Eastern Congo: ପୂର୍ବ କଙ୍ଗୋରେ ଜାହାଜ ବୁଡ଼ି ୧୨ ମୃତ
ପୂର୍ବ କଙ୍ଗୋର କିଭୁ ହ୍ରଦରେ ବ୍ୟବସାୟୀମାନଙ୍କୁ ନେଇ ଯାଉଥିବା ଏକ ଜାହାଜ ବୁଡ଼ିଯାଇଛି। ଏହି ଘଟଣାରେ ଅତି କମରେ ୧୨ ଜଣଙ୍କର ମୃତ୍ୟୁ ହୋଇଛି ଓ ୧୨ ଜଣରୁ ଅଧିକ ଲୋକ ନିଖୋଜ ଅଛନ୍ତି।

ବ୍ରାଜାଭିଲ୍: ପୂର୍ବ କଙ୍ଗୋର କିଭୁ ହ୍ରଦରେ ବ୍ୟବସାୟୀମାନଙ୍କୁ ନେଇ ଯାଉଥିବା ଏକ ଜାହାଜ ବୁଡ଼ିଯାଇଛି। ଏହି ଘଟଣାରେ ଅତି କମରେ ୧୨ ଜଣଙ୍କର ମୃତ୍ୟୁ ହୋଇଛି ଓ ୧୨ ଜଣରୁ ଅଧିକ ଲୋକ ନିଖୋଜ ଅଛନ୍ତି। ଜାହାଜରେ ୫୦ରୁ ଅଧିକ ଲୋକ ଯାତ୍ରା କରୁଥିବାବେଳେ ଦକ୍ଷିଣ କିଭୁ ପ୍ରଦେଶରେ ଇଡଜୱି ଦ୍ୱୀପରେ ଶନିବାର ରାତିରେ ଜାହାଜ ବୁଡ଼ି ଯାଇଥିଲା।
ଜାହାଜ ବୁଡ଼ିବାର କାରଣ ଜଣାପଡ଼ିନାହିଁ। ତେବେ ୧୫ ଜଣଙ୍କୁ ଉଦ୍ଧାର କରାଯାଇଛି। ସ୍ଥାନୀୟ ପ୍ରଶାସକ ମୁହିନ୍ଦୋ ନତାମ୍ବୁକା ପାସ୍କଲଙ୍କ ଅନୁଯାୟୀ, ଜାହାଜଟି ଇଡଜୱି ଦ୍ୱୀପର ବୱିନାରୁ ବୋଜାକୁ ମାଛ ବ୍ୟବସାୟୀ ଓ ସାମଗ୍ରୀ ପରିବହନ କରୁଥିଲା। ସ୍ଥାନୀୟ ଲୋକ ଓ ସହଯାତ୍ରୀମାନେ ହ୍ରଦରୁ ମୃତଦେହ ବାହାର କରୁଥିବା ଭିଡିଓରୁ ଦେଖାଯାଉଛି।
କଙ୍ଗୋରେ ନଦୀ ଓ ହ୍ରଦ ପରିବହନର ପ୍ରମୁଖ ମାଧ୍ୟମ ହୋଇଥିବାରୁ ଡଙ୍ଗା ଓ ଜାହାଜ ବୁଡ଼ିବା ସାଧାରଣ ଘଟଣା ହୋଇଥାଏ। କଙ୍ଗୋରେ ଜାହାଜରେ ଅଧିକ ମାଲ ପରିବହନ କରାଯାଉଥିବାବେଳେ ଅନେକ ସମୟରେ ଲାଇଫ୍ ଜ୍ୟାକେଟ ବିନା ଯାତ୍ରୀମାନେ ଯାତ୍ରା କରିଥାନ୍ତି।
ସୌଜନ୍ୟ ସମ୍ବାଦ




