Editorial: ସରୋଜ କୁମାର ସାମଲଙ୍କ ସଂପାଦକୀୟ ‘ଗୋଲକଧନ୍ଦାରେ ମଧ୍ୟବିତ୍ତ’…

ମଧ୍ୟବିତ୍ତ। ବିତ୍ତରେ ମଧ୍ୟମ, କିନ୍ତୁ ଚେତନାରେ ତାଳଗଛ। କିନ୍ତୁ ବର୍ତ୍ତମାନ ଆମ ଦେଶରେ ସମୁଦାୟ ଜନସଂଖ୍ୟାର ପଚାଶ ଭାଗରୁ ଅଧିକ ଏହି ବିଶାଳ ଅର୍ଥନୈତିକ ଗୋଷ୍ଠୀ ଯଦି ଚେତନଶୀଳ ହୁଅନ୍ତି, ବ୍ୟବସ୍ଥାରେ ସାମଗ୍ରିକ ଭାବରେ ଉନ୍ନତି ହୁଅନ୍ତା।

ଗୋଲକଧନ୍ଦାରେ ମଧ୍ୟବିତ୍ତ

ସରୋଜ କୁମାର ସାମଲ

ମଧ୍ୟବିତ୍ତ। ବିତ୍ତରେ ମଧ୍ୟମ, କିନ୍ତୁ ଚେତନାରେ ତାଳଗଛ।

କିନ୍ତୁ ବର୍ତ୍ତମାନ ଆମ ଦେଶରେ ସମୁଦାୟ ଜନସଂଖ୍ୟାର ପଚାଶ ଭାଗରୁ ଅଧିକ ଏହି ବିଶାଳ ଅର୍ଥନୈତିକ ଗୋଷ୍ଠୀ ଯଦି ଚେତନଶୀଳ ହୁଅନ୍ତି, ବ୍ୟବସ୍ଥାରେ ସାମଗ୍ରିକ ଭାବରେ ଉନ୍ନତି ହୁଅନ୍ତା। ଏବେ ବି ମୁଖ୍ୟ ଧାରାର ବାହାରେ ଥିବା ଏକ ବୃହତ୍ ସାମାଜିକ ଅଂଶ, ନ୍ୟାୟ ଓ ଭ୍ରାତୃତ୍ବର ପରିମଣ୍ଡଳ ମଧ୍ୟକୁ ଆସି ପାରନ୍ତେ। କିନ୍ତୁ କଥା ହେଲା, ଦୁନିଆର ଘଟଣାବଳୀ ଓ ଘଟ ପରିବର୍ତ୍ତନ ପ୍ରତି ସଚେତ ନ ହୋଇ ଖାଲି ଚେଇଁ ରହିଥିବାର ଭାବନା ହିଁ ସମସ୍ୟାମୂଳକ, ଯଦ୍ଦ୍ବାରା ସୁବିଧାବାଦ ହୋଇଛି ମଧ୍ୟମ ବର୍ଗଙ୍କ ଏକମାତ୍ର ପନ୍ଥା।

ଚେତନଶୀଳ ମଧ୍ୟବିତ୍ତ, ସବୁବେଳେ ସାମାଜିକ କ୍ରାନ୍ତିର ନେତୃତ୍ବ ନେଇଛନ୍ତି। କୁସଂସ୍କାର ବିରୁଦ୍ଧରେ ଇଉରୋପୀୟ ରେନାସାଁର ଅଗ୍ରଦୂତ ଏହିମାନେ। ଭାରତୀୟ ସମାଜରେ ଶିକ୍ଷିତ ମଧ୍ୟବିତ୍ତଙ୍କ ଅବଦାନ ଦି’ ପାଦ ଆଗରେ। ରାଜା ରାମମୋହନ ରାୟଙ୍କ ରକ୍ଷଣଶୀଳତା ବିରୋଧୀ ପ୍ରାରମ୍ଭିକ ଆଧୁନିକତାର ଚେତନା ଊନବିଂଶ ଶତାବ୍ଦୀର ପ୍ରଥମ ଦଶକରେ ମଧ୍ୟ ସ୍ପେନର ମାଟି ଛୁଇଁଥିଲା। ସଂସ୍କାରବାଦୀମାନଙ୍କ ପ୍ରସ୍ତାବିତ ୧୮୧୨ର କାଡିଜ ସଂବିଧାନ (କନ୍‌ଷ୍ଟିଚ୍ୟୁସନ ଅଫ୍ କାଦିଜ) ପ୍ରଗତିଶୀଳ ରାମମୋହନ ରାୟଙ୍କୁ ନିବେଦିତ ଥିଲା। ଭାରତରେ ସଂଘଟିତ ସାମ୍ରାଜ୍ୟବାଦ ବିରୋଧୀ ମୁକ୍ତି ଆନ୍ଦୋଳନରେ ଥିବା ଅଗ୍ର ନେତୃତ୍ବର ଏକ ବଡ଼ ଭାଗଙ୍କ ପରିବାର ମଧ୍ୟବିତ୍ତ ଅର୍ଥନୈତିକ ପରିଧିଭୁକ୍ତ ଥିଲେ।

ପ୍ରାକ୍ ଶିଳ୍ପ ବିପ୍ଳବର ଦୁନିଆରେ ଜମି ଥିଲା ସଂଭ୍ରାନ୍ତତନ୍ତ୍ରର ପରିଚୟ। ପୁଞ୍ଜି ଓ ନିବେଶର ଅଭାବରେ ଧନତନ୍ତ୍ରର ଶିଡ଼ି ଆଖିଦୃଶିଆ ଭାବରେ ସ୍ତରୀକୃତ ନ ଥିଲା। ଆମ ଦେଶ ବା ରାଜ୍ୟରେ ଧାନ ଖମାରର ଆକାର ହିଁ ଥିଲା, ନ ଥିଲା ଓ ମଝେଲାର ସ୍ଥିତି ଜାହିର କରୁଥିଲା। ନିଜେ ଭଲରେ ଖାଇ, ଗାଁରେ ପଡ଼ାରେ ଅଭାବୀ ପାଞ୍ଚ ପରିବାରର ହାନିଲାଭ ବୁଝି ପାରୁଥିବା ବଂଶ ମୋଟାମୋଟି ଭାବରେ ଅଭିଜାତ ବୋଲି ଗଣ୍ୟ ହେଉଥିଲେ। କୁସଂସ୍କାରର ଅନ୍ଧାରକୁ ଦୂରେଇବା ପାଇଁ ଗତାନୁଗତିକତା ବିରୁଦ୍ଧରେ ନିଜର ସ୍ଥିତିକୁ ସାବ୍ୟସ୍ତ କରୁଥିଲେ। ସାହିତ୍ୟରେ ଏହି ଚେତନଶୀଳତାର ପଟାନ୍ତର ନାହିଁ। ଫକୀରମୋହନଙ୍କ ରେବତୀ ଗଳ୍ପରେ ମଧ୍ୟବିତ୍ତ ଶ୍ୟାମବନ୍ଧୁ ମହାନ୍ତିଙ୍କ ପରିବାର ପୁରୁଣା ମରହଟ୍ଟୀ ବିଶ୍ବାସ ବିରୋଧରେ ପ୍ରତିବାଦୀ ଚେତନାର ଆଦ୍ୟ ସ୍ବାକ୍ଷର ପ୍ରଦାନ କରେ। ସେହି ଗଳ୍ପରେ ରକ୍ଷଣଶୀଳତାର ଅଭିସମ୍ପାତରେ ରେବୀ, ରେବ, ନିଆଁ, ଆଦି କେତେ ଭାବରେ ତିରସ୍କୃତ ହୋଇପାରେ; କିନ୍ତୁ ସେହି ଗଳ୍ପ ଦୁଃଖଦ ପରିଣତି ନିର୍ବିଶେଷରେ ଅଗ୍ରଗାମୀ ଚେତନାର ଅଧିବକ୍ତା ରୂପେ ନିଜକୁ ତୋଳି ଧରିଛି। ମଧ୍ୟବିତ୍ତର ଧର୍ମ ଥିଲା, ପୁରୁଣାକୁ ଭାଙ୍ଗିବା, ନିଜର ଛାପ ଛାଡ଼ିବା।

