uncategories

Literature: ଗଳ୍ପ ‘ଅନୁତାପ’… ମୂଳ ହିନ୍ଦୀ: ଜେ. ପି. ଏସ୍‌. ଜୌଲୀ, ଅନୁସୃଜନ: କନକ ମଞ୍ଜରୀ ସାହୁ

ଜୀବନର ଅତୀତ ପୃଷ୍ଠାରେ ଘଟିଯାଇଥିବା ଘଟଣା ବି ମଲାଯାଏ ସାଥିରେ ରହିଥାଏ; ଯଦି ଆମେ ତାକୁ ଭୁଲାଇ ନଦେଇଥାଉ। ଏହା ପରବର୍ତ୍ତୀ ସମୟରେ ଘାତକ ମଧ୍ୟ ହୋଇପାରେ। ଏଣୁ ଦୁଃଖକୁ ଭୁଲିଯାଇ ବର୍ତ୍ତମାନକୁ ବଞ୍ଚିବା ଏବଂ ଭବିଷ୍ୟତ କଥା ସମୟ ହାତରେ ଛାଡ଼ିଦେବା ଆବଶ୍ୟକ ‌ବୋଲି ଲେଖକ ଗଳ୍ପ ମାଧ୍ୟମରେ କହିଛନ୍ତି।

ଅନୁତାପ

ହିନ୍ଦୀ: ଜେ. ପି. ଏସ୍‌. ଜୌଲୀ

ଅନୁସୃଜନ: କନକ ମଞ୍ଜରୀ ସାହୁ

ରେଖା ତା’ ସ୍ୱାମୀଙ୍କୁ ପଚାରିଲା, ‘‘ଯଦି କିଏ ନିଜର ପିଲାଙ୍କୁ ଜିନିୟସ କରିବାକୁ ଚାହିବ ତା’ ହେଲେ ସେ କ’ଣ କରିବା ଉଚିତ?’’
ରେଖାର ସ୍ୱାମୀ କହିଲେ, ‘‘ଏଥିପାଇଁ ପିଲାମାନଙ୍କୁ ପରୀ କାହାଣୀ ଶୁଣାଇବା ଉଚିତ।’’ ଏହା ଶୁଣି ରେଖା ଆଉ ଗୋଟିଏ ପ୍ରଶ୍ନ କଲା, ‘‘ଯଦି ଆହୁରି ଅଧିକ ପ୍ରତିଭାଶାଳୀ କରିବାକୁ ଚାହିବେ ତେବେ କ’ଣ କରିବେ?’’ ତା’ପରେ ପତିଦେବ ହସି କହିଲେ, ‘‘ତା’ହେଲେ ଏମିତି ପିଲାଙ୍କୁ ଆହୁରି ଅଧିକ ପରୀ କାହାଣୀ ଶୁଣାଇବା ଉଚିତ।’’ ରେଖା କହିଲା, ‘‘ମୋତେ ଯେତେ ବି କାହାଣୀ ଶୁଣାଇବାକୁ ପଡୁ, ମୁଁ ମୋ ପୁଅକୁ ସବୁଠୁ ବଡ଼ ଜିନିୟସ କରିବି।’’ ଦୁହିଁଙ୍କ କଥା ଶୁଣି ତାଙ୍କ ପୁଅ ଗପ୍ପୁ ମା’କୁ କହିଲା, ‘‘ମୋତେ ଜିନିୟସ ପରେ କରିବ, ପ୍ରଥମେ ଗୁଡ଼ି ଆଣିକି ଦିଅ। କଲୋନିର ସବୁ ପିଲା ଆଜି ସକାଳୁ ଗୁଡ଼ି ଉଡ଼ାଉଛନ୍ତି, ମୁଁ ବି ଏବେ ଗୁଡ଼ି ଉଡ଼ାଇବି।’’

