ରାଜ୍ୟ

Diabetes In Dogs: କୁକୁରଙ୍କୁ ବି ହେଉଛି ମଧୁମେହ : ଦିଆଯାଉଛି ଇନ୍ସୁଲିନ୍, ମାସକୁ ୧୦ କୁକୁରର ହେଉଛି ଚିକିତ୍ସା

ଭୁବନେଶ୍ୱର, ୨୫/୦୮: କେବଳ ମଣିଷ ନୁହନ୍ତି, କୁକୁରଙ୍କୁ ବି ହେଉଛି ମଧୁମେହ(ଡାଏବେଟିସ)! ଏକଥା ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ । ଘରେ ଅତିଗେହ୍ଲାରେ ପୋଷ ହୋଇଥିବା ସୌଖୀନ କୁକୁରଙ୍କୁ ଏବେ ଡାଏବେଟିସ୍ । ଆଜିକାଲିର ଅସନ୍ତୁଳିତ ଖାଦ୍ୟପେୟ କେବଳ ମଣିଷକୁ ନୁହେଁ କୁକୁରମାନଙ୍କୁ ବି ରୋଗିଣା କରିଦେଉଛି । ଡାଏବେଟିସ୍ ହେଲେ ମଣିଷକୁ ଯେମିତି ଇନସୁଲିନ୍ ଦିଆଯାଉଛି, ସେମିତି ପୋଷା କୁକୁରକୁ ମଧ୍ୟ ସେହି ଇନସୁଲିନ୍ ଦିଆଯାଉଛି । ବୁଲା କୁକୁରକୁ ବି ଡାଏବେଟିସ୍ ହେଉଛି । ପୋଷା କୁକୁରକୁ ପାଇଁ ସିନା ମାଲିକ ଇନସୁଲିନ୍ କିଣିଦେଉଛି, କିନ୍ତୁ ବୁଲା କୁକୁରଙ୍କ କଥା ବୁଝିବ କିଏ? କଲବଲ ହୋଇ ଶେଷରେ ସେମାନଙ୍କ ଜୀବନ ଯାଉଛି ।

ରାଜଧାନୀରେ ଥିବା ବିଭିନ୍ନ ପଶୁ ଚିକିତ୍ସାଳୟରେ ଏବେ ମାସକୁ ୧୦ରୁ ୧୫ଟି ଏଭଳି ଡାଏବେଟିସ୍ ରୋଗାକ୍ରାନ୍ତ କୁକୁରଙ୍କ ଚିକିତ୍ସା କରାଯାଉଛି । ବିଶେଷଜ୍ଞଙ୍କ ମତରେ ଖାଲି ଖାଇବା ନୁହେଁ, ମାଲିକଙ୍କ ଅଧିକ ଗେହ୍ଲାପଣ ବି ଦାୟୀ । ବିଶେଷକରି ଲାବ୍ରାଡର, ଡୋବରମ୍ୟାନ୍, ହସ୍କି ଆଦି ପ୍ରଜାତିର କୁକୁରଙ୍କୁ ଖୁବଶୀଘ୍ର ଏଭଳି ରୋଗ ହେଉଛି । ପ୍ରତିଦିନ କୁକୁରଙ୍କୁ ଚିକେନ ମଟନ୍, କ୍ଷୀର, ଛେନା, ବିସ୍କୁଟ୍ ଖାଇବାକୁ ଦିଆଯାଉଛି । କୌଣସି ଡାଏଟ୍ ପ୍ଲାନ ଦେଖାଯାଉନି । ଶାରୀରିକ ବ୍ୟାୟାମ କହିଲେ, ଦିନରେ କେବଳ ଗୋଟିଏ କି ଦେଢ଼ କିମି ଭିତରେ ଝାଡ଼ା ପରିସ୍ରା ପାଇଁ ନିଆଯାଉଛି । ତା’ ବାଦ୍ ହଲୁନାହାନ୍ତି, ଦୌଡ଼କୁଦ କଥା କିଏ ପଚାରେ । ଥରେ ଏହି ରୋଗ ହେଲେ କୁକୁରଙ୍କ ଜୀବନ ଯିବା ଶତପ୍ରତିଶତ ଥୟ । ସେଥିପାଇଁ ଇନସୁଲିନ୍ ଏବେ ଏକମାତ୍ର ବିକଳ୍ପ ।

