Weather Update: ଲଘୁଚାପ ବର୍ଷାରେ ପୁଣି ଫୁଲିଲା ନଦୀ, ବିପଦ ସଙ୍କେତ ଟପିଲା ବୈତରଣୀ, ଆଜି ଉପକୂଳ ଓ ପଶ୍ଚିମରେ ବର୍ଷିବ

ଭୁବନେଶ୍ୱର,୨୫/୦୮: ଲଗାଣ ବର୍ଷାରେ ପୁଣି ଫୁଲିଛି ନଦୀ । ବିପଦ ସଙ୍କେତ ଟପିଛି ବୈତରଣୀ । ବନ୍ୟା ଦୁର୍ଦ୍ଦଶା କମିନଥିବାବେଳେ ନଦୀ ଫୁଲିବାରୁ ତଳି ଅଞ୍ଚଳ ଲୋକଙ୍କ ଭୟ ବଢ଼ିଛି । ସାଳନ୍ଦୀ ନଦୀ ମଧ୍ୟ ବିପଦ ସଙ୍କେତ ପାଖରେ ପହଞ୍ଚିଛି । ବନ୍ୟା ଯୋଗୁ ବାଲେଶ୍ୱର, ଭଦ୍ରକ, କେନ୍ଦୁଝର, ଯାଜପୁର, କେନ୍ଦ୍ରାପଡ଼ା ଓ କଳାହାଣ୍ଡି ଜିଲ୍ଲାର ୨୧ଟି ବ୍ଲକ୍ ପ୍ରଭାବିତ ହୋଇଛି । ସେପଟେ ଉତ୍ତର ଓଡ଼ିଶାରେ ବର୍ଷା ଜାରି ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।
ତିନି ଦିନ ଧରି ବୈତରଣୀ ଓ ସାଳନ୍ଦୀ ନଦୀର ଜଳସ୍ତର ବିପଦ ସଙ୍କେତ ତଳେ ଥିଲା । ଆଜି ଅଚାନକ ଉଭୟ ନଦୀର ଜଳସ୍ତର ବଢ଼ିଛି । ଆଖୁଆପଦାଠାରେ ବୈତରଣୀ ନଦୀର ବିପଦ ସଙ୍କେତ ସ୍ତର ୧୮.୩୩ ମିଟର ଥିବାବେଳେ ଏଠାରେ ୧୮.୩୫ ମିଟର ଜଳସ୍ତର ପ୍ରବାହିତ ହେଉଛି। ସାଳନ୍ଦୀ ନଦୀର ଜଳସ୍ତର ବି ବଢ଼ିଛି । ଜେନାପୁରଠାରେ ବ୍ରାହ୍ମଣୀ ନଦୀର ଜଳସ୍ତର ୨୦.୯୫ ମିଟର । ଏନଏଚ ୫ ଗୋବିନ୍ଦପୁରଠାରେ ବୁଢ଼ାବଳଙ୍ଗ ନଦୀର ଜଳସ୍ତର ୬.୧୪ ମିଟର ରହିଛି । ମଥାନି ରୋଡ୍ଠାରେ ଜଳକା ନଦୀର ବିପଦ ସଙ୍କେତ ସ୍ତର ୬.୫୦ ମିଟର ଥିବାବେଳେ ୬.୪୪ ମିଟର ଜଳ ପ୍ରବାହିତ ହେଉଛି । ଚାନ୍ଦବାଲି ବ୍ଲକ୍ର ୧୦ ପଞ୍ଚାୟତ ଏବେ ବି ଜଳବନ୍ଦୀ ହୋଇ ରହିଛି । ଭଣ୍ଡାରିପୋଖରୀ, ଧାମନଗର ବ୍ଲକ ଅଞ୍ଚଳର ବନ୍ୟା ଜଳ କମିଥିଲା । ତିହିଡ଼ି, ଧାମନଗର, ଚାନ୍ଦବାଲି ଅଞ୍ଚଳର ଲୋକେ ବନ୍ଧ, ପର ଘରେ ଆଶ୍ରୟ ନେଇଥିଲେ । କିନ୍ତୁ ପୁଣି ଥରେ ନଦୀ ଜଳସ୍ତର ବଢ଼ିଛି ।
ଦୁଇ ଦିନ ଧରି ମୟୂରଭଞ୍ଜ ଜିଲ୍ଲା ଚକଶୂଳିଆପଦା, ଦେଉଳି, ମୋରଡା ଓ ରାସଗୋବିନ୍ଦପୁର ଅଞ୍ଚଳରେ ଲଗାତାର ବର୍ଷା ହେବା ଫଳରେ ଜଳକାରେ ବନ୍ୟା ପରିସ୍ଥିତି ଦେଖାଦେଇଛି । କେନ୍ଦୁଝର ଜିଲ୍ଲା ୫୨୦ ନଂ ଜାତୀୟ ରାଜପଥରେ ମାଟି ଅତଡ଼ା ଖସି ରାସ୍ତା ଅବରୋଧ ହେବାରୁ ଯାତାୟାତ ପ୍ରଭାବିତ ହୋଇଥିଲା । କେନ୍ଦୁଝର ଜିଲ୍ଲା ବଡ଼ବିଲ ଥାନା ଠାକୁରାଣୀ ଓ ରାଇକା ଦୁଇଟି ପୃଥକ୍ ନାଳରେ ଜଣେ ମହିଳା ଓ ଜଣେ ପୁରୁଷ ଭାସି ଯାଇଛନ୍ତି । ଉଭୟଙ୍କ ମୃତଦେହ ଉଦ୍ଧାର ହୋଇଛି । ଲଗାଣବର୍ଷାରେ କଳାହାଣ୍ଡି ଉବୁଟୁବୁ ହେଉଛି । ତେଲନଦୀ, ହାତୀ ନଦୀ ଓ ମୁଦ୍ରା ନଦୀରେ ବନ୍ୟା ଆସିବାରୁ ଜୟପାଟଣା, କଲମପୁର, କୋକସରା, ଗୋଲାମୁଣ୍ଡା ବ୍ଲକରେ ବ୍ୟାପକ କ୍ଷତି ହୋଇଛି । କଲମପୁର-ଜୁନାଗଡ଼ ରାସ୍ତାରେ ପାଣି ଚାଲିବାରୁ ଯାତାୟାତ ଠପ୍ ହୋଇଛି । ତେଲ ନଦୀରେ ଫସିଥିବା ୬ ଚାଷୀଙ୍କୁ ଅଗ୍ନିଶମ ଟିମ୍ ଉଦ୍ଧାର କରିଛି ।
ସୌଜନ୍ୟ ପ୍ରମେୟ




