ଧାନବିକ୍ରି ଠିକ୍‌ରେ ହୋଇପାରୁ ନ ଥିବାରୁ ବିଭିନ୍ନ ସ୍ଥାନରେ ପ୍ରତିଦିନ ଆନ୍ଦୋଳନ ଓ ଉତ୍ତେଜନା ଜାରି ରହିଛି। କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବ୍ଲକ ତମ୍ବାଛଡ଼ା ମଣ୍ଡିରେ ଚାଷୀଙ୍କ ଧାନ ଉଠାଣରେ ବିଳମ୍ବ ଯୋଗୁ ସୋମବାର ଉତ୍ତ୍ୟକ୍ତ ଚାଷୀମାନେ ମଣ୍ଡି ପରିସରରେ ଧାରଣାରେ ବସିବା ସହ ମଣ୍ଡି ଦାୟିତ୍ୱରେ ଥିବା ନୋଡାଲ୍‌ ଅଫିସର, ମଣ୍ଡି ଅଧିକାରୀ ଓ ଧାନକ୍ରୟ ଦାୟିତ୍ୱରେ ଥିବା ସ୍ବୟଂ ସହାୟକ ଗୋଷ୍ଠୀ କର୍ମକର୍ତ୍ତାଙ୍କୁ ଅଫିସ୍‌ରେ ତାଲା ପକାଇ ଦେଇଥିଲେ। ନୂଆପଡ଼ା ଜିଲ୍ଲାରେ ମଣ୍ଡି ଖୋଲିବାକୁ ୧୪ ଦିନ ବିତିଥିଲେ ବି ୭୯ଟି ମଣ୍ଡିରୁ ମାତ୍ର ୩୦ଟିରେ ଧାନ କିଣା ଚାଲିଥିବା ଚାଷୀମାନେ ଅଭିଯୋଗ କରିଛନ୍ତି। କୁଇଣ୍ଟାଲ୍‌ ପିଛା ୪ରୁ୫ କେଜି କଟ୍‌ନି ନହେଲେ ମିଲର୍ସ ଧାନ ଉଠାଉ ନାହାନ୍ତି ବୋଲି କହିଛନ୍ତି। ବଲାଙ୍ଗୀର ଜିଲ୍ଲାରେ ଧାନକିଣା ଅବ୍ୟବସ୍ଥା ନେଇ ବରିଷ୍ଠ ନେତା ବାଳଗୋପାଳ ମିଶ୍ର ଗର୍ଜିଛନ୍ତି। ଶୀଘ୍ର ଚାଷୀଙ୍କଠାରୁ ଧାନସଂଗ୍ରହ ସ୍ବାଭାବିକ ନ ହେଲେ ଆନ୍ଦୋଳନ ହେବ ବୋଲି ଚେତାବନୀ ଦେଇଛନ୍ତି। ପାଟଣାଗଡ଼ ସମେତ ଜିଲ୍ଲାର ବିଭିନ୍ନ କୃଷକ ସଂଗଠନ ଆନ୍ଦୋଳନ ପାଇଁ ସଜବାଜ ହେଉଛନ୍ତି। ସୁବର୍ଣ୍ଣପୁର ଜିଲ୍ଲାର ବିଭିନ୍ନ କୃଷକ ସଂଗଠନ ବି ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଧମକ ଦେଇଛନ୍ତି।