ସମ୍ପାଦକୀୟ

Editorial: ଜଟା ଯନ୍ତ୍ରଣା

ଏଥିରେ ଦ୍ବିରୁକ୍ତିର ଅବକାଶ ନାହିଁ ଯେ ସେଠାରେ ସରକାର ହିଁ ନିଜର ମୌଳିକ ଆଇନଶୃଙ୍ଖଳା ଦାୟିତ୍ବ ନିର୍ବାହ କରିବାରେ ବିଫଳ ‌େହାଇଥିଲେ। ମତଦାତାମାନେ କେବେହେଲେ ସରକାରଙ୍କଠାରୁ ଏଭଳି ବିଫଳତା ଆଶା କରନ୍ତି ନାହିଁ‌; ବିଶେଷକରି ମହିଳା ମତଦାତାମାନେ।

ଏଥିରେ ଦ୍ବିରୁକ୍ତିର ଅବକାଶ ନାହିଁ ଯେ ସେଠାରେ ସରକାର ହିଁ ନିଜର ମୌଳିକ ଆଇନଶୃଙ୍ଖଳା ଦାୟିତ୍ବ ନିର୍ବାହ କରିବାରେ ବିଫଳ ‌େହାଇଥିଲେ। ମତଦାତାମାନେ କେବେହେଲେ ସରକାରଙ୍କଠାରୁ ଏଭଳି ବିଫଳତା ଆଶା କରନ୍ତି ନାହିଁ‌; ବିଶେଷକରି ମହିଳା ମତଦାତାମାନେ। ନୀତୀଶ କୁମାର ବିହାରରେ ଏହା ହୃଦୟଙ୍ଗମ କରି ତଦନୁସାରେ କାର୍ଯ୍ୟ କରି ଚମକପ୍ରଦ ସଫଳତା ହାସଲ କରିଥିଲେ ଓ ବର୍ତ୍ତମାନର ସରକାର ମଧ୍ୟ ହାସଲ କରିଚାଲିଛନ୍ତି। ଓଡ଼ିଶା ସରକାର ତାଙ୍କଠାରୁ ଶିକ୍ଷା ଲାଭ କରିବେ ବୋଲି ଆଶା କରାଯାଏ।

ଏଇ ସମ୍ବାଦପତ୍ରର ୧୮ ‌ନଭେମ୍ବର, ବୁଧବାର ସଂସ୍କରଣର ପାଠକପାଠିକାମାନେ ଏଭଳି ଏକ ବିଡ଼ମ୍ବନାର ସମ୍ମୁଖୀନ ହୋଇ ହତଭମ୍ଭ ହୋଇଯାଇଥିବେ, ଯାହା ଋଷିଙ୍କୁ ନିଜର ଜଟା ଛିଣ୍ଡାଇ ପ୍ରାଣତ୍ୟାଗ କରିବାକୁ ନିଷ୍ପତ୍ତି ନେବା ପାଇଁ ପ୍ରବୃତ୍ତ କଲାଭଳି ଥିଲା କହିଲେ ଅତିରଞ୍ଜନ ହେବ ନାହିଁ। ସେଦିନ ସେମାନେ ସମ୍ବାଦପତ୍ରର ଦ୍ବିତୀୟ ପୃଷ୍ଠାରେ ସ୍ତମ୍ଭକାର ଛନ୍ଦା ମିଶ୍ରଙ୍କର ଏକ ଅତ୍ୟନ୍ତ ପ୍ରଭାବଶାଳୀ ତଥା ଅ‌ାବେଗପୂର୍ଣ୍ଣ ରଚନା ‘ଅସାଧୁ ମଦ ବେପାରୀ?’ରେ ଲେଖିକା କରିଥିବା ଏକ ହତାଶାଭରା ଅଭିଯୋଗ ପାଠ କଲେ: ‘‘ଦୋଷ ଦେବା କାହାକୁ? ମଦମୁକ୍ତ ଓଡ଼ିଶା ସମ୍ଭବ କରିବେ ବୋଲି ପ୍ରତିଶ୍ରୁତି ଦେଇ ନିର୍ବାଚନ ଜିଣିଥିବା ସରକାର ଓଡ଼ିଶାକୁ ମଦମଗ୍ନ କରିବାରେ ଲାଗିଛନ୍ତି। ଗଁା ଗଁାରେ, ଗଳିକନ୍ଦିରେ ମଦ‌ ଦୋକାନ।’’ ତା’ ପରେ ସେଇ ପାଠକପାଠିକାମାନେ ଯେତେବେଳେ ଆଉ ଚାରି ପୃଷ୍ଠା ଆଗେଇ ଯାଇ ଷଷ୍ଠ ପୃଷ୍ଠାରେ ପହଞ୍ଚିଲେ, ସେଠାରେ ବଡ଼ବଡ଼ ହରପରେ ଛାପା ହୋଇଥିବା ଯେଉଁ ପ୍ରଥମ ଖବର ସେମାନଙ୍କ ଦୃଷ୍ଟି ଆକର୍ଷଣ କଲା, ତାହା ହେଲା: ‘‘‘ନିଶାମୁକ୍ତ ଓଡ଼ିଶା’ ପାଇଁ ବଜ୍ର ଶପଥ: ମୁଖ୍ୟମନ୍ତ୍ରୀ’’। କୌଣସି ବି ଋଷି ଏହାକୁ ପଢ଼ିବା ପରେ ନିଜର ପବିତ୍ର ଜଟାକୁ ଆଉ ଅକ୍ଷୁଣ୍ଣ ରଖି ଜୀବିତ ରହିବାକୁ ଚାହିଁବେ କି?
