ଭୁବନେଶ୍ବର: ରାଜ୍ୟ ସରକାର-ଡାକ୍ତର ମୁହାଁମୁହିଁ। ସାରା ରାଜ୍ୟରେ ଏସ୍ମାକୁ ମାନିଲେନି ଡାକ୍ତର। ପୂର୍ବବତ୍ ଦୁଇଘଣ୍ଟିିଆ ଓପିଡି ବନ୍ଦ ରହିଛି। ତେବେ ଡାକ୍ତରମାନେ କହିଛନ୍ତି, କୌଣସି ରୋଗୀ ସେବା ବନ୍ଦ ହୋଇନାହିଁ। କଟକ ଓ ଭୁବନେଶ୍ବର ଠାରୁ ଆରମ୍ଭ କରି ସବୁସ୍ଥାନରେ ଏଭଳି ସ୍ଥିତି ପରିଲକ୍ଷିତ ହୋଇଛି।
୧୦ ଦଫା ଦାବିରେ ରାଜ୍ୟବ୍ୟାପୀ ଡାକ୍ତରଙ୍କ ଆନ୍ଦୋଳନ
ସୂଚନାଯୋଗ୍ୟ, ୧୦ ଦଫା ଦାବିରେ ରାଜ୍ୟବ୍ୟାପୀ ଡାକ୍ତରମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ଗତକାଲିଠାରୁ ସରକାରୀ ଡାକ୍ତରଖାନାରେ ସକାଳେ ୨ଘଣ୍ଟିଆ ଓପିଡି ବନ୍ଦ ଆରମ୍ଭ ହୋଇଥିଲା। ଯାହାକୁ ନେଇ ରାଜ୍ୟରେ ରୋଗୀ ସେବା ଭୀଷଣ ବାଧାପ୍ରାପ୍ତ ହୋଇଥିଲା। ଡାକ୍ତରଙ୍କ ଏହି ଆନ୍ଦୋଳନ ପରିପ୍ରେକ୍ଷୀରେ ରାଜ୍ୟ ସରକାର ଗତକାଲି କଟକଣା ଲଗାଇଥିଲେ।
ଓଡ଼ିଶା ଜରୁରୀକାଳୀନ ସେବା (ରକ୍ଷଣାବେକ୍ଷଣ) ଆଇନ ବା ଏସ୍ମା ଅନୁଯାୟୀ ଆସନ୍ତା ୬ମାସ ପାଇଁ କୌଣସି ପ୍ରକାର ଆନ୍ଦୋଳନକୁ ବାରଣ କରାଯାଇଛି। ଗୃହ ବିଭାଗ ପକ୍ଷରୁ ଆଜି ଏ ସଂପର୍କିତ ନିର୍ଦ୍ଦେଶନାମା ପ୍ରକାଶ ପାଇଛି। ଏଥିରେ କୁହାଯାଇଛି ଯେ ଜନସାଧାରଣଙ୍କ ସ୍ବାର୍ଥକୁ ନଜରରେ ରଖି ଡାକ୍ତର, ନର୍ସିଂ ଅଫିସର, ଫାର୍ମାସିଷ୍ଟ, ଅନ୍ୟ ପାରାମେଡିକ୍ସ, ଟେକ୍ସିନିଆନ୍, ତୃତୀୟ ଓ ଚତୁର୍ଥ ଶ୍ରେଣୀ କର୍ମଚାରୀ ଆନ୍ଦୋଳନରେ ସାମିଲ ହୋଇପାରିବେ ନାହିଁ। ଏପରିକି ଠିକା କର୍ମଚାରୀଙ୍କୁ ମଧ୍ୟ ଏହି କଟକଣାରେ ସାମିଲ କରାଯାଇଛି। ଜିଲ୍ଲା, ଉପଖଣ୍ଡ, ଗୋଷ୍ଠୀ, ପ୍ରାଥମିକ, ମ୍ୟୁନିସିପାଲଟି, ମେଡିକାଲ କଲେଜ ଇତ୍ୟାଦିରେ କାର୍ଯ୍ୟରତ କର୍ମଚାରୀଙ୍କ ପାଇଁ ଏହା ଲାଗୁ ହେବ। ରାଜ୍ୟରେ ସ୍ବାସ୍ଥ୍ୟସେବା ଯେପରି ବାଧାପ୍ରାପ୍ତ ନ ହେବ ସେଥିପାଇଁ ଏଭଳି ପଦକ୍ଷେପ ନିଆଯାଇଥିବା ସରକାରଙ୍କ ପକ୍ଷରୁ କୁହାଯାଇଛି।
ଆହୁରି ପଢ଼ନ୍ତୁ: Elephant Attack 7 Death ଗୋଟିଏ ରାତିରେ ସାତଜଣଙ୍କ ଜୀବନ ନେଲା ହାତୀ, ସପ୍ତାହକ ଭିତରେ ମରିଲେଣି ୧୭
ଅପରପକ୍ଷରେ ରାଜ୍ୟ ସରକାର ଏସ୍ମା ଲାଗୁ କରିବା ପରେ ଓଡ଼ିଶା ମେଡିକାଲ ସେବା ସଂଘ (ଓମ୍ସା) ପକ୍ଷରୁ ଆଜି ରାତିରେ ଏକ ଜରୁରୀକାଳୀନ ବୈଠକ ଡକାଯାଇଛି। ଆଭାସୀ ଜରିଆରେ କେନ୍ଦ୍ରୀୟ କାର୍ଯ୍ୟନିର୍ବାହୀ କମିଟିର ଏହି ବୈଠକରେ ୨ଘଣ୍ଟିଆ ଓପିଡି ବନ୍ଦ ଆନ୍ଦୋଳନ ଜାରି ରଖିବା ଲାଗି ନିଷ୍ପତ୍ତି ହୋଇଛି। ଓମ୍ସା ସଭାପତି ଡା.କିଶୋର ମିଶ୍ର କହିଛନ୍ତି, ଡାକ୍ତରମାନେ ଆନ୍ଦୋଳନରୁ ଓହରିବେ ନାହିଁ ବୋଲି ନିଷ୍ପତ୍ତି ନେଇଛନ୍ତି। ରାଜ୍ୟ ସରକାର ଯଦି ଏସ୍ମା ଲଗାଇ ଡାକ୍ତରଙ୍କୁ ଗିରଫ କରିବାକୁ ଚାହୁଁଛନ୍ତି ତା’ ହେଲେ ସେଥିପାଇଁ ମଧ୍ୟ ସଂଘ ପ୍ରସ୍ତୁତ। ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ଆନ୍ଦୋଳନ ଚାଲିବ ବୋଲି ସେ କହିଛନ୍ତି।
ସୌଜନ୍ୟ ସମ୍ବାଦ
