Farmer: ଟୋକନ୍‌ ଦାବିରେ ତେଜିଲା ଚାଷୀ ଅସନ୍ତୋଷ: ୧୯ରେ ସମ୍ବଲପୁର ବନ୍ଦ

ସମ୍ବଲପୁର: ଟୋକନ୍‌ ସମସ୍ୟା ସମାଧାନ ଦାବିରେ ଚାଷୀ ଅସନ୍ତୋଷ ତେଜିଛି। ଆସନ୍ତା ୧୯ ତାରିଖରେ ସମ୍ବଲପୁର ବନ୍ଦ ପାଇଁ ଆହ୍ବାନ ଦେଇଛି ସମ୍ବଲପୁର ଜିଲ୍ଲା କୃଷକ ସୁରକ୍ଷା ସଙ୍ଗଠନ। ଏହା ପୂର୍ବରୁ ୧୬ ତାରିଖରେ ଅଭିନବ ପ୍ରତିବାଦ କାର୍ଯ୍ୟକ୍ରମ ହେବ। ଏଥିରେ ସହଯୋଗ ପାଇଁ ଶ୍ରମିକ, ବ୍ୟବସାୟିକ, ପରିବହନ ସହିତ ସଂପୃକ୍ତ ଅନୁଷ୍ଠାନ, ସାମାଜିକ ଏବଂ ସାଂସ୍କୃତିକ ସଙ୍ଗଠନଗୁଡ଼ିକୁ ଅନୁରୋଧ କରାଯାଇଛି। ସଙ୍ଗଠନ ପକ୍ଷରୁ ଆଜି ବରେଇପାଲି ମଣ୍ଡିରେ ଆୟୋଜିତ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି।

କୃଷକ ସଙ୍ଗଠନର କହିବା ମୁତାବକ ଟୋକନ୍‌ ଦାବି ନେଇ ଚାଷୀମାନେ ରାଜପଥ ଅବରୋଧ କରିଥିଲେ। ହେଲେ ସମସ୍ୟାର ସମାଧାନ କରିବା ପରିବର୍ତ୍ତେ ଓଲଟା ଚାଷୀଙ୍କୁ ଗିରଫ କଲା ପ୍ରଶାସନ। ସେପଟେ ଟୋକନ୍‌ ପ୍ରସଙ୍ଗରେ ଶାସକ ବିଜେପି ଦଳ ବିରୋଧୀ ବିଜେଡିକୁ ଟାର୍ଗେଟ୍‌ କରୁଛି, ଅଥଚ ଟୋକନ୍‌ ବାବଦରେ ମୁହଁ ଖୋଲୁନି। ଯୋଗାଣ ବିଭାଗର ସୂଚନା ଅନୁସାରେ, ବର୍ତ୍ତମାନ ପର୍ଯ୍ୟନ୍ତ ଜିଲ୍ଲାରେ ପଞ୍ଜୀକୃତ ୬୫ ହଜାର ୧୪୩ ଚାଷୀଙ୍କ ମଧ୍ୟରୁ ୬୧ ହଜାର ୮୯୨ ଜଣଙ୍କୁ ଟୋକନ୍‌ ମିଳିଛି। ୨ ହଜାର ଚାଷୀଙ୍କୁ ଗୋଟିଏ ବି ଟୋକନ୍‌ ମିଳିନାହିଁ। ଯେଉଁମାନଙ୍କୁ ମିଳିଛି କେବଳ ଗୋଟିଏ ଟୋକନ୍‌ ମିଳିଥିବାରୁ ସବୁ ଧାନ ବିକ୍ରି ହୋଇ ପାରୁନାହିଁ। ଫଳରେ ବିଭିନ୍ନ ସ୍ଥାନରେ ଧାନର ଅଭାବୀ ବିକ୍ରି ବଢ଼ିବାରେ ଲାଗିଛି। ଗୋଟିଏ ମାସ ବିଳମ୍ବରେ ମଣ୍ଡି ଖୋଲିବା ପରେ ମଧ୍ୟ ଚାଷୀଙ୍କୁ ଟୋକନ୍‌ ମିଳି ନପାରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ଓଡ଼ିଶା ଓ ଛତିଶଗଡ଼ରେ ଗୋଟିଏ ଦଳର ସରକାର ରହିଛି।

ଛତିଶଗଡ଼ରେ ଧାନ ସଂଗ୍ରହ ସୁରୁଖୁରୁରେ ଚାଲିଥିବା ବେଳେ ଓଡ଼ିଶାରେ ଏଭଳି ସମସ୍ୟା କେବଳ ରାଜନୈତିକ ଇଚ୍ଛାଶକ୍ତିର ଅଭାବ ଯୋଗୁ ଉପୁଜିଥିବା ସ୍ପଷ୍ଟ। ଏହି ବୈଠକରେ କୃଷକ ନେତା ଅଶୋକ ପ୍ରଧାନ, ସରୋଜ, ବ୍ୟୋମକେଶ ଠାକୁର, ସୁଶାନ୍ତ ପଣ୍ଡା, ତରଣୀସେନ ଭୋଇ, ଦୋଳଗୋବିନ୍ଦ ନାୟକ, ଉମେଶ ମିଶ୍ର, ଭୈରବ ପ୍ରଧାନ, ଦିଲୀପ ସାହୁ, ବିପିନ ଭୋଇ, ସଞ୍ଜୀବ ବାରିକ, ଜୟନାରାୟଣ ସାହୁ, ଦିଲୀପ ମହାପାତ୍ର, ନନ୍ଦଲାଲ ତ୍ରିପାଠୀ, କାଶୀ ବିଶ୍ୱନାଥ, ସନ୍ତୋଷ ତେଲେଂଗା, ସରୋଜ ମହାପାତ୍ର, ଅଶ୍ୱିନୀ ହୋତା, ଅଶ୍ୱିନୀ ମହାପାତ୍ର, ଦାମୋଦର ପ୍ରଧାନ, ଯୋଗେଶ ଭୋଇ, ସୀତାକାନ୍ତ ପଣ୍ଡା, ସନ୍ତୋଷ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।

ସୌଜନ୍ୟ ସମ୍ବାଦ