ଭାରତ ପାଖରେ ବର୍ତ୍ତମାନ ଦ୍ବୈତ ଶକ୍ତି ଭଳି ଉଭୟ ଶ୍ରମ ଶକ୍ତି ଓ ମେଧା ଶକ୍ତି ଉପଲବ୍ଧ ଅଛି, ଯାହା ଚୀନ୍ ତୁଳନାରେ ଆମକୁ ଏକ ଅଧିକା ସୁବିଧାଜନକ ସ୍ଥିତିରେ ରଖିଥାଏ। ଏ ଉଭୟର ଠିକଣା ଉପଯୋଗ ଆମ ପାଇଁ ବିପୁଳ ‘ଡେମୋଗ୍ରାଫିକ୍ ଡିଭିଡେଣ୍ଡ୍’ ସୃଷ୍ଟି କରିବାର ସମ୍ଭାବନା ବହନ କରିଥାଏ। ଏଥିପାଇଁ ଉପଯୁକ୍ତ ନୀତି ଅବଲମ୍ବନ ଦ୍ବାରା ହିଁ ଏହା ସମ୍ଭବ ହେବ।
ଚୀନ୍ ଓ ଭାରତ ମଧ୍ୟରେ ସର୍ବଦା କରା ହୋଇ ଚାଲିଥିବା ତୁଳନାମାନଙ୍କ ମଧ୍ୟରୁ ଗୋଟିଏ ପ୍ରମୁଖ ହେଉଛି ଉଭୟ ଦେଶର ଜନସଂଖ୍ୟାକୁ କେନ୍ଦ୍ର କରି। ଦୀର୍ଘ କାଳ ଧରି ଚୀନ୍ ପୃଥିବୀର ସର୍ବାଧିକ ଜନବହୁଳ ଦେଶର ସ୍ଥାନ ଅଧିକାର କରି ରହିଆସିବା ପରେ ମିଳିତ ଜାତିସଂଘର ‘ଡିପାର୍ଟମେଣ୍ଟ୍ ଅଫ୍ ଇକନୋମିକ୍ ଆଣ୍ଡ୍ ସୋସିଆଲ୍ ଆଫେୟାର୍ସ’ (‘ୟୁଏନ୍ଡିଏସ୍ଏ’)ର ଆକଳନ ଅନୁସାରେ ୨୦୨୩ ଠାରୁ ଚୀନ୍କୁ ବିସ୍ଥାପିତ କରି ଭାରତ ସେଇ ଆସନ ଅଧିକାର କରିଛି। ଚଳିତ ବର୍ଷ ଭାରତରେ ବିଳମ୍ବିତ ଜନଗଣନା ଆରମ୍ଭ ହେବାକୁ ଯାଉଛି। ତାହା ସଂପୂର୍ଣ୍ଣ ହୋଇ ଫଳାଫଳ ଉପଲବ୍ଧ ହେବା ପରେ ଏ ସଂପର୍କରେ ଚିତ୍ର ଆହୁରି ସ୍ପଷ୍ଟ ହେବ।
ଇତି ମଧ୍ୟରେ ଚୀନ୍ର ଜନସଂଖ୍ୟା ସମ୍ବନ୍ଧରେ ଯେଉଁ ସଦ୍ୟ ସୂଚନା ପ୍ରକାଶ ପାଇଛି, ସେଥିରୁ ମନେ ହୁଏ ଉଭୟ ଦେଶର ଜନସଂଖ୍ୟା ମଧ୍ୟରେ ତଫାତ୍ ବୃଦ୍ଧି ପାଇ ଚାଲିଛି। ଏହା ଅନୁସାରେ ୨୦୨୪ ତୁଳନାରେ ୨୦୨୫ରେ ଚୀନ୍ରେ ମୋଟ ଜନ୍ମ ସଂଖ୍ୟାରେ ହ୍ରାସ ଘଟିଥିବା ବେେଳ, ମୋଟ ମୃତ୍ୟୁ ସଂଖ୍ୟାରେ ବୃଦ୍ଧି ଘଟିଥିଲା। ୨୦୨୪ରେ ସେ ଦେଶରେ ମୋଟ ଜନ୍ମ ସଂଖ୍ୟା ଥିଲା ୯.