ରାଜ୍ୟ

Eggs cost : ଅଣ୍ଡା ଗୋଟାକୁ ୮ଟଙ୍କା, ସରକାର ଦେଉଛନ୍ତି ୫ଟଙ୍କା‌

ସମନ୍ବିତ ଶିଶୁବିକାଶ ପ୍ରକଳ୍ପ ମାଧ୍ୟମରେ ପରିପୂରକ ପୁଷ୍ଟିକର ଯୋଜନାରେ ଗର୍ଭବତୀ, ପ୍ରସୂତି ଓ ଶିଶୁଙ୍କୁ ସୁଷମଖାଦ୍ୟ ପାଇଁ ଅଣ୍ଡାକୁ ପ୍ରାଧାନ୍ୟ ଦିଆଯାଇଛି। ପ୍ରତି ଶିଶୁପିଛା ମାସକୁ ୨୦ଟି ଅଣ୍ଡା....

ବାରିପଦା: ସମନ୍ବିତ ଶିଶୁବିକାଶ ପ୍ରକଳ୍ପ ମାଧ୍ୟମରେ ପରିପୂରକ ପୁଷ୍ଟିକର ଯୋଜନାରେ ଗର୍ଭବତୀ, ପ୍ରସୂତି ଓ ଶିଶୁଙ୍କୁ ସୁଷମଖାଦ୍ୟ ପାଇଁ ଅଣ୍ଡାକୁ ପ୍ରାଧାନ୍ୟ ଦିଆଯାଇଛି। ପ୍ରତି ଶିଶୁପିଛା ମାସକୁ ୨୦ଟି ଅଣ୍ଡା ଏବଂ ଗର୍ଭବତୀ, ପ୍ରସୂତିଙ୍କ ପାଇଁ ୧୨ଟି ଅଣ୍ଡା ଦେବାର ବ୍ୟବସ୍ଥା ରହିଛି। ଗୋଟିଏ ଅଣ୍ଡାକୁ ସରକାର ୫ ଟଙ୍କା ଦେଉଥିବାବେଳେ ଏବେ ଅଣ୍ଡା ଗୋଟାକର ଦାମ ୭ରୁ ୮ ଟଙ୍କା ହେଲାଣି। ଫଳରେ ପୁଷ୍ଟିକର ଖାଦ୍ୟ ତାଲିକାରେ ଅଣ୍ଡା ରଖିବା ମୁସ୍କିଲ୍‌ ହୋଇପଡ଼ିଛି। କେବେ କେମିତି ଅଣ୍ଡାଦେଇ କାମସାରି ଦେଉଛନ୍ତି ଅଙ୍ଗନବାଡ଼ି କର୍ମୀ। ଏଥିପାଇଁ ଅଧିକାଂଶ ସ୍ଥାନରେ ଅଙ୍ଗନବାଡ଼ି କର୍ମୀ ଗ୍ରାମବାସୀଙ୍କ ବିରୋଧର ସମ୍ମୁଖୀନ ହେଉଛନ୍ତି। ପୁଷ୍ଟିକର ଖାଦ୍ୟ ବାବଦରେ ଜଣେ ହିତାଧିକାରୀଙ୍କ ପିଛା ୭ ଟଙ୍କା ୮୨ ପଇସା ମିଳୁଥିବାବେଳେ କେବଳ ଅଣ୍ଡା ଦାମ୍ ୮ ଟଙ୍କା ଛୁଇଁଲାଣି। ଯାହାଫଳରେ ଶିଶୁଙ୍କୁ ଭାତ ଓ ଡାଲମାରେ ସନ୍ତୁଷ୍ଟ ହେବାକୁ ପଡୁଛି। ଏନେଇ ବାରମ୍ବାର ଦାବି ହେବା ଫଳରେ ସରକାର ଜଣକା ମାତ୍ର ୧୨ ପଇସା ବୃଦ୍ଧି କରିଛନ୍ତି। ଏହା କିପରି ଆବଶ୍ୟକତା ପୂରଣ କରିବ ବୋଲି ଅଙ୍ଗନବାଡ଼ି କର୍ମୀଙ୍କ ମହଲରୁ କୁହାଯାଇଛି।

