Educational: ଶିକ୍ଷାନୁଷ୍ଠାନ ଅଞ୍ଚଳକୁ ନିଶାମୁକ୍ତ କରାଯିବ: ‘୩ ବର୍ଷରେ ରାଜ୍ୟ ହେବ ଗଞ୍ଜେଇମୁକ୍ତ’

ଆସନ୍ତା ୩ ବର୍ଷ ମଧ୍ୟରେ ରାଜ୍ୟରୁ ଗଞ୍ଜେଇ ମୂଳପୋଛ କରାଯିବ। ସେହିପରି ବ୍ରାଉନ୍‌ସୁଗାର୍‌, ସିନ୍ଥେଟିକ୍‌ ଡ୍ରଗ୍ସ, ଚୋରାମଦ କାରବାର ଉପରେ ସମ୍ପୂର୍ଣ୍ଣ ରୋକ୍‌ ଲଗାଯିବ। ବିଶେଷ କରି ରାଜ୍ୟର ଶିକ୍ଷାନୁଷ୍ଠାନ ଅଞ୍ଚଳକୁ ନିଶାମୁକ୍ତ କରାଯିବ।

ଭୁବନେଶ୍ବର: ଆସନ୍ତା ୩ ବର୍ଷ ମଧ୍ୟରେ ରାଜ୍ୟରୁ ଗଞ୍ଜେଇ ମୂଳପୋଛ କରାଯିବ। ସେହିପରି ବ୍ରାଉନ୍‌ସୁଗାର୍‌, ସିନ୍ଥେଟିକ୍‌ ଡ୍ରଗ୍ସ, ଚୋରାମଦ କାରବାର ଉପରେ ସମ୍ପୂର୍ଣ୍ଣ ରୋକ୍‌ ଲଗାଯିବ। ବିଶେଷ କରି ରାଜ୍ୟର ଶିକ୍ଷାନୁଷ୍ଠାନ ଅଞ୍ଚଳକୁ ନିଶାମୁକ୍ତ କରାଯିବ। ଏଥିପାଇଁ ଆସନ୍ତା ଏପ୍ରିଲ୍‌ ୧ରୁ ବେଆଇନ୍‌ ନିଶା କାରବାର ବିରୋଧରେ ଏକ ସ୍ବତନ୍ତ୍ର ଅଭିଯାନ ଆରମ୍ଭ କରାଯିବ। ୩ ବର୍ଷ ଅର୍ଥାତ୍‌, ୨୦୨୯ ମାର୍ଚ୍ଚ ଶେଷ ପର୍ଯ୍ୟନ୍ତ ଏହି ଅଭିଯାନ ଚାଲିବ। ଆଜି ପୁଲିସ ଭବନରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ପୁଲିସ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆ ଏହି ସୂଚନା ଦେଇଛନ୍ତି। ନିଶା ମାଫିଆଙ୍କୁ ସାବାଡ଼ ପାଇଁ ଏସ୍‌ଟିଏଫ୍‌ ଟିମ୍‌କୁ ଆହୁରି ଶକ୍ତିଶାଳୀ କରାଯିବ। ମାନବସମ୍ବଳଠାରୁ ଆରମ୍ଭ କରି ବୈଷୟିକ ଜ୍ଞାନକୌଶଳ ପର୍ଯ୍ୟନ୍ତ ସମସ୍ତ କ୍ଷେତ୍ରରେ ସହଯୋଗ କରାଯିବ।