୫୪ ନିୟୁତ ଓ ମୋଟ ମୃତ୍ୟୁ ସଂଖ୍ୟା ଥିଲା ୧୦.୯୩ ନିୟୁତ। ଏହା ତୁଳନାରେ ୨୦୨୫ରେ ମୋଟ ଜନ୍ମ ସଂଖ୍ୟାରେ ଏକ ତୀକ୍ଷ୍ଣ ହ୍ରାସ ଘଟି ତାହା ୭.୯୨ ହୋଇଥିବା ବେଳେ ମୋଟ ମୃତ୍ୟୁ ସଂଖ୍ୟାରେ ବୃଦ୍ଧି ଘଟି ତାହା ହୋଇଥିଲା ୧୧.୩୧ ନିୟୁତ। ତାତ୍ପର୍ଯ୍ୟପୂର୍ଣ୍ଣ ଭାବରେ ଯଦି ମୃତ୍ୟୁ ହାର ଓ ଜନ୍ମ ହାର ଦୃଷ୍ଟିକୋଣରୁ ଦେଖାଯାଏ, ତେବେ ୨୦୨୫ରେ ସେଠାରେ ପ୍ରତି ୧୦୦୦ ଜନସଂଖ୍ୟାରେ ଘଟିଥିବା ୮.୦୪ ମୃତ୍ୟୁ ହାର ହେଉଛି ୧୯୬୮ ପରଠାରୁ ସର୍ବୋଚ୍ଚ ଏବଂ ୨୦୨୫ର ଜନ୍ମ ହାର ହେଉଛି ଦୂର ଅତୀତରେ ୧୭୩୮ରେ ଦେଖାଯାଇଥିବା ଜନ୍ମ ହାର ସହିତ ସମାନ। ଯଦି ‘ଜାତିସଂଘ ୱର୍ଲଡ ପପୁଲେସନ୍ ପ୍ରସ୍ପେକ୍ଟସ ୨୦୨୨’ର ପୂର୍ବାନୁମାନକୁ ଗ୍ରହଣ କରାଯାଏ, ତେବେ ଚଳିତ ଶତାବ୍ଦୀର ବାକି ସମୟରେ ଭାରତର ଜନସଂଖ୍ୟାରେ ବୃଦ୍ଧି ଅବ୍ୟାହତ ରହି ତାହା ୧୫୦ କୋଟି ଛୁଇଁବ ଏବଂ ଚୀନ୍ର ଜନସଂଖ୍ୟାରେ ହ୍ରାସ ଅବ୍ୟାହତ ରହି ତାହା ୮୦୦ ନିୟୁତ ତଳକୁ ଖସିଯିବ।
ଏହା ଅବଶ୍ୟ ସତ ଯେ ଉଭୟ ଦେଶରେ ସମୟକ୍ରମେ ପ୍ରଜନନ ହାର (ଟୋଟାଲ୍ ଫର୍ଟିଲିଟି ରେଟ୍- ‘ଟିଏଫ୍ଆର୍’)ରେ ହ୍ରାସ ଘଟିବାକୁ ଲାଗିଛି। ‘ଟିଏଫ୍ଆର୍’ ହେଉଛି ପ୍ରତି ମହିଳାଙ୍କ ପିଛା ଦେଖାଯାଉଥିବା ଜନ୍ମସଂଖ୍ୟା। ଏକ ଦେଶର ମୋଟ ଜନସଂଖ୍ୟା ସ୍ଥିର ରହିବାକୁ ହେଲେ ସେ ଦେଶର ‘ଟିଏଫ୍ଆର୍’ ୨.୧ ହେବା ଆବଶ୍ୟକ ହୋଇଥିବା ବେଳେ ସଂପ୍ରତି ଭାରତ ପାଇଁ ଏଇ ହାର ୧.