Export: ରପ୍ତାନି ପ୍ରସ୍ତୁତି ସୂଚକାଙ୍କ ୨୦୨୪: ୧୫କୁ ଖସିଲା ଓଡ଼ିଶା, ୨ ବର୍ଷରେ ଚାରି ପାହାଚ ତଳକୁ ଖସିଲା

ରପ୍ତାନି ଲାଗି କେଉଁ ରାଜ୍ୟ କେତେ ପ୍ରସ୍ତୁତ ରହିଛନ୍ତି। ନିତି ଆୟୋଗ ପକ୍ଷରୁ ତାହାର ରୢାଙ୍କିଂ ଜାରି କରାଯାଇଛି। ସେଥିରେ ୪୮.୫୧ ସ୍କୋର ସହ ଓଡ଼ିଶା ପଞ୍ଚଦଶ ସ୍ଥାନରେ ରହିଛି। ଉପକୂଳ ରାଜ୍ୟଗୁଡ଼ିକ ମଧ୍ୟରେ ଏହାର ସ୍ଥାନ ଏକଦାଶ ରହିଛି।

ଭୁବନେଶ୍ବର: ରପ୍ତାନି ଲାଗି କେଉଁ ରାଜ୍ୟ କେତେ ପ୍ରସ୍ତୁତ ରହିଛନ୍ତି। ନିତି ଆୟୋଗ ପକ୍ଷରୁ ତାହାର ରୢାଙ୍କିଂ ଜାରି କରାଯାଇଛି। ସେଥିରେ ୪୮.୫୧ ସ୍କୋର ସହ ଓଡ଼ିଶା ପଞ୍ଚଦଶ ସ୍ଥାନରେ ରହିଛି। ଉପକୂଳ ରାଜ୍ୟଗୁଡ଼ିକ ମଧ୍ୟରେ ଏହାର ସ୍ଥାନ ଏକଦାଶ ରହିଛି। ୨୦୨୨ରେ ପ୍ରକାଶିତ ସୂଚକାଙ୍କରେ ଓଡ଼ିଶା ୫୮.୮୪ ସ୍କୋର ସହ ଏକାଦଶ ସ୍ଥାନରେ ରହିଥିଲା। ଦୁଇବର୍ଷ ଭିତରେ ଏହା ଆଉ ଚାରି ପାହାଚ ତଳକୁ ଖସିଯାଇଛି। ରାଜ୍ୟଗୁଡ଼ିକୁ ଲିଡର୍ସ, ଚ୍ୟାଲେଞ୍ଜର୍ସ ଓ ଆସ୍ପାୟାରର୍ସ ଭଳି ତିନିଟି ବର୍ଗରେ ଭାଗ କରାଯାଇଛି। ଓଡ଼ିଶା ଆସ୍ପାୟାରର୍ସ ବର୍ଗରେ ରହିଛି। ଜାତୀୟ ସ୍ତର‌ରେ ପ୍ରଥମ ପାଞ୍ଚଟି ସ୍ଥାନରେ ମହାରାଷ୍ଟ୍ର, ତାମିଲନାଡୁ, ଗୁଜରାଟ, ଉତ୍ତରପ୍ରଦେଶ ଓ ଆନ୍ଧ୍ରପ୍ରଦେଶ ରହିଛନ୍ତି।

ରାଜ୍ୟର ସ୍ଥିତି

ଦୃଢ଼ତା: ପ୍ରାକୃତିକ ସମ୍ବଳ, ବନ୍ଦର ଭିତ୍ତିଭୂମି, ଭୌଗୋଳିକ ଉପସ୍ଥିତି ଓ ପ୍ରତିଯୋଗିତାପୂର୍ଣ୍ଣ ଶ୍ରମ ଖର୍ଚ୍ଚ

ଦୁର୍ବଳତା: ସୀମିତ ମୂଲ୍ୟଯୁକ୍ତ ରପ୍ତାନି, ଅପର୍ଯ୍ୟାପ୍ତ ଲଜିଷ୍ଟିକ୍ସ ଭିତ୍ତିଭୂମି, ସାମଗ୍ରୀ ବଦଳରେ ସେବାକୁ ଗୁରୁତ୍ବ

