ଏସ.ସି.ବି. ଅଗ୍ନିକାଣ୍ଡ; ଅନେକ ପ୍ରଶ୍ନ
ପ୍ରମୋଦ ଚନ୍ଦ୍ର ପଟ୍ଟନାୟକ (ତୃତୀୟ ସ୍ତମ୍ଭ)
ଏକ ସାଧାରଣ ଦିନରେ ଏସସିବି ମେଡିକାଲ କଲେଜରେ ୧୨ ଜଣ ରୋଗୀଙ୍କ ମୃତ୍ୟୁ ଘଟିବା କେବେ ବି ସ୍ୱାଭାବିକ ନୁହେଁ। ଏହା ଅତ୍ୟନ୍ତ ଦୁଃଖଦ ଏବଂ ସ୍ପଷ୍ଟ ଭାବେ ଏଡ଼ାଯାଇପାରୁଥିବା ଭଳି ଏକ ଘଟଣା। ଏହାର କାରଣ ଇଲେକ୍ଟ୍ରିକାଲ ସର୍ଟ ସର୍କିଟ୍ ଯାହା ଗୁରୁତର ଅବହେଳାର ପ୍ରମାଣ। ରାଜ୍ୟର ପ୍ରମୁଖ ଓ ପୁରାତନ ମେଡିକାଲ ଓ କଲେଜ ଭାବେ ଏହା ଉଦାହରଣୀୟ ହେବାର ଥିଲା। କିନ୍ତୁ, ଦୁର୍ଭାଗ୍ୟବଶତଃ ଆମେ ତାହାର ପୂର୍ଣ୍ଣ ବିପରୀତ ଦୃଶ୍ୟ ଦେଖୁଛୁ।
‘କ୍ଲିନିକାଲ ଏଷ୍ଟାବ୍ଲିସମେଣ୍ଟ’ ଆଇନର ଧାରା ୧୦ ଅନୁଯାୟୀ, ନିବନ୍ଧନ ଓ ପୁନଃନବୀକରଣ ପାଇଁ କିଛି ମୂଳଭୂତ ନିୟମ ପାଳନୀୟ; ଯେମିତି ୨୦୧୭ ପରେ ନିର୍ମିତ ସମସ୍ତ ଭବନ ନେସନାଲ ବିଲ୍ଡିଂ କୋଡ୍-୨୦୦୫ ଅନୁଯାୟୀ ହେବା ଆବଶ୍ୟକ। ଦ୍ବିତୀୟରେ ପର୍ଯ୍ୟାପ୍ତ ଅଗ୍ନି ନିର୍ବାପନ ସାମଗ୍ରୀ ଓ ସୁବିଧା ସହିତ ନିଆଁ ଲିଭା ଗାଡ଼ି ଚାରି ଦିଗରୁ ପହଞ୍ଚି ପାରିବା ଭଳି ବ୍ୟବସ୍ଥା ଥିବା ଦରକାର। ତୃତୀୟରେ ଅପେକ୍ଷା କକ୍ଷ ଓ ସାଧାରଣ ଅଞ୍ଚଳରେ ସି.ସି. କ୍ୟାମେରା ସଚଳ ଅବସ୍ଥାରେ ରହିବା ଆବଶ୍ୟକ। ଚତୁର୍ଥରେ ଚଳତ୍ଶକ୍ତିହୀନ ବା ଶାରୀରିକ ଭାବେ ଅସକ୍ଷମ ବ୍ୟକ୍ତିମାନଙ୍କ ପାଇଁ ସୁବିଧାଜନକ ପ୍ରବେଶ ବ୍ୟବସ୍ଥା ରହିବା ଦରକାର। ଗଲା ୨୦୧୬ ମସିହାରେ ଭୁବନେଶ୍ୱରର ସମ୍ ହାସପାତାଲରେ ଭୟାବହ ଅଗ୍ନିକାଣ୍ଡ ଘଟିଥିଲା। ଏବେ ତାହାର ପୁନରାବୃତ୍ତି ହେଲା। ଏହାର ଅର୍ଥ ଆମେ ଅଭିଜ୍ଞତାରୁ ଶିକ୍ଷା ପାଇ ନ ଥାଉ।
