Editorial: ତେଜସର ତେଜ!

ସାମରିକ ସରଂଜାମର ବୈଷୟିକ ଦୁର୍ବଳତା ସତ୍ତ୍ବେ ଭାରତୀୟ ‌ସୈନିକମାନଙ୍କ ସାମର୍ଥ୍ୟ ଅତିକ୍ରମୀ ପ୍ରଦର୍ଶନର ପରାକାଷ୍ଠା ବିରଳ ଦୃଷ୍ଟାନ୍ତମାନ ସ୍ଥାପନ କରିଛି; ଯେମିତି ଘଟିଥିଲା ୧୯୭୧ ମସିହା ଯୁଦ୍ଧରେ, ଯେତେବେଳେ ବୟସୋତ୍ତୀର୍ଣ୍ଣ ଜରାଗ୍ରସ୍ତ....

ସାମରିକ ସରଂଜାମର ବୈଷୟିକ ଦୁର୍ବଳତା ସତ୍ତ୍ବେ ଭାରତୀୟ ‌ସୈନିକମାନଙ୍କ ସାମର୍ଥ୍ୟ ଅତିକ୍ରମୀ ପ୍ରଦର୍ଶନର ପରାକାଷ୍ଠା ବିରଳ ଦୃଷ୍ଟାନ୍ତମାନ ସ୍ଥାପନ କରିଛି; ଯେମିତି ଘଟିଥିଲା ୧୯୭୧ ମସିହା ଯୁଦ୍ଧରେ, ଯେତେବେଳେ ବୟସୋତ୍ତୀର୍ଣ୍ଣ ଜରାଗ୍ରସ୍ତ ‘କାନବେରା ବୋମ୍ବର’ ବିମାନକୁ ବିପଜ୍ଜନକ ଭାବେ ନୀଚା ସ୍ତରରେ ଉଡ଼ାଇ, ରାଡାରର ଦୃଷ୍ଟି ଆଢୁଆଳରେ ରଖି, କରାଚୀର ତୈଳ ଲାଇନକୁ ବିଧ୍ବସ୍ତ କରି ଦେଇ ପାକିସ୍ତାନ ସେନାକୁ ହୀନବୀର୍ଯ୍ୟ କରି ଦିଆଯାଇଥିଲା।

ଗଲା ୭ ତାରିଖରେ ଭାରତୀୟ ବାୟୁ ସେନାର ଗୋଟିଏ ତେଜସ ଲଢୁଆ ବିମାନ, ଦୈନନ୍ଦିନ ଅଭ୍ୟାସ ଉଡ଼ାଣ ସାରି, ଅବତରଣ କଲା ବେଳେ ରନ୍‌ୱେ ଅତିକ୍ରମ କରି ଯାଇ ଦୁର୍ଘଟଣାଗ୍ରସ୍ତ ହେବା ପରେ ବିମାନ ବାହିନୀ ପକ୍ଷରୁ ସମସ୍ତ ୩୫ଟି ଯାକ ତେଜସ ବିମାନକୁ ଆପାତତଃ ‘ଗ୍ରାଉଣ୍ଡେଡ୍‌’ ବା ଧରାବନ୍ଦୀ କରି ଦିଆଯାଇଛି। ଯଦିଓ, ନିରାପତ୍ତା ଦୃଷ୍ଟିରୁ ବିମାନଗୁଡ଼ିକର ଅଧିକ ପରଖ ସକାଶେ ଏଭଳି କରାଯିବାରେ କୌଣସି ଅସ୍ବାଭାବିକତା ନ ଥାଏ, କିନ୍ତୁ ଉଦ୍‌ବେଗର ବିଷୟ ହେଲା ଏହା ପରେ ପରେ ଫ୍ରାନ୍‌ସ ଠାରୁ ୧୧୪ଟି ରାଫେଲ ବିମାନ ଖର୍ଦ୍ଦି ସକାଶେ ୩ ଲକ୍ଷ କୋଟିରୁ ଅଧିକ ମୂଲ୍ୟର ଏକ ଅତ୍ୟନ୍ତ ବିଶାଳ ଚୁକ୍ତିର ସଂପାଦନ ଏବଂ ରୁଷିଆ ଠାରୁ ପଞ୍ଚମ ପିଢ଼ିର ‘ଷ୍ଟେଲ୍‌ଥ ଫାଇଟର’ ବା ‘ଆତ୍ମଗୋପନକ୍ଷମ ଲଢୁଆ ବିମାନ’ ସୁଖୋଇ ଏସ୍.