ସୁଯୋଗ: ଉଚ୍ଚ ମୂଲ୍ୟର ସାମଗ୍ରୀ, ବୟନ ଓ ହସ୍ତତନ୍ତ, ଏମ୍‌ଏମ୍ଏସ୍‌ଇ ସାମଗ୍ରୀ, ଏଫ୍‌ଡିଆଇ

ବିପଦ: ସୀମିତ ବଜାର, ବିଶ୍ବସ୍ତରରେ ମୂଲ୍ୟ ଅସ୍ଥିରତା, ଦକ୍ଷତା ଅସମାନତା ଓ ପ୍ରବାସ

ଓଡ଼ିଶା ସମ୍ପର୍କରେ ନିତି ଆୟୋଗ କହିଛି ଯେ ୨୦୨୩-୨୪ରେ ଏହାର ରପ୍ତାନି ପରିମାଣ ୯୯,୮୫୪ କୋଟି ଟଙ୍କା ଥିଲା। ରାଜ୍ୟର ସର୍ବାଧିକ ୨୬.୬୦ ପ୍ରତିଶତ ରପ୍ତାନି ଚୀନ୍‌କୁ ହେଉଛି। ଏହା ପଛକୁ ୯.୧୯ ପ୍ରତିଶତ ରପ୍ତାନି ମାଲେସିଆ, ୮.୦୭ ପ୍ରତିଶତ ଦକ୍ଷିଣ କୋରିଆ, ୫.୬୨ ପ୍ରତିଶତ ବାଂଲାଦେଶ ଓ ୪.୯୨ ପ୍ରତିଶତ ରପ୍ତାନି ଆମେରିକାକୁ ହେଉଛି। ଓଡ଼ିଶା ମୁଖ୍ୟତଃ ଆଲୁମିନିୟମ, ଇସ୍ପାତ, ଖଣିଜ ପଦାର୍ଥ, ରସାୟନ ଓ ପେଟ୍ରୋକେମିକାଲ୍ସ ଏବଂ ସାମୁଦ୍ରିକ ଉତ୍ପାଦ ରପ୍ତାନି କରୁଛି। ନିକଟରେ ଓଡ଼ିଶାରୁ ଅକ୍ଷୟ ଶକ୍ତି ଉପକରଣ, ଇଲେକ୍ଟ୍ରୋନିକ୍ସ, କୃଷି ଓ ଖାଦ୍ୟ ପ୍ରକ୍ରିୟା, ପୋଷାକ ଓ ବୟନ ସାମଗ୍ରୀ ରପ୍ତାନି ବଢ଼ିଛି। ୨୦୨୩-୨୪ରେ ରାଜ୍ୟରୁ ୩୨,୬୧୩ କୋଟି ଟଙ୍କାର ଆଲୁମିନିୟମ, ୨୧,୦୬୮ କୋଟି ଟଙ୍କାର ଲୁହାପଥର, ୭,୦୬୮ କୋଟି ଟଙ୍କାର ପେଟ୍ରୋଲିୟମ ତୈଳ, ୬୮୪୫ କୋଟି ଟଙ୍କାର ଫେରୋ ଆଲୟଜ, ୫୨୮୧ କୋଟି ଟଙ୍କାର ଲୁହା ଓ ମିଶ୍ରଧାତୁ, ୪୪୧୯ କୋଟି ଟଙ୍କାର ଆଲୁମିନିୟମ ଅକ୍ସାଇଡ୍‌ ଓ ହାଇଡ୍ରକ୍ସାଇଡ୍‌, ୪୦୭୯ କୋଟି ଟଙ୍କାର ଆଲୁମିନିୟମ ତାର, ୩୮୬୧ କୋଟି ଟଙ୍କାର ଷ୍ଟେନ୍‌ଲେସ୍‌ ଷ୍ଟିଲ୍ ଓ ଉତ୍ପାଦ ଏବଂ ୧୩୮୬ କୋଟି ଟଙ୍କାର ଲୁହା ଓ ଅନ୍ୟାନ୍ୟ ମିଶ୍ରଧାତୁ ରପ୍ତାନି କରାଯାଇଛି।

ବିଭିନ୍ନ ମାନଦଣ୍ଡରେ ଓଡ଼ିଶାର ପ୍ରଦର୍ଶନ ଭିନ୍ନ ଭିନ୍ନ ରହିଛି। ରପ୍ତାନି ଭିତ୍ତିଭୂମି ମାନଦଣ୍ଡରେ ୟୁଟିଲିଟି କ୍ଷେତ୍ରରେ ଏହାକୁ ୧୦ରୁ ୪.୫ ସ୍କୋର୍‌ ମିଳିଛି। ସେହିପରି ଲଜିଷ୍ଟିକ୍ସରେ ମାତ୍ର ୦.୮ ସ୍କୋର ରହିଛି। ସମନ୍ବିତ ଶୀତଳଭଣ୍ଡାର ଅଭାବ କାରଣରୁ ରାଜ୍ୟର ସ୍କୋର୍‌ ଏତେ କମ୍‌ ରହିଛି। ଖର୍ଚ୍ଚ ପ୍ରତିଦ୍ବନ୍ଦ୍ବିତାରେ ଓଡ଼ିଶାର ସ୍କୋର ୩.୫, ମାନବ ସମ୍ବଳରେ ୨.୯, ଫାଇନାନ୍ସ ଓ ଋଣ ଉପଲବ୍ଧତାରେ ୦.୬, ଏମ୍ଏସ୍‌ଏମ୍‌ଇ ବ୍ୟବସ୍ଥାରେ ୧.୭ ଓ ଶିଳ୍ପ ଓ ନବସୃଜନ ପରିବେଶରେ ସ୍କୋର ୨.୭ ରହିଛି। ରାଜ୍ୟ ନୀତି ସହାୟତା ଓ ଶାସନ ମାନଦଣ୍ଡରେ ଓଡ଼ିଶାକୁ ମୋଟ୍‌ ୧୫ରୁ ୧୩ ‌ସ୍କୋର ମିଳିଛି। ନିୟାମକ ପରିବେଶ ଓ ନିୟମ ପାଳନରେ ରାଜ୍ୟର ସ୍କୋର ୫ରୁ ୨.୯ ରହିଛି। ରାଜ୍ୟସ୍ତରୀୟ ରପ୍ତାନି ଓ ଧାରାରେ ଓଡ଼ିଶାର ସ୍କୋର ୩.୯, ରପ୍ତାନି ପ୍ରସାର ଓ ସୁବିଧାରେ ୧.୫ ଓ ରପ୍ତାନି ଫୋର୍ଟଫୋଲିଓ ଓ ବଜାର ହାସଲରେ ରାଜ୍ୟର ସ୍କୋର ୬.୩ ରହିଛି।

ସୌଜନ୍ୟ ସମ୍ବାଦ

Exit mobile version