ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ବରର ଅନ୍ୟତମ ପୁରାତନ ଗାଁ ଥିଲା ବଡ଼ଗଡ଼। ଏବେ ଏହା ରାଜଧାନୀର ପ୍ରମୁଖ ସହର ଓ ଭିଆଇପି, ଭିଭିଆଇପିଙ୍କ ପସନ୍ଦର ରହିବା ଅଞ୍ଚଳ । କିନ୍ତୁ ବଡ଼ଗଡ଼ ଶ୍ମଶାନର ଚିତ୍ର ବଦଳି ପାରିନି। ଏହାର ଉନ୍ନତୀକରଣରେ ବ୍ୟାପକ ଦୁର୍ନୀତି କରାଯାଇଛି। ଗତ ୧୫ ବର୍ଷ ଭିତରେ ୩ରୁ ଅଧିକ ଥର ଏହାର ପୁନରୁଦ୍ଧାର ହେଲାଣି। କିନ୍ତୁ ସ୍ଥିତି ଯଥା ପୂର୍ବଂ ତଥା ପରଂ। ଭଗ୍ନ ଅବସ୍ଥାରେ ଶ୍ମଶାନ ପଡ଼ିଥିବା ବେଳେ ଏହା ପରିସରରେ କୁଢ଼କୁଢ଼ ଆବର୍ଜନା ଗଦା ହୋଇଛି ଓ ଏହା ମୁକ୍ତ ଶୌଚାଳୟ ପାଲଟିଛି।
ସେପଟେ ପ୍ରଦୂଷଣମୁକ୍ତ ଶବଦାହ ପାଇଁ ରାଜଧାନୀର ପ୍ରଥମ ଶ୍ମଶାନ ଭାବେ ଏଠାରେ ଅତ୍ୟାଧୁନିକ ବିଦ୍ୟୁତ୍ ଚୁଲା ଲଗାଯାଇଥିଲା। ଏହା ଲାଗିବା ୧୩ ବର୍ଷ ବିତିଗଲାଣି। କିନ୍ତୁ ଗୋଟିଏ ବି ଶବଦାହ ହୋଇନି। ଏହି ଚୁଲା ଓ ଏହାର ଫର୍ନେସ୍ ପଡ଼ିପଡ଼ି ଖତ ହୋଇଗଲାଣି। ସେ ସମୟରେ ଏହି ଚୁଲା ଓ ଅନ୍ୟାନ୍ୟ ଉନ୍ନତୀକରଣରେ ପ୍ରାୟ ୬୦ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇଥିଲା। କିନ୍ତୁ ସ୍ଥିତିରେ କୌଣସି ପରିବର୍ତ୍ତନ ଆସିଲାନି। ଯନ୍ତ୍ରୀ, ଅଧିକାରୀ, ନେତାମାନେ ଟଙ୍କା ମାରି ଖାଇଗଲେ। ଏବେ ପୁଣି ୫୦ଲକ୍ଷ ଟଙ୍କାରେ ଶ୍ମଶାନର ଉନ୍ନତୀକରଣ ଯୋଜନା କରାଯାଉଛି।
ଭୁବନେଶ୍ବର ମହାନଗର ନିଗମର ୪୪ ନମ୍ବର ୱାର୍ଡରେ ଆସୁଥିବା ବଡ଼ଗଡ଼ ଶ୍ମଶାନ ଉପରେ ୧୦ହଜାରରୁ ଅଧିକ ଲୋକ ନିର୍ଭରଶୀଳ। ଏଣୁ ଆବଶ୍ୟକତାକୁ ଦୃଷ୍ଟିରେ ରଖି ୨୦୧୨ ମସିହାରେ ଏହାର ଉନ୍ନତୀକରଣ ହୋଇଥିଲା। ପ୍ରଦୂଷଣମୁକ୍ତ ଶବଦାହ ପାଇଁ ପ୍ରାୟ ୬୦ଲକ୍ଷ ଟଙ୍କା ବ୍ୟୟରେ ଶବଦାହ ବିଦ୍ୟୁତ୍ ଚୁଲା ସାଙ୍ଗକୁ ଅନ୍ୟାନ୍ୟ କାମ କରାଯାଇଥିଲା। ସ୍ବତନ୍ତ୍ର ବିଦ୍ୟୁତ୍ ସଂଯୋଗ ବି ଦିଆଯାଇଥିଲା। ହରିୟାଣା ଫରିଦାବାଦର ଏକ ସଂସ୍ଥା ଏହି ଚୁଲା ବସାଇଥିଲା। ଚୁଲା ଯେଉଁ ସ୍ଥାନରେ ବସିଲା, ସେଠି ଏକ ନୂଆ ଟିଣ ଆଜ୍ବେଷ୍ଟସ୍ ଘର ବି କରାଗଲା। ତତ୍କାଳୀନ ଦୁଇଜଣ ମନ୍ତ୍ରୀ, ବିଧାୟକ, ସାଂସଦ, ମେୟର, ଡେପୁଟି ମେୟର, କର୍ପୋରେଟର୍ ପ୍ରମୁଖ ୨୦୧୨ ଅଗଷ୍ଟ ୩୦ରେ ଏହି ପ୍ରକଳ୍ପକୁ ଉଦ୍ଘାଟନ କରିଥିଲେ। କିନ୍ତୁ ଆରମ୍ଭରୁ ଏହି ଚୁଲା ଶବଦାହରେ ଲାଗିଲାନି। ସେପଟେ ଯେଉଁ ଘର ଏଥିପାଇଁ ନିର୍ମାଣ କରାଯାଇଥିଲା, ତାହା ବି ଭାଙ୍ଗିଗଲାଣି। ସଫାସୁତରା ହେଉନଥିବାରୁ ଚଟାଣ ଓ ଅନ୍ୟାନ୍ୟ ସ୍ଥାନ ଆବର୍ଜନାରେ ଭର୍ତ୍ତି। ଗାଈଗୋରୁ, କୁକୁର ଏଠାରେ ଶୋଉଛନ୍ତି। ଯେଉଁ ବିଦ୍ୟୁତ୍୍ ସଂଯୋଗ ଦିଆଯାଇଥିଲା, ତାହା ବିପଦପୂର୍ଣ୍ଣ ଅବସ୍ଥାରେ ଝୁଲି ରହିଛି ଓ ଲୋକଙ୍କୁ ମରଣମୁହଁକୁ ଠେଲି ଦେଇପାରେ।
ପୁଣିଥରେ ୨୦୨୩ ମସିହାରେ ପ୍ରାୟ ୧୦ଲକ୍ଷ ଟଙ୍କା ବ୍ୟୟରେ ଏହି ଶ୍ମଶାନର ପୁନରୁଦ୍ଧାର କରାଯାଇଥିଲା। ପ୍ରତୀକ୍ଷାସ୍ଥାନ ସାଙ୍ଗକୁ ଏକ ଶବ ପଞ୍ଜୀକରଣ ଗୃହ, ପାଣିପମ୍ପ୍, ହାତଧୁଆ ବେସିନ୍ ଆଦି ଲାଗିଥିଲା। ଏହା ବି ନଷ୍ଟ ହୋଇଗଲାଣି। ଏବେ ପୁଣି ବିଏମ୍ସି ୫୦ଲକ୍ଷ ଟଙ୍କା ଖର୍ଚ୍ଚ କରିବାକୁ ଯାଉଛି। ପୂର୍ବରୁ ଭଲ ଥିବା ଟାଇଲ୍, ପେଭର ବ୍ଲକ୍କୁ ତାଡ଼ି ନୂଆ ଟାଇଲ୍ ବିଛା ଯୋଜନା କରାଯାଉଛି। ସେପଟେ ଶ୍ମଶାନ ପରିସର ପୋତିବା ପାଇଁ କୁଢ଼ କୁଢ଼ ଜରି ଓ ଅନ୍ୟାନ୍ୟ ଆବର୍ଜନା ଆଣି ଶ୍ମଶାନ ଭିତରେ ପକାଯାଇଛି। ଯେଉଁଠି ମାଟି ପୋତିବା କଥା, ସେଠି ଏଭଳି ଆବର୍ଜନା ଆଣି ପୋତିବାକୁ ଅଞ୍ଚଳବାସୀ ଦୃଢ଼ ବିରୋଧ କରିଛନ୍ତି। ଶ୍ମଶାନ ପ୍ରବେଶ ପଥ ଓ ପରିସର ଝାଡ଼ା, ପରିଶ୍ରାରେ ପାଦ ଦେଉ ହେଉନି। ଅନାବନା ଗଛର ଜଙ୍ଗଲ ପାଲଟିଲାଣି। ନିଶାଡ଼ିଙ୍କ ଏହା ପେଣ୍ଠସ୍ଥଳ ପାଲଟିଛି। ୪୪ ନମ୍ବର ୱାର୍ଡ କର୍ପୋରେଟର୍ ଅଜିତ କୁମାର ବେହେରା କହିଛନ୍ତି, ୬୦ ଲକ୍ଷ ଖର୍ଚ୍ଚ କରି ବିଦ୍ୟୁତ୍ ଚୁଲା ଲଗାଇ ଦିଆଗଲା ସତ, କିନ୍ତୁ ଏହାର ରକ୍ଷଣାବେକ୍ଷଣ କରାଗଲାନି କି ଶବଦାହ କିପରି ହେବ ଦୃଷ୍ଟି ଦିଆଗଲାନି। ଏହା ପଡ଼ି ପଡ଼ି ନଷ୍ଟ ହୋଇଗଲା। ଏପରିକି ଏହାର ଫାଇଲ୍ ଗାଏବ୍ କରି ଦିଆଗଲା। ୬୦ଲକ୍ଷ ଖର୍ଚ୍ଚର ହିସାବ ମିଳୁନି। ଏବେ ପୁଣି ୫୦ ଲକ୍ଷ ଶ୍ମଶାନ ବିକାଶ ନାଁରେ ଖର୍ଚ୍ଚ କରିବା ଦୁର୍ଭାଗ୍ୟଜନକ।
ସୌଜନ୍ୟ ସମ୍ବାଦ

