Environment Warriors: ପରିବେଶ ଯୋଦ୍ଧା: ସ୍ବଚ୍ଛତାର ପୂଜାରୀ ଉବାଚକ

ସ୍ବଚ୍ଛତା ରକ୍ଷା ମାଧ୍ୟମରେ ପରିବେଶ ସେବାକୁ ଜୀବନର ବ୍ରତ ଭାବେ ବାଛିଛନ୍ତି ଉବାଚକ ମହାନ୍ତି। ଦୀର୍ଘ ୨୦ ବର୍ଷ ହେବ ସେ ନିଜ ସଂସ୍ଥା ‘ମେ ଆଇ ହେଲ୍‌ପ ୟୁ’ ଜରିଆରେ ଏ ଦିଗରେ କାର୍ଯ୍ୟ କରି ଆସୁଛନ୍ତି।

ସ୍ବଚ୍ଛତା ରକ୍ଷା ମାଧ୍ୟମରେ ପରିବେଶ ସେବାକୁ ଜୀବନର ବ୍ରତ ଭାବେ ବାଛିଛନ୍ତି ଉବାଚକ ମହାନ୍ତି। ଦୀର୍ଘ ୨୦ ବର୍ଷ ହେବ ସେ ନିଜ ସଂସ୍ଥା ‘ମେ ଆଇ ହେଲ୍‌ପ ୟୁ’ ଜରିଆରେ ଏ ଦିଗରେ କାର୍ଯ୍ୟ କରି ଆସୁଛନ୍ତି। ତାଙ୍କର ବିଶେଷ ଲକ୍ଷ୍ୟ ହେଉଛି, ଯୁବକଯୁବତୀଙ୍କ ଭିତରେ ପରିଚ୍ଛନ୍ନତାକୁ ନେଇ ସଚେତନତା ସୃଷ୍ଟି କରିବା। ନିକଟ ଅତୀତରେ ସେ ‘ବିଶ୍ବ ଋତୁସ୍ରାବ ସ୍ବଚ୍ଛତା ଦିବସ’ ଅବସରରେ ଯୁବା ଚିତ୍ରଶିଳ୍ପୀଙ୍କୁ ନେଇ ବାଲେଶ୍ବରରେ ଏକ ଚିତ୍ରାଙ୍କନ ପ୍ରତିଯୋଗିତାର ଆୟୋଜନ କରିଥିଲେ। ପ୍ରତିଯୋଗୀଙ୍କ ଦ୍ବାରା ଅଙ୍କିତ ‘କାନ୍‌ଭାସ ପେଣ୍ଟିଂ’ଗୁଡ଼ିକୁ ଭୁବନେଶ୍ବରର ‘ଏମ୍‌ସ’ରେ ପ୍ରଦର୍ଶିତ କରାଯାଇଥିଲା। ‘ୟୁନିସେଫ୍‌’ ସହ ମିଶି ‘ମେ ଆଇ ହେଲ୍‌ପ ୟୁ’ ସଂସ୍ଥା ‘ଏମ୍‌ସ’ରେ ୩୨ଟି ଚିତ୍ରକୁ ପ୍ରଦର୍ଶନ କରି ମହିଳାମାନଙ୍କୁ ଋତୁସ୍ରାବ ସ୍ବଚ୍ଛତା ସଂପର୍କରେ ସଚେତନତା ବାର୍ତ୍ତା ଦେଇଥିଲା।

‘ସ୍ବଚ୍ଛତା ହିଁ ସେବା’ କାର୍ଯ୍ୟକ୍ରମ ଜରିଆରେ ସେ ନିଜ ଅଞ୍ଚଳ ବାଲେଶ୍ବରରେ ବିଶେଷ କରି ମହିଳାମାନଙ୍କୁ ସଚେତନ କରାଉଛନ୍ତି। ସେଥିପାଇଁ ଶୋଭାଯାତ୍ରା ଓ ସାମୂହିକ ସଫେଇ ଆଦି କାର୍ଯ୍ୟକ୍ରମ ସେ ଜାରି ରଖିଛନ୍ତି। ଏହାଛଡ଼ା ସେ ୧୧ ଜଣିଆ ସଦସ୍ୟ ବିଶିଷ୍ଟ ୪୦ଟି ମହିଳା ଆରୋଗ୍ୟ ସମିତି ଗଢ଼ିଛନ୍ତି। ସମିତିର ମହିଳାମାନେ ବୁଲିବୁଲି ଲୋକଙ୍କୁ ସ୍ବାସ୍ଥ୍ୟ, ପୁଷ୍ଟି, ପରିବେଶ ଓ ପରିମଳ ଆଦି ବିଷୟରେ ସଚେତନ କରାଉଛନ୍ତି। ଉବାଚକ ପ୍ରତି ବର୍ଷ ସମିତିର ମହିଳାମାନଙ୍କୁ ପରିବେଶ ସଚେତନତାର ପ୍ରଶିକ୍ଷଣ ଦିଅନ୍ତି। ସେମାନଙ୍କୁ ସରକାରଙ୍କ ତରଫରୁ ବର୍ଷକୁ ଦଳ ପିଛା ୫ ହଜାର ଲେଖାଏଁ ଅର୍ଥ ସହାୟତା ମଧ୍ୟ ପ୍ରଦାନ କରାଯାଏ। ସେହି ଟଙ୍କାରେ ମହିଳାମାନେ ବିଶ୍ବ ପରିବେଶ ଦିବସ ପାଳନରୁ ନେଇ ସାମୂହିକ ସଫେଇ କାର୍ଯ୍ୟକ୍ରମ ଆଦି କରୁଛନ୍ତି। ଏହାଛଡ଼ା ବସ୍ତିର ଲୋକମାନଙ୍କୁ ଓଦା ଓ ଶୁଖିଲା ଅଳିଆକୁ କିପରି ଅଲଗା ରଖି ସଫେଇ ଗାଡ଼ିରେ ଦେବେ, ସେ ନେଇ ରୀତିମତ ଶିକ୍ଷା ଦେଉଛନ୍ତି।

ସେ କୁହନ୍ତି କି ଶିକ୍ଷା, ସ୍ବାସ୍ଥ୍ୟ, ପରିବେଶ ଓ ପରିମଳ ଆଦି ବିଷୟରେ ଲୋକଙ୍କୁ ସଚେତନ କରାଇବାକୁ ତାଙ୍କୁ ଖୁବ୍ ଭଲ ଲାଗେ। ଲୋକଙ୍କୁ ସଚେତନ କରାଇ କିଛିଟା ପରିବେଶ ଅନୁକୂଳ କାର୍ଯ୍ୟ କଲେ ନିଜକୁ ସନ୍ତୋଷ ମିଳେ। ଏକୁଟିଆ କାମ କରିବା ଅପେକ୍ଷା ଅନ୍ୟମାନଙ୍କୁ ସଚେତନ କରାଇ ଏକାଠି କାମ କରିବାରେ ଅଧିକ ସୁଫଳ ମିଳେ ବୋଲି ସେ ବିଶ୍ବାସ କରନ୍ତି।

ସୌଜନ୍ୟ ସମ୍ବାଦ

 

Exit mobile version