ଆଜି କିନ୍ତୁ ମଧ୍ୟବିତ୍ତଙ୍କ ନୂଆ କିଛି କରିବାର ନିଶାଟି ସଂପୂର୍ଣ୍ଣ ବିଶୁଦ୍ଧ ନୁହେଁ। ସୁବିଧାବାଦ ଶ୍ରେଣୀଗତ ସ୍ବଭାବର ସହଜାତ ପ୍ରବୃତ୍ତି ହୋଇଥିବାରୁ, ଅବଚେତନ ମନରେ ସ୍ବାର୍ଥ ପରାର୍ଥ ସଂଘାତରୁ ଆପଣା ସ୍ଥିତି ମନସ୍କତା ଆସେ। ଥିଲା ନ ଥିଲାର ଏହି ମଝି ବର୍ଗରେ ଆତ୍ମ ଅନୁଶାସନ ନ ଥିଲେ, ଦେଖେଇ ହେବାର ପ୍ରବୃତ୍ତି କଥାରେ କାମରେ ବାହାରକୁ ଫିଟିପଡ଼େ। ତ୍ୟାଗ ତପସ୍ୟାର କାହାଣୀ ଅନ୍ୟ ପାଇଁ, ଭାଷଣରେ ବଖାଣ ପାଇଁ। ନିଜ କଥା ଆସିଲେ ଚିତ୍ତ, ଚୈତନ୍ୟ ପରିବାରର ନିରାପଦ ଭବିଷ୍ୟତକୁ ନିଶ୍ଚିତ କରିବାର ଉତ୍କଣ୍ଠାରେ ଉପଦ୍ରୁତ ହୁଏ। ଅନୁଚିତ ପ୍ରାପ୍ତିର ଆକାଂକ୍ଷା ବିଷକଣ୍ଠରେ ତଡ଼ିତ ବେଗରେ ଅମୃତ ଭରିଦିଏ। ଏହି ମଧ୍ୟବିତ୍ତୀୟ ମାନସିକତା ତଥା ସୁବିଧାବାଦର ପ୍ଳାବନ ସମୁଦାୟ ସାମାଜିକ କ୍ଷେତ୍ରକୁ ଉବୁଟୁବୁ କଲାଣି। ତୋଷାମଦିର ଇତିହାସ ଗୌରବରହିତ ହେଲେ ବି ଲମ୍ବା। ପୁରସ୍କାରର ଧାଡ଼ିରେ ଥିବା ଆମ ଭଳି ସାଧାରଣ ମାନସରେ ଅସାଧାରଣ ପ୍ରତୀତ କଳାକାର, ସାହିତ୍ୟକାର ମଧ୍ୟ ଏଥିରୁ ବାଦ ନୁହନ୍ତି। ସପ୍ତମ ଦଶକରେ ନିଜ ନାମରେ ଧନ୍ୟ ଥିବା ହିନ୍ଦୀ ସିନେମାର ପ୍ରଚ୍ଛଦପଟ ଗାୟକ ମହେନ୍ଦ୍ର କାପୁର, ଗୋଟିଏ ସନ୍ଧ୍ୟାର ସାଂସ୍କୃତିକ କାର୍ଯ୍ୟକ୍ରମ ‘ଗୀତୋଁ ଭରି ଆସ’ରେ ମନୋଜ କୁମାରଙ୍କ ଚଳଚ୍ଚିତ୍ର ‘ଉପକାର’ର ଦେଶପ୍ରେମ ଉଦ୍‌ବୋଧକ ସଂଗୀତ ‘ମେରେ ଦେଶ୍ କି ଧର୍‌ତି’ର ପଦାବଳୀରୁ ଲାଲବାହାଦୁର ଶାସ୍ତ୍ରୀଙ୍କ ନାମକୁ ବାଦ ଦେଇ ଇନ୍ଦିରା ଗାନ୍ଧୀଙ୍କୁ ରଚନା ଭିତରେ ଭରିଦେଲେ। ଉପସ୍ଥିତ ସଞ୍ଜୟ ଗାନ୍ଧୀ କେତେ ଖୁସି ହେଲେ ଜଣାନାହିଁ, କିନ୍ତୁ ମଧ୍ୟବିତ୍ତୀୟ ସୁବିଧାବାଦର କଳା ଛିଟାଟିଏ ଇତିହାସର ପୃଷ୍ଠାରେ ଅଲିଭା ହୋଇ ରହିଗଲା।

କଥା କଥ‌ାରେ ବାଣିଜ୍ୟ ଆଉ ବାଣିଜ୍ୟିକତା, ଲାଭ-କ୍ଷତିର ହିସାବ- ମଧ୍ୟଯୁଗୀୟ ସାମନ୍ତବାଦ ଭଳି ଏହି ମଧ୍ୟବିତ୍ତୀୟ ମାନସିକତା ସର୍ବଗ୍ରାସୀ। ଏହାର ବ୍ୟାପକତା ଗୁଣରେ ଯେମିତି ଘନ, ବିସ୍ତୃତିରେ ସେହିଭଳି ପ୍ରଶସ୍ତ। କୁହାଯାଉଛି ଯେ ମଧ୍ୟବିତ୍ତୀୟଙ୍କ କଳେବର ସ୍ବାଧୀନ ଭାରତ‌େର ୩%ରୁ ବର୍ତ୍ତମାନ ୩୫% ପାଖାପାଖି ପହଞ୍ଚିଲାଣି। ତେବେ, ଏ କଥା ସତ, ସମୁଦାୟ ଅଂଶ ସଂଖ୍ୟାଧିକ ଉପବର୍ଗରେ। ଅଣ-ସଂଗଠିତ କାର୍ଯ୍ୟକର୍ତ୍ତା ବା ଶ୍ରମଜୀବୀ, ଆର୍ଥିକ ସ୍ତର ନିର୍ବିଶେଷରେ ମଧ୍ୟବିତ୍ତରେ ବର୍ଗୀକୃତ ହେବେ କି ନାହିଁ, ତର୍କର ବିଷୟ।

ସକାଳେ ପାର୍କରେ ଟ୍ରାକ୍ ସୁଟ୍‌ ଟି-ସାର୍ଟ ପରିହିତ ପ୍ରୌଢ଼ ଓ ବୃଦ୍ଧ ହିନ୍ଦୁତ୍ବ, ଧର୍ମନିରପେକ୍ଷତା, ପାକିସ୍ତାନ, ଇସ୍ରାଏଲ, ଟ୍ରମ୍ପ-ଟାରିଫ ବିଷୟରେ ଜଣା-ଅଜଣା କଥୋପକଥନରେ ଜଡ଼ସଡ଼। ଏୟାରପୋର୍ଟ ଟର୍ମିନାଲ‌େର ପ୍ରସ୍ଥାନ ପାଇଁ ଅପେକ୍ଷାରତ ଗହଳିରେ ବିଳମ୍ବ ପାଇଁ ଉଦ୍‌ବିଗ୍ନ ଅଧୈର୍ଯ୍ୟ ସମୁଦାୟ ଆଉ କିଏ କି? ସମୟର ‘ଅପବ୍ୟୟ’ ପାଇଁ ତ ପୁଣି କିଛି ଗୋଟିଏ ଅବଲମ୍ବନ ଦରକାର। ତତ୍‌କାଳିକ ମୁଖ ପରିଚିତିରେ ମଧ୍ୟ ଷ୍ଟକ୍ ମାର୍କେଟ ନେଇ ଆଲୋଚନା। ନ ହେଲେ ଅନିଚ୍ଛାକୃତ ଭାବରେ ଇକୋନୋମିକ ଟାଇମ୍‌ସ ଓ ଫାଇନାନ୍‌ସିଆଲ ଏକ୍‌ସପ୍ରେସ୍‌ର ପୃଷ୍ଠା ଲେଉଟା। କିଛି ଭିତରକୁ ଯାଉଛି କି ନାହିଁ ଅଲଗା କଥା। ଆଇନକ୍‌ସର ପ୍ରେକ୍ଷାଳୟ, ଷ୍ଟାର୍ ହୋଟେଲର ପାର୍ଟି, ବିଜିନେସ ମିଟ୍‌ରେ ସ୍ବପରିପାଟୀରେ ଉପସ୍ଥିତି; ପାରିବାରିକ ଅର୍ଥନୀତିର ଏହି ମଧ୍ୟ ବର୍ଗ। ମନରେ ଉଚ୍ଚକିତ ବାସନା, ତ୍ୟାଗ ନୁହେଁ ଯାହା କିଛି ଜଳାଞ୍ଜଳି ଦେବୁ ପଛେ (ସ୍ବାର୍ଥ ଛାଡ଼ି) ଶିଡ଼ି ଚଢ଼ିବୁ; ସେଲିବ୍ରିଟି ଓ କ୍ଷମତାଶାଳୀର ଆଖ୍ୟା ପାଇଥିବା ମାଟିର ମଣିଷମାନଙ୍କ ସହ କାନ୍ଧ ଘଷିବୁ।

