ଭୁବନେଶ୍ୱର: ରାଜଧାନୀବାସୀଙ୍କ ସହ ସହରର ଆଗନ୍ତୁକମାନଙ୍କୁ ୨୪ଘଣ୍ଟିଆ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ପାଇଁ ଭୁବନେଶ୍ବରର ପ୍ରମୁଖ ସ୍ଥାନରେ ୱାଟର୍ ଏଟିଏମ୍ ଓ ଆର୍ଓ ପ୍ଲାଣ୍ଟ ସ୍ଥାପନ କରାଯାଇଥିଲା। ଦେଶର ଦ୍ବିତୀୟ ସହର ଭାବେ ବିଏମ୍ସି ‘ଗ୍ରିନ୍ ସିଟି’ ଅଭିଯାନ କ୍ରମରେ ସୌରଶକ୍ତିର ଉପଯୋଗ ପୂର୍ବକ ଏହି ବ୍ୟବସ୍ଥା କରିଥିଲା। କିନ୍ତୁ ଉଦ୍ବେଗର କଥା ବର୍ଷାଧିକ କାଳ ଏହି ପ୍ରକଳ୍ପ ସବୁକୁ ମରାମତି ନକରି ଅଚଳ କରି ପକାଇବା ପରେ ଏବେ ବିଏମ୍ସି ଏହାକୁ ବିକି ଦେବାକୁ ନିଷ୍ପତ୍ତି ନେଇଛି। ପ୍ରାୟ ୫କୋଟି ଟଙ୍କାର ଏହି ପ୍ରକଳ୍ପ ସବୁକୁ ଶାଗମାଛ ଦରରେ ବିକିଦେବାକୁ ଯୋଜନା କରାଯାଇଛି।
୨୦୧୬ ମସିହାରେ ବାପୁଜୀନଗର ଝରଣାସାହି ବସ୍ତିରେ ବିଏମ୍ସି ପକ୍ଷରୁ ପ୍ରଥମ କରି ଏହି ୱାଟର୍ ଏଟିଏମ୍ ପ୍ରତିଷ୍ଠା କରାଯାଇଥିଲା। ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଶୁଭାରମ୍ଭ କରିଥିଲେ। ପର୍ଯ୍ୟାୟକ୍ରମେ ରାଜଧାନୀର ୪୦ଟି ପ୍ରମୁଖ ଛକ ଓ କାର୍ଯ୍ୟାଳୟରେ ଏହି ପ୍ରକଳ୍ପ ପ୍ରତିଷ୍ଠା କରାଯାଇଥିଲା। ସେହିଭଳି ଜଳ ବିଶୋଧନ ପାଇଁ ୪ଟି ଆର୍ଓ ପ୍ଲାଣ୍ଟ ବି ବସାଯାଇଥିଲା। ଏହାକୁ ବସାଇବାକୁ ପିରାମଲ୍ ୱାଟର ପ୍ରାଇଭେଟ୍ ଲିମିଟେଡ୍ ସହ ବିଏମ୍ସି ଚୁକ୍ତି କରିଥିଲା। ଏ ବାବଦରେ ପିରାମଲ୍ ୱାଟର ପ୍ରାଇଭେଟ୍ ଲିମିଟେଡ୍କୁ ୪ କୋଟି ୭୫ଲକ୍ଷ ୯୨ହଜାର ଟଙ୍କା ଦିଆଯାଇଥିଲା ପ୍ରକଳ୍ପରୁ ପାଣି ପିଇବା ପାଇଁ କାର୍ଡ ବ୍ୟବସ୍ଥା କରାଯାଇଥିଲା। ଲିଟର ପିଛା ୩୦ ପଇସା ଦର ଧାର୍ଯ୍ୟ କରାଯାଇଥିଲା। କାର୍ଡ ସ୍କାନ୍ କରି ଲୋକେ ବିଶୁଦ୍ଧ ପାଣି ପାଇ ପାରୁଥିଲେ। ଯେଉଁମାନଙ୍କର କାର୍ଡ ନ ଥିଲା, ସେମାନେ କଏନ୍ ପକାଇ ପିଇବା ପାଣି ପାଇ ପାରୁଥିଲେ। ୨୦୨୩ ଅକ୍ଟୋବରରେ ପିରାମଲ୍ ୱାଟର ପ୍ରାଇଭେଟ୍ ଲିମିଟେଡ୍ ଏହାର ପରିଚାଳନା ଦାୟିତ୍ବ ମୁଣ୍ଡାଇଥିଲା। ପରେ ଏକ ଆଉଟ୍ସୋର୍ସିଂ ସଂସ୍ଥାକୁ ୨୦୨୪ ଅକ୍ଟୋବର ପର୍ଯ୍ୟନ୍ତ ଏହାର ପରିଚାଳନା ଦାୟିତ୍ବ ଦିଆଯାଇଥିଲା। କିନ୍ତୁ ଏହି ପ୍ରକଳ୍ପ ବାରମ୍ବାର ଅଚଳ ହୋଇଯାଇଥିଲା। ରାଜ୍ୟ ସରକାର ଯେଉଁ ଲକ୍ଷ୍ୟରେ ଏହି ପ୍ରକଳ୍ପ ସବୁ କରିଥିଲେ, ତାର ଲକ୍ଷ୍ୟ ସାଧନ ହେଲାନି କି ଲୋକଙ୍କ ସେବାରେ ଲାଗିଲାନି।
ଏ ସଂପର୍କରେ ‘ସମ୍ବାଦ’ରେ ଖବର ପ୍ରକାଶ ପାଇବା ପରେ ବିଏମ୍ସି କମିସନର୍ ଚଞ୍ଚଳ ରାଣା ଏକ ବୈଠକ ଡାକିଥିଲେ। ବୈଠକରେ ୱାଟ୍କୋର ଡିଭିଜନ୍-୨ର ଅଧିକାରୀମାନେ ଉପସ୍ଥିତ ଥିଲେ। ୪୦ ୱାଟର ଏଟିଏମ୍ ଓ ଆର୍ଓ ପ୍ଲାଣ୍ଟର କାର୍ଯ୍ୟପଦ୍ଧତି ସମୀକ୍ଷା ବେଳେ ୱାଟ୍କୋ-୨ ଅଧିକାରୀମାନେ କହିଥିଲେ ଯେ ବର୍ତ୍ତମାନ ଭୁବନେଶ୍ବର ସହରରେ ଯୋଗାଣ ହେଉଥିବା ପାନୀୟ ଜଳର ଆର୍ଓ ଶୋଧନ ଆବଶ୍ୟକ ନୁହେଁ। ଭୁବନେଶ୍ବର ପାନୀୟ ଜଳର ଟିଡିଏସ ସ୍ତର ଲିଟର ପିଛା ୫୦୦ ମିଲିଗ୍ରାମ ଭିତରେ ରହୁଛି ଓ ୟୁନିଭର୍ସାଲ୍ କଭରେଜ ଯୋଜନାରେ ରାଜଧାନୀର ସବୁ ଅଞ୍ଚଳରେ ପାଇପ୍ ଜରିଆରେ ବିଶୁଦ୍ଧ ପାନୀୟ ଜଳଯୋଗାଣ ଚାଲିଛି। ଏଣୁ ଆର୍ଓ ବିଶୋଧନ ପ୍ରକ୍ରିୟାରେ ଯେଉଁ ୱାଟର ଏଟିଏମ ଓ ଆର୍ଓ ପ୍ଲାଣ୍ଟ ବସିଥିଲା, ବର୍ତ୍ତମାନ ଏହା ଆବଶ୍ୟକ ହେଉନାହିଁ। ୱାଟ୍କୋର ଯୁକ୍ତି ଆଧାରରେ କମିସନର୍ ୪୦ ୱାଟର ଏଟିଏମ ଓ ୪ ଆର୍ଓ ପ୍ଲାଣ୍ଟକୁ ନିଲାମ ଡାକିବାକୁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସେହି ଅନୁସାରେ ବିଏମ୍ସି ପକ୍ଷରୁ ନିଲାମ ପ୍ରକ୍ରିୟା ଆରମ୍ଭ ହୋଇଛି।
ସୌଜନ୍ୟ ସମ୍ବାଦ