ଅନେକ ବୁଝାଇବା ପରେ ବି ଯେତେବେଳେ ଗପ୍ପୁ ନ ମାନିଲା ରେଖା ଗୁଡ଼ି ଆଣିକି ଦେଲା। ତାକୁ ତାଗିଦା କଲା, ‘‘ଗୁଡ଼ି ଉଡ଼ାଇବାକୁ ଛାତକୁ ଯିବୁନି।’’ କିଛି ସମୟ ପରେ ଗପ୍ପୁ ମା’କୁ ଦେଇଥିବା କଥା ଭୁଲି ତା’ ସାଙ୍ଗମାନଙ୍କ ସାଙ୍ଗରେ ଘରର ଛାତ ଉପରେ ଗୁଡ଼ି ଉଡ଼ାଇବାରେ ବ୍ୟସ୍ତ ରହିଲା।

ଆହୁରି ପଢ଼ନ୍ତୁ- Baba Vanga Predictions 2026: ମଧ୍ୟପ୍ରାଚ୍ୟରେ ମହାଯୁଦ୍ଧ ମଧ୍ୟରେ ତୃତୀୟ ବିଶ୍ୱଯୁଦ୍ଧ ନେଇ ଚର୍ଚ୍ଚା: ୨୦୨୬ରେ ଯୁଦ୍ଧ ନେଇ ଥିଲା ବାବା ଭେଙ୍ଗାଙ୍କ ଭବିଷ୍ୟବାଣୀ

ଘରେ ରୋଷେଇ ସରିବା ପରେ ରେଖା ଗପ୍ପୁକୁ ଖାଇବା ପାଇଁ ଡାକିଲା। ଏପଟେ ସେପଟେ ଖୋଜି ଯେତେବେଳେ ଗପ୍ପୁକୁ ପାଇଲାନି ରେଖା କଲୋନିରେ ଖୋଜିବା ଆରମ୍ଭ କଲା। ଫେରିବା ସମୟରେ ତା’ ନଜର ଛାତ ଆଡ଼କୁ ପଡ଼ିବାରୁ ଗପ୍ପୁ ତା’ ସାଙ୍ଗମାନଙ୍କ ସାଙ୍ଗରେ ଗୁଡ଼ି ଉଡ଼ାଉଥିବାର ଦେଖିଲା। ରେଖା ଗପ୍ପୁ ଉପରେ ରାଗିବା ଆରମ୍ଭ କରିଦେଲା। ମା’ଙ୍କର ରାଗିବା ଦେଖି ଗପ୍ପୁ ଏତେ ଡରିଗଲା ଯେ ତା’ ପାଦ ଛାତରୁ ଖସିଗଲା ଏବଂ ସେ ଓଲଟି ତଳେ ଯାଇ ପଡ଼ିଲା। ସାଙ୍ଗେସାଙ୍ଗେ ପାଖ ପଡ଼ୋଶୀଙ୍କ ସାହାଯ୍ୟରେ ଗପ୍ପୁକୁ ହସ୍‌ପିଟାଲରେ ଭର୍ତ୍ତି କରାଗଲା। କିଛି ସମୟ ରହିବା ପରେ ପଡ଼ୋଶୀମାନେ ଜଣଜଣ ହେଇ ସମସ୍ତେ ଚାଲିଗଲେ। ତା’ପରେ ରେଖା ଏବଂ ତା’ ସ୍ୱାମୀ ହସ୍‌ପିଟାଲର ରୁମ୍ ବାହାରେ ଅସହାୟ ହୋଇ ବସି ରହିଥିଲେ। ରେଖା ବାରମ୍ବାର ଗପ୍ପୁର ଛାତରୁ ପଡ଼ିବା ଦୃଶ୍ୟ ମନେ ପକାଇ ଗୋଟିଏ କଥାକୁ ଦୋହରାଉଥାଏ ‘ହେ ପ୍ରଭୁ ମୋ ପିଲାକୁ କୌଣସିମତେ ବଞ୍ଚାଇଦିଅ।’ ଗପ୍ପୁର ବାପା କେତେ ବୁଝାଇବା ପରେ ବି ରେଖା ତା’ ଲୁହକୁ ଅଟକାଇ ପାରୁ ନ ଥିଲା।