ଆହୁରି ପଢ଼ନ୍ତୁ- LPG Shortage: ମିଳୁନି ରନ୍ଧନ ଗ୍ୟାସ୍‌, ବଢ଼ିଗଲା ଇଣ୍ଡକ୍ସନ୍‌ ବିକ୍ରି

ମଧ୍ୟବିତ୍ତଙ୍କର ଏକାଧିକ ପାହାଚ। ବିଭାଜନର ରେଖା ଅନ୍ବେଷଣ କରି ଅନ୍ୟର ହାତ ଧରିବା ଗୋଷ୍ଠୀଗତ ବ୍ୟାକରଣସମ୍ମତ। ସେଥିପାଇଁ ବଡ଼ବଡ଼ ସହରରେ ଗେଟ୍‌ ଆଉ ସୀମା କାନ୍ଥ ଆବଦ୍ଧ ଗୋଷ୍ଠୀଗତ ଜୀବନ। ବନ୍ଧୁତ୍ବ ଯେମିତି ଜନ୍ମ ଜନ୍ମାନ୍ତର। ସ୍ଥିତି ମନସ୍କତା କେବଳ ଗୋଟିଏ ଉପାଦାନ। ଅତି ଧନୀ ଓ ସେଲିବ୍ରିଟିଙ୍କ ନୂଆ ପରିଚର୍ଯ୍ୟାର ହନୁକରଣ। ଯେମିତି ଇଂଲାଣ୍ଡ ବିପକ୍ଷ ଟି-୨୦ ସେମିଫାଇନାଲ ସମୟରେ ବିଶେଷ ବିଶିଷ୍ଟଙ୍କ ପାଇଁ ଉଦ୍ଦିଷ୍ଟ ‌ୱାଙ୍ଖଡ଼େର ଷ୍ଟାଣ୍ଡ୍‌ରେ ଶ୍ରୀମତୀ ସାକ୍ଷୀ ଧୋନିଙ୍କ ସହିତ ଅମ୍ବାନୀ ବୋହୂଙ୍କ ସଖ୍ୟ ଭାବକୁ ଆମେ ନିକଟରେ ନୂଆ କରି ଉଦ୍ଭାବନ କଲେ। ଏ ସବୁର ରସାୟନ ନବ୍ୟ ପୁଞ୍ଜିର ପାଠ୍ୟରେ ଅନ୍ତର୍ନିହିତ ଅଛି। ବିଡ଼ମ୍ବନା ହେଉଛି ମଧ୍ୟବିତ୍ତଙ୍କ ଏହି ଗୋଷ୍ଠୀ ଜୀବନ କେବେ ପ୍ରଦକ୍ଷିଣରେ ଯାଏ ନାହିଁ। ନିଜ ଜୀବନର ପରିଧିରେ କ’ଣ ଘଟୁଛି ତାହା ଜାଣେ ନାହିଁ। ରାସ୍ତାର ପରିଚ୍ଛନ୍ନତା ଓ ପରିମଳ ବ୍ୟବସ୍ଥା ପାଇଁ ଆପାର୍ଟମେଣ୍ଟବାସୀ କିମ୍ବା କଲୋନିବାସୀ ମଧ୍ୟବିତ୍ତଙ୍କ ଦୃଷ୍ଟି ପହଁରି ଯାଏ ନାହିଁ। ଆଲୋଚକ ପଙ୍କଜ ମିଶ୍ର ତାଙ୍କର ବହି ‘ବଟର୍ ଚିକେନ୍ ଇନ୍ ଲୁଧିଆନା’ରେ ଭାରତୀୟ ସହରୀ ଜୀବନର ଗୋଟିଏ ଚମତ୍କାର ଆଲେଖ୍ୟ ଦେଇଛନ୍ତି। ବହୁତଳ ବାସଗୃହର ଉଚ୍ଚତା ସହିତ ପାର୍ଶ୍ବବର୍ତ୍ତୀ ସର୍ବସାଧାରଣ ଜାଗାର ଆବର୍ଜନାର କୁଢ଼ ଓ ଅନାବନା ଗୁଳ୍ମ ସବୁ ସତେ ଯେମିତି ପ୍ରତିଦ୍ବନ୍ଦ୍ବିତା କରନ୍ତି।

