Eviction Drive : ଏଜି ଛକ-ରାଜମହଲ ରାସ୍ତା ସାମ୍ନାରେ ଉଚ୍ଛେଦ, ମାଟିରେ ମିଶିଲା ୫୪ ଦୋକାନ

ଭୁବନେଶ୍ୱର, ୧୨/୯ : ସ୍ମାର୍ଟସିଟିର ସବୁଠୁ ବଡ଼ ଓ ବ୍ୟସ୍ତବହୁଳ ହାଟ ୟୁନିଟ୍-୧ ରେ ବାରମ୍ବାର ଅଗ୍ନିକାଣ୍ଡ ଘଟୁଛି । ଡେରିରେ ହେଲେ ବି ଭୁବନେଶ୍ୱର ମହାନଗର ନିଗମ (ବିଏମସି) ତତ୍ପର ହୋଇଛି । ଏଜି ଛକ-ରାଜମହଲ ରାସ୍ତା ସାମ୍ନାର ପ୍ରାୟ ୫୪ଟି ଦୋକାନକୁ ଭଙ୍ଗାଯାଇଛି । ଯାହାକୁ ନେଇ ହାଟରେ ପ୍ରବଳ ଉତ୍ତେଜନା ଦେଖାଦେଇଛି । ଦୋକାନୀ ଓ ବିଏମ୍ସି ଅଧିକାରୀ ମୁହାଁମୁହିଁ ହୋଇଛନ୍ତି । ପୁଲିସ ଫୋର୍ସ ସହଯୋଗରେ ହାଟର ଅଧା ସାମନା ପାର୍ଶ୍ୱ ଭାଙ୍ଗିରୁଜି ମାଟିରେ ମିଶିଛି । କ୍ୟାପିଟାଲ ଥାନା ପାର୍ଶ୍ୱରୁ ହାଟର ମୁଖ୍ୟ ଫାଟକ ଯାଏ ଲମ୍ବିଥିବା ଦୋକାନକୁ ଭଙ୍ଗାଯିବାକୁ ପୂର୍ବରୁ ନିଷ୍ପତ୍ତି ନିଆଯାଇଥିଲା । ଶୁକ୍ରବାର ସକାଳୁ ୧୦ରୁ ଅଧିକ ବୁଲଡୋଜର ହାଟ ସାମ୍ନାରେ ମୁତୟନ କରାଯାଇଥିଲା । ଉଚ୍ଛେଦ ବେଳେ କ୍ଷତିଗ୍ରସ୍ତ ବ୍ୟବସାୟୀ ଓ ବିଏମସି କର୍ମଚାରୀଙ୍କ ମଧ୍ୟରେ ବଚସା ଆରମ୍ଭ ହେଲା । କଥା ହାତାହାତି ଯାଏଁ ଯାଇଥିଲା । କିଛି ବ୍ୟବସାୟୀଙ୍କୁ ପୁଲିସ୍ ଜବରଦସ୍ତି ଉଠାଇ ନେବା ପରେ ଉତ୍ତେଜନା ପରିସ୍ଥିତି ଥମିଥିଲା । କୌଣସି ଅପ୍ରୀତିକର ପରିସ୍ଥିତିକୁ ଏଡ଼ାଇବା ଏବଂ ଆଇନଶୃଙ୍ଖଳା ବଜାୟ ରଖିବା ପାଇଁ ଘଟଣାସ୍ଥଳରେ ବ୍ୟାପକ ପୁଲିସ ଫୋର୍ସ ମୁତୟନ କରାଯାଇଥିଲା । ବହୁ ବାଦବିବାଦ ଭିତରେ ଅପରାହ୍ଣ ବେଳକୁ ଉଚ୍ଛେଦ ପ୍ରକ୍ରିୟା ସରିଥିଲା ।
ଉଚ୍ଛେଦ ହୋଇଥିବା ଦୋକାନ ବଦଳରେ ସମ୍ପୃକ୍ତ ବ୍ୟବସାୟୀମାନଙ୍କୁ ପୂର୍ବରୁ ଦୋକାନ ଘର ବଣ୍ଟା ଯାଇଥିଲା । ତୁରନ୍ତ ୟୁନିଟ୍-୧ ହାଟ ଖାଲି କରିବାକୁ ଦୋକାନ ଆବଣ୍ଟନ ଦିନ କୁହାଯାଇଥିଲା ମଧ୍ୟ । କିନ୍ତୁ ସେମାନେ ଦୋକାନ ସ୍ଥାନାନ୍ତର ନ କରି ପୂର୍ବ ଭଳି ହାଟ ସାମନାକୁ କବ୍ଜା କରି ରହିଥିଲେ । ଗତକାଲି ସନ୍ଧ୍ୟାରେ ଉଚ୍ଛେଦ ପାଇଁ ଘୋଷଣା କରିଥିଲା ବିଏମ୍ସି । ଯଥାଶୀଘ୍ର ନିଜ ସାମଗ୍ରୀ କାଢ଼ି ନେବାକୁ ମାଇକ ଯୋଗେ କୁହାଯାଇଥିଲା । ହାଟ ଭିତରକୁ ଚଉଡ଼ା ରାସ୍ତା ଓ ଅଗ୍ନି ନିର୍ବାପକ ବ୍ୟବସ୍ଥା ପାଇଁ ଏହି ଉଚ୍ଛେଦ କରାଯାଇଥିବା ବିଏମସି ସୂଚନା ଦେଇଛି । ଆଗକୁ ନିଆଁକୁ ଲିଭାଇବା ପାଇଁ ବିରାଟକାୟ ସ୍ପିଙ୍କ୍ ଟ୍ୟାଙ୍କ ଖଞ୍ଜାଯିବ ବୋଲି ଯୋଜନା ରହିଛି । ଅନ୍ୟପଟେ ସୁରକ୍ଷା ଓ ଅଗ୍ନି ନିରାପତ୍ତା ଆଳରେ ଉଠାଦୋକାନୀଙ୍କୁ ହଟାଇଦେଲେ ବୋଲି ନିଖିଳ ଓଡ଼ିଶା ରାସ୍ତାପାର୍ଶ୍ୱ ଉଠାଦୋକାନୀ ମହାସଂଘ ସଭାପତି ପ୍ରତାପ ସାହୁ ଅଭିଯୋଗ କରିଛନ୍ତି । ଏହି ଉଚ୍ଛେଦରେ ବିଏମସି-ବିଡିଏ ସହ କମିଶନରେଟ୍ ପୁଲିସ୍ ରିଜର୍ଭ ପୁଲିସ୍ ବଳ ଏବଂ କ୍ୟାପିଟାଲ, ଖାରବେଳ ନଗର, ସହିଦ ନଗର, ମହିଳା ପୁଲିସ୍, ଲକ୍ଷ୍ମୀସାଗର ଓ ମଞ୍ଚେଶ୍ୱର ଥାନାର ସ୍ୱତନ୍ତ୍ର ଟିମ୍ ସାମିଲ ଥିଲା ।
ସୌଜନ୍ୟ ପ୍ରମେୟ