୯୮ ଓ ଚୀନ୍ ପାଇଁ ମାତ୍ର ୧ରେ ପହଞ୍ଚି ସାରିଲାଣି। ୧୯୮୦ ଦଶକରୁ ଚୀନ୍ ଅନୁସରଣ କରି ଆସିଥିବା କଠୋର ‘ଗୋଟିଏ ସନ୍ତାନ ନୀତି’ର ଫଳସ୍ବରୂପ ସେଠାରେ ପ୍ରଜନନ ହାରରେ ଏପରି ତୀକ୍ଷ୍ଣ ସ୍ଖଳନ ଘଟିବା ପରେ ସେ ଦେଶର ସରକାର ଆତଙ୍କିତ ହୋଇ ୨୦୧୫ ଠାରୁ ସେ ନୀତିରେ ପରିବର୍ତ୍ତନ ଘଟାଇ ‘ଦୁଇଟି ସନ୍ତାନ ନୀତି’ ପ୍ରବର୍ତ୍ତନ କରିଥିଲେ ହେଁ ଚୀନା ଦଂପତିମାନେ ଆଉ ଅଧିକ ସନ୍ତାନ ଜନ୍ମ କରିବାକୁ ଆଗଭର ହେଉନାହାନ୍ତି। ଜନସଂଖ୍ୟାର ସଂକୋଚନ ଓ ସେଥିରେ ଶୁକ୍ଳକେଶଧାରୀ ଅନୁତ୍ପାଦକ ସଦସ୍ୟମାନଙ୍କର ଅନୁପାତରେ ଘଟୁଥିବା ବୃଦ୍ଧିକୁ ପ୍ରତିହତ କରିବା ପାଇଁ ସରକାର ବର୍ତ୍ତମାନ ସନ୍ତାନ ଜନ୍ମ ପାଇଁ ଯୁବ ଦଂପତିମାନଙ୍କୁ ବିଭିନ୍ନ ପ୍ରୋତ୍ସାହନ ପ୍ରଦାନ କରିବା ସହିତ ଜନ୍ମନିରୋଧ ପଦ୍ଧତି ବ୍ୟବହାର ଉପରେ ଅଙ୍କୁଶ ଲଗାଇବା ସତ୍ତ୍ବେ ସେଥିରୁ କୌଣସି ଆଶାଜନକ ଫଳ ମିଳିବା ଦେଖାଯାଉ ନାହିଁ। ଅନେକ ଯୁବକଯୁବତୀ ବିବାହ କରିବାକୁ ମଧ୍ୟ ରାଜି ହେଉନାହାନ୍ତି। ସ୍ବାଧୀନତା ପରଠାରୁ ଭାରତରେ ଅନୁସୃତ ହୋଇଥିବା ପରିବାର ନିୟନ୍ତ୍ରଣ ଯୋଜନାର ଫଳସ୍ବରୂପ ଭାରତରେ ମଧ୍ୟ ପ୍ରଜନନ ହାରରେ ସ୍ଖଳନ ଘଟିବା ଦେଖାଯାଇଛି, ଯଦିବା ତାହା ଚୀନ୍ ଠାରୁ ଉପରେ ରହିଛି।
ଉଭୟ ଦେଶରେ ଦେଖାଯାଉଥିବା ଜନସଂଖ୍ୟାର ଏହି ଧାରା ସେଇ ଦେଶମାନଙ୍କ ପାଇଁ ଗୁରୁତ୍ବ ବହନ କରିବା ସଙ୍ଗେ ସଙ୍ଗେ ସାରା ପୃଥିବୀ ପାଇଁ ମଧ୍ୟ ଗୁରୁତ୍ବପୂର୍ଣ୍ଣ ହୋଇଥାଏ। ଏହା ଖାଉଟି ଚାହିଦାରୁ ଆରମ୍ଭ କରି ଶ୍ରମ ଯୋଗାଣ, ପେନ୍ସନ୍ ଓ ଭବିଷ୍ୟତର ଜନ୍ମ ହାରକୁ ପ୍ରଭାବିତ କରିଥାଏ।