ଓଡ଼ିଶାରେ ମଦବିରୋଧୀ ଅଭିଯାନ ଦୀର୍ଘ ଦିନ ଧରି ଚାଲିଆସିଥିଲେ ହେଁ, ନା ପୂର୍ବର ସରକାର, ନା ବର୍ତ୍ତମାନର ସରକାର- କେହିହେଲେ ସେଥିପ୍ରତି କର୍ଣ୍ଣପାତ କରିନାହାନ୍ତି କି କରୁନାହାନ୍ତି। ମଦର ପ୍ରସାର ବିରୁଦ୍ଧରେ ବିଗତ ଦିନମାନଙ୍କରେ ଏଇ ସମ୍ବାଦପତ୍ର ସମେତ ବିଭିନ୍ନ ମଞ୍ଚ, ସଂଗଠନ ଆଦି ଦ୍ବାରା ଏତେସବୁ ବଳିଷ୍ଠ ତଥା ଅକାଟ୍ୟ ଯୁକ୍ତିମାନ ଉପସ୍ଥାପିତ କରାହୋଇ ଆସିଛି ଯେ ସେଥିରେ ଆଉ କୌଣସି ନୂତନ ଯୁକ୍ତି ଯୋଗ କରିବାର ଅବକାଶ ନାହିଁ କହିଲେ ଭୁଲ୍ ହେବ ନାହିଁ। ତଥାପି ଛନ୍ଦା ମିଶ୍ରଙ୍କ ଦ୍ବାରା ଉତ୍‌ଥାପିତ ପ୍ରସଙ୍ଗମାନ ପରିପ୍ରେକ୍ଷୀରେ ଏହା ଉପରେ ପୁନରାୟ ଏକ ସଂକ୍ଷିପ୍ତ ଦୃଷ୍ଟି ନିକ୍ଷେପର ଆବଶ୍ୟକତା ଥିବା ଭଳି ମନେହୁଏ।
ସୁଶ୍ରୀ ମିଶ୍ର ତାଙ୍କର ଆଲେଖ୍ୟରେ କହିଛନ୍ତି ଯେ ଆମ ରାଜ୍ୟରେ ଏକ ଯେଉଁ ମଦବିରୋଧୀ ଅଭିଯାନ ଓ ଆନ୍ଦୋଳନ ଚାଲିଛି, ଅନେକ ସ୍ଥାନରେ ମହିଳାମାନେ ତା’ର ନେତୃତ୍ବ ନେବା ଦେଖାଯାଉଛି। ଏଥିରେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ; କାରଣ ସେ ତାଙ୍କର ଆଲୋଚନାରେ ଦର୍ଶାଇଥିବା ଭଳି ପୁରୁଷମାନଙ୍କ ମଦ୍ୟପାନ ଦ୍ବାରା ସର୍ବାଧିକ କ୍ଷତିଗ୍ରସ୍ତ ହୋଇଥାନ୍ତି ମହିଳାମାନେ। ଏଇ କାରଣରୁ କେବଳ ଓଡ଼ିଶା ନୁହେଁ, କିମ୍ବା ବିହାର ନୁହେଁ, କିମ୍ବା ଭାରତ ନୁହେଁ, ଅତୀତରେ ଆମେରିକାରେ ଏକଦା ଯେଉଁ ମଦବିରୋଧୀ ଆନ୍ଦୋଳନର ଚାପ ନିକଟରେ ମୁଣ୍ଡ ନୁଅଁାଇ ସେ ଦେଶର ସରକାର ଶେଷରେ ସେଠାରେ ସଂପୂର୍ଣ୍ଣ ନିଶା ନିବାରଣ କାର୍ଯ୍ୟକାରୀ କରିବାକୁ ବାଧ୍ୟ ହୋଇଥିଲେ, ତାହାର ପୁରୋଭାଗରେ ମଧ୍ୟ ଥିଲେ ମହିଳାମାନେ, ଯେଉଁମାନଙ୍କର ନାମ ଚିର ଦିନ ପାଇଁ ଇତିହାସରେ ଲିପିବଦ୍ଧ ହୋଇ ରହିଛି।
