗର ନିଗମ ଓ ଭୁବନେଶ୍ବର ସ୍ମାର୍ଟସିଟି ମୁଖ୍ୟ କାର୍ଯ୍ୟାଳୟ। ତଥାପି ଏହାକୁ ସମ୍ପୂର୍ଣ୍ଣ କରି ଲୋକଙ୍କ ସେବାରେ ବ୍ୟବହାର ପାଇଁ ଉପଯୋଗୀ କରାଇବା କାହାର ନଜର ନ ପଡ଼ିବା ଜନଅସନ୍ତୋଷର କାରଣ ହୋଇଛି।
ସୌଜନ୍ୟ ସମ୍ବାଦ