ଚୀନ୍ର ଚିନ୍ତାଜନକ ଜନସଂଖ୍ୟା ପରିସ୍ଥିତି ସହିତ ତୁଳନା କଲେ ଭାରତ ପାଇଁ ତଥାପି ଏକ ଜନସଂଖ୍ୟା ଝରକା ଖୋଲା ଥିବା ପରି ମନେହୁଏ: ଆମ ଜନସଂଖ୍ୟାରେ ନିର୍ଭରଶୀଳ ବରିଷ୍ଠ ନାଗରିକମାନଙ୍କ ସଂଖ୍ୟା ଅନୁପାତରେ ଉତ୍ପାଦନଶୀଳ ଯୁବ ଜନସଂଖ୍ୟାର ଅନୁପାତ ଆଶ୍ବସ୍ତିଜନକ ଭାବରେ ଉଚ୍ଚା ରହିଛି। କିନ୍ତୁ ଏହି ଝରକା କ୍ରମେ ସଂକୁଚିତ ହେବାରେ ଲାଗିଛି। ଆମ ଜନସଂଖ୍ୟାର ଏଇ ସଂରଚନାରୁ ଲାଭ ଉଠାଇବାକୁ ହେଲେ (ତଥାକଥିତ ‘ଡେମୋଗ୍ରାଫିକ୍ ଡିଭିଡେଣ୍ଡ୍’) ଉପଯୁକ୍ତ ପଦକ୍ଷେପମାନ ନେଇ ଆମକୁ ଏଇ ଯୁବ ଜନସଂଖ୍ୟାର ଉତ୍ପାଦନଶୀଳତାରେ ଉଲ୍ଲେଖନୀୟ ଉନ୍ନତି ଘଟାଇବାକୁ ପଡ଼ିବ। ସ୍ବାସ୍ଥ୍ୟ, ଶିକ୍ଷା, ଦକ୍ଷତା ସୃଷ୍ଟି, ନିଯୁକ୍ତି ସୃଷ୍ଟି, ଶ୍ରମ ଶକ୍ତିରେ ମହିଳାଙ୍କ ଅଂଶଗ୍ରହଣ ଆଦି କ୍ଷେତ୍ରରେ ଉନ୍ନତି ଦ୍ବାରା ହିଁ ଏହି ଲାଭ ସୃଷ୍ଟି ସମ୍ଭବ ହେବ।
ଅତୀତରେ ଚୀନ୍ ତା’ର ଜନଶକ୍ତିକୁ ନିୟୋଜିତ କରି ନିଜକୁ ପୃଥିବୀର କାରଖାନାରେ ପରିଣତ କରିବା ସଙ୍ଗେ ସଙ୍ଗେ ନିଜକୁ ପୃଥିବୀର ଏକ ଅଗ୍ରଣୀ ରପ୍ତାନି ଶକ୍ତିରେ ପରିଣତ କରିପାରିଥିଲା। ଏହା ସେତେବେଳେ ଚୀନ୍ ପାଇଁ ‘ଡେମୋଗ୍ରାଫିକ୍ ଡିଭିଡେଣ୍ଡ୍’ ଅମଳ କରିବା ଲାଗି ଏକ ସିଧାସଳଖ ବାଟ ଥିବାବେଳେ ଭାରତକୁ ବର୍ତ୍ତମାନର ପରିବର୍ତ୍ତିତ ପରିସ୍ଥିତିରେ ଏଥିପାଇଁ ଏକ ଅଧିକ ଜଟିଳ ପଥ ଦେଇ ଗତି କରିବାକୁ ପଡ଼ିବ। ବର୍ତ୍ତମାନ ଏଆଇ, ରୋବୋଟିକ୍ସ ଆଦିର ଆଗମନ ପରେ ପୃଥିବୀରେ ଯେଉଁ ପ୍ରାବିଧିକ ବିପ୍ଳବର ଆବିର୍ଭାବ ଘଟିଛି, ତାହାର ପ୍ରଭାବରେ ବିଶୁଦ୍ଧ ମାନବୀୟ ଶ୍ରମ ଶକ୍ତିର ଗୁରୁତ୍ବରେ ଏଭଳି ହ୍ରାସ ଘଟିବାକୁ ଆରମ୍ଭ କଲାଣି ଯେ ତାହା କ୍ରମେ ଅପ୍ରାସଙ୍ଗିକ କିମ୍ବା ଅଦରକାରୀ ହୋଇ ପଡ଼ିବାର ଆଶଙ୍କା ଦେଖାଦେଲାଣି।