ତାତ୍ପର୍ଯ୍ୟପୂର୍ଣ୍ଣ ଭାବରେ ମହିଳାମାନଙ୍କ ମଙ୍ଗଳ ପାଇଁ ନିଶା ନିବାରଣ କିପରି ମୌଳିକ ଗୁରୁତ୍ବ ବହନ କରିଥାଏ, ତାହାର ପ୍ରମାଣ ସ୍ବରୂପ ଆମେରିକାରେ ସେତେବେଳେ ମହିଳାମାନେ ଚଳାଇଥିବା ମଦବିରୋଧୀ ଆନ୍ଦୋଳନ ଥିଲା ଏକ ଯୁଗ୍ମ ଆନ୍ଦୋଳନର ଅଂଶ। ଏଇ ଅନ୍ୟ ଆନ୍ଦୋଳନଟି ଥିଲା ଭୋଟ ଦେବାର ଅଧିକାର ପାଇବା ପାଇଁ ମହିଳାମାନେ ଚଳାଇଥିବା ଆନ୍ଦୋଳନ। ଯେଉଁ ଦୁଇ ଜଣ ମହିଳା ସେ ସମୟରେ ଉଭୟ ଆନ୍ଦୋଳନକୁ ନେତୃତ୍ବ ପ୍ରଦାନ କରି ପ୍ରସିଦ୍ଧି ଲାଭ କରିଥିଲେ, ସେମାନେ ହେଲେ ସୁସାନ ବି. ଆନ୍ଥୋନି ଓ ଏଲିଜାବେଥ କ୍ୟାଡି ଷ୍ଟାଣ୍ଟନ। ଏହାର ଏକ ଉଦାହରଣ ସ୍ବରୂପ ସେମାନେ ମିଳିତ ଭାବରେ ୧୮୫୨ରେ ଏକ ପ୍ରମୁଖ ମଦ୍ୟପାନବିରୋଧୀ ଅନୁଷ୍ଠାନ ‘ଓମ୍ୟାନ୍‌’ସ ନିଉୟର୍କ ଷ୍ଟେଟ ଟେମ୍ପରାନ୍‌ସ ସୋସାଇଟି’ ଏବଂ ୧୮୬୯ରେ ମହିଳାମାନଙ୍କ ପାଇଁ ଭୋଟ ଦେବା ଅଧିକାର ହାସଲ ଲାଗି କାର୍ଯ୍ୟ କରିବା ନିମିତ୍ତ ଉଦ୍ଦିଷ୍ଟ ସଂଗଠନ ‘ନେସନାଲ ଓମ୍ୟାନ ସଫ୍ରେଜ ଆସୋସିଏସନ’ ସ୍ଥାପନ କରିଥିଲେ। ଉଭୟ ଆନ୍ଦୋଳନକୁ ନେତୃତ୍ବ ପ୍ରଦାନ କରିଥିବା ଅନ୍ୟ ଜଣେ ପ୍ରସିଦ୍ଧ ମହିଳା ଥିଲେ ଫ୍ରାନ୍‌ସେସ ଏଲିଜାବେଥ ୱିଲାର୍ଡ, ଯିଏ ଦୀର୍ଘ କାଳ ଧରି ନିଶା ନିବାରଣ ଅଭିଯାନର ପୁରୋଭାଗରେ କାର୍ଯ୍ୟ କରୁଥିବା ମହିଳା ସଂଗଠନ ‘ଦି ଓମ୍ୟାନ୍‌’ସ ଖ୍ରୀଷ୍ଟିଆନ ଟେମ୍ପରାନ୍‌ସ ୟୁନିଅନ’ (‘ଡବ୍ଲ୍ୟୁସିଟିୟୁ’)ର ସଭାନେତ୍ରୀ ରୂପେ ଦାୟିତ୍ବ ନିର୍ବାହ କରିଥିଲେ।
