Editorial: ଲୋଡ଼ା: ଆଉ ଏକ ବିପ୍ଳବ

ଭାରତୀୟମାନଙ୍କର ଜୀବନଧାରଣର ମାନରେ ଉନ୍ନତି ଘଟି ଚାଲିବା ସହିତ ସେମାନଙ୍କର ମୁଣ୍ଡପିଛା ବିଦ୍ୟୁତ୍‌ ଶକ୍ତି ବ୍ୟବହାରରେ ବୃଦ୍ଧି ଘଟି ଚାଲିବା ଅନିବାର୍ଯ୍ୟ, ଯାହା ବର୍ତ୍ତମାନ ବିଶ୍ବ ହାରାହାରିର ଅଧା ସ୍ତରରେ ରହିଛି।

ଭାରତୀୟମାନଙ୍କର ଜୀବନଧାରଣର ମାନରେ ଉନ୍ନତି ଘଟି ଚାଲିବା ସହିତ ସେମାନଙ୍କର ମୁଣ୍ଡପିଛା ବିଦ୍ୟୁତ୍‌ ଶକ୍ତି ବ୍ୟବହାରରେ ବୃଦ୍ଧି ଘଟି ଚାଲିବା ଅନିବାର୍ଯ୍ୟ, ଯାହା ବର୍ତ୍ତମାନ ବିଶ୍ବ ହାରାହାରିର ଅଧା ସ୍ତରରେ ରହିଛି। ଏଥିରେ ରନ୍ଧନ ପାଇଁ ବିଦ୍ୟୁତ୍‌ ଶକ୍ତିର ବ୍ୟବହାରର ଅବଦାନ ହେବ ନଗଣ୍ୟ ମାତ୍ର। ତେଣୁ ବର୍ତ୍ତମାନର ସଂକଟକୁ ଏକ ସତର୍କ ସୂଚନା ରୂପେ ଗ୍ରହଣ କରି ଆମେ ଭାରତୀୟ ରୋଷେଇ ଘରମାନଙ୍କରେ କାଳ ବିଳମ୍ବ ନ କରି ଏଇ ଦ୍ବିତୀୟ ବିପ୍ଳବ ଆରମ୍ଭ କରିଦେବା ବୁଦ୍ଧିମାନର କାର୍ଯ୍ୟ ହେବ।

ପ୍ରାୟ ଅର୍ଦ୍ଧ ଶତାବ୍ଦୀରୁ ଅଧିକ କାଳ ତଳେ ଭାରତର ସହରାଞ୍ଚଳରେ ଯେତେବେଳେ ରୋଷେଇ ଘରମାନଙ୍କରେ ଜାଳେଣି କାଠ, କୋଇଲା ଆଦିକୁ ବିସ୍ଥାପିତ କରି ରନ୍ଧନ ଗ୍ୟାସ୍ (‘ଲିକ୍ବିଫାଏଡ୍ ପେଟ୍ରୋଲିଅମ୍ ଗ୍ୟାସ୍’- ‘ଏଲ୍‌ପିଜି’) ବ୍ୟାପକ ଭାବରେ ଇନ୍ଧନର ସ୍ଥାନ ଦଖଲ କରିବାକୁ ଆରମ୍ଭ କଲା, ସେତେବେଳେ ଏଇ ଗ୍ୟାସ୍‌ର ବିକ୍ରେତା କଂପାନିମାନେ ଏଇ ନୂତନ ଧୂମହୀନ ଇନ୍ଧନର ଗୁଣଗାନ କରି ସେମାନଙ୍କର ବିଜ୍ଞାପନଗୁଡ଼ିକରେ ଯେଉଁ ସ୍ଲୋଗାନ୍ ବ୍ୟବହାର କରୁଥିଲେ, ତାହା ହେଲା: ‘ରୋଷେଇ ଘରେ ବିପ୍ଳବ!’