
ଝରିଗାଁ (ରମେଶ ପଟ୍ଟନାୟକ):ନବରଙ୍ଗପୁରଜିଲ୍ଲା ଝରିଗାଁ ବ୍ଲକ ଅନ୍ତର୍ଗତ ଇଛାପୁର ପଞ୍ଚାୟତରେ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ସ୍ଥାପନ ନେଇ ବିବାଦ ଦେଖା ଦେଇଛି। ମୁଣ୍ଡିମାଲ ପ୍ରାଥମିକ ବିଦ୍ୟାଳୟକୁ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ କରିବା ଦାବି ନେଇ ବିଭିନ୍ନ ଗ୍ରାମର ଗ୍ରାମବାସୀ ବିଦ୍ୟାଳୟ ଫାଟକରେ ତାଲା ପକାଇ ପ୍ରତିବାଦ କରିଛନ୍ତି।
ଇଛାପୁର ପଞ୍ଚାୟତର ଇଛାପୁର ପ୍ରାଥମିକ ବିଦ୍ୟାଳୟକୁ ଶିକ୍ଷା ବିଭାଗ ପକ୍ଷରୁ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ମାନ୍ୟତା ଦେଇଛନ୍ତି। ଗତ କିଛି ଦିନ ତଳେ ଭିତ୍ତିପ୍ରସ୍ତର ସ୍ଥାପନ ହୋଇଥିଲା। ତେବେ ଗ୍ରୀଷ୍ମକାଳୀନ ଛୁଟି ଶେଷ ହେଲା ପରେ ଗୁରୁବାର ଠାରୁ ସମସ୍ତ ବିଦ୍ୟାଳୟ ଖୋଲା ହୋଇଥିଲା। ମୁଣ୍ଡିମାଲ ପ୍ରାଥମିକ ବିଦ୍ୟାଳୟକୁ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ମାନ୍ୟତା ଦାବି କରି ମୁଣ୍ଡିମାଳ, ସିନ୍ଧିଭଟ୍ଟା, କର୍ଲାମାଲ ଓ ମହୁଲକୋଟ ଗ୍ରାମର ଗ୍ରାମବାସୀ ବିଦ୍ୟାଳୟ ଫାଟକରେ ତାଲା ପକାଇ ଦେଇଥିଲେ। ଫଳରେ ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀ ବାହାରେ ରହିଥିଲେ।
ଏହି ଖବର ଜାଣିବା ପରେ ସ୍ଥାନୀୟ ସିଆରସିସି ଧର୍ମୁ ମାଝୀ ବିଦ୍ୟାଳୟ ପହଞ୍ଚି ଗ୍ରାମବାସୀଙ୍କୁ ବୁଝାସୁଝା କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିଲା। ଗ୍ରାମବାସୀ ନିଜ ଜିଦରେ ଅଟଳ ରହି ବିଦ୍ୟାଳୟ ଫାଟକ ଖୋଲି ନଥିଲେ। ବିଦ୍ୟାଳୟ ଫାଟକରେ ତାଲା ପକାଇ ଥିବା ଯୋଗୁଁ ମଧ୍ୟାହ୍ନ ଭୋଜନ ପ୍ରସ୍ତୁତ ହୋଇ ପାରି ନଥିବା ବେଳେ ଛାତ୍ରଛାତ୍ରୀମାନଙ୍କୁ ବିସ୍କୁଟ ଦେଇ ଘରକୁ ଫେରାଇ ଦିଆଯାଇଥିଲା।
ଅନ୍ୟପକ୍ଷେ ଗୋଦାବରୀଶ ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ମୁଣ୍ଡିମାଲ ସରକାରୀ ପ୍ରାଥମିକ ବିଦ୍ୟାଳୟ ଠାରେ ସ୍ଥାପିତ ହେବାକୁ ଥିବା ବେଳେ ଇଚ୍ଛାପୁର ଠାରେ କିପରି ପ୍ରତିଷ୍ଠା ହେଲା ବୋଲି ଅଭିଯୋଗ ହୋଇଛି। ମୁଣ୍ଡିମାଲ ସ୍କୁଲକୁ ଗୋଦାବରୀଶ ଆଦର୍ଶ ଉଚ୍ଚ ବିଦ୍ୟାଳୟର ମାନ୍ୟତା ନମିଳିବା ଯାଏ ସ୍କୁଲ ଫାଟକ ବନ୍ଦ ରହିବ ବୋଲି ଗ୍ରାମବାସୀ ଚେତାବନୀ ଦେଇଛନ୍ତି।
ସୌଜନ୍ୟ ସମ୍ବାଦ




