ଏଭଳି ଦୃଶ୍ୟପଟ ପୃଥିବୀର ସର୍ବତ୍ର ପରିଲକ୍ଷିତ ହେଉଥିବା ବେଳେ ସର୍ବପ୍ରଥମ ଦେଶ ରୂପେ ଅଷ୍ଟ୍ରେଲିଆ ଏକ ଆଇନ ବଳରେ ୧୬ ବର୍ଷ ବୟସରୁ କମ୍ ବୟସ୍କଙ୍କ ସକାଶେ ସାମାଜିକ ଗଣମାଧ୍ୟମ ବ୍ୟବହାରକୁ ନିଷେଧ କରି ଦୃଷ୍ଟାନ୍ତ ସ୍ଥାପନ କରିଛି। ଶୁଣାଯାଏ, ଫ୍ରାନ୍ସ ଓ ଅନ୍ୟାନ୍ୟ କେତେକ ଦେଶ ଏବଂ ଆମ ଦେଶରେ ଆନ୍ଧ୍ରପ୍ରଦେଶ ରାଜ୍ୟ ଏ ଦିଗରେ ଉଦ୍ୟମ ଆରମ୍ଭ କଲେଣି। ଗଲା ବୁଧବାର ରାତିର ଘଟଣା ପରେ ଆମ ଦେଶରେ ଏଭଳି ଏକ ଆଇନ ଆସିବା ଜରୁରି ବୋଲି ଲୋକକ୍ଷେତ୍ରରେ ଚର୍ଚ୍ଚା ଜୋର ଧରିଛି।
ଗଲା ବୁଧବାର ରାତି ପ୍ରାୟ ୨ଟା ୧୫ରୁ ଅଢ଼େଇଟା ମଧ୍ୟରେ ଉତ୍ତର ପ୍ରଦେଶସ୍ଥିତ ଗାଜିଆବାଦର ଏକ ବହୁ ତଳ ପ୍ରାସାଦର ନବମ ମହଲାରୁ ତିନି ଭଉଣୀ, ଜଣକ ପରେ ଜଣେ, ତଳକୁ ଡେଇଁ ଆତ୍ମହତ୍ୟା କରିବା ଭଳି ଘଟଣା ସମଗ୍ର ଦେଶକୁ ସ୍ତବ୍ଧ ଓ ଦୁଃଖାଭିଭୂତ କରି ଦେଇଛି। ଏହି ତିନି ଭଉଣୀଙ୍କ ବୟସ ଥିଲା ଯଥାକ୍ରମେ ୧୨, ୧୪ ଓ ୧୬; ଅର୍ଥାତ୍ ଅାଦ୍ୟ କୈଶୋରରୁ ଆଦ୍ୟ ଯୌବନ ମଧ୍ୟରେ ଏବଂ ଗଣମାଧ୍ୟମଗୁଡ଼ିକର ସୂଚନା ଅନୁସାରେ ସେମାନଙ୍କ ମାତ୍ରାତିରିକ୍ତ ସ୍ମାର୍ଟଫୋନ ଆସକ୍ତିରେ ବ୍ୟତିବ୍ୟସ୍ତ ଅଭିଭାବକ ସେହି ଯନ୍ତ୍ରଗୁଡ଼ିକୁ ସେମାନଙ୍କ ଠାରୁ ନେଇ ଯିବା ପରେ ମ୍ରିୟମାଣ କନ୍ୟା ତ୍ରୟ ଏଭଳି ଚରମ ପଦକ୍ଷେପ ନେଇଥିଲେ। ଇତିମଧ୍ୟରେ ଏକ ଡାଇରିରେ ହାତଲେଖା ସୁଇସାଇଡ୍ ନୋଟ୍ ପୁଲିସର ହସ୍ତଗତ ହୋଇଛି, ଯହିଁରେ ପିତାଙ୍କ ଉଦ୍ଦେଶ୍ୟରେ ଲେଖାଯାଇଛି: ପାପା ଦୁଃଖିତ। ଖୁବ୍ ଏକୁଟିଆ ଲାଗୁଛି!’ କହିବା ବାହୁଲ୍ୟ, ଏହି ଘଟଣା ପରେ କୈଶୋର-ଯୌବନାବସ୍ଥାରେ ଥିବା ପିଲାମାନଙ୍କ ଉପରେ ସ୍ମାର୍ଟଫୋନର ଦୁଷ୍ପ୍ରଭାବ ନେଇ, ମଝିରେ ମଝିରେ ହେଉଥିବା, ବିତର୍କ ପୁଣି ଥରେ ତେଜୀୟାନ ହୋଇ ଉଠିଛି। ପ୍ରକାଶ ଥାଉ କି ସେହି ଦିନ ଭୋପାଳରେ, ଗଲା ସେପ୍ଟେମ୍ବର ମାସରେ ଲକ୍ଷ୍ନୌରେ, ଅଗଷ୍ଟ ମାସରେ ଓଡ଼ିଶାର ବାଲେଶ୍ବରରେ ଏହି ଭଳି କାରଣରୁ କେତେକ କିଶୋର-ତରୁଣ ଆତ୍ମହତ୍ୟା କରିଛନ୍ତି। ସୁତରାଂ, ଏହା ନିଃସନ୍ଦେହ ଯେ ଏହି ସଂଦର୍ଭ ଏବଂ ତାକୁ ଘେନି ହେଉଥିବା ବିତର୍କ ଅତ୍ୟନ୍ତ ଗମ୍ଭୀର ଏବଂ ଦୈନନ୍ଦିନ ଜୀବନରେ ଅତ୍ୟାବଶ୍ୟକ ବୋଲି ମନେ ହେଉଥିବା ଏବଂ ଆମ ହାତ ମୁଠାରେ ଅହରହ ରହିଥିବା ଚାଖଣ୍ଡକ ଯନ୍ତ୍ରଟି କିଭଳି ଏକ ଅନ୍ତରଙ୍ଗତମ ଶତ୍ରୁରେ ପରିଣତ ହୋଇ ଆମକୁ ଗର୍ଭସାତ୍ କରିବାକୁ ବସିଲାଣି, ତାହା ଏକ କ୍ଷୁଦ୍ର ଆଲୋଚନା ଲାଗି ଅବକାଶ ସୃଷ୍ଟି କରିଥାଏ।
ସମସ୍ତ ମନସ୍ତତ୍ତ୍ବବିତ୍ ଓ ମନୋଚିକିତ୍ସକ ଏକ ମତ ଯେ ସଂପ୍ରତି ବୟସ ନିର୍ବିଶେଷରେ ଅଧିକାଂଶ ମନୁଷ୍ୟ ଯଦିଓ ଊଣାଅଧିକେ ସ୍ମାର୍ଟଫୋନ ଦ୍ବାରା ଆସକ୍ତ; ତା’ ଭିତରେ ଡୁବି ଯାଇ ଲାପତ୍ତା ହୋଇଯିବାର ଆଶଙ୍କା ବହନ କରିଥାଆନ୍ତି ଆଦ୍ୟ-କୈଶୋରରୁ ଆଦ୍ୟ-ଯୌବନର ବନ୍ଧନୀରେ ଥିବା ପିଲାମାନେ। ଏଭଳି ସ୍ଥିତିରେ ନିକଟରେ ପ୍ରକାଶିତ ଏକ ସର୍ବେକ୍ଷଣ ରିପୋର୍ଟ ଅତ୍ୟନ୍ତ ଉଦ୍ବେଜନକ, ଯାହା କହିଥାଏ ଯେ ଏଥିରେ ଅନ୍ତର୍ଭୁକ୍ତ ଏହି ବୟସ ବର୍ଗର ୧୯,୧୦୦ ଜଣଙ୍କ ମଧ୍ୟରୁ ୨୨% ପ୍ରତ୍ୟହ ଛଅ ଘଣ୍ଟାରୁ ଅଧିକ, ୨୭% ତିନି ଘଣ୍ଟାରୁ ଛଅ ଘଣ୍ଟା, ୨୨% ଘଣ୍ଟାଏରୁ ତିନି ଘଣ୍ଟା ପର୍ଯ୍ୟନ୍ତ ସମୟ ସ୍ମାର୍ଟଫୋନରେ ନିମଜ୍ଜିତ ହୋଇ ରହନ୍ତି; ଏବଂ ମାତ୍ର ୬% ଘଣ୍ଟାକରୁ କମ୍ ସମୟ ଏଥିରେ ବ୍ୟୟ କରୁଥିବା ବେଳେ ୧୨% ସ୍ମାର୍ଟଫୋନ ସହିତ ଅସଂପୃକ୍ତ। କେବଳ ସେତିକି ନୁହେଁ, ସ୍ମାର୍ଟଫୋନ ଦେଖୁଥିବା ପିଲାମାନଙ୍କ ମଧ୍ୟରୁ ୭୦% ସ୍ବୀକାର କରିଥିଲେ ଯେ ସେମାନେ ଏହାର ମୋହରେ ସଂପୂର୍ଣ୍ଣ ରୂପେ ଆବିଷ୍ଟ। ସୁତରାଂ, ବ୍ୟକ୍ତିତ୍ବ ନିର୍ମାଣ ଏବଂ ପ୍ରତିଭା ସ୍ଫୁରଣର ଏହି ସ୍ପର୍ଶକାତର କାଳ ଖଣ୍ଡଟି ସ୍ମାର୍ଟଫୋନ ଦ୍ବାରା ସର୍ଜିତ ମିଛ ସଂସାରରେ ମାୟା ମୃଗ ଅନୁଧାବନରେ ବିନଷ୍ଟ ପ୍ରାୟ ସ୍ଥିତିରେ। ଗଣମାଧ୍ୟମର ରିପୋର୍ଟ ଅନୁସାରେ ଭଗିନୀ ତିନିହେଁ କୁଆଡ଼େ ଦେଶର ଅଗଣିତ କୋମଳ ବୟସ୍କଙ୍କ ଭଳି ‘କେ-ପପ୍’ ଭାବେ ପରିଚିତ କୋରିଆର ଭିଡିଓ ଦ୍ବାରା ଏଭଳି ଆଚ୍ଛନ୍ନ ଥିଲେ ଯେ ସ୍କୁଲ ଯିବା ମଧ୍ୟ ଛାଡ଼ି ଦେଇଥିଲେ, ଯାହା ହୁଏତ ସେମାନଙ୍କ ପିତାମାତାଙ୍କ ତନ୍ଦ୍ରା ଭଙ୍ଗ କରିଥିବ। ଏହି ପରିପ୍ରେକ୍ଷୀରେ ବିଖ୍ୟାତ ମନୋଚିକିତ୍ସକ ଡାକ୍ତର ଅଚଳ ଭଗତ କହିଥାଆନ୍ତି ଯେ ସେଭଳି ସାନ୍ଦ୍ର ନିଶାରୁ ମୁକ୍ତ କରିବା ଲାଗି ଯେ ରୀତିମତ ଡାକ୍ତରୀ ଚିକିତ୍ସାର ଆବଶ୍ୟକ, ସେ ନେଇ ପିତାମାତା ସମ୍ଭବତଃ ଅଜ୍ଞ ଥିଲେ। କହିବା ଅନାବଶ୍ୟକ ଯେ ଅଧିକାଂଶ ମଧ୍ୟ-ବୟସ୍କ ଭାରତୀୟ ଅଭିଭାବକ ଏଭଳି ସ୍ଥିତିକୁ ସାମାନ୍ୟ ବିକୃତି ବୋଲି ଧରି ନିଅନ୍ତି, ଯାହା ସେମାନଙ୍କ ଧାରଣାରେ ଅଭ୍ୟାସ ଭଙ୍ଗ ହେବା ସହିତ ଆପେଆପେ ଅନ୍ତର୍ହିତ ହୋଇଯିବ। କିନ୍ତୁ ବାସ୍ତବତାଟି ହେଲା ‘ଡିଜିଟାଲ ଆଡିକ୍ସନ’ ଯେକୌଣସି ସାଂଘାତିକ ମାଦକ ଦ୍ରବ୍ୟର ଦୁର୍ନିବାର ଆସକ୍ତି ସହିତ ତୁଳନୀୟ। କିନ୍ତୁ ବିଡ଼ମ୍ବନାଟି