କାନ୍ଦି କାନ୍ଦି ରେଖାର ଅବସ୍ଥା ଏମିତି ଖରାପ ହୋଇଗଲା ଯେ ତାକୁ ବି ଚିକିତ୍ସା ପାଇଁ ହସ୍‌ପିଟାଲରେ ଭର୍ତ୍ତି କରିବାକୁ ପଡ଼ିଲା। ତା’ ସ୍ୱାମୀ ଡାକ୍ତରଙ୍କ ସହିତ କଥା ହେବାରୁ ସେ କହିଲେ, ‘‘ପିଲା ପଡ଼ିବା ଦେଖି ଆପଣଙ୍କ ପତ୍ନୀଙ୍କୁ ଏମିତି ସକ୍ ହୋଇଗଲା ଯେ ସେ ବରଦାସ୍ତ କରିପାରିଲେନି।’’ କିଛିଦିନ ଚିକିତ୍ସା ପରେ ଗପ୍ପୁ କିଛି ପରିମାଣରେ ଠିକ୍ ହୋଇଗଲା, କିନ୍ତୁ ରେଖାର ଅବସ୍ଥାରେ କୌଣସି ପରିବର୍ତ୍ତନ ହେଲାନି। ରେଖାକୁ ଚିକିତ୍ସା କରୁଥିବା ଡାକ୍ତର ତା’ ସ୍ୱାମୀଙ୍କୁ କହିଲେ, ‘‘ଯଦି ଆପଣ କହିବେ ମୁଁ କୌଣସି ମନୋବୈଜ୍ଞାନିକଙ୍କୁ ଡକାଇଦେବି।’’ ରେଖାର ସ୍ୱାମୀ ପଚାରିଲେ, ‘‘ଆପଣଙ୍କୁ କ’ଣ ଲାଗୁଛି ମୋ ପତ୍ନୀ ପାଗଳ ହୋଇଗଲେଣି?’’ ଏକଥା ଶୁଣି ଡାକ୍ତର କହିଲେ, ‘‘ସେମିତି କିଛି ନୁହେଁ। ମନୋବିଜ୍ଞାନ ଏମିତି ଏକ ବିଜ୍ଞାନ ଯାହା କୌଣସି ବି ପ୍ରାଣୀର ଚିନ୍ତନ, ଭାବ, ବ୍ୟବହାର ଓ ମାନସିକ ପ୍ରତିକ୍ରିୟାର ଅଧ୍ୟୟନ କରିଥାଏ। ଏହାର ଉଦ୍ଦେଶ୍ୟ ଚେତନାବସ୍ଥାର ପ୍ରକ୍ରିୟାର ବିଶ୍ଳେଷଣ କରି ରୋଗର କିମ୍ବା ତା’ ସହିତ ଜଡ଼ିତ ଚିନ୍ତାର ଅବସ୍ଥା ଖୋଜିବା।’’

ଆହୁରି ପଢ଼ନ୍ତୁ- Literature: ଗୌରହରି ଦାସଙ୍କ ଏଥର ଜୀବନର ଜଳଛବିରେ ‘ଜଖମ ହୃଦୟ’…

କିଛିଦିନ ଚିକିତ୍ସା ହେବା ପରେ ମନୋବୈଜ୍ଞାନିକ ଏକଥା ଜାଣିଲେ ଯେ, ରେଖା ଛୋଟ ଥିଲା ବେଳେ ପକ୍ଷୀଟିଏ ତାଙ୍କ ଘରର ପଙ୍ଖା ଓ ଛାତ ମଝିରେ ବସାଟିଏ କରିଥିଲା। କିଛିଦିନ ଭିତରେ ସେଇ ପକ୍ଷୀ ଅଣ୍ଡା ଦେଲା। ରେଖା ପ୍ରତିଦିନ ସେଇ ଅଣ୍ଡାକୁ ବହୁତ ଧ୍ୟାନର ସହ ଚାହିଁରହିଥାଏ। ଘରର ସମସ୍ତଙ୍କୁ କହିଦେଇଥାଏ ଯେମିତି କେହି ବି ସେଇ ରୁମ୍‌ର ପଙ୍ଖାକୁ ଚଲେଇବେ ନାହିଁ। କିନ୍ତୁ ଦିନେ ହଠାତ୍ ବହୁତ ଗରମରେ ରେଖା ବାହାରୁ ଆସିଲା, ଭୁଲରେ ନିଜେ ହିଁ ପଙ୍ଖାକୁ ଚଲେଇଦେଲା। ପଙ୍ଖା ଚାଲିବା ମାତ୍ରେ ପକ୍ଷୀର ବସା ସହିତ ସବୁ ଅଣ୍ଡା ତଳେ ପଡ଼ି ଭାଙ୍ଗିଗଲା। ଏବେ ପୁଅ ତଳେ ପଡ଼ିବା ଦେଖି ରେଖାର ଆଖି ସାମନାକୁ ସେଇ ଦୃଶ୍ୟ ଆସିଗଲା।

