
ଲସ୍ ଏଞ୍ଜେଲ୍ସ: ଫିଫାର କଡ଼ା କଟକଣା ସତ୍ତ୍ବେ ବିଶ୍ବକପ୍ରେ ‘ଇରାନ୍ ଯୁଦ୍ଧ’ର ପ୍ରଭାବ ଦେଖିବାକୁ ମିଳିଛି। ଏପରିକି ଇରାନ୍ର ଜଣେ ଖେଳାଳି ଗୋଲ୍ ଦେବା ପରେ ବନ୍ଧୁକ ମାରିବା ଇଙ୍ଗିତ କରିବା ବିବାଦୀୟ ପରିସ୍ଥିତି ସୃଷ୍ଟି କରିଛି। ମଙ୍ଗଳବାର ଲସ୍ ଏଞ୍ଜେଲ୍ସର ସୋଫି ଷ୍ଟାଡିୟମ୍ରେ ଖେଳାଯାଇଥିବା ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚ୍ରେ ଇରାନୀ ମିଡ୍ ଫିଲ୍ଡର ମହମ୍ମଦ ମୋହେବୀ ନିଜ ଦେଶ ପକ୍ଷରୁ ଦ୍ବିତୀୟ ତଥା ଚୂଡ଼ାନ୍ତ ଗୋଲ୍ କରିଥିଲେ। ଏହାପରେ ସେ ନିଜ ଅଙ୍ଗୁଳିକୁ ବନ୍ଧୁକ ଆକୃତି କରି ଦର୍ଶକଙ୍କ ଆଡକୁ ଗୁଳିମାରିବା ଇଙ୍ଗିତ କରିଥିଲେ। ଏହାକୁ ନେଇ ପଡ଼ିଆ ଓ ପଡ଼ିଆ ବାହାରେ ଅତ୍ୟନ୍ତ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଥିଲା। ତାଙ୍କୁ ବାସନ୍ଦ କରିବାକୁ ଫିଫା ନିକଟରେ ଦର୍ଶକମାନେ ଦାବି କରିଛନ୍ତି।
ସେହିପରି ଷ୍ଟାଡିୟମ୍ରେ ଉପସ୍ଥିତ ଥିବା ଇରାନୀ ସମର୍ଥକମାନେ ମଧ୍ୟ ନିଜ ଦେଶର ସରକାରଙ୍କ ସମର୍ଥନ କରୁଥିବା ପତାକା ପ୍ରଦର୍ଶନ କରୁଥିଲେ। ଏହା ନ କରିବାକୁ ଫିଫା ଓ ସ୍ଥାନୀୟ ପ୍ରଶାସନ ପକ୍ଷରୁ ବାରଣ ଥିବା ସତ୍ତ୍ବେ ସେମାନେ ଏହା କରିଥିଲେ। ଏପରିକି କେତେକ ଦର୍ଶକ ନିଜ ଟି-ସାର୍ଟରେ ବି ଇରାନ ବିପ୍ଲବର ଚିତ୍ର ବହନ କରିଆସିଥିଲେ। ସୁରକ୍ଷା ଯାଞ୍ଚ ସମୟରେ ସେମାନଙ୍କୁ ଏପରି ଟି-ସାର୍ଟକୁ ଓଲଟା ପିନ୍ଧିବାକୁ କୁହାଯାଇଥିଲେ ବି ସେମାନେ ତାହାକୁ କିଛି ଷ୍ଟାଡିୟମ୍ରେ ପ୍ରଦର୍ଶନ କରିଥିଲେ।
ତେବେ ମ୍ୟାଚ୍ ପରେ ଇରାନ୍ ଦଳକୁ ତୁରନ୍ତ ଆମେରିକା ଛାଡ଼ି ମେକ୍ସିକୋରେ ଥିବା ସେମାନଙ୍କ ଶିବିରକୁ ଚାଲିଯିବାକୁ କୁହାଯାଇଥିଲା। ଏହାକୁ ନେଇ ଅସନ୍ତୋଷ ଜାହିର କରିଛନ୍ତି ଇରାନ୍ର ପ୍ରଶିକ୍ଷକ ଆମୀର ଘାଲେନୋଇ। ତେବେ କିଏ ସେମାନଙ୍କୁ ଆମେରିକା ଛାଡ଼ିବାକୁ କହିଲା ସେ ନେଇ ସେ ନୀରବ ରହିଛନ୍ତି।
ସୌଜନ୍ୟ ସମ୍ବାଦ