ଭୋଟଦାନ ଅଧିକାର ହାସଲ ପାଇଁ ଦାବି ସହିତ ନିଶା ନିବାରଣକୁ ନାରୀ-ଅଧିକାର ବା ନାରୀ-ମୁକ୍ତି ଆନ୍ଦୋଳନର ଅଂଶରେ ପରିଣତ କରାଯିବାର କାରଣ ହେଲା- ମଦ୍ୟପ ପୁରୁଷମାନଙ୍କ ଦ୍ବାରା ପରିବାରର ଆର୍ଥିକ ସମ୍ବଳକୁ ନିଃଶେଷ ହେବାରୁ ରକ୍ଷା କରିବା ଏବଂ ସେମାନଙ୍କର ପତ୍ନୀ ଓ ସନ୍ତାନସନ୍ତତିମାନଙ୍କୁ ସେମାନଙ୍କ ଦ୍ବାରା ପ୍ରଦତ୍ତ ଦୈହିକ ନିର୍ଯାତନାରୁ ସୁରକ୍ଷିତ ରଖିବା। ଏଥିରୁ ଯାହା ସ୍ପଷ୍ଟ ହୋଇଥାଏ, ତାହା ହେଲା, ଏଇ ବୁଦ୍ଧିମତୀ, ସାହସୀ ମହିଳାମାନେ ଦର୍ଶାଇବାକୁ ଚାହିଁଥିଲେ ଯେ ମଦ୍ୟପ ପୁରୁଷମାନଙ୍କର ଅତ୍ୟାଚାରରୁ ମୁକ୍ତି ବିନା କେବଳ ଭୋଟଦାନର ଅଧିକାର ପ୍ରାପ୍ତ ହେବା ଦ୍ବାରା ନାରୀ-ମୁକ୍ତି ସଂପୂର୍ଣ୍ଣ ହୋଇ ନ ଥାଏ।
ଆନ୍ଦୋଳନକାରିଣୀମାନଙ୍କର ଏଇ ଯୁକ୍ତିକୁ ଗ୍ରହଣ କଲାଭଳି ଅବଶେଷରେ ଯଥାକ୍ରମେ ସେ ଦେଶର ସଂବିଧାନର ଅଷ୍ଟାଦଶ ଓ ଊନବିଂଶତମ ସଂଶୋଧନ ଦ୍ବାରା ୧୯୨୦ରେ ଆମେରିକାରେ ସଂପୂର୍ଣ୍ଣ ନିଶା ନିବାରଣ ସହିତ ମହିଳାମାନଙ୍କୁ ଭୋଟ ଦେବାର ଅଧିକାର ପ୍ରଦାନ ବଳବତ୍ତର ହେଲା। ଯଦି ଏଇ ଯୁକ୍ତିକୁ ଗ୍ରହଣ କରାଯାଏ, ତେବେ ଛନ୍ଦା ମିଶ୍ର ଏଠାରେ ମହିଳାମାନେ ସେମାନଙ୍କର ମଦ୍ୟପ ସ୍ବାମୀ, ପୁତ୍ର ଆଦିଙ୍କ ଦ୍ବାରା ସମ୍ମୁଖୀନ ହେଉଥିବା ଅତ୍ୟାଚାରର ଯେଉଁ ଚିତ୍ର ପ୍ରଦାନ କରିଛନ୍ତି, ସେଥିରୁ ସାବ୍ୟସ୍ତ ହୋଇଥାଏ ଯେ ଓଡ଼ିଶାରେ ମହିଳାମାନେ ଭୋଟ ଦେବାର ଅଧିକାର ଉପଭୋଗ କରୁଥିଲେ ହେଁ, ମଦ୍ୟପ ଆତଙ୍କ ଯୋଗୁଁ ସେମାନେ ନିଜକୁ ସଂପୂର୍ଣ୍ଣ ମୁକ୍ତ ବୋଲି ଅନୁଭବ କରୁନାହାନ୍ତି। ଛନ୍ଦାଙ୍କର ସ୍ବର ତେଣୁ ସୁସାନ ଆନ୍ଥୋନି କିମ୍ବା ଏଲିଜାବେଥ ଷ୍ଟାଣ୍ଟନ କିମ୍ବା ଫ୍ରାନ୍‌ସେସ ୱିଲାର୍ଡଙ୍କର ସ୍ବରର ପ୍ରତିଧ୍ବନି ଭଳି ପ୍ରତୀୟମାନ ହୋଇଥାଏ।
