Emergency Landing: ଲଣ୍ଡନଗାମୀ ବିମାନର ବେଙ୍ଗାଲୁରୁରେ ଜରୁରୀ ଅବତରଣ
ବେଙ୍ଗାଲୁରୁରୁ ଲଣ୍ଡନ ଯାଉଥିବା ଭର୍ଜିନ୍ ଆଟ୍ଲାଣ୍ଟିକ୍ର ଏକ ଯାତ୍ରୀବାହୀ ବିମାନରେ ଉଡ଼ାଣର କିଛି ସମୟ ପରେ ବୈଷୟିକ ତ୍ରୁଟି ଦେଖାଦେବାରୁ ରବିବାର ଏହାକୁ ବେଙ୍ଗାଲୁରୁ ବିମାନବନ୍ଦରକୁ ଫେରାଇ ଅଣାଯାଇଛି। ବିମାନଟି କେମ୍ପେଗୌଡ଼ା ଅନ୍ତର୍ଜାତୀୟ ବିମାନବନ୍ଦରରେ...

ବେଙ୍ଗାଲୁରୁ: ବେଙ୍ଗାଲୁରୁରୁ ଲଣ୍ଡନ ଯାଉଥିବା ଭର୍ଜିନ୍ ଆଟ୍ଲାଣ୍ଟିକ୍ର ଏକ ଯାତ୍ରୀବାହୀ ବିମାନରେ ଉଡ଼ାଣର କିଛି ସମୟ ପରେ ବୈଷୟିକ ତ୍ରୁଟି ଦେଖାଦେବାରୁ ରବିବାର ଏହାକୁ ବେଙ୍ଗାଲୁରୁ ବିମାନବନ୍ଦରକୁ ଫେରାଇ ଅଣାଯାଇଛି। ବିମାନଟି କେମ୍ପେଗୌଡ଼ା ଅନ୍ତର୍ଜାତୀୟ ବିମାନବନ୍ଦରରେ ଜରୁରୀ ଅବତରଣ କରିଥିବା ବେଙ୍ଗାଲୁରୁ ଇଣ୍ଟରନ୍ୟାସନାଲ ଏୟାର୍ପୋର୍ଟ ଲିମିଟେଡ୍ (ବିଆଇଏଏଲ୍) ସୂତ୍ରରୁ ଜଣାପଡ଼ିଛି। ବିମାନରେ ପ୍ରାୟ ୨୭୦ ଜଣ ଯାତ୍ରୀ ଥିଲେ ଏବଂ ସମସ୍ତେ ସୁରକ୍ଷିତ ଅଛନ୍ତି।
ସୂଚନା ଅନୁସାରେ, ବିମାନଟି ରବିବାର ସକାଳ ପ୍ରାୟ ୮ଟା ୨୦ରେ କେମ୍ପେଗୌଡ଼ା ବିମାନବନ୍ଦରରୁ ଲଣ୍ଡନ ଅଭିମୁଖେ ଉଡ଼ାଣ ଆରମ୍ଭ କରିଥିଲା। ଉଡ଼ାଣର କିଛି ସମୟ ପରେ ବିମାନରେ ବୈଷୟିକ ସମସ୍ୟା ଦେଖାଦେଇଥିଲା। ଏହାପରେ ପାଇଲଟ୍ ବିମାନକୁ ତୁରନ୍ତ ବେଙ୍ଗାଲୁରୁକୁ ଫେରାଇ ଆଣିବା ପରିବର୍ତ୍ତେ ତୁମକୁର ନିକଟ ଆକାଶରେ ୩୦ ମିନିଟ୍ରୁ ଅଧିକ ସମୟ ଚକ୍କର କାଟିଥିଲେ। ପରେ ବିମାନଟିକୁ ପୁଣି ବେଙ୍ଗାଲୁରୁ ଅଣାଯାଇଥିଲା। ତେବେ ବିମାନରେ କେଉଁ ପ୍ରକାର ବୈଷୟିକ ତ୍ରୁଟି ଦେଖାଦେଇଥିଲା, ତାହା ତୁରନ୍ତ ଜଣାପଡ଼ିନାହିଁ। ଏ ସମ୍ପର୍କରେ ବିମାନବନ୍ଦର କର୍ତ୍ତୃପକ୍ଷ ତଥ୍ୟ ସଂଗ୍ରହ କରୁଛନ୍ତି।
ସୌଜନ୍ୟ ସମ୍ବାଦ