ମଧ୍ୟବିତ୍ତଙ୍କ ବର୍ଗରେ ଠିକା, ଖଣି ଓ ଅନ୍ୟ ପ୍ରାକୃତିକ ସଂପତ୍ତିର ବିନିଯୋଗ ପାଇଁ ନିରନ୍ତର ମୀମାଂସାର ଅବକାଶରେ ଏକ ଅତ୍ୟୁଚ୍ଚ ମଧ୍ୟବିତ୍ତ ଗୋଷ୍ଠୀ ତିଆରି ହୋଇ ସାରିଲେଣି। ଏମାନେ ଭାରତୀୟଙ୍କ ଶୀର୍ଷ ଦଶ ଭାଗର ନବମ କି ଦଶମ କଡ଼ିରେ ପହଞ୍ଚି ସାରିଲେଣି। ଆମ ରାଜ୍ୟରେ ସେହି ଚିତ୍ର ବେଶୀ ସ୍ପଷ୍ଟ। ଅଣ-ସଂଗଠିତ କେନ୍ଦ୍ରରେ କାର୍ଯ୍ୟରତ ଓ ବିଶେଷତଃ ଛୋଟ ବ୍ୟବସାୟୀମାନେ ଆପେକ୍ଷିକତାର ସୂତ୍ରରେ ମଧ୍ୟବିତ୍ତଙ୍କ ସ୍ତରରୁ ନିମ୍ନ ସ୍ତରକୁ ଚାଲିଗଲେଣି, ଏଥିପାଇଁ ହୁଏତ ଆପାତତଃ କୌଣସି ଗାଣିତିକ ସୂତ୍ର ନାହିଁ। ଏମାନେ ହେଲେ ସେହି ଗୋଷ୍ଠୀ ଯେଉଁମାନଙ୍କୁ ଗ୍ୟାସ୍ ସିଲିଣ୍ଡରର ସାମାନ୍ୟ ବୃଦ୍ଧି ବି ବାଧେ।

