ISRO Officer Killed Wife: ‘ମୁଁ ମରିଗଲେ ତୁ କେମିତି ରହିବୁ’, ପତ୍ନୀଙ୍କ ତଣ୍ଟି ଚିପି ମାରିଦେଲେ ପୂର୍ବତନ ଇସ୍ରୋ ଅଧିକାରୀ

ଇସ୍ରୋ ଅଫିସରଙ୍କ ଛାତିଥରା କାଣ୍ଡ । ଗାମୁଛାରେ ତଣ୍ଟି ଚିପି ମାରିଦେଲେ ସ୍ତ୍ରୀକୁ । ବେଙ୍ଗାଲୁରୁରେ ଜଣେ ୬୫ ବର୍ଷୀୟ ରିଟାୟର୍ଡ ଇସ୍ରୋ ଅଫିସର ନିଜ ପତ୍ନୀଙ୍କ ହତ୍ୟା କରିଛନ୍ତି ।

ଇସ୍ରୋ ଅଫିସରଙ୍କ ଛାତିଥରା କାଣ୍ଡ । ଗାମୁଛାରେ ତଣ୍ଟି ଚିପି ମାରିଦେଲେ ସ୍ତ୍ରୀକୁ । କାରଣ ଜାଣିଲେ ଉଡିଯିବ ହୋସ୍ ।
ଦିନେ ଯେଉଁ ହାତରେ ରକେଟ୍ ବନାଉଥିଲେ, ମହାକାଶକୁ ସାଟେଲାଇଟ୍ ଛାଡୁଥିଲେ, ସେଇ ହାତରେ କଲବଲ କରି ମାରିଦେଲେ ସ୍ତ୍ରୀକୁ ।

ବେଙ୍ଗାଲୁରୁରେ ଜଣେ ୬୫ ବର୍ଷୀୟ ରିଟାୟର୍ଡ ଇସ୍ରୋ ଅଫିସର ନିଜ ପତ୍ନୀଙ୍କୁ ହତ୍ୟା କରିବା ଘଟଣା ଏବେ ଚାରିଆଡେ ଚହଳ ପକାଇଛି । ହେଲେ ଏମିତି କ’ଣ ଘଟିଲା, କାହିଁକି ବୟସର ଅପରାହ୍ନରେ ପତ୍ନୀହନ୍ତା ପାଲଟିଗଲେ ପୂର୍ବତନ ଇସ୍ରୋ ଅଧିକାରୀ ?

 ଡିପ୍ରେସନରୁ ହତ୍ୟାକାଣ୍ଡ:

ଗତ ବୁଧବାର ଦିନ ବେଙ୍ଗାଲୁରୁ ସହରର ବୋମାନାହାଲି ଅଞ୍ଚଳରେ ଘଟିଛି ଏହି ଅଭାବନୀୟ ଘଟଣା ।  ଅଭିଯୁକ୍ତ ପୂର୍ବତନ ଇସ୍ରୋ ଅଧିକାରୀ ହେଲେ ନାଗେଶ୍ବର ରାଓ । କୁହାଯାଉଛି, ନାଗେଶ୍ୱର ରାଓ ବହୁଦିନରୁ ଡିପ୍ରେସନରେ ଥିଲେ ଏବଂ ଆତ୍ମହତ୍ୟା କରିବାକୁ ଭାବିଥିଲେ । ହେଲେ ସେ ମରିଗଲା ପରେ ତାଙ୍କ ପତ୍ନୀଙ୍କ ଭବିଷ୍ୟତ କଣ ହେବ ସେକଥା ଭାବି ଚିନ୍ତିତ ହୋଇପଡିଥିଲେ । ତେଣୁ ନିଜେ ଆତ୍ମହତ୍ୟା କରିବା ପୂର୍ବରୁ ପତ୍ନୀଙ୍କୁ ମାରିବାକୁ ସ୍ଥିର କରିଥିଲେ । ଏହାପରେ ଗାମୁଛାରେ ପତ୍ନୀ ସନ୍ଧ୍ୟାଶ୍ରୀଙ୍କ ଗଳାଚିପି ହତ୍ୟା କରିଥିଲେ । କିନ୍ତୁ ପରେ ତାଙ୍କର ମନ ବଦଳି ଯାଇଥିଲା ଓ ସେ ଆଉ ଆତ୍ମହତ୍ୟା କରିନଥିଲେ ।

ପତ୍ନୀଙ୍କୁ ମର୍ଡର କରିବା ପରେ ଲୁଚିକି ପଳାଇ ଯାଇନଥିଲେ କି ମୃତଦେହକୁ ଲୁଚାଇ ନଥିଲେ। ଓଲଟା ନିଜର ଜଣେ ସଂପର୍କୀୟଙ୍କୁ ଫୋନ୍ କରି ହତ୍ୟା ବିଷୟରେ କହିଥିଲେ । ଏହାପରେ ସଂପୃକ୍ତ ସଂପର୍କୀୟ ଜଣକ ପୋଲିସକୁ ସୂଚନା ଦେଇଥିଲେ । ପୋଲିସ୍ ଘଟଣାସ୍ଥଳରେ ପହଞ୍ଚିବା ବେଳକୁ ପତ୍ନୀଙ୍କ ଶବ ପାଖରେ ଜଗି ବସିଥିଲେ ନାଗେଶ୍ୱର ରାଓ ।

ଯାହା ଜଣାପଡିଛି, ନାଗେଶ୍ୱର ରାଓ ଇସ୍ରୋରୁ ରିଟାୟର୍ଡ ହେବା ପରେ ବହୁ ଦିନରୁ ଡିପ୍ରେସନରେ ଥିଲେ ଏବଂ ଏଥିପାଇଁ ଚିକିତ୍ସିତ ବି ହେଉଥିଲେ । ଏହି କାରଣରୁ ନିଜ ପତ୍ନୀଙ୍କୁ ହତ୍ୟା କରିଥିବା ଅନୁମାନ କରାଯାଉଛି । ପୋଲିସ୍ ତାଙ୍କୁ ଗିରଫ କରି ଅଧିକ ତଦନ୍ତ କରୁଛି ।

ବ୍ୟୁରୋ ରିପୋର୍ଟ, ଓଟିଭି

ସୌଜନ୍ୟ OTV

Exit mobile version