ୟୁ.-୫୭ କ୍ରୟ କରିବାର ପ୍ରୟାସରୁ ଏକ ଆତୁରତା ଦିଶିଯାଏ, ଯହିଁରୁ ପ୍ରଶ୍ନ ଉଠିଥାଏ ଯେ ଆକାଶମାର୍ଗୀ ପରାକ୍ରମ ପ୍ରଦର୍ଶନରେ ଭାରତ ତାର ଦୁଇ ଶତ୍ରୁଭାବାପନ୍ନ ପଡ଼ୋଶୀଙ୍କ ଠାରୁ ପଛରେ ପଡ଼ିଯିବାର ସମ୍ଭାବନା ସୃଷ୍ଟି ହେଲାଣି କି? ତେଜସର ତେଜ ସନ୍ଦିଗ୍‌ଧ ହୋଇ ପଡ଼ିଥିବା ବେଳେ ବାୟୁ ଶକ୍ତି ଆହରଣରେ ପର-ନିର୍ଭରଶୀଳତା ଭାରତ ସକାଶେ ଏକ ଭାବମୂର୍ତ୍ତିଗତ ସଂକଟ ସୃଷ୍ଟି କଲାଣି କି?
ପ୍ରକାଶ ଥାଉ କି ଗଲା ଦୁଇ ବର୍ଷ ଭିତରେ ଉପରୋକ୍ତ ଘଟଣାକୁ ମିଶାଇ ତିନିଟି ତେଜସ ବିମାନ ଦୁର୍ଘଟଣାଗ୍ରସ୍ତ ହେଲେଣି; ଗୋଟିଏ ରାଜସ୍ଥାନର ଜୟସାଲମର ନିକଟରେ (୨୦୨୪) ଏବଂ ଦ୍ବିତୀୟଟି ଗଲା ନଭେମ୍ବର ୨୧ ତାରିଖରେ, ଦୁବାଇରେ ଆୟାଜିତ ବହୁଳ ପ୍ରଚାରିତ ଓ ପ୍ରସାରିତ ‘ଏୟାର ସୋ’ କାର୍ଯ୍ୟକ୍ରମରେ, ଯଦ୍ଦ୍ବାରା ଭାରତୀୟ ବାୟୁସେନା ତା’ର ଜଣେ ସୁଦକ୍ଷ ଓ ଅଭିଜ୍ଞ ପାଇଲଟଙ୍କୁ ମଧ୍ୟ ହରାଇଛି। କିନ୍ତୁ, ଅବସୋସର ବିଷୟ, ଏ ଯାବତ୍‌ ଦୁର୍ଘଟଣାର କାରଣ ସମ୍ବନ୍ଧୀୟ କୌଣସି ତଥ୍ୟ ପ୍ରକାଶ୍ୟ ହୋଇନାହିଁ। ସଦ୍ୟତମ ଘଟଣା ସଂଦର୍ଭରେ ତେଜସର ନିର୍ମାତା କଂପାନି ‘ହାଲ’ (ହିନ୍ଦୁସ୍ଥାନ ଏରୋନଟିକ୍‌ସ ଲିମିଟେଡ୍‌) ପକ୍ଷରୁ ଦର୍ଶା ଯାଇଛି ଯେ ଏହା ଏକ ପ୍ରଯୁକ୍ତିଗତ ତ୍ରୁଟି ମାତ୍ର; ନୋହିଲେ ତେଜସ ହେଉଛି ପୃଥିବୀର ସର୍ବାଧିକ ସୁରକ୍ଷିତ ଲଢୁଆ ବିମାନ ପର୍ଯ୍ୟାୟର! ତେବେ, ତେଜସର ଉତ୍କର୍ଷ ନେଇ ପ୍ରଶ୍ନ ତୁଳନାରେ ଯାହା ଭାରତୀୟ ବାୟୁ ସେନା ସକାଶେ ଅଧିକ ଚିନ୍ତାର କାରଣ ହୋଇଥାଏ, ତାହା ହେଲା ଲଢୁଆ ବିମ‌ାନର