ଏକଦା ବିଶୁଦ୍ଧ ଶସ୍ତା ଶ୍ରମ ଶକ୍ତି ବଳରେ ଚୀନ୍ ନିଜର ଅର୍ଥନୈତିକ ଚମତ୍କାରିତା ହାସଲ କରିପାରିଥିଲେ ହେଁ, ସ୍ବୀକାର କରିବାକୁ ହେବ ଯେ ସେ ଦେଶ ଠିକଣା ସମୟରେ ଏଇ ପ୍ରାବିଧିକ ପରିବର୍ତ୍ତନ ସମ୍ବନ୍ଧରେ ସଚେତନ ହୋଇ ବର୍ତ୍ତମାନ ସେ କ୍ଷେତ୍ରରେ ପୃଥିବୀର ଏକ ଅଗ୍ରଣୀ ଶକ୍ତିରେ ପରିଣତ ହୋଇ ସାରିଲାଣି। ଉଚ୍ଚଶିକ୍ଷା ଓ ଗବେଷଣାରେ ବିପୁଳ ସମ୍ବଳ ବିନିଯୋଗ କରିବା ଦ୍ବାରା ଚୀନ୍ ଏହି ସଫଳତା ହାସଲ କରିପାରିଛି। ଏହା ମଧ୍ୟ ସତ ଯେ ଚୀନ୍ର ଜନସଂଖ୍ୟା ଜରାଗ୍ରସ୍ତ ହୋଇ ଚାଲିଥିବା ବେଳେ ଏଇ ସମସ୍ତ ପ୍ରବିଧିର ପ୍ରୟୋଗ ଦ୍ବାରା ସମାଜ ଓ ଅର୍ଥନୀତିରେ ଜନସଂଖ୍ୟାର ସଂକୋଚନ ଦ୍ବାରା ସୃଷ୍ଟି ହୋଇଥିବା ଶୂନ୍ୟସ୍ଥାନ କେତେକାଂଶରେ ପୂରଣ ହୋଇପାରିବ।
ଭାରତରେ ମଧ୍ୟ ଈଶ୍ବରଙ୍କ ଦୟାରୁ ମେଧାର ଅଭାବ ନାହିଁ। ଏହାର ଅର୍ଥ ଭାରତ ପାଖରେ ବର୍ତ୍ତମାନ ଦ୍ବୈତ ଶକ୍ତି ଭଳି ଉଭୟ ଶ୍ରମ ଶକ୍ତି ଓ ମେଧା ଶକ୍ତି ଉପଲବ୍ଧ ଅଛି, ଯାହା ଚୀନ୍ ତୁଳନାରେ ଆମକୁ ଏକ ଅଧିକା ସୁବିଧାଜନକ ସ୍ଥିତିରେ ରଖିଥାଏ। ଏ ଉଭୟର ଠିକଣା ଉପଯୋଗ ଆମ ପାଇଁ ବିପୁଳ ‘ଡେମୋଗ୍ରାଫିକ୍ ଡିଭିଡେଣ୍ଡ୍’ ସୃଷ୍ଟି କରିବାର ସମ୍ଭାବନା ବହନ କରିଥାଏ। ଏଥିପାଇଁ ଉପଯୁକ୍ତ ନୀତି ଅବଲମ୍ବନ ଦ୍ବାରା ହିଁ ଏହା ସମ୍ଭବ ହେବ।
ସୌଜନ୍ୟ ସମ୍ବାଦ