ମୟୂରଭଞ୍ଜ ଜିଲ୍ଲାରେ ମୋଟ ୫ ହଜାର ୧୫୪ ଅଙ୍ଗନବାଡ଼ି କେନ୍ଦ୍ର ରହିଛି। ପରିପୂରକ ପୁଷ୍ଟିକର ଖାଦ୍ୟ ଯୋଜନାରେ ହିତାଧିକାରୀଙ୍କ ସଂଖ୍ୟା ରହିଛି ୩ ଲକ୍ଷ ୧ ହଜାର ୨୯୩ ଜଣ। ସେଥିମଧ୍ୟରୁ ୬ ମାସରୁ ୩ ବର୍ଷ ଓ ୩ ବର୍ଷରୁ ୬ ବର୍ଷ ଶିଶୁଙ୍କ ସଂଖ୍ୟା ୨ ଲକ୍ଷ ୫୮ ହଜାର ୮୯୪। ଅବଶିଷ୍ଟ ୨୧ ହଜାର ୫୫୭ ଜଣ ଗର୍ଭବତୀ ଓ ୨୦ ହଜାର ୮୪୨ ଜଣ ପ୍ରସୂତି। ପରିପୂରକ ପୁଷ୍ଟିକର ଖାଦ୍ୟ ଯୋଜନାରେ ହିତାଧିକାରୀଙ୍କ ପିଛା ମିଳୁଥିବା ୭ଟଙ୍କା ୮୨ ପଇସାରୁ କେବଳ ଅଣ୍ଡା ପାଇଁ ୫ରୁ ୬ ଟଙ୍କା ଖର୍ଚ୍ଚ ହୋଇ ଯାଉଥିଲା। ଏବେ ଅଣ୍ଡା ଗୋଟାକୁ ୮ ଟଙ୍କା ପଡ଼ିଲାଣି। ଟ୍ରେ ଜରିଆରେ ଆଣିଲେ ୭ ଟଙ୍କା ଉପରେ ପଡୁଛି। ଆଉ ଗୋଟା କିଣିଲେ ୮ ଟଙ୍କା ପଡ଼ିଯାଉଛି। ସରକାର ଦେଉଥିବା ୭ ଟଙ୍କା ୮୨ ପଇସାରୁ  ଅଣ୍ଡା, ତେଲ, ଲୁଣ, ଜଳଖିଆ, ରାସନ ସାମଗ୍ରୀ ସବୁ କିଛି କିଣାଯାଉଛି। ଏହା ଗୋଟିଏ ଅଣ୍ଡାକୁ ନିଅଣ୍ଟ ପଡୁଛି। ଏଥିରେ ହିତାଧିକାରୀଙ୍କୁ କେମିତି ପୁଷ୍ଟିକର ଖାଦ୍ୟ ଯୋଗାଇହେବ ବୋଲି ଅଙ୍ଗନବାଡ଼ି କର୍ମୀମାନେ ପ୍ରଶ୍ନ କରିଛନ୍ତି।

ଅଣ୍ଡା ସହିତ ଖାଦ୍ୟ ବାବଦ ଅର୍ଥ ବଢ଼ାଇବାକୁ ଦାବିକରି ଅଙ୍ଗନବାଡ଼ି କର୍ମୀ ଆନ୍ଦୋଳନ କରିବା ପରେ ସ୍ବୟଂସହାୟକ ଗୋଷ୍ଠୀ ହାତକୁ ଅଣ୍ଡା ଯୋଗାଣ ଦାୟିତ୍ବ ଯାଇଥିଲା। ହେଲେ ଅଣ୍ଡାଦର ବୃଦ୍ଧି ଦେଖି ସ୍ବୟଂସହାୟକ ଗୋଷ୍ଠୀ ମଧ୍ୟ ଏଥିରୁ ଓହରି ଯାଇଛନ୍ତି। ପୂର୍ବ ସରକାର ସମୟରେ ପୁଷ୍ଟିକର ଖାଦ୍ୟ ବାବଦକୁ ଜଣେ ପିଛା ୭ ଟଙ୍କା ୫୦ ପଇସା ଦିଆଯାଉଥିଲା। ନୂଆ ସରକାର ଆସିବା ପରେ ମାତ୍ର ୩୨ ପଇସା ବୃଦ୍ଧିହୋଇଛି। ଏ ସଂକ୍ରାନ୍ତରେ ରାଜ୍ୟ ସରକାରଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ବାରମ୍ବାର ଅବଗତ କରାଯାଉଥିଲେ ମଧ୍ୟ ସୁଫଳ ମିଳିନି। ଏ ନେଇ ଅତିରିକ୍ତ ଜିଲ୍ଲାପାଳ ଦୁଃଖବନ୍ଧୁ ନାୟକଙ୍କୁ ପଚାରିବାରୁ ପୁଷ୍ଟିକର ଖାଦ୍ୟ ପାଇଁ ମୂଲ୍ୟବୃଦ୍ଧି କରିବାକୁ ଆଉଥରେ ରାଜ୍ୟ ସରକାରଙ୍କୁ ଅବଗତ କରାଯିବ ବୋଲି କହିଛନ୍ତି।

 

 

ସୌଜନ୍ୟ ସମ୍ବାଦ

 

Show More

Leave a Reply

Your email address will not be published. Required fields are marked *

Back to top button