ରାଜ୍ୟ

Fear Of Snakes: ପୁରୀ ବେଳାଭୂମିରେ ବିଷଧର ସମୁଦ୍ର ସାପ, ନାଗଠାରୁ ଦଶଗୁଣା ବିଷାକ୍ତ, ସେଭ୍‌ କୋଷ୍ଟାଲ ଲାଇଫ୍‌ କଲା ସତର୍କ

ପୁରୀ, ୨୫/୦୮: ପୁରୀ ଜିଲ୍ଲା ଅନ୍ତର୍ଗତ ଭାର୍ଗବୀ ଓ ମଙ୍ଗଳା ନଦୀ ମୁହାଣ ସମେତ ଅନ୍ୟ ସମୁଦ୍ରର ମୁହାଣ ଅଞ୍ଚଳ ଗୁଡ଼ିକରେ କିଛି ଦିନ ହେବ ପ୍ରଚୁର ପରିମାଣରେ ବିଷଧର ସାମୁଦ୍ରିକ ସାପ ଦେଖାଯାଉଛନ୍ତି । ଏହାଦ୍ୱାରା ନଦୀ ଓ ସମୁଦ୍ର ମୁହାଣ ନିକଟରେ ଚଳପ୍ରଚଳ କରୁଥିବା ସାଧାରଣ ଜନତା ଏବଂ ଜୀବିକା ନିର୍ବାହ ପାଇଁ ସମୁଦ୍ରକୁ ଯାଉଥିବା ସ୍ଥାନୀୟ ମତ୍ସ୍ୟଜୀବୀମାନଙ୍କ ଜୀବନ ସୁରକ୍ଷା ପ୍ରତି ବିପଦ ସୃଷ୍ଟି ହୋଇଛି । ଏହି ସାପର ବିଷ ନାଗ ସାପ ଠାରୁ ୧୦ ଗୁଣା ଅଧିକ ମାରାତ୍ମକ । ଏହି ସାପ କାମୁଡ଼ିରେ ବଞ୍ଚିବା ଆଶା କ୍ଷୀଣ ତେଣୁ ଏହି ସାପମାନଙ୍କ ବିଷୟରେ ସମୁଦ୍ରକୂଳିଆ ବାସିନ୍ଦା ଓ ମତ୍ସ୍ୟଜୀବୀଙ୍କୁ ତୁରନ୍ତ ସଚେତନ କରାଯାଉ । ଏନେଇ ପୁରୀ ମତ୍ସ୍ୟ ଅଧିକାରୀ (ସାମୁଦ୍ରିକ)ଙ୍କୁ ସେଭ କୋଷ୍ଟାଲ ଲାଇଫ୍ର ମୁଖ୍ୟ ତଥା ପରିବେଶବିତ୍ ସରୋଜ କୁମାର ଜେନା ନିବେଦନପତ୍ର ଦେଇଛନ୍ତି ।

ଶ୍ରୀ ଜେନା ପତ୍ରରେ ଉଲ୍ଲେଖ କରିଛନ୍ତି ଯେ ନୂଆନଈ ଓ ରାମଚଣ୍ଡୀ ମୁହାଁଣମାନଙ୍କରେ ଏହି ସାପ ବହୁ ପରିମାଣର ଦେଖିବାକୁ ମିଳୁଛି । ସମୁଦ୍ର ଜୁଆରରେ ସାପମାନେ ଭାସି ଆସି ବାଲିରେ ରହି ଯାଉଛନ୍ତି । ସେମାନେ ବାଲିରେ ସହଜରେ ଚଳପ୍ରଚଳ କରିପାରୁନାହାନ୍ତି । ପୁରୀ ସମୁଦ୍ର ଓ ବେଳାଭୂମିରେ ପ୍ରବଳ ପର୍ଯ୍ୟଟକଙ୍କ ସମାଗମ ହେଉଥିବାରୁ ସେମାନଙ୍କ ସୁରକ୍ଷା ସାଙ୍ଗକୁ ଉପକୂଳ ଅଧିବାସୀଙ୍କ ସୁରକ୍ଷା ଜରୁରି ହୋଇପଡ଼ିଛି ବୋଲି ସେ କହିଛନ୍ତି ।

ସେ ଆହୁରି କହିଛନ୍ତି, ସମୁଦ୍ରରେ ଜାଲ ପକାଇବା, ଜାଲ ସଂଗ୍ରହ କରିବା କିମ୍ବା ମୁହାଣ ଅଞ୍ଚଳରେ ମାଛ ଧରିବା ସମୟରେ ଏହି ବିଷଧର ସାପଗୁଡ଼ିକ ଜାଲରେ ଛନ୍ଦି ହାଇଯାଉଛନ୍ତି । ଏହାଦ୍ୱାରା ଜାଣତ ଓ ଅଜାଣତରେ ସାପଗୁଡ଼ିକ ମତ୍ସ୍ୟଜୀବୀଙ୍କ ନିକଟତର ହୋଇ ବିପଦ ସୃଷ୍ଟି କରୁଛନ୍ତି । ଯଦି କୌଣସି ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମଧ୍ୟରେ ଏହି ସାପ କାମୁଡ଼ି ଦିଅନ୍ତି, ତୁରନ୍ତ କି ଉପଚାର କରାଯିବ ସେ ସମ୍ବନ୍ଧରେ ମତ୍ସ୍ୟଜୀବୀମାନଙ୍କୁ ସଚେତନ ଓ ପ୍ରତିକାର ଜଣାଇବା ଜରୁରି । ତେଣୁ ମୁହାଣ ଓ ଉପକୂଳବର୍ତ୍ତୀ ଅଞ୍ଚଳରେ ସାଧାରଣ ଜନସାଧାରଣ ଓ ମତ୍ସ୍ୟଜୀବୀଙ୍କ ପାଇଁ ସଚେତନତା ସୂଚନା ଫଳକ ଲଗାଯାଉ । ଜଣେ ଅଭିଜ୍ଞ ସାପ ବିଶେଷଜ୍ଞଙ୍କୁ ଆଣି ମତ୍ସ୍ୟଜୀବୀମାନଙ୍କ ପାଇଁ ଏକ ବିଶେଷ ତାଲିମ ଶିବିରର ଆୟୋଜନ କରାଯାଉ । ଯେଉଁଥିରେ ସାମୁଦ୍ରିକ ସାପ ଚିହ୍ନଟ କରିବା, ସେମାନଙ୍କଠାରୁ ସୁରକ୍ଷିତ ରହିବା ଏବଂ କାମୁଡ଼ିଲେ କି ପ୍ରକାର ପ୍ରାଥମିକ ଚିକିତ୍ସା କରାଯିବ, ସେ ବିଷୟରେ ସମ୍ପୂର୍ଣ୍ଣ ସୂଚନା ଦିଆଯାଇପାରିବ । ଏହି ସମ୍ବେଦନଶୀଳ ସମସ୍ୟାର ଗୁରୁତ୍ୱକୁ ବୁଝି ପଦକ୍ଷେପ ଗ୍ରହଣ କରାଯାଉ ବୋଲି ସେ ମତ୍ସ୍ୟ ଅଧିକାରୀଙ୍କୁ ନିବେଦନ କରିଛନ୍ତି ।

 

 

 

 

 

ସୌଜନ୍ୟ ପ୍ରମେୟ

Show More

Leave a Reply

Your email address will not be published. Required fields are marked *

Back to top button