ଦାମ୍ ଯାହା ହେଉ ପଛେ, ମାଲିକମାନେ ପ୍ରିୟ କୁକୁରର ଜୀବକୁ ବଞ୍ଚାଇବାକୁ ଲାଗିପଡ଼ିଛନ୍ତି । ନିର୍ଦ୍ଧାରିତ ସମୟରେ ଇନସୁଲିନ୍ ଦିଆଯାଉଛି । ବଡ଼କଥା, ଯେଉଁ ଇନସୁଲିନ୍ ମଣିଷଙ୍କ ଦେହରେ ଲାଗେ, ତାହା ପ୍ରାଣୀଙ୍କୁ ବି ଦିଆଯାଉଛି । ଖାଲି ବଡ଼ କୁକୁର ନୁହନ୍ତି, ୭ମାସରୁ କମ୍ ବୟସର ଛୋଟ କୁକୁରଙ୍କୁ ମଧ୍ୟ ରୋଗ ହେବାର ଆଶଙ୍କା ରହିଛି । ସେପଟେ ବୁଲାକୁକୁରଙ୍କ ଖାଦ୍ୟଶୈଳୀ ତାଙ୍କୁ ବି ରୋଗରେ ପକାଉଛି । ଏବେ କୁକୁରଙ୍କ ପ୍ରତି ବଦାନ୍ୟତା ଦେଖାଇବା ଆଳରେ କିଛି ଲୋକେ ସେମାନଙ୍କୁ ଅତ୍ୟଧିକ ମିଠା ବିସ୍କୁଟ ଦେଉଛନ୍ତି । ଜଳଖିଆ ଦୋକାନରୁ ବାହାରୁଥିବା ଛଣାଛଣି ଖାଦ୍ୟ, ଗୁଲୁଗୁଲା, ପୁରୀ, କାକରା ଅଥବା ଖରାପ ମିଠା ବୁଲା କୁକୁର ଆଗରେ ଅଜାଡ଼ି ଦେଉଛନ୍ତି । ଯାହା ସେମାନଙ୍କ ସ୍ୱାସ୍ଥ୍ୟ ପ୍ରତି ଘାତକ ସାଜୁଛି । ଡାଏବେଟିସ୍ ହେବା ପରେ ସେମାନଙ୍କ ଘା’ ନ ଶୁଖିବା, ଅଧିକ ଥକିପଡ଼ିବା ଭଳି ଲକ୍ଷଣ ଦେଖାଯାଉଛି ।

ପ୍ରାଣୀ ଚିକିତ୍ସକଙ୍କ ମତରେ ପ୍ରଥମେ କୁକୁରକୁ ଡାଇବେଟିସ୍ ରୋଗ ପ୍ରାୟତଃ ହେଉନଥିଲା । ହେଲେ ଏବେ ମଣିଷଙ୍କ ପରେ କୁକୁରକୁ ବି ଡାଏବେଟିସ୍ । କୁକୁର ଶରୀରରେ ପ୍ରାକୃତିକ ଭାବରେ ଇନସୁଲିନ୍ ସୃଷ୍ଟି ହୋଇ ଗ୍ଲୁକୋଜ ସ୍ତରକୁ ନିୟନ୍ତ୍ରଣ କରିଥାଏ । ଲିଭର ପାଖରୁ ଇନସୁଲିନ୍ ବାହାରେ । ହେଲେ ଲାଇଫଷ୍ଟାଇଲ ପରିବର୍ତ୍ତନ ଯୋଗୁ ଶରୀରରେ ସେହି ଇନସୁଲିନ୍ କ୍ଷରଣ ବନ୍ଦ ହୋଇଥାଏ । ଫଳରେ ମଧୁମେହ ଆକ୍ରାନ୍ତ କରେ । ଏହା ହେଲେ କୁକୁର ଶରୀରର ଓଜନ ବଢିଥାଏ । ସେମାନେ ଶୀଘ୍ର ଥକିଯାଆନ୍ତି, ଅଧିକ ଖାଆନ୍ତି । ବାରମ୍ବାର ପରିସ୍ରା କରନ୍ତି । ଭୁବନେଶ୍ୱର ଉପଖଣ୍ଡ ପ୍ରାଣୀ ଚିକିତ୍ସାଧିକାରୀ ଡାକ୍ତର ବାଳକୃଷ୍ଣ ଦ୍ୱିବେଦୀ କହିଛନ୍ତି, ସହିଦନଗରର ପ୍ରାଣୀ ଚିକିତ୍ସାଳୟରେ ନିୟମିତ ବ୍ୟବଧାନରେ ୪ରୁ ୬ଟି ଡାଏବେଟିସ୍ ଆକ୍ରାନ୍ତ କୁକୁର ଆସୁଛନ୍ତି । ଯେଉଁମାନଙ୍କ ନିୟମିତ ଚିକିତ୍ସା ଜାରି ରହିଛି । ଏଠାକୁ କେବଳ ବୟସ୍କ କୁକୁର ଆସୁଥିବା ଜଣାପଡ଼ିଛି । ସେହିପରି ଓୟୁଏଟିସ୍ଥିତ ପ୍ରାଣୀ ଚିକିତ୍ସାଳୟରେ ମଧ୍ୟ ଡାଏବେଟିସ୍ ଆକ୍ରାନ୍ତ କୁକୁରଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯିବା ସହ ଡାଏଟ୍ ପ୍ଲାନ୍ କୁହାଯାଉଛି ।

ଏ ସଂକ୍ରାନ୍ତରେ ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟ ପରିଚାଳିତ ଭେଟେରିନାରୀ କଲେଜର ଡିନ୍(ଇନଚାର୍ଜ) ଡାକ୍ତର ନିରଞ୍ଜନ ସାହୁଙ୍କ କହିବା କଥା, ହସ୍ପିଟାଲକୁ ପ୍ରତି ମାସକୁ ୪ଟି ଡାଏବେଟିସ୍ ଆକ୍ରାନ୍ତ କୁକୁର ଓ ୭ଟି ଥାଇରଏଡ୍ ଆକ୍ରାନ୍ତ କୁକୁରର ଚିକିତ୍ସା କରାଯାଉଛି । ଡାଏବେଟିସ ଆକ୍ରାନ୍ତ କୁକୁରକୁ ଇନ୍ସୁଲିନ ଦିଆଯାଉଛି । ମାଲିକଙ୍କୁ ଡାଏଟ, ଓଜନ, ନ୍ୟୁଟ୍ରେସନ୍ ବାବଦରେ ସୂଚନା ଦିଆଯାଉଛି ।

 

 

 

 

 

ସୌଜନ୍ୟ ପ୍ରମେୟ

Show More

Leave a Reply

Your email address will not be published. Required fields are marked *

Back to top button