କୁହାଯାଉଛି ସାମଗ୍ରିକ ଆଭ୍ୟନ୍ତରୀଣ ଉତ୍ପାଦ (ଜିଡିପି) ବୃଦ୍ଧିର ହାର ୮.୨। କିନ୍ତୁ ଏହି ହିସାବରେ ଆୟ ସହିତ ବ୍ୟୟ ସମୁତଲ କି ନାହିଁ ଆକଳନ କରାଯାଉ ନାହିଁ। ଆଭ୍ୟନ୍ତରୀଣ ଉତ୍ପାଦ ପାଇଁ ଖାଉଟି ଚାହିଦା ନ ବଢ଼ିଲେ, ଦେଶୀୟ ଉତ୍ପାଦନ ବଢ଼ିବ କେମିତି? ବାହାରେ ଉତ୍ପାଦିତ ‌ସୌଖୀନ ସାମଗ୍ରୀ, ଏବଂ ଘରୋଇ ଉତ୍ପାଦନ ପାଇଁ ବିଶେଷ ଯନ୍ତ୍ରାଂଶଗୁଡ଼ିକ ବାହାରୁ ଆମଦାନି କଲେ, ଆମର ବ୍ୟବହାର ଉପଯୋଗୀ ଚାହିଦାର ପରିମାଣାତ୍ମକ ବୃଦ୍ଧିରେ ଜିଡିପି ହୁଏତ ଆକର୍ଷଣୀୟ ହାର ହାସଲ କରିବ, କିନ୍ତୁ ସେଥିରେ ନିମ୍ନ ମଧ୍ୟବିତ୍ତଙ୍କ ଠାରୁ ଆରମ୍ଭ କରି ବିତ୍ତୀୟ ବର୍ଗୀକରଣ ବାହାରେ ଥିବା ପଚାଶରୁ ଅଧିକ ଭାଗଙ୍କ କ’ଣ ସ୍ବାର୍ଥ ସାଧନ ହେବ ନା ସେହି ଅଭିବୃଦ୍ଧିକୁ ସ୍ଥିର ଓ ପୋଷଣୀୟ କରାଯାଇ ପାରିବ? ମଧ୍ୟବିତ୍ତର ଆଖି ତ ସ୍ବଭାବତଃ ଝଲସେ। ଆମଦାନିକୃତ ସାମଗ୍ରୀର ମୋହରେ ସେ ମସଗୁଲ। ମର୍ସେଡିଜ ବେଞ୍ଜ ଗାଡ଼ି ପାଇଁ କୁଆଡ଼େ ସଂପୃକ୍ତ ବିଦେଶୀ କଂପାନି ଭାରତୀୟ ଯୁବକଙ୍କ ମଧ୍ୟରେ କ୍ରେତାଙ୍କର ଲାଳସାକୁ ଆବିଷ୍କାର କରିସାରିଛନ୍ତି। କେହିକେହି ଅର୍ଥନୀତିବିତ୍ ଏହାକୁ ଉପଭୋକ୍ତାବାଦର ଜନ ଜାତୀୟତା ବୋଲି କହୁଛନ୍ତି।

ଆହୁରି ପଢ଼ନ୍ତୁ- Monalisa Bhosale: କୁମ୍ଭମେଳା ମୋନାଲିସା ପୁଲିସ ‌ଥାନାରେ: ପ୍ରେମିକ ଫରହାନଙ୍କ ସହ କେରଳ ପୁଲିସର ଦ୍ୱାରସ୍ଥ

