ବିଶ୍ବତାପନ ଯୋଗୁଁ ସମସ୍ତ ନଦୀରେ କ୍ରମଶଃ ଅମ୍ଳଜାନ ପରିମାଣ ହ୍ରାସ ପାଉଛି ବୋଲି ଗୋଟାଏ ନୂତନ ଗବେଷଣାରୁ ଜଣାପଡ଼ିଛି। ଏହା ଫଳରେ ମତ୍ସ୍ୟାଦି ଜଳଚର ଜୀବମାନଙ୍କ ଜୀବନ ବିପନ୍ନମୁଖୀ ହେଉଛି। ୧୯୮୫ରୁ ବିଶ୍ବବ୍ୟାପୀ ୨୧ହଜାରରୁ ଅଧିକ ନଦୀ ଚିହ୍ନଟ କରିବା ସହିତ ସେ ସବୁର ଅମ୍ଳଜାନ ସ୍ତର ବିଶ୍ଳେଷଣ କରିବା ଲାଗି ଚୀନ୍ର ଏକ ଗବେଷକ ଦଳ ସାଟେଲାଇଟ୍ ଓ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ଉପଯୋଗ କରିଥିଲେ। ସେମାନେ ଲକ୍ଷ୍ୟ କଲେ ଯେ ୧୯୮୫ରୁ ନଦୀଗୁଡ଼ିକରେ ଅମ୍ଳଜାନ ସ୍ତର ହାରାହାରି ୨.୧ ପ୍ରତିଶତ ହ୍ରାସ ପାଇଛି।
ସମ୍ପ୍ରତି ଏହା ସେତେ ଚିନ୍ତାଜନକ ନୁହେଁ। କିନ୍ତୁ, ଯଦି ଏହି ଧାରା ଅବ୍ୟାହତ ରହେ ବା ହଠାତ୍ ବଢ଼ିଯାଏ ତା’ହେଲେ ଆମେରିକାର ପୂର୍ବାଞ୍ଚଳ, ଭାରତ ଓ ସମଗ୍ର କ୍ରାନ୍ତିବୃତ୍ତ ବା ଗ୍ରୀଷ୍ମପ୍ରଧାନ ମଣ୍ଡଳରେ ଥିବା ନଦୀ ସବୁ ଏହି ଶତାବ୍ଦୀ ଶେଷସୁଦ୍ଧା ଯଥେଷ୍ଟ ଅମ୍ଳଜାନ ହରାଇବେ। ଏଥିଯୋଗୁଁ ମାଛମାନେ ଅଣନିଃଶ୍ବାସୀ ହୋଇ ମରିବା ସହିତ ଏ ଅଞ୍ଚଳକୁ ଡେଡ୍ େଜାନ୍ ବା ମୃତକ୍ଷେତ୍ରରେ ପରିଣତ କରିଦେବେ। ମୌଳିକ ରସାୟନଶାସ୍ତ୍ର ଓ ପଦାର୍ଥବିଜ୍ଞାନ କହୁଛି ଯେ ଉଷ୍ଣଜଳ ସ୍ବଳ୍ପ ଅମ୍ଳଜାନ ଧାରଣ କରିଥାଏ। ମନୁଷ୍ୟକୃତ ଜଳବାୟୁ ପରିବର୍ତ୍ତନ ଯୋଗୁଁ ଉଷ୍ଣ ହେଉଥିବା ଜଳରାଶି ବାୟୁମଣ୍ଡଳ ମଧ୍ୟକୁ ଅଧିକ ଅମ୍ଳଜାନ ଛାଡ଼େ।
୧୯୮୫ରୁ ନଦୀଗୁଡ଼ିକରେ ଅମ୍ଳଜାନ ସ୍ତର ହାରାହାରି ୨.୧ ପ୍ରତିଶତ ହ୍ରାସ ପାଇଛି। ସମ୍ପ୍ରତି ଏହା ସେତେ ଚିନ୍ତାଜନକ ନୁହେଁ। କିନ୍ତୁ, ଏହି ଧାରା ଯଦି ଅବ୍ୟାହତ ରହେ ତେବେ ଆମେରିକାର ପୂର୍ବାଞ୍ଚଳ, ଭାରତ ଓ ସମଗ୍ର କ୍ରାନ୍ତିମଣ୍ଡଳରେ ଥିବା ନଦୀ ସବୁ ଏହି ଶତାବ୍ଦୀ ଶେଷସୁଦ୍ଧା ଯଥେଷ୍ଟ ଅମ୍ଳଜାନ ହରାଇବେ।
ଯଦି ଜଳରୁ ଏହି ଅମ୍ଳଜାନ କ୍ଷୟ ହାର ଏଭଳି ରୀତିରେ ଚାଲେ, ତେବେ ଏ ଶତାବ୍ଦୀ ଶେଷବେଳକୁ ସାରା ବିଶ୍ବରେ ପ୍ରବାହିତ ହେଉଥିବା ବିଭିନ୍ନ ନଦୀ ହାରାହାରି ଅତିରିକ୍ତ ୪ ଏବଂ କେତେକ କ୍ଷେତ୍ରରେ ୫ ପ୍ରତିଶତ ଅମ୍ଳଜାନ ହରାଇବେ। ତେଣୁ, ନଦୀ ଉପରେ ନିର୍ଭର କରୁଥିବା ମାଛ ଓ ମାନବଙ୍କ ପାଇଁ ସମସ୍ୟା ଉପୁଜିବ ବୋଲି ନାନ୍ଜିଙ୍ଗ୍ସ୍ଥିତ ଚାଇନିଜ୍ ଏକାଡେମି