। ଇତିମଧ୍ୟରେ ଏଇ ବିପ୍ଳବ ଆଉ ଦେଶର ସହରମାନଙ୍କରେ ସୀମିତ ନ ରହି, ଗ୍ରାମାଞ୍ଚଳରେ ମଧ୍ୟ ପ୍ରବେଶ କରି ମୁଖ୍ୟତଃ ରନ୍ଧନ ଦାୟିତ୍ବ ନିର୍ବାହ କରୁଥିବା ପରିବାରର ମହିଳାମାନଙ୍କର ତଜ୍ଜନିତ ଜଞ୍ଜାଳ ଓ ଯନ୍ତ୍ରଣା ଅନେକାଂଶରେ ‌ଲାଘବ କରିବା ଦେଖାଗଲାଣି। ଏଇ ବିପ୍ଳବ ସେମାନଙ୍କ ପାଇଁ ଏକ ପ୍ରକାର ମୁକ୍ତି ଆଣିଦେଇଛି କହିଲେ ଭୁଲ୍ ହେବ ନାହିଁ। ‘ଏଲ୍‌ପିଜି’ ବର୍ତ୍ତମାନ କେବଳ ଭାରତୀୟ ପରିବାରମାନଙ୍କ ପାଇଁ ଏକ ଅତ୍ୟାବଶ୍ୟକ ନିତ୍ୟବ୍ୟବହାର୍ଯ୍ୟ ଦ୍ରବ୍ୟରେ ପରିଣତ ହୋଇଛି, ତାହା ନୁହେଁ, ବ୍ୟାବସାୟିକ କ୍ଷେତ୍ରରେ ହୋଟେଲ, ରେଷ୍ଟୁରାଣ୍ଟମାନଙ୍କ ଠାରୁ ରାସ୍ତାକଡ଼ର ଜଳଖିଆ ଦୋକାନୀମାନଙ୍କ ପର୍ଯ୍ୟନ୍ତ ଏହା ଉପରେ ସଂପୂର୍ଣ୍ଣ ନିର୍ଭରଶୀଳ ହୋଇପଡ଼ିଛନ୍ତି।
ଶ୍ବାସକ୍ରିୟ‌ା ପାଇଁ ଅମ୍ଳଜାନ ଅନୁରୂପ ଭାବରେ ଆବଶ୍ୟକ ହେଉଥିଲେ ମଧ୍ୟ ଓ ତାହାର ଯୋଗାଣ ଅନବରତ ଅବ୍ୟାହତ ରହିଥିଲେ ମଧ୍ୟ ଆମେ ଯେମିତି ତା’ର ଉପସ୍ଥିତି ସମ୍ବନ୍ଧରେ ସ‌େଚତନ ନ ଥାଉ କିମ୍ବା ତା’ର ଯୋଗାଣ କେବେ ବ୍ୟାହତ ହୋଇପାରେ ବୋଲି ଆଶଙ୍କା କରି ନ ଥାଉ, ସମୟ କ୍ରମେ ରନ୍ଧନ ଗ୍ୟାସ୍ ପ୍ରତି ଆମଠାରେ ସେଇଭଳି ଏକ ନିଶ୍ଚିନ୍ତତାପୂର୍ଣ୍ଣ ଆଭିମୁଖ୍ୟ ସୃଷ୍ଟି ହୋଇ ସାରିଥିଲା। ଆମେ ପ୍ରାୟ ଆଦୌ ସଚେତନ ନ ଥାଉ ଯେ ଏଇ ଅପରିହାର୍ଯ୍ୟ ହୋଇ ପଡ଼ିଥିବା ପଦାର୍ଥଟିର ଯୋଗାଣ ପ୍ରାୟ ସଂପୂର୍ଣ୍ଣ ରୂପେ ବିଦେଶରୁ ଆମଦାନି ଉପରେ ନିର୍ଭରଶୀଳ ହୋଇଥାଏ। ବର୍ତ୍ତମାନ ପଶ୍ଚିମ ଏସିଆରେ ଆରମ୍ଭ ହୋଇଯାଇଥିବା ଯୁଦ୍ଧ ତେଣୁ ଆମର ସେଇ ନିଶ୍ଚିନ୍ତଭାବ ପ୍ରତି ଏକ ଧକ୍‌କା ପହଞ୍ଚାଇ ଏକ ଦେଶବ୍ୟାପୀ ଚାଞ୍ଚଲ୍ୟ ସୃଷ୍ଟି କରିଦେବା ଦେଖାଯାଉଛି। ଏଇ ବିକ୍ଷୁବ୍‌ଧ ଅଞ୍ଚଳ ହିଁ ହେଉଛି ଆମେ ବ୍ୟବହାର କରୁଥିବା ରନ୍ଧନ ଗ୍ୟାସ୍‌ର ମୁଖ୍ୟ ଯୋଗାଣକାରୀ ଉତ୍ସ। ଯୁଦ୍ଧ ଯୋଗୁଁ ସ୍ବାଭାବିକ ଭାବରେ ଏହାର ଆମଦାନି ବ୍ୟାହତ ହେବା ଯୋଗୁଁ ଖାଉଟିମାନଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହେବା ସହିତ ଏହା ଉପରେ ନିର୍ଭରଶୀଳ ହୋଟେଲ ଆଦି ବନ୍ଦ ହୋଇଯିବା ଖବର ପ୍ରସାରିତ ହେବାରେ ଲାଗିଛି।