ସେହିଭଳି ଦେଶରେ ତିଆରି ଏସୟୁଭି ଚାରିଚକିଆ ଯାନରେ ବ୍ୟବହୃତ ଯନ୍ତ୍ରାଂଶ ମୂଲ୍ୟର ଶତକଡ଼ା ୨୦ ଆମଦାନିକୃତ। ଅନ୍ୟ ପକ୍ଷରେ ଅଣ-ଏସୟୁଭି ଗାଡ଼ିର ଚାହିଦା ଓ ଉତ୍ପାଦନର ଗତି ମନ୍ଥର। ଘରୋଇ ଉତ୍ପାଦ ବିସ୍କୁଟର ବ୍ୟବସାୟରେ ଅଭିବୃଦ୍ଧି ଉତ୍ସାହଜନକ ନୁହେଁ। ବିଦେଶୀ ଚକୋଲେଟ ‘ଫେରେରୋ ରୋଚର’ର ଆବଶ୍ୟକତା ବଜାରରେ ତ୍ବରିତ ବେଗରେ ବଢୁଛି। କୃତ୍ରିମ ଭାବରେ ମେଦ ଓ ଓଜନ ହ୍ରାସ ପାଇଁ ବିଦେଶୀ ଦାମୀ ଔଷଧ ଭାରତୀୟ ବଜାରକୁ କବ୍‌ଜା କଲାଣି। ଏଣେ ସଂଖ୍ୟାଧିକ ମଧ୍ୟବିତ୍ତ ପୋଷା ମିଡିଆର ଗପରେ ବଶୀଭୂତ। ୟୁକେ ଓ ୟୁରୋପିଆନ ୟୁନିଅନ ସହିତ ସଂପାଦିତ ସ୍ଥିର ବାଣିଜ୍ୟ ଚୁକ୍ତି (ଏପ୍‌ଟିଏ) ଦ୍ବାରା ସୌଖୀନ କାର ଓ ଦାମୀ ମଦ ଉପରେ ଶୁଳ୍‌କ ହ୍ରାସ କରାଯାଇଛି। ଧନିକ ଓ ଉଚ୍ଚ ମଧ୍ୟବିତ୍ତଙ୍କ ଚାହିଦାରେ ହୁଏତ ଦ୍ରବ୍ୟ ବ୍ୟବହାର ଓ ଫଳତଃ ଅର୍ଥନୀତିର ବୃଦ୍ଧିର ହାର ଅବ୍ୟାହତ ରହିବ, କିନ୍ତୁ ପରିବାରର ହାରାହାରି ଆୟ ସମ ତାଳରେ ବଢ଼ିବ ନାହିଁ। ତେଣୁ ବୈଷମ୍ୟ ବଢ଼ିବ। କିନ୍ତୁ ମୋହରେ ଆଚ୍ଛନ୍ନ ଏକ ବଡ଼ ମଧ୍ୟବିତ୍ତ ଗୋଷ୍ଠୀ ତୃପ୍ତିର ଅମୃତ ପାନ କରିଚାଲିଥିବେ। ପ୍ରାୟ ତିନି ଦଶନ୍ଧି ତଳେ ଆଲୋଚକ ଅଶୋକ ରୁଦ୍ର ସାମାଜିକ ଓ ଅର୍ଥନୈତିକ ବୈଷମ୍ୟର ଅଭିସନ୍ଧିରେ ତଥାକଥିତ ଶିକ୍ଷିତ ବୁଦ୍ଧିଜୀବୀଙ୍କର କିଛି ଭାଗ ରହୁଛି ବୋଲି ଅନୁଦାର ଭାବରେ ବ୍ୟକ୍ତ କରିଥିଲେ। ଅପର ପକ୍ଷରେ ମଧ୍ୟବିତ୍ତଙ୍କ ଏକ ବୃହତ୍ ଅଂଶ ସାଧାରଣ ହୋଇ ରହିଯାଆନ୍ତି, ଯେଉଁମାନେ କେବଳ ଚାଲୁ ମିଡିଆର ଶିକାର ହୁଅନ୍ତି। ଫେସନ, ବଲିଉଡ, ଅଖାଦ୍ୟ ବିଳାସ, କ୍ରିକେଟର କୁଚକ୍ରରୁ ବାହାରି ଏହି ସାଧାରଣ ମଧ୍ୟବିତ୍ତ ନିଜ ଚରିତ୍ରର ବିସ୍ତୃତ ଦିଗଟିକୁ ପୁନରୁଦ୍‌ଘାଟନ କରିବେ କି? ପ୍ରଶ୍ନ କରିବା, ଦରକାର ହେଲେ ପ୍ରତିବାଦୀ ହେବା ମଧ୍ୟବିତ୍ତର ଧର୍ମ। ବେଳ ବୁଡ଼ିବା ଆଗରୁ ଟିକିଏ ଆଖି ବୁଲେଇ ନେବା ଦରକାର। ନ ହେଲେ ନଈରେ ହଜେଇ ପହିରେ ଖୋଜୁଥିବେ ତ ଖୋଜୁଥିବେ!
(ମତାମତ ଲେଖକଙ୍କ ନିଜସ୍ବ)

ମୋ: ୯୪୩୭୨୨୬୬୪୪

ସୌଜନ୍ୟ ସମ୍ବାଦ

Exit mobile version