ଉତ୍କଟ ଅଭାବ ଏବଂ ସେହି ପରିପ୍ରେକ୍ଷୀରେ ତେଜସ ଯୋଗାଣ କ୍ଷେତ୍ରରେ ‘ହାଲ’ ପକ୍ଷରୁ ପ୍ରଦର୍ଶିତ ମାତ୍ରାତିରିକ୍ତ ବିଳମ୍ବ; ଯାହା ଗଲା ବର୍ଷ ବିମାନ ବାହିନୀର ମୁଖ୍ୟ ଏୟାର ଚିଫ ମାର୍ସାଲ ଅମର ପ୍ରୀତ ସିଂହଙ୍କ ଦ୍ବାରା କଟୁ ସମାଲୋଚନାର ଶରବ୍ୟ ମଧ୍ୟ ହୋଇଥିଲା। ପ୍ରକାଶ ଥାଉ କି ଭାରତୀୟ ବାୟୁ ସେନା ଲାଗି ୪୧ଟି ସ୍କ୍ବାଡ୍ରନର ଆବଶ୍ୟକତା ଥିବା ବେଳେ ଅଛି ମାତ୍ର ୨୭ଟି ସ୍କ୍ବାଡ୍ରନ। ଏଭଳି ସ୍ଥିତିରେ, ସଂପ୍ରତି କାର୍ଯ୍ୟକ୍ଷମ ଥିବା ତେଜସ ଏମ.କେ.ର ଏକ ଉନ୍ନତ ସଂସ୍କରଣ ତେଜସ ଏମ.କେ.-୧ଏ ସିରିଜ ଅନ୍ତର୍ଗତ ୧୮୦ଟି ବିମାନକୁ ୨୦୨୪ ମସିହା ଫେବ୍ରୁଆରି ମାସ ସୁଦ୍ଧା ଯୋଗାଇ ଦେବାକୁ ‘ହାଲ’ ଚୁକ୍ତି ଆବଦ୍ଧ ହୋଇଥିଲେ ହେଁ ଚଳିତ ବର୍ଷ ଅର୍ଥାତ୍‌ ୨୦୨୬ ମସିହା, ମାର୍ଚ୍ଚ ମାସ ସୁଦ୍ଧା ପ୍ରତିଶ୍ରୁତି ପୂରଣର ସମ୍ଭାବନା କ୍ଷୀଣ। ଏଠାରେ ଉଲ୍ଲେଖଯୋଗ୍ୟ ଯେ ୨୦୧୦ ମସିହାରେ ୪୦ଟି ତେଜସ ଏମ.କେ. ବିମାନ ଯୋଗାଇ ଦେବାର ପ୍ରତିଶ୍ରୁତି ‘ହାଲ’ ପୂରଣ କରିଥିଲା ୨୦୧୬ ମସିହାରେ। ସୁତରାଂ, ତେଜସର ଅତି ମନ୍ଥର ଉତ୍ପାଦନ ଓ ଯୋଗାଣ ଏବଂ ସନ୍ଦେହାସ୍ପଦ ପ୍ରଦର୍ଶନ ପରିପ୍ରେକ୍ଷୀରେ ତୁରନ୍ତ କିଛି ରାଫେଲ ଏବଂ ଏସ.ୟୁ.-୫୭ କ୍ରୟ କରିବାର ବାଧ୍ୟବାଧକତା ସୃଷ୍ଟି ହୋଇଥିବ। ଫ୍ରାନ୍‌ସ ସହିତ ସଂପାଦିତ ଚୁକ୍ତି ଅନୁଯାୟୀ ପ୍ରଥମ ୧୮ଟି ବିମାନ ସଂପୂର୍ଣ୍ଣ ନିର୍ମିତ ହୋଇ ବାୟୁ ସେନାର ହସ୍ତଗତ ହେବା ପରେ ଅବଶିଷ୍ଟ ୯୬ଟି ଭାରତ (ଘରୋଇ କଂପାନି ଟାଟା ଆଡଭାନ୍‌ସ୍‌ଡ ସିଷ୍ଟମ) ଓ ଫ୍ରାନସ (ଡେସଲ୍‌ଟ)ର ମିଳିତ ଉଦ୍ୟମରେ ଭାରତରେ ବିକଶିତ ହେବ। ଏହା ଏକ ଅଭିନନ୍ଦନୀୟ ରାଜିନାମା ଭଳି ଦିଶୁଥିଲେ ହେଁ ଫରାସୀ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁଯାୟୀ ଡେସଲ୍‌ଟ କଂପାନି ତା’ ଗବେଷଣା ସଂଭୂତ ‘ସୋର୍ସ କୋଡ୍‌’କୁ ଭାରତକୁ ହସ୍ତାନ୍ତର କରିବ ନାହିଁ; ଫଳରେ ଭାରତୀୟ ବାୟୁ ସେନାର ଆବଶ୍ୟକତା ଅନୁଯାୟୀ କେତେକ ପ୍ରୟୋଗ ସାବଲୀଳ ନ ହେବାର ଆଶଙ୍କା ରହିଛି। ସେହି ଭଳି ଏଠାରେ ପ୍ରଣିଧାନଯୋଗ୍ୟ ଯେ ଏସ.ୟୁ.-୫୭ର କ୍ରୟ ଓ ଭାରତରେ ତାହାର ବିକାଶ ନେଇ ଏକ ଚୁକ୍ତି ଆଜିକୁ ୧୯ ବର୍ଷ ତଳେ ଅର୍ଥାତ୍‌ ୨୦୦୭ ମସିହାରେ (ୟୁପିଏ ଅମଳରେ) ସଂପାଦିତ ହୋଇଥିବା ସତ୍ତ୍ବେ ଅନେକ ବର୍ଷ ଯାଏ ଶୀତଳ ଭଣ୍ଡାରରେ ପଡ଼ି ରହି ପରିଶେଷରେ ୨୦୧୮ ମସିହାରେ ରଦ୍ଦ ହୋଇଯାଇଥିଲା। ଏବେ ପୁନର୍ବାର ଏସ.ୟୁ.-୫୭ର ଖର୍ଦ୍ଦି ନେଇ ଆଗ୍ରହରୁ ସଂକେତ ମିଳିଥାଏ ଯେ କୌଣସି ସମକକ୍ଷ ନୂତନ ବିମାନର ଅନ୍ବେଷଣ, ତାକୁ କ୍ରୟ କରିବା ଲାଗି ଚୁକ୍ତି ସ୍ବାକ୍ଷର ଏବଂ ପରିଶେଷରେ ସେ ସବୁର ଆହରଣ ଭଳି ପ୍ରକରଣ ଲାଗି ଆବଶ୍ୟକ ସମୟ ଓ ପସନ୍ଦର ବିଳାସ ଭାରତ ନିକଟରେ ହୁଏତ ନାହିଁ।

ତେବେ, ସହସା ଏଭଳି ବ୍ୟାକୁଳତା କାହିଁକି? କାରଣଟି ନିହିତ ଅଛି ଚୀନ ପକ୍ଷରୁ ପାକିସ୍ତାନକୁ ପଞ୍ଚମ ପିଢ଼ିର ଅତ୍ୟାଧୁନିକ ‘ଷ୍ଟେଲ୍‌ଥ ଫାଇଟର’ (ଜେ-୨୦) ଯୋଗାଇ ଦେବାର ଉଦ୍ୟମ। ଭାରତ ନିକଟରେ ଗୋଟିଏ ହେଲେ ପଞ୍ଚମ ପିଢ଼ିର ଲଢୁଆ ବିମାନ ବା ‘ଷ୍ଟେଲ୍‌ଥ ପାଇଟର’ ନ ଥିବାରୁ ଏହା ଏକ ସାମର୍ଥ୍ୟ-ଅସମାନୁପାତିକତା ସୃଷ୍ଟି କରିବ, ଯାହାର ଅଂଶିକ ଭରଣା ହୁଏତ ଏସ.ୟୁ.-୫୭ରୁ ସମ୍ଭବ। କିନ୍ତୁ ଅନେକ ବିଶେଷଜ୍ଞ ସଂସ୍ଥା ଏସ.ୟୁ.-୫୭କୁ ପଞ୍ଚମ ପିଢ଼ିର ମାନ୍ୟତା ନ ଦେଇ ୪.