ଏପରି ଘଟଣା ପରେ କିଛି ଲକ୍ଷ ଟଙ୍କା ‘କ୍ଷତିପୂରଣ’ ଭାବେ ଦିଆଯାଏ ଏବଂ କିଛି ଦିନ କିମ୍ବା ମାସ ପରେ ଏହି ଘଟଣାମାନେ ମନରୁ ଲିଭିଯାଏ, ପୁଣି ଥରେ ଏପରି ଘଟଣା ଘଟିବା ପର୍ଯ୍ୟନ୍ତ। ଭାରତର ପ୍ରଶାସନିକ ବ୍ୟବସ୍ଥାରେ ଦାୟିତ୍ୱବୋଧର ଅଭାବ ସ୍ପଷ୍ଟ; ଏହି କାରଣରୁ ଦଣ୍ଡ ବିଧାନ ପ୍ରାୟ ଅନୁପସ୍ଥିତ। ଦେଖାଯାଏ, କେବଳ କ୍ଷତିପୂରଣ ଦେବା ସହିତ ତଦନ୍ତ କମିଟି ଗଠନରେ ଦାୟିତ୍ବ ସରିଯାଏ। ତେଣୁ ଏହି ସଂଦର୍ଭରେ କେତେକ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ପଚରାଯିବାର ଆବଶ୍ୟକତା ଅଛି।
ପ୍ରଥମ ପ୍ରଶ୍ନ, କଟକ ଓ ଭୁବନେଶ୍ୱରରେ ମୋଟ କେତେ ଗୋଟି ‘କ୍ଲିନିକାଲ ଏଷ୍ଟାବ୍ଲିସମେଣ୍ଟ’ ନିୟମାନୁସାରୀ ନିବନ୍ଧିତ ଓ ପୁନଃନବୀକୃତ? ଦ୍ବିତୀୟରେ ସେମାନଙ୍କ ମଧ୍ୟରୁ କେତେ ଗୋଟିରେ ୨୪×୭ ଅଗ୍ନି ନିର୍ବାପନରେ ପ୍ରଶିକ୍ଷିତ କର୍ମଚାରୀଙ୍କ ସହିତ ଦକ୍ଷ ଅଗ୍ନି ନିର୍ବାପନ ବ୍ୟବସ୍ଥା ରହିଛି? ତୃତୀୟରେ, କେତେ ଗୋଟି ସଂସ୍ଥାରେ ଦମକଳ ପାଇଁ ଚାରି ଦିଗରୁ ପ୍ରବେଶ ଓ ପ୍ରସ୍ଥାନ ସୁବିଧା ରହିଛି? ଚତୁର୍ଥରେ ଅଗ୍ନି ସୁରକ୍ଷା ବିଭାଗ ଦ୍ୱାରା ଏପରି ସଂସ୍ଥାମାନଙ୍କର ନିୟମିତ ଯାଞ୍ଚ କରାଯାଏ କି? ପଞ୍ଚମରେ ନିୟମ ଉଲ୍ଲଂଘନ କରିଥିବା କୌଣସି କ୍ଲିନିକାଲ ସଂସ୍ଥା ବିରୋଧରେ କାର୍ଯ୍ୟାନୁଷ୍ଠାନ କରାଯାଇଛି? ଷଷ୍ଠ ହେଲା, ପର୍ଯ୍ୟାପ୍ତ ପାର୍କିଂ ବ୍ୟବସ୍ଥା ବିନା କୌଣସି କ୍ଲିନିକାଲ ଅନୁଷ୍ଠାନ ବା ଡାକ୍ତରଖାନା ସ୍ଥାପନ କରିବାକୁ ଅନୁମତି ଦିଆଯାଉଛି କି? ସପ୍ତମରେ କଟକ ଓ ଭୁବନେଶ୍ୱରରେ କେତେ ଗୋଟି ଏପରି ଭବନ, ନେସନାଲ ବିଲଡିଂ କୋଡ୍-୨୦୦୫ ଅନୁସରଣ କରିନାହାନ୍ତି?
ଏବଂ ଶେଷ ପ୍ରଶ୍ନ ହେଲା ଏହାର ଉତ୍ତର କିଏ ଦେବେ?
ବୋଧହୁଏ କେହି ନୁହେଁ। ଯେଉଁମାନେ ଦାୟୀ, ସେମାନେ ମଧ୍ୟ ନୁହେଁ।
ଅବସରପ୍ରାପ୍ତ ଆଇଏଏସ୍ ଅଧିକାରୀ
ସୌଜନ୍ୟ ସମ୍ବାଦ