ତେବେ ଆମେରିକାରେ ନିଶା ନିବାରଣର ଏଇ ଉଦାହରଣ ଉପସ୍ଥାପନ କରିବା ମାତ୍ରେ ନିଶା ନିବାରଣ ନୀତିର ବିରୋଧୀମାନେ ତତ୍‌କ୍ଷଣାତ ପ୍ରତି-ଆକ୍ରମଣ ଆରମ୍ଭ କରିଦେଇ ଯେଉଁଥିପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରିଥାନ୍ତି, ତାହା ହେଲା- ଏଇ ନୀତିର ବିଫଳତାର ପ୍ରମାଣ ସ୍ବରୂପ ଏହା କାର୍ଯ୍ୟକାରୀ ହେବାର ୧୩ ବର୍ଷ ପରେ ସେ ଦେଶର ସରକାର ଏହାକୁ ପ୍ରତ୍ୟାହାର କରିବାକୁ ବାଧ୍ୟ ହୋଇଥିଲେ। ସଂବିଧାନର ଏକବିଂଶତମ ସଂଶୋଧନ ଘଟାଯାଇ ନିଶା ନିବାରଣ ନୀତିକୁ କାର୍ଯ୍ୟକାରୀ କରିଥିବା ଉପ‌େରାକ୍ତ ଅଷ୍ଟାଦଶତମ ସଂଶୋଧନକୁ ନାକଚ କରି ଦିଆଯାଇଥିଲା। ସରକାର ଏପରି ପଛଘୁଞ୍ଚା ଦେବାର କାରଣ ହେଲା ନିଶା ନିବାରଣ କାର୍ଯ୍ୟକାରୀ କରାଯିବା ପରେ ଆବିର୍ଭୂତ ହୋଇଥିବା ଚୋରା ମଦ କାରବାର ଓ ତତ୍‌ସଂପର୍କିତ ସଂଗଠିତ ଅପରାଧକୁ ନିୟନ୍ତ୍ରଣ କରିବାରେ ସରକାରଙ୍କର ବିଫଳତା।
ଏଠାରେ ସ୍ବାଭାବିକ ଭାବରେ ପ୍ରଶ୍ନ ଉଠେ: ବିଫଳତା ତା’ହେଲେ କାହାର ଥିଲା?, ନିଶା ନିବାରଣ ନୀତିର ନା ସରକାରଙ୍କର? ଏଥିରେ ଦ୍ବିରୁକ୍ତିର ଅବକାଶ ନାହିଁ ଯେ ସେଠାରେ ସରକାର ହିଁ ନିଜର ମୌଳିକ ଆଇନଶୃଙ୍ଖଳା ଦାୟିତ୍ବ ନିର୍ବାହ କରିବାରେ ବିଫଳ ‌େହାଇଥିଲେ। ମତଦାତାମାନେ କେବେହେଲେ ସରକାରଙ୍କଠାରୁ ଏଭଳି ବିଫଳତା ଆଶା କରନ୍ତି ନାହିଁ‌; ବିଶେଷକରି ମହିଳା ମତଦାତାମାନେ। ନୀତୀଶ କୁମାର ବିହାରରେ ଏହା ହୃଦୟଙ୍ଗମ କରି ତଦନୁସାରେ କାର୍ଯ୍ୟ କରି ଚମକପ୍ରଦ ସଫଳତା ହାସଲ କରିଥିଲେ ଓ ବର୍ତ୍ତମାନର ସରକାର ମଧ୍ୟ ହାସଲ କରିଚାଲିଛନ୍ତି। ଓଡ଼ିଶା ସରକାର ତାଙ୍କଠାରୁ ଶିକ୍ଷା ଲାଭ କରିବେ ବୋଲି ଆଶା କରାଯାଏ।

 

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button