ହେଲା ସଂପ୍ରତି ସମସ୍ତେ ସ୍ମାର୍ଟଫୋନରେ ନିମଗ୍ନ ରହୁଥିବାରୁ ପରିବାରରେ ଏଭଳି ଏକ ‘ଇକୋସିଷ୍ଟମ’ ବା ବାତାବରଣର ସୃଷ୍ଟି ହେଉଛି, ଯହିଁରେ ସେହି ଆବର୍ତ୍ତରେ ପିଲାମାନେ ହଜି ନ ଯିବା ପର୍ଯ୍ୟନ୍ତ ଗୁରୁଜନମାନଙ୍କ ଠାରେ ଚେତା ପଶି ନ ଥାଏ। ତେଣୁ ଡିଜିଟାଲ ଆସକ୍ତିକୁ ନେଇ ପରିବାରର ଗୁରୁଜନମାନଙ୍କ ଠାରେ ସଚେତନତା ସୃଷ୍ଟି ହେବା ସର୍ବାଧିକ ମହତ୍ତ୍ବପୂର୍ଣ୍ଣ। ସଂପ୍ରତି ଅନଲାଇନ ଶିକ୍ଷାଦାନ ହେତୁ ଏହି ବୟସ ବର୍ଗର ପିଲାମାନଙ୍କ ସକାଶେ ସ୍ମାର୍ଟଫୋନର ବ୍ୟବହାର ଅନିବାର୍ଯ୍ୟ ହୋଇ ପଡ଼ିଥିବା ହେତୁ ଏକ ନିର୍ଦ୍ଦିଷ୍ଟ ଅବଧି ଲାଗି ପିଲାମାନଙ୍କୁ ତାହା ଉପଲବ୍ଧ କରାଇବା ଏବଂ ‘ଭର୍ଚୁଆଲ’ ଦୁନିଆରେ ସେମାନଙ୍କ ବିଚରଣ ଭୂମି ଉପରେ ନିଘା ରଖିବା ଯେ ଅଭିଭାକମାନଙ୍କ ପ୍ରଥମ ଦାୟିତ୍ବ, ଏଥିରେ ସନ୍ଦେହ ନ ଥାଏ।
ଏବର ମଧ୍ୟ-ବୟସ୍କ ଅଭିଭାବକମାନଙ୍କ ଡିଜିଟାଲ ଜ୍ଞାନ ସେମାନଙ୍କ ଚିରାଚରିତ ବିହାର ସ୍ଥଳୀ ଫେସବୁକ କି ୟୁଟ୍ୟୁବ ବା ହ୍ବାଟ୍ସଆପ ଅଥବା ଇନ୍ଷ୍ଟାଗ୍ରାମ ଆଦିରେ ପ୍ରାୟ ସୀମିତ। କିନ୍ତୁ ଏହାକୁ ଅତିକ୍ରମ କରି ଏହି ଜ୍ଞାନ ବିଭିନ୍ନ ଡେଟିଂ, ବେଟିଂ ଓ ଗେମିଂ ଆପ୍ ଇତ୍ୟାଦି କ୍ଷେତ୍ର ପର୍ଯ୍ୟନ୍ତ ପରିବର୍ଦ୍ଧିତ ହେବା ଜରୁରି। କାରଣ, କମ୍ ବୟସର ପିଲାମାନଙ୍କ ସକାଶେ ଖେଳ କୌତୁକର ପ୍ରତିଶ୍ରୁତି ଦେଇ ଅନେକ ଗେମିଂ ଆପ୍ ସେମାନଙ୍କୁ ବଶୀଭୂତ କରି ନିଃଶେଷ କରିବାରେ ପ୍ରବୃତ୍ତ। ‘ବ୍ଲୁ ହ୍ବେଲ’ ବା ‘କୋରିଆନ ଲଭ ଗେମ୍’ ଭଳି କେତେକ ଗେମିଂ ଆପ୍ରେ ପ୍ରବେଶ କରୁଥିବା ପିଲାଏ ଖେଳର ବିଭିନ୍ନ ସୋପାନ ଅତିକ୍ରମ କରି ପରିଶେଷର ସେହି ଖେଳର ‘ଡିଜାଇନ’ ସ୍ବରୂପ ଆତ୍ମହତ୍ୟା କରିବା ପର୍ଯ୍ୟନ୍ତ ମଧ୍ୟ ବୁଝି ନ ଥାଆନ୍ତି ଯେ ତନ୍ଦ୍ରାଗ୍ରସ୍ତ ଭାବେ ଚାଲି ସେମାନେ କେତେବେଳେ ଜୀବନର ଏରୁଣ୍ଡି ଡେଇଁବାକୁ ବସିଲେଣି। କେବଳ ସେତିକି ନୁହେଁ, ଛୋଟ ପିଲାମାନଙ୍କ ଦ୍ବାରା ବ୍ୟବହୃତ ହେଉଥିବାରୁ ଏଭଳି କେତେକ ଗେମିଂ ଆପ୍ରେ ଯୌନ ବିକାରଗ୍ରସ୍ତମାନେ ଆବିର୍ଭୂତ ହୋଇ ଛଦ୍ମ ମିତ୍ରତା ସୃଷ୍ଟି କରିବା ସହିତ ଖେଳରେ ଭାଗ ନେଇଥିବା ପିଲାମାନଙ୍କ ଯୌନ ଶୋଷଣ ମଧ୍ୟ କରୁଛନ୍ତି। ଏହି ତିନି ଭଉଣୀ ଗେମିଂ ଆପ୍ରେ ମଧ୍ୟ ଅନେକ ସମୟ ଅତିବାହିତ କରୁଥିଲେ ବୋଲି କୁହାଯାଉଛି। ଡିଜିଟାଲ ଜ୍ଞାନଧାରୀ ଗୁରୁଜନମାନେ ଏଭଳି ସ୍ଥଳେ ହୁଏତ ବୁଝି ପାରନ୍ତେ ଏ ସବୁ ନିରୀହ କ୍ରୀଡ଼ାକୌତୁକ ମାତ୍ର ନୁହେଁ!
ତେବେ, ଏଭଳି ଦୃଶ୍ୟପଟ ପୃଥିବୀର ସର୍ବତ୍ର ପରିଲକ୍ଷିତ ହେଉଥିବା ବେଳେ ସର୍ବପ୍ରଥମ ଦେଶ ରୂପେ ଅଷ୍ଟ୍ରେଲିଆ ଏକ ଆଇନ ବଳରେ ୧୬ ବର୍ଷ ବୟସରୁ କମ୍ ବୟସ୍କଙ୍କ ସକାଶେ ସାମାଜିକ ଗଣମାଧ୍ୟମ ବ୍ୟବହାରକୁ ନିଷେଧ କରି ଦୃଷ୍ଟାନ୍ତ ସ୍ଥାପନ କରିଛି। ଶୁଣାଯାଏ, ଫ୍ରାନ୍ସ ଓ ଅନ୍ୟାନ୍ୟ କେତେକ ଦେଶ ଏବଂ ଆମ ଦେଶରେ ଆନ୍ଧ୍ରପ୍ରଦେଶ ରାଜ୍ୟ ଏ ଦିଗରେ ଉଦ୍ୟମ ଆରମ୍ଭ କଲେଣି। ଗଲା ବୁଧବାର ରାତିର ଘଟଣା ପରେ ଆମ ଦେଶରେ ଏଭଳି ଏକ ଆଇନ ଆସିବା ଜରୁରି ବୋଲି ଲୋକକ୍ଷେତ୍ରରେ ଚର୍ଚ୍ଚା ଜୋର ଧରିଛି। କିନ୍ତୁ ଭୁଲିଗଲେ ହେବ ନାହିଁ ଯେ ଏଭଳି କୌଣସି ଆଇନ କେବଳ ବାହ୍ୟ ପ୍ରତିବନ୍ଧକ ମାତ୍ର! ଗୃହର ଅଭ୍ୟନ୍ତରରେ ଏହାର ପ୍ରଭାବ ସର୍ବଦା ପ୍ରଶ୍ନାକୁଳ ହୋଇ ରହିବ। ଏଣୁ ଯାହା ପ୍ରକୃତରେ ପ୍ରଭାବଶାଳୀ ହେବ, ତାହା ହେଲା ଗୁରୁଜନମାନଙ୍କ ନେତୃତ୍ବରେ ପରିବାରକୁ ଡିଜିଟାଲ ଆସକ୍ତିର ‘ଇକୋସିଷ୍ଟମ’ରୁ ମୁକ୍ତ ରଖିବା ଦିଗରେ ବିଧିବଦ୍ଧ ଉଦ୍ୟମ। ଶୂନ୍ୟଗର୍ଭା ‘ଭର୍ଚ୍ୟୁଆଲ’ ସଂସାର ଉପରେ ନିବଦ୍ଧ ପିଲାମାନଙ୍କ ଦୃଷ୍ଟିକୁ ସଯତ୍ନ ଓ ସଂବେଦନଶୀଳ ଭାବେ ବାହାରକୁ ଘେନି ଆଣି ବାସ୍ତବ ସଂସାରର ସୌନ୍ଦର୍ଯ୍ୟ ଓ ସୁଯୋଗ ଆଡ଼କୁ ଉନ୍ମୁକ୍ତ କରି ଦେବା। କିନ୍ତୁ ଏଭଳି ଉଦ୍ୟମ ଏବର ଡିଜିଟାଲ ପୃଥିବୀରେ ସ୍ରୋତର ବିପରୀତରେ ସନ୍ତରଣ କଲା ଭଳି ହେବା ସ୍ବାଭାବିକ; ଯାହା ଘୋର ଆହ୍ବାନ ଭରା ହେବ।
ସ୍ମାର୍ଟଫୋନ ସହିତ ମନୁଷ୍ୟର ପ୍ରେମ ସଂପର୍କ ବିଷୟରେ ଚିନ୍ତା କଲେ ଦକ୍ଷିଣ ଆମେରିକୀୟ ଆମାଜନ ବର୍ଷା ବନରେ ପରିଦୃଷ୍ଟ ହେଉଥିବା ଅତିକାୟ ବୁଢ଼ିଆଣି ଟାରାଣ୍ଟୁଲା କଥା ମନକୁ ଆସିଥାଏ। ପୁରୁଷ ଓ ମାଈ ଟାରାଣ୍ଟୁଲାର ମଧ୍ୟରେ ଥିବା ଆକର୍ଷଣ ଓ ମିଳନରେ ପୁରୁଷ ସକାଶେ ରତି ସୁଖ ଲାଭର ପ୍ରତିଶ୍ରୁତି ସହିତ ଥାଏ କିଛି ବୁଝିବା ପୂର୍ବରୁ ତା’ର ସଙ୍ଗିନୀ ଦ୍ବାରା ଉଦରସାତ୍ ହୋଇଯିବାର ଦୁର୍ଭାଗ୍ୟ। ସ୍ମାର୍ଟଫୋନ ସହିତ ମନୁଷ୍ୟର ମିଳନରେ ସେଭଳି କିଛି ଦିଶିଥାଏ କି? ସ୍ମାର୍ଟଫୋନଟି ଆମ ସୁଖ ଓ ସ୍ବାଚ୍ଛନ୍ଦ୍ୟ ଲାଗି ଏକ ସାଧନ ମାତ୍ର ଏବଂ ଏହା ସର୍ବଦା ଆମ ଅକ୍ତିଆରରେ ଅଛି ବୋଲି ଆମ ଧାରଣା ସତ୍ତ୍ବେ ଏହି ମିଳନରେ ଆମେ ତା’ର ଗର୍ଭସାତ୍ ହୋଇ ସାରିଲୁଣି କି? ତେଣୁ ସ୍ମାର୍ଟଫୋନ ଆମର ସଙ୍ଗୀ ନା ଅନ୍ତରଙ୍ଗ ଶତ୍ରୁ ସେ ନେଇ ବିବେଚନା କରିବାର ସମୟ ଉପନୀତ ହେଲାଣି।
ସୌଜନ୍ୟ ସମ୍ବାଦ