ରେଖାର ସ୍ୱାମୀ କହିଲେ, ‘‘ଏବେ ଏହି ସମସ୍ୟାର ସମାଧାନ କ’ଣ?’’ ଡାକ୍ତର କହିଲେ, ‘‘କୌଣସି ବି ଦୁଃଖ ବା ସମସ୍ୟା ବିଷୟରେ ଯେତେ ଭାବିବ ମସ୍ତିଷ୍କ ସେତେ ମଣିଷକୁ ଦୁର୍ବଳ କରିଦିଏ। ଆମ ଜୀବନରେ ଯାହା ବି କିଛି ହୁଏ ତାହା ସବୁ ପରମାତ୍ମାଙ୍କ ଇଚ୍ଛା ଅନୁସାରେ ହୋଇଥାଏ। ଆମ ସାଙ୍ଗରେ ଯାହା କିଛି ସୁଖଦ ବା ଦୁଃଖଦ ଘଟଣା ଘଟିଥାଏ ତାହା ପରମାତ୍ମାଙ୍କ ଇଚ୍ଛା ଅନୁସାରେ ହୋଇଥାଏ। ଆମେ ଯେତେ ଚାହିଲେ ବି ଆମ ଇଚ୍ଛା ଅନୁସାରେ କିଛି ହୋଇ ନ ଥାଏ। ଏଥିପାଇଁ ଆମେ ଆମର କର୍ମ କରିଯିବା ଉଚିତ। ନିଜର ସବୁ ଚିନ୍ତା ଯଦି ଉପରବାଲା ହାତରେ ଛାଡ଼ିଦେବା ଆମେ କିଛି ପରିମାଣରେ ଚିନ୍ତାମୁକ୍ତ ରହିପାରିବା। ଏହି କଥାକୁ ଧ୍ୟାନରେ ରଖି ଆମେ ପ୍ରଭୁଙ୍କର ପ୍ରତ୍ୟେକ ନିର୍ଣ୍ଣୟକୁ ଖୁସିରେ ସ୍ୱୀକାର କରିବା ଉଚିତ।’’

ରେଖାର ସ୍ୱାମୀ ଏହି କଥା ଉପରେ ଆଶ୍ଚର୍ଯ୍ୟ ହେଉଥିଲେ ଯେ ପିଲାଦିନର ଏକ ଛୋଟ ଘଟଣା ପାଇଁ ମଣିଷକୁ ଏତେ ଅନୁତାପ କରିବାକୁ ହୁଏ। ଡାକ୍ତର ତାଙ୍କୁ ବୁଝାଇଲେ ଯେ, ‘‘କୌଣସି ବି ଖରାପ କଥା ଆମ ମସ୍ତିଷ୍କରେ ସେଇ ସମୟ ପର୍ଯ୍ୟନ୍ତ ରହିଥାଏ ଯେ ପର୍ଯ୍ୟନ୍ତ ତାକୁ ଆମେ ଭୁଲି ନ ଯାଇଛନ୍ତି। ଜୀବନରେ ଯାହା କିଛି ଘଟିଯାଇଛି ତା’ ଉପରେ ଗଭୀର ଭାବେ ଚିନ୍ତା ନ କରି ଛାଡ଼ି ଦିଅନ୍ତୁ। ଯାହା ବିତିଗଲା ତାହା ବିଗତ, ଏଥିପାଇଁ ପଛକୁ ବୁଲି ଦେଖନ୍ତୁନି, କାରଣ ବାରମ୍ବାର ପଛକୁ ବୁଲି ଚାହିଁଲେ ଆଗକୁ ରାସ୍ତା ଲମ୍ବା ହୋଇଯାଏ।

ମୋ: ୯୪୩୯୭୫୦୩୭୮

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button