୫ ପିଢ଼ିର ବୋଲି ଦର୍ଶାନ୍ତି। ଏ କ୍ଷେତ୍ରରେ ଏକ ବିଡ଼ମ୍ବନା ହେଲା, ସଂପ୍ରତି ଚୀନ ଷଷ୍ଠ ପିଢ଼ିର ଲଢୁଆ ବିମାନ ବିକଶିତ କରି ସାରିଥିଲେ ହେଁ ଭାରତର ସାମରିକ ଗବେଷଣା ସଂସ୍ଥା ‘ଡି.ଆର.ଡି.ଓ.’ ଦ୍ବାରା ଲଢୁଆ ବିମାନର ଇଂଜିନ ମଧ୍ୟ ବିକଶିତ କରାଯାଇପାରିନାହିଁ; ଯଦିଓ ଏଥି ଲାଗି ଉଚ୍ଚାଭିଳାଷୀ ‘କାବେରୀ’ ପ୍ରକଳ୍ପରେ ଦୁଇ ଦଶନ୍ଧିର ସମୟ ଓ ୨୦୦୦ କୋଟି ଟଙ୍କାର ବ୍ୟୟ କରାଯାଇସାରିଲାଣି। ତେଜସ ଯୋ‌ଗାଣରେ ବିଳମ୍ବ ଲାଗି ‘ହାଲ’ ପକ୍ଷରୁ ଦର୍ଶା ଯାଇଥିବା କାରଣଟି ହେଲା ‘ଜି.ଇ.’ କଂପାନି ଦ୍ବାରା ଇଂଜିନ (ଜି.ଇ.ଏଫ.୪୦୪) ଯୋଗାଣରେ ଅନିୟମିତତା। କେବଳ ସେତିକି ନୁହେଁ, ପଞ୍ଚମ ପିଢ଼ିର ଲଢୁଆ ବିମାନ ନିର୍ମାଣରେ ନିୟୋଜିତ ‘ଆମ୍‌କା’ ପ୍ରକଳ୍ପ ତା’ କାର୍ଯ୍ୟର ଅଗ୍ରଗତିରେ ଗୋଟିଏ ଦଶନ୍ଧି ପଛରେ ରହିଛି। ଏଭଳି ସ୍ଥିତିରେ ଭାରତ ସରକାର ଅଗତ୍ୟା ଫ୍ରାନ୍‌ସ ବା ରୁଷିଆ ଉପରେ ନିର୍ଭରଶୀଳ ହେବାକୁ ବାଧ୍ୟ ହୋଇଛନ୍ତି।
ଆମ ଦେଶରେ ବିଡ଼ମ୍ବନାଟି ହେଲା ଯୁଦ୍ଧ ବିମାନ ନିର୍ମାଣ ଓ ବିକ୍ରୟ କ୍ଷେତ୍ରରେ ଏକାଧିପତି ‘ହାଲ’ ଏବଂ ବଜାରରେ ଉପସ୍ଥିତ ଏକ ମାତ୍ର କ୍ରେତା ଭାରତୀୟ ସେନାବାହିନୀ; ଉଭୟ ହେଉଛନ୍ତି ଭାରତ ସରକାରଙ୍କ ଅଧୀନସ୍ଥ। ତେଣୁ ‘ହାଲ’ ସକାଶେ ବାହ୍ୟ ପ୍ରତିଦ୍ବନ୍ଦ୍ବିତା ବା ଅର୍ଡର ନ ପାଇବାର ଲେଶ ମାତ୍ର ଆଶଙ୍କା ନ ଥାଏ। ବିଶେଷଜ୍ଞମାନଙ୍କ ମତରେ, ତେଣୁ, ଶିଥିଳତା ‘ହାଲ’ର ରକ୍ତଗତ ହୋଇ ସାରିଛି। ଭାରତୀୟ ସେନା ବାହିନୀ ଦ୍ବାରା ଦିଆଯାଇଥିବା ଅର୍ଡର ମୁତାବକ ସର୍ବୋଚ୍ଚ ଉତ୍ପାଦନ କ୍ଷମତା ଆଧାରରେ ‘ହାଲ’ ନିକଟରେ ଆଗାମୀ ଦେଢ଼ ଦଶନ୍ଧି ପର୍ଯ୍ୟନ୍ତ ଅବିିଶ୍ରାନ୍ତ କାର୍ଯ୍ୟ ରହିଛି; କିନ୍ତୁ ଅସଂଗତିଟି ହେଲା ହେଲା ଏଭଳି ଏକ ଭରପୂର କଂପାନିର ବ୍ୟବସାୟର ଆକାର ସର୍ବୋଚ୍ଚ ସ୍ତରୀୟ ହେବ ବୋଲି ଆଶା କରାଯାଉଥିଲେ ହେଁ ସେହି ତାଲିକାରେ ‘ହାଲ’ ୫୭ତମ ସ୍ଥାନରେ ଅଛି, ଏପରିକି ପାତଞ୍ଜଳି ଠାରୁ ମଧ୍ୟ ନିମ୍ନରେ। ଅବଶ୍ୟ ସରକାର ଏ କ୍ଷେତ୍ରରେ ଘରୋଇ ଉଦ୍ୟୋଗର ପ୍ରବେଶ ଲାଗି ପଥ ଉନ୍ମୁକ୍ତ କରିଛନ୍ତି; ଯାହା ହୁଏତ ପ୍ରତିଦ୍ବନ୍ଦ୍ବିତାକୁ ଜନ୍ମ ଦେଇ ମନ୍ଥରତାକୁ ଦୂର କରିବ ଏବଂ ଭାରତକୁ ପରାଶ୍ରୟୀ ହେବାରୁ ରକ୍ଷା କରିବ।
ଦୁଃଖର ବିଷୟ ଯେ ସ୍ବାଧୀନତା ପର ଠାରୁ ପ୍ରାୟ ସମସ୍ତ ସରକାର ଭାରତୀୟ ବିମାନ ବାହିନୀ ଉପରେ ଯଥୋଚିତ ଗୁରୁତ୍ବ ପ୍ରଦାନ କରିନାହାନ୍ତି। କିନ୍ତୁ, ସାମରିକ ସରଂଜାମର ବୈଷୟିକ ଦୁର୍ବଳତା ସତ୍ତ୍ବେ ଭାରତୀୟ ‌ସୈନିକମାନଙ୍କ ସାମର୍ଥ୍ୟ ଅତିକ୍ରମୀ ପ୍ରଦର୍ଶନର ପରାକାଷ୍ଠା ବିରଳ ଦୃଷ୍ଟାନ୍ତମାନ ସ୍ଥାପନ କରିଛି; ଯେମିତି ଘଟିଥିଲା ୧୯୭୧ ମସିହା ଯୁଦ୍ଧରେ, ଯେତେବେଳେ ବୟସୋତ୍ତୀର୍ଣ୍ଣ ଜରାଗ୍ରସ୍ତ ‘କାନବେରା ବୋମ୍ବର’ ବିମାନକୁ ବିପଜ୍ଜନକ ଭାବେ ନୀଚା ସ୍ତରରେ ଉଡ଼ାଇ, ରାଡାରର ଦୃଷ୍ଟି ଆଢୁଆଳରେ ରଖି, କରାଚୀର ତୈଳ ଲାଇନକୁ ବିଧ୍ବସ୍ତ କରି ଦେଇ ପାକିସ୍ତାନ ସେନାକୁ ହୀନବୀର୍ଯ୍ୟ କରି ଦିଆଯାଇଥିଲା। ଏଭଳି ଦୁଃସାହସିକ ଉପଲବ୍‌ଧିର ଅନେକ ଦୃଷ୍ଟାନ୍ତ ବିଦ୍ୟମାନ। କିନ୍ତୁ, କଥା ହେଲା, ସେ ସବୁକୁ ନିୟମ ବୋଲି ଧରି ନ ନେଇ ଆଦର୍ଶ ବ୍ୟତିକ୍ରମ ରୂପେ ବିବେଚନା କରାଯିବା ଉଚିତ। କହିବା ବାହୁଲ୍ୟ ଯେ ଏଭଳି ସୁଦକ୍ଷ ମାନବ ସମ୍ବଳ ସମର୍ଥ ସରଂଜାମ ଲାଭ କରିବାର ହକ ରଖେ।

ସୌଜନ୍ୟ ସମ୍ବାଦ

Exit mobile version