ଏଇ ସମୟରେ ସରକାର ବିଭିନ୍ନ ପଦକ୍ଷେପ ନେଇ ସଂକଟର ମୁକାବିଲା କରିବା ପାଇଁ ଯେଉଁଭଳି ପ୍ରୟାସ ଚଳାଇଛନ୍ତି, ତାହା ଅତୀବ ସ୍ବାଗତଯୋଗ୍ୟ ଏବଂ ଲୋକମାନଙ୍କୁ ନିଶ୍ଚିତ ରୂ‌େପ ଆଶ୍ବସ୍ତ କରୁଛି। କିନ୍ତୁ ଏଥିସତ୍ତ୍ବେ ଏଇ ଅପ୍ରତ୍ୟାଶିତ ଧକ୍‌କା ଆମ ପାଇଁ ‌େଯଉଁ ଗୁରୁତ୍ବପୂର୍ଣ୍ଣ ସନ୍ଦେଶ ବହନ କରିଥାଏ, ତାହା ହେଉଛି- ବର୍ତ୍ତମାନ ଉପରୋକ୍ତ ବିପ୍ଳବର ସମାପ୍ତି ଘଟି ଅନ୍ୟ ଏକ ନୂତନ ବିପ୍ଳବ ସୂତ୍ରପାତ ହେବାର ଆବଶ୍ୟକତା। ଏହା ମଧ୍ୟ ହେବ ଏକ ଧୂମହୀନ ବିପ୍ଳବ, କିନ୍ତୁ ଏଇ ବିପ୍ଳବକୁ ଯେଉଁ ଇନ୍ଧନ ଶକ୍ତି ଯୋଗାଇବ, ତାହା ଗ୍ୟାସ୍ ନ ହୋଇ, ହେବ ବିଦ୍ୟୁତ୍‌ ଶକ୍ତି। ସଂକ୍ଷେପରେ କହିଲେ, ଆମ ରୋଷେଇ ଘରମାନଙ୍କରେ ଗ୍ୟାସ୍ ଚୁଲାମାନଙ୍କର ସ୍ଥାନ ନେବ ଇଲେକ୍ଟ୍ରିକ୍ ଚୁଲା। ଏଥିପାଇଁ ଆବଶ୍ୟକ ବିଦ୍ୟୁତ୍‌ ଶକ୍ତି ଆସିବ ଆମ କୋଇଲା ଚାଳିତ ବିଦ୍ୟୁତ୍‌ ଉତ୍ପାଦନ କେନ୍ଦ୍ରମାନଙ୍କରୁ, ଜଳ ବିଦ୍ୟୁତ୍‌ କେନ୍ଦ୍ରମାନଙ୍କରୁ ଓ ସୌର କିମ୍ବା ବାୟୁଚାଳିତ ବିଦ୍ୟୁତ୍‌ ଉତ୍ପାଦନ ସ୍ଥଳୀମାନଙ୍କରୁ। ଯେହେତୁ ଆମ ଦେଶର ଖଣିମାନଙ୍କରେ ଯଥେଷ୍ଟ ପରିମାଣର କୋଇଲା ମହଜୁଦ ଅଛି ଏବଂ ଆମର ମଧ୍ୟ ଏକ ବିଶାଳ ଅକ୍ଷୟ ଶକ୍ତି ଉତ୍ପାଦନ କ୍ଷମତା ଉପଲବ୍‌ଧ ଅଛି, ଏହାର ଯୋଗାଣ କୌଣସି ବିଦେଶୀ ଯୁଦ୍ଧ ଦ୍ବାରା ବ୍ୟାହତ ହେବନାହିଁ କିମ୍ବା ଏହାର ବଜାର ମୂଲ୍ୟ ମଧ୍ୟ କୌଣସି ଆନ୍ତର୍ଜାତିକ ଭୂ-ରାଜନୈତିକ ଅସ୍ଥିରତା ଦ୍ବାରା ପ୍ରଭାବିତ ହେବ ନାହିଁ। ବର୍ତ୍ତମାନ ‌େ‌ଯହେତୁ ଦେଶର ସମସ୍ତ ଦୂରଦୂରାନ୍ତ ଅଞ୍ଚଳମାନ ମଧ୍ୟ ବିଦ୍ୟୁତ୍‌ ଶକ୍ତି ଯୋଗାଣ ସହିତ ସଂଯୁକ୍ତ ହୋଇ ସାରିଲେଣି, ଯଦି ବିଦ୍ୟୁତ୍‌ ଯୋଗାଣ ଓ ଭୋଲ୍‌ଟେଜରେ ସ୍ଥିରତା ହାସଲ କରାଯାଇ ପାରିବ, ତେବେ ବିଦ୍ୟୁତ୍‌ ଶକ୍ତିକୁ ଗ୍ୟାସ୍ ସ୍ଥାନରେ ଇନ୍ଧନ ରୂପେ ବ୍ୟବହାର କରିବା ଏକ ବାସ୍ତବ ତଥା ଭରସାଯୋଗ୍ୟ ବିକଳ୍ପରେ ପରିଣତ କରାଯାଇ ପାରିବ।

ରୋଷେଇ ଘରେ ଏଇ ନୂତନ ବିପ୍ଳବର ଯାହା ମୁଖ୍ୟ ଆୟୁଧ ରୂପେ ବ୍ୟବହୃତ ହେବା ଉଚିତ ହେବ, ତାହା ଆମର ସୁପରିଚିତ ପାରମ୍ପରିକ ହିଟର୍ ନୁହେଁ, ଯେଉଁଥିରେ ଏକ ସେରାମିକ୍ ଆଧାର ଉପରେ ତାତି ଯାଉଥିବା କଏଲ୍‌ମାନ ସାପ ପରି ମୋଡ଼ିହୋଇ ଶୋଇଥାନ୍ତି। ଏଭଳି ହିଟର୍ ଯେଉଁ ପଦ୍ଧତିରେ କାର୍ଯ୍ୟ କରିଥାଏ, ତାହା ହେଉଛି ଠିକ୍ ଏକ ଗ୍ୟାସ୍ ଚୁଲା ପରି- ଏହା ବାହାରୁ ଉତ୍ତାପ ପ୍ରୟୋଗ କରି ରନ୍ଧନ ପାତ୍ରକୁ ଉତ୍ତପ୍ତ କରିଦେଇଥାଏ, ଯେଉଁ ଉତ୍ତାପ ପାତ୍ରରେ ଥିବା ଖାଦ୍ୟପଦାର୍ଥକୁ ବାହିତ ହୋଇ ତା’ର ପାଚନ କରିଥାଏ। ଏଇ ପ୍ରକ୍ରିୟାରେ ପାତ୍ର ବାହାରେ ସୃଷ୍ଟ ଉତ୍ତାପ ଅନେକାଂଶରେ ନଷ୍ଟ ହୋଇ ଯାଉଥାଏ, ଅର୍ଥାତ୍ ବିଦ୍ୟୁତ୍‌ ଶକ୍ତି ଅଯଥାରେ ନଷ୍ଟ ହୋଇଥାଏ। କିନ୍ତୁ ନୂତନ ବିପ୍ଳବର ଯାହା ହେବ ସାଧନ, ତାହା ହେଉଛି- କ୍ରମେ ଅଧିକରୁ ଅଧିକ ଲୋକପ୍ରିୟତା ହାସଲ କରିଚାଲିଥିବା ‘ଇଣ୍ଡକ୍‌ସନ୍ ଷ୍ଟୋଭ୍’। ଏହା ଯେଉଁ ସୂତ୍ର ଅବଲମ୍ବନ କରି କାର୍ଯ୍ୟ କରିଥାଏ ତାହା ହେଉଛି ଗ୍ୟାସ୍ ଷ୍ଟୋଭ୍ ଠାରୁ ସଂପୂର୍ଣ୍ଣ ଭିନ୍ନ: ଇଣ୍ଡକ୍‌ସନ୍ ଯୋଗୁଁ ଷ୍ଟୋଭ୍ ଉପରେ ଏକ ବିଦ୍ୟୁତ୍‌ ଚୁମ୍ବକୀୟ କ୍ଷେତ୍ର (ଇଲେକ୍ଟ୍ରୋମ୍ୟାଗ୍‌ନେଟିକ୍ ଫିଲ୍‌ଡ) ସୃଷ୍ଟି ହୋଇଥାଏ, ଯାହା ଷ୍ଟୋଭ୍ ଉପରେ ଥୁଆ ହୋଇଥିବା ପାତ୍ରର କାନ୍ଥରେ ବହୁସଂଖ୍ୟକ କ୍ଷୁଦ୍ର ବିଦ୍ୟୁତ୍‌ ତରଙ୍ଗମାନ ସୃଷ୍ଟି କରିଥାଏ। ଏଇ ଇଲେକ୍ଟ୍ରନ୍‌ମାନଙ୍କର ପ୍ରବାହ ପ୍ରତି ପାତ୍ର