ଅଫ୍ ସାଇନ୍ସେସ୍ରେ ପାରିବେଶିକ ବୈଜ୍ଞାନିକ ଥିବା ଏହି ଗବେଷଣାର ମୁଖ୍ୟ କ୍ବି ଗୁଆନ୍ କହିଛନ୍ତି। ଗବେଷକମାନେ ଚିନ୍ତାପ୍ରକଟ କରିଛନ୍ତି ଯେ ହୁଏତ ନଦୀଗୁଡ଼ିକରେ ଅମ୍ଳଜାନ ସ୍ତର ଏତେ ହ୍ରାସ ପାଇବ ଯେ ନିଶ୍ଚୟ ଡେଡ୍ ଜୋନ୍ ଦେଖାଯିବ। ଯେମିତି ମେକ୍ସିକୋ ଉପସାଗର, ଚେସିପିପ୍ ଉପସାଗର ଓ ଏରି ହ୍ରଦରେ ଘଟିଛି। ସେସବୁ ଜଳାଶୟରେ ମାଛମାନେ ଅଣନିଃଶ୍ବାସୀ ହୋଇ ମରିଯାଉଛନ୍ତି।
ଗୁଆନ୍ କହନ୍ତି- ଅମ୍ଳଜାନ କ୍ଷୟ ଅତି ମନ୍ଥର ପ୍ରକ୍ରିୟା। ବହୁଦିନ ଧରି ଏମିତି ଚାଲିଲେ ନଦୀ ପରିସଂସ୍ଥା ଉପରେ ନକାରାତ୍ମକ ପ୍ରଭାବ ପଡ଼ିବ। ଫଳରେ ଜୈବବିବିଧତା ହ୍ରାସ, ଜଳ ମାନ ନିମ୍ନ ଓ ମାଛ ବଉଳିବା ଆଦି ପରିସଂସ୍ଥାଗତ ସଙ୍କଟ ଉପୁଜିପାରେ। ଏହି ଗବେଷଣାରେ ସମ୍ପୃକ୍ତ ନ ଥିବା ଆରିଜୋନା ବିଶ୍ବବିଦ୍ୟାଳୟର ଭୂତତ୍ତ୍ବବିଜ୍ଞାନୀ କାର୍ଲ ଫ୍ଲିସା କହନ୍ତି- ନଦୀରୁ ଅମ୍ଳଜାନ କ୍ଷୟ ହେବା ଅର୍ଥ ଭବିଷ୍ୟତରେ, ବିଶେଷକରି ଗ୍ରୀଷ୍ମଜନିତ ଝାଞ୍ଜି ପ୍ରବାହ କାଳରେ ଅଧିକ ମୃତକ୍ଷେତ୍ର ଦେଖାଯିବ। କେତେକ ନଦୀ ଅବସ୍ଥା ଏଭଳି ଖରାପ ସ୍ତରକୁ ଚାଲି ଆସିଥିବ ଯେ ମାମୁଲି ପରିବର୍ତ୍ତନ ସେମାନଙ୍କୁ ବିପଦାଞ୍ଚଳ କରିଦେବ। ମାଛ ସମାଗମ ହେଉଥିବା ଅଞ୍ଚଳ ଉତ୍ତପ୍ତ ହୋଇଗଲେ ଧରିବାକୁ ସେଠାରେ ଆଉ ମାଛ ନ ଥିବେ। ଚଳିତ ଶତାବ୍ଦୀ ପ୍ରାରମ୍ଭରେ ଅତ୍ୟଧିକ ପ୍ରଦୂଷିତ ଗଙ୍ଗାନଦୀ ହାରାହାରି ବୈଶ୍ବିକ ସ୍ତରଠାରୁ ୨୦ ଗୁଣରୁ ଅଧିକ ଦ୍ରୁତ ବେଗରେ ଅମ୍ଳଜାନ ହରାଉଥିଲା ବୋଲି ମଧ୍ୟ ଉକ୍ତ ଗବେଷଣାରେ ଉଲ୍ଲେଖ କରାଯାଇଛି। ସେହିପରି, ବୈଶ୍ବିକ ଅଙ୍ଗାରକାମ୍ଳ ନିର୍ଗମନ ହାର ମଧ୍ୟମରୁ ଅଧିକ ପରିମାଣ ହେଲେ ଚଳିତ ଶତାବ୍ଦୀ ଶେଷ ବେଳକୁ ପୂର୍ବାଞ୍ଚଳ ଆମେରିକା, ସୁମେରୁ, ଭାରତ ଓ ଦକ୍ଷିଣ ଆମେରିକାର ଅଧିକାଂଶ ଅଞ୍ଚଳ ୧୦ ପ୍ରତିଶତ ଅମ୍ଳଜାନ ହରାଇବେ। ରାସାୟନିକ ସାର, ନଗରାଞ୍ଚଳ ନର୍ଦ୍ଦମା, ଜଳଭଣ୍ଡାର ନିର୍ମାଣ, ଜଳ ପ୍ରବାହ ଓ ପବନ ଯୋଗୁଁ ମଧ୍ୟ ନଦୀଜଳ ପ୍ରଦୂଷିତ ହେଉଛି। ତେଣୁ, ପୂର୍ବାପେକ୍ଷା ଏବେ ଜଳ ପ୍ରଦୂଷଣ ହ୍ରାସ ଅଧିକ ତାତ୍ପର୍ଯ୍ୟପୂର୍ଣ୍ଣ ମନେହୁଏ। କାରଣ, ପ୍ରଦୂଷିତ ନଦୀଜଳ ଉତ୍ତପ୍ତ ହେଲେ ପରିସ୍ଥିତି ଆହୁରି ବିଗିଡ଼ିଯିବ।
ସୌଜନ୍ୟ ସମ୍ବାଦ

