ତେହେରାନ: ବିଦ୍ରୋହୀଙ୍କୁ ଦମନ କରିବାକୁ ତେହେରାନ ପକ୍ଷରୁ କଡ଼ା ପଦକ୍ଷେପ ଗ୍ରହଣ କରାଯାଉଥିବାବେଳେ ୟୁରୋପୀୟ ସଂଘ (ଇୟୁ) ଇରାନକୁ କଡ଼ା ଜବାବ ଦେଇଛି। ଇରାନର ଶକ୍ତିଶାଳୀ ସେନା ଇସଲାମିକ୍ ରିଭୋଲ୍ୟୁସନାରୀ ଗାର୍ଡ କର୍ପସ୍ (ଆଇଆର୍ଜିସି)କୁ ଆତଙ୍କବାଦୀ ସଙ୍ଗଠନ ଘୋଷଣା କରିଛି। ଗୁରୁବାର ବ୍ରସେଲ୍ସରେ ହୋଇଥିବା ୟୁରୋପୀୟ ସଂଘ ବିଦେଶ ମନ୍ତ୍ରୀଙ୍କ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି।
ଆଇଆର୍ଜିସିକୁ ଆତଙ୍କବାଦୀ ସଂଗଠନ ଘୋଷଣା କରାଯିବା ପରେ ଏହାର ସମ୍ପତ୍ତି ଜବତ କରାଯିବା ସହିତ ପାଣ୍ଠି ଯୋଗାଣ ଉପରେ କଟକଣା ଲାଗିବ। ଏହାସହିତ ଆଇଆରଜିସି ସଦସ୍ୟଙ୍କ ୟୁରୋପ ଗସ୍ତ ଉପରେ କଟକଣା ଲାଗିବ। ଆମେରିକା, କାନାଡ଼ା ଓ ଅଷ୍ଟ୍ରେଲିଆ ପୂର୍ବରୁ ଆଇଆରଜିସିକୁ ଆତଙ୍କବାଦୀ ସଂଗଠନ ଘୋଷଣା କରିସାରିଛନ୍ତି। କୂଟନୀତିଜ୍ଞ କାଜା କାଲାସ୍ କହିଛନ୍ତି, ଦମନର ଜବାବ ଯେମିତି ହେଲେ ଦିଆଯିବ। ଇରାନର ଏକ ପ୍ରମୁଖ ସାମରିକ, ଅର୍ଥନୈତିକ ଏବଂ ରାଜନୈତିକ ଶକ୍ତି ଆଇଆରଜିସି ଏବେ ଅଲ-କାଏଦା ଓ ଇସଲାମିକ୍ ଷ୍ଟେଟ୍ ପରି ସମାନ ଜିହାଦୀ ତାଲିକାଭୁକ୍ତ ହୋଇଛି।
ତେବେ ଇରାନ ପକ୍ଷରୁ ଇୟୁର ଏହି ପଦକ୍ଷେପକୁ ତୀବ୍ର ସମାଲୋଚନା କରାଯାଇଛି। ଇରାନ ବିଦେଶ ମନ୍ତ୍ରୀ ଆବାସ ଅରାଘଚି କହିଛନ୍ତି, ୟୁରୋପ ଆମେରିକା ନିର୍ଦ୍ଦେଶରେ ନିଆଁରେ ଘିଅ ଢାଳିବା ପରି କାମ କରୁଛି। ଅରାଘଚି କହିଛନ୍ତି, ଗାଜା ପ୍ରସଙ୍ଗରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିବା ୟୁରୋପୀୟ ସଂଘ , ଇରାନ ପ୍ରସଙ୍ଗରେ ମାନବାଧିକାର ଚିନ୍ତା କରୁଛି।
ୟୁରୋପ ନିଆଁରେ ଘିଅ ଢାଳିବା କାମ କରୁଛି
ଅରାଘଚି ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ଲେଖିଛନ୍ତି, ଅନେକ ଦେଶ ଆମ ଅଞ୍ଚଳରେ ଯୁଦ୍ଧ ନହେବା ପାଇଁ ପ୍ରୟାସ କରୁଛନ୍ତି। ସେମାନଙ୍କ ମଧ୍ୟରେ କୌଣସି ୟୁରୋପୀୟ ଦେଶ ନାହାନ୍ତି। ଏହା ବଦଳରେ ୟୁରୋପ ନିଆଁରେ ଘିଅ ଢାଳିବା କାମ କରୁଛି। ଆମେରିକା କଥାରେ ଆସି ଆମ ଜାତୀୟ ସେନାକୁ ଆତଙ୍କବାଦୀ ସଂଗଠନ କହି ବହୁତ ବଡ଼ ରଣନୈତିକ ତ୍ରୁଟି କରୁଛି। ସେ ଆହୁରି କହିଛନ୍ତି, ୟୁରୋପ ଗାଜାରେ ଇସ୍ରାଏଲର ନରସଂହାର ପାଇଁ କୌଣସି କାର୍ଯ୍ୟାନୁଷ୍ଠାନ ନେଇ ନଥିଲା। ଇରାନରେ ମାନବାଧିକାର ସୁରକ୍ଷା ଚିନ୍ତା କରିବା ଏହାର ଜନସମ୍ପର୍କ ରଣନୀତି (ପିଆର୍ ଷ୍ଟଣ୍ଟ)। ଏହାଦ୍ବାରା ସେ ନିଜେ ବହୁତ ଖରାପ ସ୍ଥିତିରେ ଅଛି ବୋଲି ଲୁଚାଇବାକୁ ଚାହୁଛି। ୟୁରୋପୀୟ ଦେଶଙ୍କ ଆଭିମୁଖ୍ୟ ଏହାର ହିତ ପାଇଁ କ୍ଷତିକାରକ ହେବ, କାରଣ ଆମ ଅଞ୍ଚଳରେ ଯୁଦ୍ଧ ପୂରା ମହାଦେଶ ଉପରେ ଖରାପ ପ୍ରଭାବ ପକାଇବ ବୋଲି ଇରାନ ବିଦେଶ ମନ୍ତ୍ରୀ କହିଛନ୍ତି।
ସୌଜନ୍ୟ ସମ୍ବାଦ