ଦ୍ବାରା ସୃଷ୍ଟ ପ୍ରତିରୋଧ ଯୋଗୁଁ ତାହା ଉତ୍ତପ୍ତ ହୋଇ ରନ୍ଧନ ସମାପନ ହୋଇଥାଏ। ଏହି ପ୍ରକ୍ରିୟାରେ ଖୁବ୍ କମ୍ ବିଦ୍ୟୁତ୍‌ ଶକ୍ତି ନଷ୍ଟ ହୋଇଥାଏ: ଗ୍ୟାସ୍ ଷ୍ଟୋଭ୍‌ରେ ପ୍ରାୟ ୬୦ ଶତାଂଶ ଉତ୍ତାପ ନଷ୍ଟ ହୋଇଥିବା ବେଳେ, ଇଣ୍ଡକ୍‌ସନ୍ ଷ୍ଟୋଭ୍‌ ପ୍ରାୟ ୯୦ ଶତାଂଶ ବିଦ୍ୟୁତ୍‌ ଶକ୍ତିକୁ ରନ୍ଧନରେ ବ୍ୟବହୃତ ଉତ୍ତାପରେ ପରିଣତ କରିଥାଏ। ‘ଏଲ୍‌ପିଜି’ ପରିବହନରେ ଖର୍ଚ୍ଚ ହେଉଥିବା ଶକ୍ତିକୁ ଯଦି ହିସାବକୁ ନିଆଯାଏ, ତେବେ ଏହାର ଦକ୍ଷତାରେ ଆହୁରି ହ୍ରାସ ଘଟିଥାଏ।
ଏକ ସନ୍ଦେହ ପ୍ରକାଶ ପାଇପାରେ ଯେ, ରୋଷେଇ ଘରେ ଯଦି ଏଇ ବିଦ୍ୟୁତ୍‌ ବିପ୍ଳବ ଆରମ୍ଭ ହୁଏ, ତାହା ଦ୍ବାରା ଭାରତର ଜଳବାୟୁ-କାର୍ଯ୍ୟାନୁଷ୍ଠାନ ବାଧାପ୍ରାପ୍ତ ହୋଇପାରେ। ଅଧିକ ବିଦ୍ୟୁତ୍‌ ଶକ୍ତି ଉତ୍ପାଦନ ଯୋଗୁଁ ପ୍ରଦୂଷଣରେ ବୃଦ୍ଧି ଘଟିବା ଦ୍ବାରା ଏଭଳି ସମ୍ଭାବନା ସୃଷ୍ଟି ହୋଇପାରେ। କିନ୍ତୁ ଭାରତ ଯଦି ଯୋଜନା ମୁତାବକ ଅକ୍ଷୟ ଶକ୍ତି ଉତ୍ପାଦନରେ ଉଲ୍ଲେଖନୀୟ ବୃଦ୍ଧି ଘଟାଇ ଚାଲେ, ତେବେ ଏଭଳି ସମସ୍ୟା ଉପୁଜିବ ନାହିଁ। ତା’ ଛଡ଼ା ଭାରତୀୟମାନଙ୍କର ଜୀବନଧାରଣର ମାନରେ ଉନ୍ନତି ଘଟି ଚାଲିବା ସହିତ ସେମାନଙ୍କର ମୁଣ୍ଡପିଛା ବିଦ୍ୟୁତ୍‌ ଶକ୍ତି ବ୍ୟବହାରରେ ବୃଦ୍ଧି ଘଟି ଚାଲିବା ଅନିବାର୍ଯ୍ୟ, ଯାହା ବର୍ତ୍ତମାନ ବିଶ୍ବ ହାରାହାରିର ଅଧା ସ୍ତରରେ ରହିଛି। ଏଥିରେ ରନ୍ଧନ ପାଇଁ ବିଦ୍ୟୁତ୍‌ ଶକ୍ତିର ବ୍ୟବହାରର ଅବଦାନ ହେବ ନଗଣ୍ୟ ମାତ୍ର। ତେଣୁ ବର୍ତ୍ତମାନର ସଂକଟକୁ ଏକ ସତର୍କ ସୂଚନା ରୂପେ ଗ୍ରହଣ କରି ଆମେ ଭାରତୀୟ ରୋଷେଇ ଘରମାନଙ୍କରେ କାଳ ବିଳମ୍ବ ନ କରି ଏଇ ଦ୍ବିତୀୟ ବିପ୍ଳବ ଆରମ୍ଭ କରିଦେବା ବୁଦ୍ଧିମାନର କାର୍ଯ୍ୟ ହେବ।

ସୌଜନ୍ୟ ସମ୍ବାଦ

Exit mobile version