ଶିକ୍ଷାନୁଷ୍ଠାନ ଅଞ୍ଚଳକୁ ନିଶାମୁକ୍ତ କରାଯିବ 
ସଶକ୍ତ ହେବ ଏସ୍‌ଟିଏଫ୍‌

ଏହି ସ୍ବତନ୍ତ୍ର ଅଭିଯାନ ପୂର୍ବରୁ ରାଜ୍ୟ ପୁଲିସ ଏ ଦିଗରେ ରଣନୀତି ଆରମ୍ଭ କରିସାରିଛି। ଗତ ୨୦୨୫ ଜାନୁଆରି ପହିଲାରୁ ୨୦୨୬ ଫେବ୍ରୁଆରି ଶେଷ ସୁଦ୍ଧା ରାଜ୍ୟ ପୁଲିସ ନିଶା କାରବାର ବିରୋଧରେ କଠୋର ପଦକ୍ଷେପ ନେଇଛି। ଏହି ସମୟରେ ପ୍ରାୟ ୧,୪୪୪ କୋଟି ଟଙ୍କା ମୂଲ୍ୟର ଗଞ୍ଜେଇ ଚାଷକୁ ନଷ୍ଟ କରାଯାଇଛି। ସେହିପରି ୧୩୪୬ କୋଟି ଟଙ୍କା ମୂଲ୍ୟର ଗଞ୍ଜେଇ, ୨୦୦ କୋଟି ଟଙ୍କା ମୂଲ୍ୟର ୧୮୬୨ ଲିଟର ଗଞ୍ଜେଇ ତେଲ, ୪୧.୭ କୋଟି ଟଙ୍କା ମୂଲ୍ୟର ବ୍ରାଉନ୍‌ସୁଗାର୍‌ ଏବଂ ୧୦.୧୭ କୋଟି ଟଙ୍କା ମୂଲ୍ୟର କଫ୍‌ ସିରପ୍‌ ଜବତ ହୋଇଛି।

ନିଶା ଚାଲାଣରେ ସମ୍ପୃକ୍ତ ୬୫୪ ଜଣ ଆନ୍ତଃରାଜ୍ୟ ନିଶା ବେପାରୀଙ୍କୁ ଗିରଫ କରାଯାଇଛି। କିଛି ଦିନ ତଳେ କୋରାପୁଟଜିଲ୍ଲା ପୁଲିସ ଗଞ୍ଜେଇ ତେଲର ପ୍ରସ୍ତୁତିକରଣ ୟୁନିଟ୍ ଉପରେ ଚଢ଼ଉ କରି ୧୮୦୦ ଲିଟରରୁ ଉର୍ଦ୍ଧ୍ବ ଗଞ୍ଜେଇ ତେଲ ଜବତ କରିଥିଲା, ଯାହାକୁ ଏକ ବଡ଼ ସଫଳତା ବୋଲି କୁହାଯାଉଛି। ରାଜ୍ୟରେ ପାଖାପାଖି ୧୨ଟି ଜିଲ୍ଲାରେ ନକ୍ସଲ ସକ୍ରିୟ ରହି ଗଞ୍ଜେଇ ଚାଷ ଓ ନିଶା କାରବାରରୁ କୋଟି କୋଟି ଟଙ୍କା ରୋଜଗାର କରୁଥିଲେ। ହେଲେ ବର୍ତ୍ତମାନ ସେମାନଙ୍କ ସଂଖ୍ୟା ୨ରୁ ୩ଟି ଜିଲ୍ଲାରେ ସୀମିତ। ପୁଲିସର ଦୃଢ଼ କାର୍ଯ୍ୟାନୁଷ୍ଠାନ ଯୋଗୁଁ ଗଜପତିରାୟଗଡ଼ା, କୋରାପୁଟ ଭଳି ଜିଲ୍ଲାରେ ଗଞ୍ଜେଇ ଚାଷ ୫୦ ପ୍ରତିଶତ ହ୍ରାସ ପାଇଛି। ମାର୍ଚ୍ଚ ଶେଷ ସୁଦ୍ଧା ଓଡ଼ିଶାକୁ ମାଓମୁକ୍ତ ସହ ୩ ବର୍ଷରେ ଗଞ୍ଜେଇ ମୂଳପୋଛ କରାଯିବ ବୋଲି ଡିଜିପି ଶ୍ରୀ ଖୁରାନିଆ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି।

 

 

 

 

ସୌଜନ୍ୟ ସମ୍ବାଦ

Exit mobile version